Editorial: ଅଛନ୍ତି ଓ ନାହାନ୍ତି ଦ୍ବନ୍ଦ୍ବରେ ଈଶ୍ୱର: ସୁଭାଷ ପଟ୍ଟନାୟକଙ୍କ ସମ୍ପାଦକୀୟ ସରସ ରସରେ ପଢ଼ନ୍ତୁ ଏଥର...
"ଅଛନ୍ତି ଓ ନାହାନ୍ତି ଦ୍ବନ୍ଦ୍ବରେ ଈଶ୍ୱର ସୁଭାଷ ପଟ୍ଟନାୟକସରସ ରସ କିଛି ପ୍ରଶ୍ନ ଅଛି, ଯାହା ବାରମ୍ବାର ପଚାରିଲେ ବି ଉତ୍ତର ମନକୁ ପାଏନି। "ଈଶ୍ୱର ଅଛନ୍ତି କି?" ଏ ଜିଜ୍ଞାସା ତନ୍ମଧ୍ୟରୁ ଅନ୍ୟତମ।
ଏଇ ନିକଟରେ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବ୍ଠାରେ ଏକ ବିତର୍କର ଆୟୋଜନ ହୋଇଥିଲା।
ଆଲୋଚକ ଥିଲେ ନିରୀଶ୍ବରବାଦୀ କବି ଜାଭେଦ ଅଖତର ଓ ଈଶ୍ବରଙ୍କ ବିଦ୍ୟମାନତା ସପକ୍ଷବାଦୀ ଇସଲାମିକ ବିଦ୍ବାନ ଅଧ୍ୟାପକ ମୁଫତି ଶମାଇଲ ନଦଵୀ।
ତତ୍ତ୍ବବିଜ୍ଞାନ, ନୈତିକତା ଓ ଜୀବନର ବାସ୍ତବତା ଆଧାରରେ ଆଲୋଚିତ ଦୁଇ ଘଣ୍ଟାର ଏ ବିତର୍କଟି ଖୁବ୍ ରୋଚକ ହୋଇଥିଲା।Advertisment ଆହୁରି ପଢ଼ନ୍ତୁ- Tamil Nadu Gas Leak Tragedy ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣା: ଆଉ ଜଣେ ଓଡ଼ିଆ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ, ସଂଖ୍ୟା ୧୧ କୁ ବୃଦ୍ଧି ଈଶ୍ବରଙ୍କ ଅସ୍ତିତ୍ବକୁ ଅସ୍ବୀକାର କରି ଜାଭେଦ ଅଖତର ଯୁକ୍ତି ବାଢ଼ିଥିଲେ ଯେ ଈଶ୍ବରଙ୍କ ଉପସ୍ଥିତିର କୌଣସି ସିଧାସଳଖ ପ୍ରମାଣ ନାହିଁ।
ଯଦି ସେ ସର୍ବଶକ୍ତିମାନ ଓ କରୁଣାମୟ ତେବେ ଏତେ ଦୁଃଖ, ହିଂସା, ଅନ୍ୟାୟ, ବଳାତ୍କାର ଓ ଶିଶୁ ହତ୍ୟା ଆଦି ଅଘଟଣ ଘଟୁଛି କାହିଁକି?
ଜୀବନର ଅନିଶ୍ଚିତତା ସହିତ ମୁକାବିଲା କରିବାକୁ ଯାଇ ମନୁଷ୍ୟ ଅସହାୟ ହୋଇ ପଡ଼ିବା ବେଳେ "ଈଶ୍ବର" ନାମକ ଏକ କାଳ୍ପନିକ ସତ୍ତା ଉପରେ କେବଳ ଆସ୍ଥା ସ୍ଥାପନ କରୁଛି।
ଯଦି ଈଶ୍ବର ଅଛନ୍ତି ଓ ତାଙ୍କରି ଇଚ୍ଛାରେ ସଂସାର ଚାଲିଛି, ତା"ହେଲେ ମନୁଷ୍ୟର ମୁକ୍ତ ଇଚ୍ଛା କିଛି ନାହିଁ ବୁଝିବାକୁ ହେବ।
ତେଣୁ ପାପ ଓ ପୁଣ୍ୟର ଭାଗୀଦାର ସେ ହେବ କାହିଁକି?
