Editorial: ଉତ୍‌କ୍ଷେପିତ ଭାରତ!

Jul 23, 2026 - 03:07
Editorial: ଉତ୍‌କ୍ଷେପିତ ଭାରତ!

"ବର୍ତ୍ତମାନ ମହାକାଶ ଶିଳ୍ପ କ୍ଷେତ୍ରରେ ଚହଳ ସୃଷ୍ଟି କରିଥିବା ଭାରତର ଘରୋଇ କ୍ଷେତ୍ର କଂପାନି "ସ୍କାଏରୁଟ୍ ଏରୋସ୍ପେସ୍" ଦ୍ବାରା ନିର୍ମିତ ରକେଟ୍ "ବିକ୍ରମ୍-୧" ଗତ ଶନିବାର ସଫଳତାର ସହିତ କକ୍ଷପଥରେ ପେଲୋଡ୍ ସ୍ଥାପନ କରି ଇତିହାସ ରଚନା କରିଛି ବୋଲି କହିଲେ ଅତିରଞ୍ଜନ ହେବ ନାହିଁ।

ଏହା ଭାରତକୁ ଘରୋଇ କ୍ଷେତ୍ରରେ ନିର୍ମିତ କାର୍ଯ୍ୟକ୍ଷମ ରକେଟ୍ ଥିବା ପୃଥିବୀର ମାତ୍ର ତିନିଟି ଦେଶ ମଧ୍ୟରୁ ଗୋଟିଏରେ ପରିଣତ କରିଥାଏ; ଅନ୍ୟ ଦୁଇଟି ଦେଶ ହେଉଛନ୍ତି- ଆମେରିକା ଓ ଫ୍ରାନ୍‌ସ।

ଭାରତ ପାଇଁ ଯାହା ହେଉଛି ବିଶେଷ ଗର୍ବର ବିଷୟ, ତାହା ହେଲା, ଏଇ ଘରୋଇ ସ୍ପେସ୍ ଟେକ୍‌ନୋଲୋଜି କଂପାନିର ପ୍ରତିଷ୍ଠାତା ହେଉଛନ୍ତି କେତେ ଜଣ ଯୁବ ଉଦ୍ୟୋଗୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଗର୍ବରେ ଘୋ‌ଷଣା କରିଥିବା ଭଳି ଯେଉଁମାନଙ୍କର ହାରାହାରି ବୟସ ହେଉଛି ୨୮ ବର୍ଷ ମାତ୍ର।

ଭାରତରେ ଘରୋଇ କ୍ଷେତ୍ରରେ ଏକ ମହାକାଶ ଅନୁସନ୍ଧାନ ଉଦ୍ୟୋଗ ପ୍ରତିଷ୍ଠା କରାଯିବା ପାଇଁ ଆବଶ୍ୟକ ପ୍ରାବିଧିକ ଦକ୍ଷତା ଉପଲବ୍‌ଧ ଅଛି କି ନାହିଁ, ତାହାକୁ କେନ୍ଦ୍ରକରି ଅତୀତରେ ଯେଉଁ ସନ୍ଦେହ ରାଜୁତି କରୁଥିଲା, ଏଇ ବିଚକ୍ଷଣ ଯୁବ ବୈଜ୍ଞାନିକମାନେ ସେଥିରେ ଏବେ ଅନ୍ତ ଘଟାଇଛନ୍ତି।ଏଇ ପ୍ରାବିଧିକ ବିତର୍କର ଅବସାନ ଘଟିବା ପରେ ବର୍ତ୍ତମାନ ତା" ସ୍ଥାନରେ ଯେଉଁ ଏକ ନୂତନ ବିତର୍କ ଯଥାର୍ଥ ଭାବରେ ମୁଣ୍ଡ ଟେକିବାକୁ ଆରମ୍ଭ କରିଛି, ତାହା ହେଉଛି- ବ୍ୟାବସାୟିକ ବିତର୍କ।

ପ୍ରଶ୍ନ ଉଠୁଛି ଏଇ ପ୍ରାବିଧିକ ସଫଳତା ଆଧାରରେ ଏକ ସଫଳ ମହାକାଶ ଉତ୍‌କ୍ଷେପଣ ବ୍ୟବସାୟ ସୃଷ୍ଟି କରାଯାଇ ପାରିବ କି?

