Editorial: ଇଏ ପରା ‘ଜେନ୍-ଜି’!: ସରଳ କୁମାର ଦାସଙ୍କ ସମ୍ପାଦକୀୟ ସରଳ ବିଚାରରେ ପଢ଼ନ୍ତୁ ଏଥର...

Aug 04, 2026 - 18:23
Editorial: ଇଏ ପରା ‘ଜେନ୍-ଜି’!: ସରଳ କୁମାର ଦାସଙ୍କ ସମ୍ପାଦକୀୟ ସରଳ ବିଚାରରେ ପଢ଼ନ୍ତୁ ଏଥର...

"ଇଏ ପରା "ଜେନ୍-ଜି"!

ସରଳ କୁମାର ଦାସସରଳ ବିଚାର ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ପ୍ରତିବାଦରେ "କକ୍ରୋଚ ଜନତା ପାର୍ଟି" (ସିଜେପି)ର ଆହ୍ୱାନ କ୍ରମେ ମୁଖ୍ୟତଃ "ଜେନ୍-ଜି" ପିଢ଼ିର ପିଲାମାନେ ଆନ୍ଦୋଳନ କଲେ, ଯାହାର ମୁଖ୍ୟ ଦାବି ଥିଲା କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା।

ପ୍ରଥମେ ସେମାନଙ୍କ ଦାବିକୁ କେହି ଗୁରୁତ୍ୱ ନେଇ ନଥିଲେ।

ଏଣେ ମୋଦୀଙ୍କ ଦୀର୍ଘ ଶାସନ କାଳରେ କୌଣସି ଜଣେ ହେଲେ ମନ୍ତ୍ରୀଙ୍କୁ ଜନସାଧାରଣଙ୍କ ଚାପରେ ଇସ୍ତଫା ଦେବାକୁ ପଡ଼ି ନଥିଲା।

କିନ୍ତୁ, ଏଥର ଶିକ୍ଷାମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଲା।

ଯାହା ସମସ୍ତଙ୍କୁ ଚକିତ କଲା, ତାହା ହେଲା ମାତ୍ର ଦୁଇ ମାସ ତଳେ ଥଟ୍ଟାମଜାରେ ଆରମ୍ଭ ହୋଇଥିବା "ଜେନ୍-ଜି"ଙ୍କ ଏହି ଆନ୍ଦୋଳନ ଏତେ ବଡ଼ ସଫଳତା ହାସଲ କରିବା।

ତେଣୁ, ଏହା ପଛର କାରଣଗୁଡ଼ିକୁ ପର୍ଯ୍ୟାଲୋଚନା କରାଯାଉ।

Advertisment ୧୯୯୭ରୁ ୨୦୧୨ ମସିହା ମଧ୍ୟରେ ଜନ୍ମ ହୋଇଥିବା ସମସ୍ତଙ୍କୁ "ଜେନ-ଜି" (ଜେନେରେସନ୍-ଜେଡ) ବୋଲି କୁହାଯାଇଥାଏ।

୨୦୧୩ ପରେ ଭୂମିଷ୍ଠ ହୋଇଥିବା ପିଢ଼ି "ଜେନ୍-ଆଲଫା" ଏବଂ "ଜେନ-ଜି"ଙ୍କ ପୂର୍ବର ପିଢ଼ିଗୁଡ଼ିକ ହେଲେ ମିଲେନିଏଲ ବା "ଜେନ-ୱାଇ" (୧୯୮୧-୧୯୯୬), "ଜେନ-ଏକ୍‌ସ" (୧୯୬୫-୧୯୮୦), "ବେବି ବୁମର୍ସ" (୧୯୪୬-୧୯୬୪), "ସାଇଲେଣ୍ଟ ଜେନେରେସନ" (୧୯୨୮-୧୯୪୫), ଏବଂ "ଗ୍ରେଟେଷ୍ଟ ଜେନେରେସନ" (୧୯୦୧-୧୯୨୭)।

ଆହୁରି ପଢ଼ନ୍ତୁ- Operation trishul: ବିଦେଶରୁ ୨୭୪ ଜଣ ପଳାତକ ଅପରାଧୀଙ୍କୁ ଫେରାଇ ଆଣିଲା ଭାରତ ଏବେ ଜେନ-ଜି ପିଢ଼ିର ହାରାହାରି ବୟସ ମାତ୍ର ୨୨ ବର୍ଷ।