ହିଂସା ଓ ଅପରାଧ ଆଦି ପାପ କର୍ମକୁ ରୋକିବା ଈଶ୍ୱରଙ୍କର କର୍ତ୍ତବ୍ୟ ନୁହେଁ କି?
ପାପ କରିବା ପରେ ଯିଏ ଦଣ୍ଡ ଦେଇପାରେ, ପାପ କରିବାକୁ ମଧ୍ୟ ସେ ବାରଣ କରିପାରିବ।
ଭଗବତ୍ ବିଶ୍ୱାସ କେବଳ ଏକ ଶୂନ୍ୟ ଆସ୍ଥା ନହୋଇ ପ୍ରମାଣ ଓ ତର୍କ ଆଧାରିତ ହେବା ଉଚିତ।
ଆସ୍ଥା ଯଦି ବିନା ପ୍ରମାଣରେ ଗ୍ରହଣୀୟତା ଦାବି କରେ ମନୁଷ୍ୟ ତା"ର ଆଲୋଚନାତ୍ମକ ଜିଜ୍ଞାସା ହରାଇ ବସିବ।
ତେଣୁ ବିଜ୍ଞାନ ଓ ତର୍କର ଯୁଗରେ ବିନା ପ୍ରମାଣରେ ଏକ କାଳ୍ପନିକ ସତ୍ତାକୁ ବିଶ୍ୱାସ କରିବା ବୌଦ୍ଧିକ ସଚ୍ଚୋଟତା ନୁହେଁ।
ଆସ୍ଥାବାଦୀ ନଦଵୀଙ୍କର ଯୁକ୍ତି ପରୋକ୍ଷରେ "ବ୍ରହ୍ମ ସଂହିତା"ର ଉକ୍ତି "ସର୍ବ କାରଣ କାରଣଂ"ରୁ ଆରମ୍ଭ ହୋଇଥିଲା।
ସେ ଦର୍ଶାଇଲେ, କାରଣ ଓ ତା"ର ପରିଣାମର ନୀତି ବ୍ୟାଖ୍ୟା କରିବା ସମୟରେ ସର୍ବ ପ୍ରଥମ କାରଣ ଭଗବାନଙ୍କୁ ଏକ ଅପାରାତ୍ମିକ ସତ୍ତା ଭାବରେ ଧରି ନିଆଯିବା ଉଚିତ।
କାହିଁକି ନା, ଭଗବାନ କୌଣସି କାରଣରୁ ସୃଷ୍ଟି ହୋଇନାହାନ୍ତି କି କାରଣ ଉପରେ ନିର୍ଭରଶୀଳ ନୁହନ୍ତି।
ସେ ହିଁ ପ୍ରଥମ କାରଣ ଓ ତାଙ୍କରି ଠାରୁ ସମସ୍ତ ପରିଣାମର ସୃଷ୍ଟି।
ପୁନଶ୍ଚ, ଭଗବାନଙ୍କ ପ୍ରମାଣ ବିଜ୍ଞାନ ଦେଇ ନପାରେ।
ଭୌତିକ ଜଗତକୁ ବୁଝିବାପାଇଁ ବିଜ୍ଞାନ ଏକ ମାଧ୍ୟମ ମାତ୍ର ଭଗବାନ ଅତିଭୌତିକ ଓ ସମୟାତୀତ।
ବିଜ୍ଞାନ ମାଧ୍ୟମରେ ଭଗବାନଙ୍କ ଉପସ୍ଥିତି ଖୋଜିବା ମାଇକ୍ରୋସ୍କୋପରେ ପ୍ରେମକୁ ମାପିବା ପରି ନିରର୍ଥକ।
ସଂସାରର ପାପାଚାର ଈଶ୍ବରଙ୍କ ଅବିଦ୍ୟମାନତାର ପ୍ରମାଣ ନୁହେଁ।
ତାହା ଉତ୍ତରଦାୟିତ୍ବର ପ୍ରଶ୍ନ।