ମହାକାଶ ଅର୍ଥନୀତିରେ ବ୍ୟାବସାୟିକ ସଫଳତା କେବଳ ଇଞ୍ଜିନିଅରିଙ୍ଗ ଚମତ୍କାରିତା ଉପରେ ନିର୍ଭର କରି ନ ଥାଏ; ତିନିଟି ଅନ୍ୟ କ୍ଷମତା ଏଥିରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥାନ୍ତି: ଉତ୍‌କ୍ଷେପଣର ନିର୍ଭରଯୋଗ୍ୟତା, ନିୟମିତତା ଓ ଲାଭପ୍ରଦତା।୨୦୨୦ରେ ଭାରତରେ ମହାକାଶ ଗବେଷଣା କ୍ଷେତ୍ରରେ ଘରୋଇ ଉଦ୍ୟୋଗର ପ୍ରବେଶକୁ ଅନୁମତି ପ୍ରଦାନ କରାଯିବା ପରେ ରାଷ୍ଟ୍ରାୟତ୍ତ "ଇସ୍ରୋ" ସହିତ ମିଳିତ ଘରୋଇ କ୍ଷେତ୍ରର ଉଦ୍ୟୋଗୀମାନେ ଭାରତୀୟ ଉତ୍‌କ୍ଷେପଣ କ୍ଷମତାରେ ଉଲ୍ଲେଖନୀୟ ଉନ୍ନତି ହାସଲ କରିବାରେ ସଫଳ ହୋଇଛନ୍ତି।

ତେବେ ସେମାନଙ୍କର ଏଇ ଦକ୍ଷତାକୁ ଆନ୍ତର୍ଜାତିକ ମହାକାଶ ବ୍ୟବସାୟ କ୍ଷେତ୍ରରେ ସକ୍ରିୟ ଥିବା ସଂସ୍ଥାମାନଙ୍କ ସହିତ ସଫଳ ଭାବରେ ପ୍ରତିଯୋଗିତା କରିବାର ଆୟୁଧରେ ପରିଣତ କରିବା ହେଉଛି ବର୍ତ୍ତମାନ ସେମାନଙ୍କ ପାଇଁ ନୂତନ ଆହ୍ବାନ।ଉତ୍‌କ୍ଷେପଣ ସେବାର ଗ୍ରାହକମାନେ କେବଳ ଗୋଟିଏ ସଫଳ ଉତ୍‌କ୍ଷେପଣ ସୃଷ୍ଟି କରିଥିବା ଚାଞ୍ଚଲ୍ୟ ଦ୍ବାରା ପ୍ରଭାବିତ ହୋଇ ସେମାନଙ୍କର ସେବା ପ୍ରଦାନକାରୀଙ୍କୁ ଚୟନ କରି ନଥାନ୍ତି।

ଏକାଧିକ ଉତ୍‌କ୍ଷେପଣରେ ପରିଦୃଷ୍ଟ ନିର୍ଭରଯୋଗ୍ୟତା, ଉତ୍‌କ୍ଷେପଣ ନିର୍ଘଣ୍ଟର ନିଶ୍ଚିତତା, ଉତ୍‌କ୍ଷେପଣ ପାଇଁ ପ୍ରଦାନ କରିବାକୁ ପଡୁଥିବା ଦେୟର ପ୍ରତିଯୋଗିତାତ୍ମକତା ଏବଂ ଭବିଷ୍ୟତରେ ସେମାନଙ୍କର ପାରଦର୍ଶିତା ଉପରେ ବିଶ୍ବାସ ଆଦି ଗ୍ରାହକମାନଙ୍କର ନିଷ୍ପତ୍ତିକୁ ପ୍ରଭାବିତ କରିଥାଏ।

ସମ୍ଭାବ୍ୟ ଗ୍ରାହକମାନେ ତେଣୁ ଏକାଧିକ ଉତ୍‌କ୍ଷେପଣରେ "ସ୍କାଏରୁଟ୍" ତା"ର ପ୍ରଥମ ମିସନ୍‌ରେ ହାସଲ କରିଥିବା ସଫଳତାର ପୁନରାବୃତ୍ତି ଦେଖିବାକୁ ଅପେକ୍ଷା କରିବେ।

ସେମାନଙ୍କ ପାଇଁ "ବିକ୍ରମ୍-୧" ରକେଟ୍ କେବଳ ଏକ ହାବେଳି ବାଣ ନୁହେଁ, ଯାହାର ଗୋଟିଏ ମାତ୍ର ଉତ୍‌କ୍ଷେପଣ ସହିତ ତା"ର ଆୟୁଷ ପୂର୍ଣ୍ଣ ହୋଇଯାଇଥାଏ।