ସେମାନେ ଦୁନିଆକୁ ଦେଖିଲା ଦିନୁଁ ଇଣ୍ଟରନେଟକୁ ଜାଣିଲେଣି, ପାଠପଢ଼ା ବହି କମ୍‌, ଅଧିକ ଇଣ୍ଟରନେଟରୁ ହେଲା; ସେମାନେ ରିଲ୍‌ସ ତିଆରି କଲେ, ଇନଷ୍ଟାଗ୍ରାମ ବ୍ୟବହାର କଲେ, କେଇ ସେକେଣ୍ଡର "ମିମ୍" ମାଧ୍ୟମରେ ପ୍ରଭାବଶାଳୀ ଢଙ୍ଗରେ ବାର୍ତ୍ତା ଉପସ୍ଥାପନର କଳା ଓ କୌଶଳ ଶିଖିଲେ।

ମୋବାଇଲରେ ଘଣ୍ଟା ଘଣ୍ଟା ବିତାଉଥିବା ଏହି ବୟସ ବର୍ଗର ପିଲାମାନଙ୍କୁ ବାପା-ମା"ମାନେ ବିରକ୍ତ ହେଉଥିବା ବେଳେ ନିରବରେ ଇନଷ୍ଟାଗ୍ରାମ ପିଢ଼ିଟିଏ ତିଆରି ହୋଇଚାଲିଥିଲା।

ଏହି ପିଢ଼ିର ପିଲାଏ ପ୍ରାୟତଃ ବାପା-ମା"ଙ୍କର ଏକମାତ୍ର ସନ୍ତାନ ହୋଇଥିବାରୁ ଓ ଯୌଥ ପରିବାରରେ ବଢ଼ି ନଥିବାରୁ ସେମାନଙ୍କୁ ଏକ ଗଣତାନ୍ତ୍ରିକ ପରିବେଶରେ ଲାଳନପାଳନ କରାଗଲା।

ବାପା-ମା"ଙ୍କୁ ପ୍ରଶ୍ନ ପଚାରିବା ଓ କୌଣସି ବିଷୟକୁ ବୁଝିବା ଲାଗି ବାପା-ମା"ଙ୍କ ସହ ଯୁକ୍ତିତର୍କ କରିବାକୁ ସୁଯୋଗ ଦିଆଗଲା, ଯାହା ତାଙ୍କ ପୂର୍ବ ପିଢ଼ିକୁ ମିଳି ନ ଥିଲା।

ଯେ କୌଣସି ବ୍ୟକ୍ତିକୁ ପ୍ରଶ୍ନ ପଚାରି ପାରିବାର ସାହସ ହିଁ "ଜେନ-ଜି"ଙ୍କ ସବୁଠାରୁ ବଡ଼ ଶକ୍ତି ଏବଂ ହାତରେ ଥିବା ମୋବାଇଲ ହିଁ ସବୁଠୁ ବଡ଼ ଅସ୍ତ୍ର।

ଏ ଦୁଇଟିକୁ ସେମାନେ ଏହି ଆନ୍ଦୋଳନରେ ପୂର୍ଣ୍ଣ ମାତ୍ରାରେ ଉପଯୋଗ କରିଥିଲେ।

ରୁଷୀୟ ଦାର୍ଶନିକ ମିଖାଇଲ ବାଖତିନଙ୍କ ଅନୁସାରେ ବ୍ୟଙ୍ଗ ସାମୟିକ ଭାବେ ହେଲେ ବି ଶାସକର କ୍ଷମତା ଓ ସାମାଜିକ ସୋପାନର ଭୟରୁ ମୁକ୍ତି ପ୍ରଦାନ କରିଥାଏ।

ବସ୍ତୁତଃ ଏହା ଭୟ ଓ ଅନ୍ଧ ଭକ୍ତିକୁ ଧ୍ୱସ୍ତ କରିଥାଏ।

ତାଙ୍କ ମତରେ ସମାଜର ଏକ ବଡ଼ ଅଂଶ ଦ୍ୱାରା ଏହି ବ୍ୟଙ୍ଗ ସାମୂହିକ ଭାବେ ଆୟୋଜିତ "କାର୍ନିଭାଲ୍"ର ରୂପ ନେଲେ, ତାହା ଶାସନ ବ୍ୟବସ୍ଥା ଲାଗି ମୁଣ୍ଡ ବ୍ୟଥାର କାରଣ ହୋଇଥାଏ।

