Editorial: ଏକ ଅଭିନବ ସାନ୍ଧ୍ୟ ସ୍କୁଲ: ପ୍ରୀତୀଶ ଆଚାର୍ଯ୍ୟଙ୍କ ସମ୍ପାଦକୀୟ ସାମାନ୍ୟ କଥନରେ ପଢ଼ନ୍ତୁ ଏଥର...

Jul 22, 2026 - 18:18
Editorial: ଏକ ଅଭିନବ ସାନ୍ଧ୍ୟ ସ୍କୁଲ: ପ୍ରୀତୀଶ ଆଚାର୍ଯ୍ୟଙ୍କ ସମ୍ପାଦକୀୟ ସାମାନ୍ୟ କଥନରେ ପଢ଼ନ୍ତୁ ଏଥର...

"ଏକ ଅଭିନବ ସାନ୍ଧ୍ୟ ସ୍କୁଲ ପ୍ରୀତୀଶ ଆଚାର୍ଯ୍ୟସାମାନ୍ୟ କଥନ ବରଗଡ଼ ପାଖରେ ଏକ ବଡ଼ ଗାଁ- କଟାପାଲିର କେତେ ଜଣ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ସ୍ଥିର କଲେ, ଗାଁରେ ଏକ ଅନୌପଚାରିକ ସାନ୍ଧ୍ୟ ସ୍କୁଲ ଆରମ୍ଭ କରିବେ।

ଯେହେତୁ ସେମାନଙ୍କ ସଂଖ୍ୟା ସୀମିତ, ଅନ୍ତତଃ ଷଷ୍ଠରୁ ଦଶମ ଶ୍ରେଣୀର ପିଲାଙ୍କୁ ସନ୍ଧ୍ୟାରେ ଦୁଇ ଘଣ୍ଟା ପାଠ ପଢ଼ାଇବେ।

ସେମାନେ ଆହୁରି ନିଷ୍ପତ୍ତି କଲେ ଯେ ସ୍ୱ-ଉଦ୍ୟମକୁ "ଫେସବୁକ" ଆଦିରେ ବିଜ୍ଞପିତ କରିବେ ନାହିଁ; ପାଠପଢ଼ା ଲାଗି ପିଲାଙ୍କ ଠାରୁ କୌଣସି ପାଉଣା ନେବେ ନାହିଁ କିମ୍ବା ଆନୁଷଙ୍ଗିକ ଖର୍ଚ୍ଚ ପାଇଁ କୌଣସି ରାଜନେତା-ଧନାଢ଼୍ୟ ପାଖରେ ହାତ ପତାଇବେ ନାହିଁ।

ସବୁ ନିଜ ପେନସନରୁ ବହନ କରିବେ।

ଚକ୍-ଡଷ୍ଟର, ପିଲାଙ୍କ ବସିବା ଲାଗି ପାଲ, କଳାପଟା, ପିଇବା ପାଣି ପାଇଁ ବଡ଼ ପାତ୍ରଟିଏ, ଆଦି ଲାଗି ଯଦି ପାଣ୍ଠି ଯୋଗାଡ଼କୁ ପ୍ରମୁଖତା ଦିଆଯାଏ, ଅସଲି କାମ ଗୌଣ ହୋଇଯିବ।