ଏହା ହେଉଛି ଏକ ଉତ୍‌କ୍ଷେପଣ ଶୃଙ୍ଖଳର ଅଂଶ ଯାହା ଉପରେ ସମ୍ଭାବ୍ୟ ଗ୍ରାହକମାନେ ଦୀର୍ଘକାଳୀନ ସୂତ୍ରରେ ଭରସା କରିପାରିବେ।"ସ୍କାଏରୁଟ୍"ର ସଫଳତାର ତାତ୍ପର୍ଯ୍ୟ କେବଳ ସେଇ କଂପାନି ମଧ୍ୟରେ ସୀମିତ ନୁହେଁ।

ଭାରତରେ ମହାକାଶ ବ୍ୟବସାୟ କ୍ଷେତ୍ରରେ ଆବିର୍ଭାବ ଘଟିଚାଲିଥିବା ଏକାଧିକ "ଷ୍ଟାର୍ଟ-ଅପ୍"ମାନ ମଧ୍ୟ "ସ୍କାଏରୁଟ୍"ର ଭାଗ୍ୟ ଉପରେ ଉତ୍ସୁକତାର ସହିତ ନିଘା ରଖିଛନ୍ତି।

ଏଭଳି ଯେଉଁ କେତେକ "ଷ୍ଟାର୍ଟ-ଅପ୍" କଂପାନିମାନଙ୍କର ନାମ ଏଠାରେ ଉଲ୍ଲେଖଯୋଗ୍ୟ, ସେମାନେ ହେଉଛନ୍ତି- "ଅଗ୍ନିକୁଳ କସ୍‌ମସ୍", "ପିକ୍ସେଲ୍", "ଦିଗନ୍ତରା", "ବେଲାଟ୍ରିକ୍ସ ଏରୋସେସ୍" ଆଦି।

ସେମାନେ ଉତ୍‌କ୍ଷେପଣ ସେବାରୁ ଆରମ୍ଭ କରି ସାଟେଲାଇଟ୍ ନିର୍ମାଣ, ମହାକାଶ ସ୍ଥିତି ସଚେତନତା ଓ ପ୍ରପଲ୍‌ସନ୍ ସିଷ୍ଟମ୍ ଆଦି ‌େକ୍ଷତ୍ରମାନଙ୍କରେ ସକ୍ରିୟ ଅଛନ୍ତି।

ସେମାନଙ୍କର ଭାଗ୍ୟ ମଧ୍ୟ କୌଣସି ଗୋଟିଏ ପ୍ରାବିଧିକ ସଫଳତା ଉପରେ ନିର୍ଭର ନ କରି ଏକ ସଫଳ ବ୍ୟାବସାୟିକ ମହାକାଶ ଅର୍ଥନୀତି ସୃଷ୍ଟି ଉପରେ ନିର୍ଭର କରିବ।

ସରକାର ଏହାକୁ ଧ୍ୟାନରେ ରଖି ମହାକାଶ ନୀତିରେ ବିବର୍ତ୍ତନ ଘଟାଇବାକୁ ହେବ।ସରକାରଙ୍କର ସଂସ୍କାରର ଅଂଶସ୍ବରୂପ ଏ କ୍ଷେତ୍ରରେ ଘରୋଇ ଉଦ୍ୟୋଗର ଯେଉଁ ପ୍ରବେଶ ଘଟିଛି ଓ ସେମାନଙ୍କୁ "ଇସ୍ରୋ"ର ସୁବିଧାସୁଯୋଗମାନ ବ୍ୟବହାର କରିବାକୁ ଅନୁମତି ମିଳିଛି, "ସ୍କାଏରୁଟ୍"ର ସଫଳତା ଶକ୍ତିଶାଳୀ ଢଙ୍ଗରେ ତାହାର ଯଥାର୍ଥତା ପ୍ରମାଣିତ କରିଛି।

ସଂସ୍କାରର ପରବର୍ତ୍ତୀ ପର୍ଯ୍ୟାୟ ଯେଉଁ କେତେକ ଦିଗ ପ୍ରତି ଗୁରୁତ୍ବ ପ୍ରଦାନ କରିବା ଆବଶ୍ୟକ, ସେଥିରେ ଅନ୍ତର୍ଭୁକ୍ତ- ନିୟନ୍ତ୍ରଣରେ ନିଶ୍ଚିତତା, ସମୟୋଚିତ ଅନୁମୋଦନ ପ୍ରଦାନ, ପରୀକ୍ଷଣ ଓ ଉତ୍‌କ୍ଷେପଣ ଭିତ୍ତିଭୂମିର ଉପଲବ୍‌ଧତା, ଏବଂ ସର୍ବୋପରି ଏକ ଶାକ୍ତିଶାଳୀ ଘରୋଇ ଯୋଗାଣକାରୀ ଭିତ୍ତି ସୃଷ୍ଟି।