କାରଣ, ସେତେବେଳେ ବ୍ୟଙ୍ଗ ପ୍ରତିବାଦ ଓ ପ୍ରତିରୋଧର ଭାଷା ପାଲଟିଯାଏ।

୨୦୨୦-୨୦୨୧ ମସିହାରେ ଥାଇଲାଣ୍ଡର ଗଣତନ୍ତ୍ର ସପକ୍ଷବାଦୀଙ୍କ "କାର୍ନିଭାଲ ପ୍ରୋଟେଷ୍ଟ"ରେ ବାଖତିନଙ୍କ ଏହି ଦର୍ଶନର ବାସ୍ତବ ଛବି ଦିଶିଥିଲା।

ରାଜନୈତିକ ନେତାମାନଙ୍କର କାର୍ଟୁନ୍, ମିମ୍ ମାଧ୍ୟମରେ ହାସ୍ୟ-ବ୍ୟଙ୍ଗ ସହିତ ଆକର୍ଷଣୀୟ ଓ ଚେତନା ଉଦ୍ରେକକାରୀ ବେଶପୋଷାକ, ସଙ୍ଗୀତ, ନୃତ୍ୟ ଓ ଅଙ୍ଗଭଙ୍ଗୀର ବହୁଳ ବ୍ୟବହାର କରାଯାଇଥିଲା।

ପ୍ରସିଦ୍ଧ ଇଂରେଜୀ ଲେଖକ ଜର୍ଜ ଅରୱେଲଙ୍କ ଏକ ପ୍ରସିଦ୍ଧ ବାକ୍ୟ କହେ ଯେ "ଏଭ୍ରି ଜୋକ୍ ଇଜ୍ ଏ ଟାଇନି ରିଭଲ୍ୟୁସନ୍" ବା "ପ୍ରତିଟି ବ୍ୟଙ୍ଗ ହେଉଛି ଗୋଟିଏ ଲେଖାଏଁ ଛୋଟ ବିପ୍ଳବ"।

ସାମାଜିକ ଭାବେ ଗ୍ରହଣୀୟ ହେଉ ନଥିବା କଥାଟିଏ ବି ହାସ୍ୟ ଛଳରେ କହିଦେଇ ହୁଏ।

କ୍ଷମତାଶାଳୀ ଲୋକଟିଏ ଜନତାଙ୍କ ହାସ୍ୟର ପାତ୍ର ହେଉଥିବା ବେଳେ ତାଙ୍କ ଆଭାମଣ୍ଡଳ ଉଭେଇଯାଏ।

ଏହା ହିଁ ଥିଲା ସିଜେପି ଆନ୍ଦୋଳନର ଆତ୍ମା।

ନୀତି, ନେତା ଓ ସଂସ୍ଥାଗୁଡ଼ିକର ଦୁର୍ବଳତା ଓ ବିରୋଧାଭାସକୁ "ଜେନ-ଜି" ଥଟ୍ଟା ଓ ପରିହାସ ଛଳରେ ପ୍ରଶ୍ନ କଲେ ଏବଂ ପ୍ରସଙ୍ଗଟି ଅଧିକରୁ ଅଧିକ ଲୋକଲୋଚନକୁ ଆସିଲା।

ଏହି ଆନ୍ଦୋଳନରେ ଗମ୍ଭୀର ଭାଷଣ ଶୁଣିବାକୁ ମିଳି ନ ଥିଲା, ବରଂ "ଜେନ-ଜି" ପିଲାମାନେ ରିଲ୍ ତିଆରି କରିବାକୁ ପ୍ରଦର୍ଶନ ସ୍ଥଳୀକୁ ଯାଉଥିଲେ।

ପୁଲିସ ଲାଠିମାଡ଼ ହେଲେ କିଏ ଜାତୀୟ ସଙ୍ଗୀତ ଗାଇ ରିଲ୍ କରୁଥିଲା ତ କିଏ ଅଟକ ହୋଇ ଭ୍ୟାନ ଭିତରେ ରିଲ୍ କରୁଥିଲା।