ଆପୋସ କନ୍ଦଳ ବଢ଼ିପା‌ରେ।

ଗାଁରେ ଏକ ସାମୁଦାୟିକ ଘର ଥିଲା, ଯାହାକୁ ବିଦ୍ୟାଳୟ ପାଇଁ ଉପଯୋଗ କରାଗଲା।

ଗତ ବର୍ଷ (୨୦୨୫) ଜୁନ୍ ମାସରୁ ଚାଲିଲା "ମୁକ୍ତ ସାନ୍ଧ୍ୟ ବିଦ୍ୟାଳୟ"।

ଏହି ନୂଆ ସ୍କୁଲ ଗାଁର ଏକ ଆକର୍ଷଣୀୟ ସ୍ଥାନ ହେଲା ଦିନକୁ ଦିନ ପିଲାଙ୍କ ସଂଖ୍ୟା ବଢ଼ିଲା; ଏହା ଏବେ ୬୫କୁ ଟପିଲାଣି।Advertisment ଘରୋଇ ଟ୍ୟୁସନରୁ ଏହା ଭିନ୍ନ- ପିଲାଙ୍କୁ ଏଠି ଫିଜ ଦେବାକୁ ପଡ଼େ ନାହିଁ; ପ୍ରତିଦିନ ପ୍ରାର୍ଥନାରୁ ସ୍କୁଲ ଆରମ୍ଭ ହୁଏ; ସପ୍ତାହକୁ ଦିନେ ଯୋଗ-ପ୍ରାଣାୟାମ କ୍ଲାସ ହୁଏ; ଦୀର୍ଘ ଅନୁଭବଧାରୀ ଶିକ୍ଷକ ଏଠାରେ ସ୍ୱେଚ୍ଛାରେ ପାଠ ପଢ଼ାନ୍ତି।

ପିଲାଙ୍କ ଲେଖିବା, କହିବା, ବିଷୟ-ଆଲୋଚନାରେ ଭାଗ ନେବା, ସାଧାରଣ ଜ୍ଞାନ ଆଦି ମୌଳିକ ଆବଶ୍ୟକତା ଉପରେ ଗୁରୁତ୍ୱ ରହେ।

ପାଠ୍ୟକ୍ରମ କିଛି ଅଭିନବ ନୁହେଁ, ହେଲେ ତା"ର କାର୍ଯ୍ୟାନ୍ବୟନର ଚରିତ୍ର ହେଲା ଏଠାକାର ଅଭିନବତ୍ୱ।

ଆହୁରି ପଢ଼ନ୍ତୁ- Cops Resort To Lathi-Charge: ଜେପି "ସଂସଦ ଚଲୋ" ଆନ୍ଦୋଳନରେ ପୁଲିସ ବଳପ୍ରୟୋଗ ମାମଲା: ସିସିଟିଭି ଓ ଭିଡିଓ ସୁରକ୍ଷିତ ରଖିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ନିକଟରେ ଏହି ଅନୌପଚାରିକ ସାନ୍ଧ୍ୟ ସ୍କୁଲକୁ ଯାଇଥିଲି।

ଇତିମଧ୍ୟରେ ମୂଳ ଆୟୋଜକଙ୍କ ସହିତ ଆଉ କେତେ ଜଣ ଚାକିରିରେ ଥିବା ଶିକ୍ଷକ ଓ ଦୁଇ ଜଣ ପ୍ରଶିକ୍ଷିତ ଝିଅ ମଧ୍ୟ ଯୋଡ଼ି ହୋଇଛନ୍ତି।

କାମ ଆରମ୍ଭ ହେଲା ପରେ ଆବଶ୍ୟକ ପଡୁଥିବା ନୂଆ ସାମଗ୍ରୀମାନ, ଯେମିତି ଶିକ୍ଷକଙ୍କ ବସିବା ଲାଗି ଅଧିକ ଚୌକି, ଆଉ କେତୋଟି ପାଲ ଆଦି, ଗାଁର କେହିକେହି ଉପହାରରେ ପ୍ରଦାନ କଲେଣି।

ଅତୀତରେ ସ୍କୁଲ ସହିତ ଗାଁଲୋକ ଯେମିତି ଯୋଡ଼ି ହେଉଥିଲେ, ସେହି ଧରଣର ପରିବେଶ ଦୃଷ୍ଟିଗୋଚର ହେଉଛି।

ସମସ୍ତଙ୍କ ଆଶା, ଗାଁରେ ଶୈକ୍ଷିକ ପରିବେଶ ସୁଧୁରିବ; ସମଗ୍ର ଗାଁକୁ ତହିଁରୁ ସୁଫଳ ମିଳିବ।

ପିଲାଙ୍କ ସାଙ୍ଗରେ କଥାବାର୍ତ୍ତାରୁ ମନେ ହେଲା, ସେମାନେ ସାନ୍ଧ୍ୟ ସ୍କୁଲକୁ ନେଇ ଖୁବ୍ ଆଶାୟୀ; ଘରୋଇ ଟ୍ୟୁସନଠାରୁ ଏଠି ପରିବେଶ ଅଧିକ ଖୋଲାମେଲା।

ପଢୁ ନ ଥିବାରୁ ପିଲାମାନଙ୍କୁ ଅଭିଭାବକମାନେ ଦୋଷ ଦିଅନ୍ତି ସିନା, ହେଲେ ଘରେ ପାଠପଢ଼ା ପାଇଁ ଅନେକ ଅସୁବିଧା, ପଢ଼ିବା ଜାଗା, ଆଲୁଅର ଅଭାବ।