ଏହା ବାଦ୍ ମହାକାଶ କ୍ଷେତ୍ରରେ ନିବେଶରୁ ଆୟ ସୃଷ୍ଟି ହେବା ପାଇଁ ଅପେକ୍ଷାକୃତ ଭାବେ ଦୀର୍ଘ ସମୟ ଲାଗୁଥିବା ହେତୁ, ଏଥିପାଇଁ ଦୀର୍ଘକାଳୀନ ପୁଞ୍ଜି ନିବେଶ ଆବଶ୍ୟକ ହୋଇଥାଏ।

ଘରୋଇ ମହାକାଶ କାର୍ଯ୍ୟକ୍ରମରୁ ଆମର ପ୍ରତ୍ୟାଶା ଏଇ ସମସ୍ତ ବାସ୍ତବତାକୁ ବିଚାରକୁ ନେବା ଜରୁରି।"ବିକ୍ରମ୍-୧"କୁ କେନ୍ଦ୍ରକରି ଦେଶରେ ସୃଷ୍ଟି ହୋଇଥିବା ଉଲ୍ଲାସ ସଂପୂର୍ଣ୍ଣ ରୂପେ ଯଥାର୍ଥ, ଏଥିରେ କୌଣସି ସନ୍ଦେହ ନାହିଁ।

ଏହା ହେଉଛି ବର୍ଷ ବର୍ଷ ଧରି ଘଟିଥିବା ନୀତିଗତ ସଂସ୍କାର, ଇଞ୍ଜିନିଅରିଙ୍ଗ ଉଦ୍ୟମ, ଓ ଔଦ୍ୟୋଗିକ ପରାକାଷ୍ଠାର ବହୁ ଅପେକ୍ଷିତ ଫଳ।

କିନ୍ତୁ ଏହାକୁ ଆମର ଅନ୍ତିମ ସଫଳତା ରୂପେ ବିଚାର କରି ଆମେ ଆତ୍ମସନ୍ତୋଷରେ ନିମଗ୍ନ ହୋଇଯିବାରୁ ନିବୃତ୍ତ ‌େହବା ଜରୁରି।

କେବଳ ଗୋଟିଏ ସଫଳ "ଷ୍ଟାର୍ଟ-ଅପ୍" କିମ୍ବା ଗୋଟିଏ ସଫଳ ରକେଟ୍ ମହାକାଶ ବ୍ୟବସାୟରେ ଆମର ସଫଳତାର ପ୍ରକୃତ ପରିମାପକ ନୁହେଁ।

ଯେତେବେଳେ ଭାରତରେ ଏକାଧିକ ଆନ୍ତର୍ଜାତିକ ସ୍ତରରେ ପ୍ରତିଯୋଗିତାକ୍ଷମ ମହାକାଶ କଂପାନିମାନଙ୍କର ଆବିର୍ଭାବ ଘଟିବ, ଯେଉଁମାନେ ନିୟମିତ ଭା‌ବରେ ଗ୍ରାହକମାନଙ୍କୁ ଉତ୍‌କ୍ଷେପଣ ସେବା ଯୋଗାଇ ଚାଲିବେ ଏବଂ ନିୟମିତ ଆୟର ସ୍ରୋତ ସୃଷ୍ଟି କରିବେ, ସେତେବେଳେ ଭାରତ ଏ କ୍ଷେତ୍ରରେ ବାସ୍ତବ ସଫଳତା ହାସଲ କଲା ବୋଲି ଦାବି କରାଯାଇ ପାରିବ।ବର୍ତ୍ତମାନ ସେଇ ଦୀର୍ଘ ଯାତ୍ରାପଥରେ "ବିକ୍ରମ୍-୧"ର ସଫଳ ଉତ୍‌କ୍ଷେପଣ ଦ୍ବାରା ଆମେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରାବିଧିକ ମାଇଲଖୁଣ୍ଟି ଅତିକ୍ରମ କରିଛୁ ବୋଲି କୁହାଯାଇ ପାରିବ।

ଏଇ ପ୍ରାବିଧିକ ଉପଲବ୍‌ଧିକୁ କିପରି ଏକ ବ୍ୟାବସାୟିକ ସଫଳତାରେ ପରିଣତ କରାଯାଇ ପାରିବ, ତାହାର ଉପାୟ ଅନୁସନ୍ଧାନ କରିବା ଓ ତାହାକୁ କାର୍ଯ୍ୟକାରୀ କରିବା ହେଉଛି ଆମର ମହାକାଶ ଉଦ୍ୟୋଗୀ ଓ ନୀତିନିର୍ଦ୍ଧାରକମାନଙ୍କ ପାଇଁ ଭବିଷ୍ୟତର ଆହ୍ବାନ।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।