ପୁଲିସର ଲାଠିମାଡ଼ ସେମାନଙ୍କ ଲାଗି ପଦକ ମିଳିବା ଭଳି ଗୌରବର ବିଷୟ ହୋଇଯିବାରୁ ଏହି ଧରଣର ରିଲ୍ ଦେଖି "ଜେନ-ଜି"ଙ୍କ ଭାଷାରେ ଅନ୍ୟମାନେ "ଫୋମୋ" (ଫିଅର୍ ଅଫ୍ ମିସିଂ ଆଉଟ୍ ବା ସୁଯୋଗ ହରାଇବାର ଭୟ) ସକାଶେ ଅଧିକ ସଂଖ୍ୟାରେ ପ୍ରଦର୍ଶନ ସ୍ଥଳକୁ ଆସିବାକୁ ଲାଗିଲେ।

ଦେଖିବାକୁ ମିଳିଥିଲା ଯେ ବିହାରର କେତେକ ପ୍ରଦର୍ଶନକାରୀ ପୁଲିସକୁ ଥଟ୍ଟାରେ ପଚାରୁଥିଲେ ଲୁହବୁହା ଗ୍ୟାସ୍ କି ୱାଟର କ୍ୟାନନ୍‌ର ବ୍ୟବସ୍ଥା ନାହିଁ କି?

ଏହି ଆନ୍ଦୋଳନରେ ପ୍ରଥମ ଥର ଲାଗି ପୁଲିସର ଭୟ ଚାଲି ଯାଇଥିଲା।

ଫଳରେ ଭବିଷ୍ୟତର ଆନ୍ଦୋଳନ ପାଇଁ ନୂଆ ଭାଷାଟିଏ ତିଆରି ହୋଇଗଲା।

ଆହୁରି ପଢ଼ନ୍ତୁ- Teacher Shortage ସ୍କୁଲରେ ନାହାନ୍ତି ଶିକ୍ଷକ, ଛାତ୍ରଛାତ୍ରୀ ତାତିଲେ, ବିଦ୍ୟାଳୟରେ ତାଲା ମାରିଲେ ପାରଂପରିକ ଆନ୍ଦୋଳନଗୁଡ଼ିକରେ ତ୍ୟାଗ ଓ ବଳିଦାନର କଥା କୁହାଯାଇଥାଏ।

ଏହି ଆନ୍ଦୋଳନରେ ହାସ୍ୟ ଓ ବ୍ୟଙ୍ଗ ଏହାକୁ ଏକ "କାର୍ନିଭାଲ" ଭଳି ଗଢ଼ି ତୋଳିଥିଲା।

ଫଳରେ ପ୍ରଦର୍ଶନକାରୀମାନେ ଭୟ ଓ ଚାପରୁ ମୁକ୍ତ ହୋଇ ଆନ୍ଦୋଳନରେ ଭାଗ ନେଉଥିଲେ।

ପୂର୍ବର ଆନ୍ଦୋଳନଗୁଡ଼ିକ ସେମାନଙ୍କ ସଂପର୍କରେ ଖବର ତିଆରିବା ଲାଗି ମୁଖ୍ୟ ସ୍ରୋତର ମିଡିଆ ଉପରେ ନିର୍ଭର କରୁଥିଲେ।

କିନ୍ତୁ ଏହି ଆନ୍ଦୋଳନରେ ଆନ୍ଦୋଳନକାରୀମାନେ ପ୍ରତ୍ୟେକେ ଜଣେ ଜଣେ ରିପୋର୍ଟର ଭଳି ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ପ୍ରଦାନ କରିବାରେ ଲାଗିଥିଲେ।

ମୁଖ୍ୟସ୍ରୋତୀୟ ଗଣମାଧ୍ୟମ ପ୍ରତି ଏମାନଙ୍କର ପରୁଆ ନ ଥିଲା।

ଉଲ୍ଲେଖଯୋଗ୍ୟ ଯେ ଏଥି ପୂର୍ବରୁ କୌଣସି ଆନ୍ଦୋଳନରେ ଏତେ ସଂଖ୍ୟକ ମହିଳା ଯୋଗ ଦେଇ ନଥିଲେ, ଯାହା ମଧ୍ୟ ଏକ ବଡ଼ ଉପଲବ୍‌ଧି।

ସିଜେପି ଆନ୍ଦୋଳନ ସମୟରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ପ୍ରଦର୍ଶନକାରୀ ଦୁଇ ଜଣ ପୁଲିସ କର୍ମୀଙ୍କୁ ବାରମ୍ୱାର କହୁଛନ୍ତି "ୱାସ୍ତେ-ଗୁନା-ହୁଇୟା"।