ଏଠି ସେସବୁ ସମସ୍ୟା ରହେନା।

ଦ୍ୱିତୀୟତଃ, ଘରେ ପାଠ ବୁଝିବାରେ ବିଶେଷ ସାହାଯ୍ୟ ମିଳେନା; ଶିକ୍ଷିତ ବାପା-ମା" ମଧ୍ୟ ପିଲାଙ୍କର ମନ ନ ବୁଝି କେବଳ ତାଗିଦା କରନ୍ତି।

ପୁଣି, ଅବସରପ୍ରାପ୍ତ ଶିକ୍ଷକମାନଙ୍କ ପଢ଼ାରେ ନିବିଷ୍ଟତା ପିଲାଙ୍କୁ ପ୍ରେରଣା ଯୋଗାଏ।

ମୋତେ ଏହାର ପ୍ରମାଣ ମିଳିଲା, ଯେତେବେଳେ ପଚାରିଲି, "ଜୀବନରେ କ"ଣ ହେବାର ଇଚ୍ଛା"?

ଉତ୍ତରରେ କିଛି ପିଲା କହିଲେ, "ଶିକ୍ଷକ"। "କାରଣ?" ସେବା-ନିବୃତ୍ତି ପରେ ବି ସାନ୍ଧ୍ୟ ବିଦ୍ୟାଳୟ ମାଧ୍ୟମରେ ସେମାନେ ସମାଜ କାମ କରିପାରିବେ!

ଏହି ଉଦ୍ୟମକୁ ନିୟମିତ ସ୍କୁଲର ପ୍ରତିଯୋଗୀ ଭାବରେ ନୁହେଁ, ବରଂ ସହଯୋଗୀ ଭାବରେ ଉଦ୍ୟୋକ୍ତାମାନେ ଦେଖନ୍ତି।

ସାନ୍ଧ୍ୟ ସ୍କୁଲ ଯୋଗୁଁ ଏଣିକି ପିଲାଙ୍କ ମଧ୍ୟରେ ଦିନରେ ବିଦ୍ୟାଳୟକୁ ଯିବାର ଆଗ୍ରହ ବଢ଼େ।

ଟ୍ୟୁସନରେ ଏହାର ବିପରୀତଟି ହୁଏ, ଯହିଁରେ ସ୍କୁଲକୁ ହେୟମନ୍ୟ ହୋଇଯାଏ।

ଆୟୋଜକ ଶିକ୍ଷକମାନେ ସରକାରୀ ବ୍ୟବସ୍ଥାର ଉପଜ ହୋଇଥିବାରୁ ତାକୁ କେବେ ଅଦରକାରୀ ବୋଲି ମନେ କରନ୍ତି ନାହିଁ।

ସାନ୍ଧ୍ୟ ସ୍କୁଲର ପ୍ରତି ଶ୍ରେଣୀରେ ମାତ୍ର ବାର-ଚଉଦ ଜଣ କରି ପିଲା।

ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଅଧିକ।

ଏଯାଏଁ ଶୃଙ୍ଖଳାଗତ ସମସ୍ୟା କେବେ ହୋଇନି।

ଜଣେ ୩୦-୩୫ ବର୍ଷର ଅଭିଜ୍ଞ ଶିକ୍ଷକ, ପାଠ ପଢ଼ାଇବା ଲାଗି ଏଥିରୁ ଅଧିକ ଆଦର୍ଶ ସ୍ଥିତି ବା ପାଇବ କେଉଁଠି?

ମୋର ଯିବା ଦିନ ଅଳ୍ପ କିଛି ବାପା-ମା" ମଧ୍ୟ ସେଠି ଉପସ୍ଥିତ ଥିଲେ।

ସେମାନେ କହିଲେ ଯେ ଏହି ଉଦ୍ୟମ ଯୋଗୁଁ ପିଲାଙ୍କର ପାଠ ଓ ସ୍କୁଲ ପ୍ରତି ଆଗ୍ରହ ବଢ଼ିଛି।

ଘରେ ସେମାନେ କେବଳ ପିଲାକୁ "ଭଲ ଭାବେ ପଢ଼" ବୋଲି ଉପଦେଶ ଦେବା ବା ତାଗିଦ କରିବା ଛଡ଼ା ଆଉ କିଛି କରିପାରନ୍ତି ନାହିଁ।