ପୁଲିସ କର୍ମୀ ତାହା ବୁଝି ନପାରି ବାରମ୍ବାର କହୁଛନ୍ତି "ହିନ୍ଦୀରେ କୁହ", ଅଥଚ ପ୍ରଦର୍ଶନକାରୀ କେବଳ ତାକୁ ଦୋହରାଇ ଚାଲିଛନ୍ତି। "ଜେନ-ଜି"ଙ୍କ ଶବ୍ଦାବଳୀରେ ଏହିପରି ଅନେକ ଶବ୍ଦ ଓ ଅଭିବ୍ୟକ୍ତି ରହିଛି, ଯାହା ସ୍ୱତନ୍ତ୍ର।

ଏହା ଇଂରେଜୀ ଦ୍ୱାରା ପ୍ରଭାବିତ ହେଲେ ବି ଇଂରେଜୀ ନୁହେଁ।

ବିଚିତ୍ର ଅଙ୍ଗଭଙ୍ଗୀ ମଧ୍ୟ ଏହି ଭାଷାର ଅଂଶବିଶେଷ।

ତେଣୁ ସେମାନଙ୍କ ସହ ସଂଯୁକ୍ତ ହେବାକୁ ହେଲେ ସେମାନଙ୍କ ଭାଷା ବୁଝିବାକୁ ହେବ।

ସେହିପରି ଆମେ ବ୍ୟବହାର କରୁଥିବା ଭାଷା ମଧ୍ୟ ସ୍ଥଳ ବିଶେଷରେ ସେମାନଙ୍କୁ ଅପମାନଜନକ ଲାଗିଥାଏ; ଯେମିତି ଯଦି କେହି କହେ "ସେମାନେ ପିଲାଲୋକ"!

ତାଙ୍କ ଶବ୍ଦାବଳୀରେ ଏଭଳି ଦୃଷ୍ଟିଭଙ୍ଗୀ ହେଉଛି "ଇନଫାଣ୍ଟିଲାଇଜେସନ", ଅର୍ଥାତ୍ ଆମକୁ କୋଡ଼ଛୁଆ ଭାବୁଛ!

ଏହି ଆନ୍ଦୋଳନରେ କ୍ୟାମେରା ଆଗରେ ଝିଅମାନେ ବି ଅପଶବ୍ଦ ବ୍ୟବହାର କରି ଗାଳିଗୁଲଜ କରିବା ଅନେକଙ୍କ ଲାଗି ଗ୍ରହଣୀୟ ହୋଇନାହିଁ।

ଏହା ଏକ "ସାଂସ୍କୃତିକ ଆଘାତ" ବୋଲି କୁହାଯାଉଛି।

କିନ୍ତୁ ସେମାନଙ୍କ ଲାଗି ଏହା ନିହାତି ସାଧାରଣ। "ଜେନ-ଜି" ପକ୍ଷର ତର୍କ ହେଲା, "ଏସବୁ ଗାଳି ବହୁ ଆଗରୁ ପ୍ରଚଳିତ, ଯାହା ସେମାନେ ସମାଜର ଗୁରୁଜନଙ୍କଠାରୁ ଶିଖିଛନ୍ତି।

କେବଳ ଫରକ ହେଉଛି ସେମାନେ ତାହା କ୍ୟାମେରା ଆଗରେ କହି ପାରୁଛନ୍ତି, କାରଣ ସେମାନଙ୍କ ଠାରେ ସେ କୁଣ୍ଠା ନାହିଁ।

ହ୍ୱାଟ୍‌ସଆପ ବା ଫେସବୁକ ବ୍ୟବହାର କରି ନିଜକୁ "ଟେକ୍-ସାଭି" ମନେ କରୁଥିବା ବୟସ୍କମାନଙ୍କୁ ଏମାନେ ଡାକନ୍ତି "ହ୍ୱାଟ୍‌ସଆପ ଅଙ୍କଲ" ବା "ଆଣ୍ଟି" ଅର୍ଥାତ୍‌ ତାହା ଏମାନଙ୍କ ଲାଗି ପୁରୁଣାକାଳିଆ।

ଆହୁରି ପଢ଼ନ୍ତୁ- LIC: ଏଲ୍‌ଆଇସିର ୬.୫% ଅଂଶଧନ ବିକ୍ରିହେବ  ଭାରତର ଜନସଂଖ୍ୟାର ପ୍ରାୟ ୩୦% ବା ୪୦ କୋଟି ହେଉଛନ୍ତି "ଜେନ-ଜି"।

ଦେଶର ଅର୍ଥନୀତିକୁ ଆଗକୁ ନେବାକୁ ହେଲେ ସେହିମାନଙ୍କ ସକ୍ରିୟ ଭୂମିକା ଗୁରୁତ୍ୱପୂର୍ଣ୍ଣ।

ଭବିଷ୍ୟତର ରାଜନୀତି ମଧ୍ୟ ସେମାନଙ୍କ ଦ୍ୱାରା ପ୍ରଭାବିତ ହେବ।

ଏବେ ଭୋଟରଙ୍କ ମଧ୍ୟରୁ ୩୩% ହେଉଛନ୍ତି ୩୫ ବର୍ଷରୁ କମ୍ ବୟସର।

ହେଲେ ଲୋକସଭାରେ ମାତ୍ର ୫ ଜଣ ବା ୧%ରୁ କମ୍ "ଜେନ୍-ଜି" ବର୍ଗରୁ ଅଛନ୍ତି।

ତେଣୁ, ସଂସଦ ଓ ବିଧାନସଭାଗୁଡ଼ିକରେ ସେମାନଙ୍କର ପ୍ରତିନିଧିତ୍ୱ ବଢ଼ାଇବା ନିତାନ୍ତ ଆବଶ୍ୟକ।

ଏଣୁ ବିଧାନ ଗୃହଗୁଡ଼ିକରେ ସଦସ୍ୟତା ଲାଗି ସର୍ବନିମ୍ନ ବୟସ ସୀମାକୁ ହ୍ରାସ କରାଯିବା ଉଚିତ।

ବ୍ରିଟେନ, ଫ୍ରାନ୍‌ସ, ଜର୍ମାନି, ଅଷ୍ଟ୍ରେଲିଆ, କାନାଡା ସମେତ ବିଶ୍ୱର ୬୫ଟି ଦେଶରେ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ଥିଲା ବେଳେ, ବ୍ରାଜିଲ, ଭିଏତନାମ, ଜିମ୍ୱାୱେ ସମେତ ୨୨ଟି ଦେଶରେ ଏହା ୨୧ ବର୍ଷ ଅଟେ।

ସଇଁତିରିଶ ବର୍ଷ ତଳୁ ଭୋଟଦାନର ବୟସକୁ ୨୧ ବର୍ଷରୁ କମାଇ ୧୮ ବର୍ଷ କରାଯାଇସାରିଲାଣି।

ସେହି ଅନୁସାରେ ତାଳ ଦେଇ ବୟସ ସୀମା ନିର୍ଦ୍ଧାରଣ କରାଯିବା ଉଚିତ।  "ଜେନ-ଜି" ଏକ ବଡ଼ ଭୋଟ ବ୍ୟାଙ୍କ ହୋଇଥିବାରୁ ଏହି ଆନ୍ଦୋଳନ ପରେ ସେମାନଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ରାଜନୈତିକ ଦଳ ପ୍ରୟାସ କରିବେ।

ତେଣୁ ଆଗକୁ ପାରମ୍ପରିକ ରାଜନୀତିର ଧାରା ବଦଳିପାରେ। "ଜେନ-ଜି" ନିକଟରେ ଆଉ ଦୀର୍ଘ ଭାଷଣ ଚଳିବ ନାହିଁ।

ସେମାନେ ନିଜକୁ "ସମରି ଜେନେରେସନ୍" ବା "ସାରାଂଶ ପିଢ଼ି" ବୋଲି କହନ୍ତି।

ଏଣିକି ସେମାନଙ୍କୁ ବୁଝି ନୂଆ ପ୍ରକାର ରାଜନୀତି କରିବାକୁ ପଡ଼ିପାରେ।

ଭାରତ ଏକ ଯୁବ ଦେଶ ହୋଇଥିବାରୁ ସେମାନଙ୍କ ଶିକ୍ଷା, ରୋଜଗାର ଆଦି ବାସ୍ତବ ସମସ୍ୟାର ସମାଧାନ ଦିଗରେ ଆନ୍ତରିକ ଉଦ୍ୟମ କରିବାକୁ ହେବ।(ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୪୩୭୦୩୮୦୧୫ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।