ଏବେ ପିଲାର ପାଠପଢ଼ା ସହ, ବିଶେଷ କରି ମା"ର ପ୍ରତ୍ୟକ୍ଷ ସମ୍ବନ୍ଧ ରହୁଥିବାରୁ, ଘରେ ସ୍ଥିତି ବଦଳୁଛି।

ଆହୁରି ପଢ଼ନ୍ତୁ- Northeast Monsoon: ହିମାଚଳ, ଜମ୍ମୁ-କାଶ୍ମୀର ଓ ଉତ୍ତର ପୂର୍ବ ରାଜ୍ୟରେ ମୌସୁମୀ ବର୍ଷାରେ ୧୨୦ ମୃତ ଏଭଳି ସାନସାନ ପ୍ରୟୋଗ ପଛରେ ଶିକ୍ଷକଙ୍କ ଆଗ୍ରହ ରହିବା ଅଧିକ ଜରୁରି।

ଅବସର ଉତ୍ତାରୁ ସେମାନେ ନୂଆ ଅର୍ଥ ଉପାର୍ଜନର ବାଟ ଖୋଜି ନାହାନ୍ତି।

ବରଂ ଏଥିପାଇଁ ପେନସନରୁ କିଛି ପଇସା ଖର୍ଚ୍ଚ କରୁଛନ୍ତି।

ଚାକିରି କାଳରେ ଯେଉଁ ବାଧା-ବନ୍ଧନ ଯୋଗୁଁ ସ୍ୱ-ଅନୁଭୂତିର ସମୁଚିତ ଉପଯୋଗ କରି ପାରୁ ନ ଥିଲେ, ଏବେ ତାହା କାମରେ ଲାଗୁଛି।

ଅବସର ପରର ଖାଲିପଣ ସାନ୍ଧ୍ୟ ସ୍କୁଲ ଯୋଗୁଁ ଆଉ ରହୁନାହିଁ।

ଏହା ଆତ୍ମସନ୍ତୋଷର ମାର୍ଗ ହୋଇଛି।

ଜଣେ କହିଲେ, "ଆଗାମୀ ଦିନରେ କ"ଣ ସବୁ ଅଭିନବତ୍ୱ ଅଣାଯିବ, ତାକୁ ନେଇ "ଆମ ଭିତରେ" ନିୟମିତ ବିଚାର-ଆଲୋଚନା ଚାଲିଛି, ଯାହା "ଆମକୁ" ନୂଆ ପ୍ରାଣଶକ୍ତି ଦେଉଛି।

କଟାପାଲିର ଏହି ସାନ୍ଧ୍ୟ ସ୍କୁଲ ଏକ ଛୋଟିଆ ପ୍ରୟୋଗ।

ଅନୁଷ୍ଠାନର ନିରନ୍ତରତା ଓ ନିୟମିତତା ଉପରେ ତା"ର ସଫଳତା ନିର୍ଭର କରିବ।

ତା"ର ଉପଲବ୍‌ଧିକୁ ଗଣିବା ଲାଗି ବର୍ଷେ ସମୟ ବା ଥରେ ବୁଲିଆସିବା, କିମ୍ବା ଏହି କ୍ଷୁଦ୍ର ଆଲୋଚନା ଯଥେଷ୍ଟ ନୁହେଁ।

ପୁଣି, ଏତିକିରେ ସ୍କୁଲର ଏକ ସାମଗ୍ରିକ ଆକଳନ କରିହେବ ନାହିଁ।

ଏସବୁ ସତ୍ତ୍ବେ, ଏହି ଧରଣର ସକାରାତ୍ମକ ପ୍ରୟାସର ଅଙ୍କୁରଣ ସବୁ ଆଡ଼େ ହେବା କଥା।

ଗାଁରେ ଶିକ୍ଷା ପରିବେଶକୁ ଆଶ୍ୱସ୍ତିପ୍ରଦ କରିବା ଲାଗି ଏହା "ଗୁଣ୍ଡୁଚି ମୂଷା" ଭଳି ଏକ କ୍ଷୁଦ୍ର ସ୍ଥାନୀୟ ପ୍ରୟାସ।

ଏନେଇ ଚର୍ଚ୍ଚା ବି ସବୁ ବେଳେ ଲୋଡ଼ା।(ମତାମତ ଲେଖକଙ୍କ ନିଜସ୍ବ) pritishacharya63@gmail.com ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।