ମନୁଷ୍ୟର ଇଚ୍ଛା ଭଗବାନଙ୍କର ନିୟନ୍ତ୍ରଣାଧୀନ ନୁହେଁ।
ତାଙ୍କ ଦ୍ବାରା ସୃଷ୍ଟ ପ୍ରାକୃତିକ ନିୟମ ମଧ୍ୟରେ ରହି ମନୁଷ୍ୟ ତା"ର ସ୍ବାଧୀନ ଇଚ୍ଛା ପ୍ରୟୋଗ କରେ।
ତେଣୁ ପାପ ପୁଣ୍ୟ ସବୁ ମନୁଷ୍ୟର ଇଚ୍ଛାଧୀନ।
ଯାହାର ଆକାର ନାହିଁ କି ବିସ୍ତାର ନାହିଁ, ତା"ର ଅସ୍ତିତ୍ବ ନାହିଁ ବୋଲି କୁହାଯାଇ ନପାରେ।
ସୃଷ୍ଟିର କ୍ରମବିକାଶ, ନୈତିକ ଚେତନା ଓ ଜୀବନର ଉଦ୍ଦେଶ୍ୟ ନିଜେ ଭଗବାନଙ୍କ ଅସ୍ତିତ୍ବକୁ ସୂଚିତ କରେ।
ବ୍ରହ୍ମାଣ୍ଡ ଏକ ଅନ୍ଧ ସୁଯୋଗର ଫଳଶ୍ରୁତି ନୁହେଁ।
ଆହୁରି ପଢ଼ନ୍ତୁ- Anger: ମାତ୍ର ୮ ମିନିଟ୍ର କ୍ରୋଧ ବଢ଼ାଇପାରେ ହୃଦରୋଗର ଆଶଙ୍କା, କ"ଣ ରହିଛି ଏହାର କାରଣ?
ବିତର୍କଟି ଶୁଣିବା ପରେ ଉଭୟଙ୍କର ତର୍କ ଯୁକ୍ତିସିଦ୍ଧ ମନେ ହେଲେ ମଧ୍ୟ ଦୁଇ ବିରୋଧୀ ମେରୁର ସଂଘର୍ଷ ପରି ଆମର ଅନୁଭବ ହେଲା।
ଗୋଟିଏ ପଟେ ତର୍କ ଓ ସନ୍ଦେହ ଏବଂ ଅନ୍ୟ ପଟେ ଆସ୍ଥା ଓ ବିଶ୍ୱାସ।
ବେଦାନ୍ତ ଦର୍ଶନକୁ ଯଦି ଉଭୟ ବିଚାରକୁ ନେଇଥାନ୍ତେ, ବୁଝିଥାନ୍ତେ କିପରି ଉଭୟଙ୍କର ଯୁକ୍ତି ଅସମ୍ପୂର୍ଣ୍ଣ।
କାରଣ ଈଶ୍ବରଙ୍କୁ ଏକ ବାହ୍ୟ ସତ୍ତା ଭାବରେ ବିଚାର କରି ସେମାନେ ତର୍କ କରିଥିଲେ।
ବେଦାନ୍ତ ଦର୍ଶନ ସ୍ପଷ୍ଟ କରିଛନ୍ତି ଯେ, “ବ୍ରହ୍ମ ସତଂ ଜଗତ୍ ମିଥ୍ୟା”।
ଈଶ୍ବର ଏକ ବ୍ୟକ୍ତିସତ୍ତା ନୁହନ୍ତି କିମ୍ବା ଦୂରବର୍ତ୍ତୀ କୌଣସି ସ୍ପର୍ଶନୀୟ ଓ ଦର୍ଶନୀୟ ପଦାର୍ଥ ନୁହନ୍ତି।
ସେ ହେଉଛନ୍ତି ଚେତନା।
ସେଇ ଚେତନା, ଯାହା ପର୍ଯ୍ୟବେକ୍ଷକ, ଚିନ୍ତକ, ଆସ୍ତିକ ଓ ନାସ୍ତିକ ସମସ୍ତଙ୍କ ମଧ୍ୟରେ ବିଦ୍ୟମାନ।
ତେଣୁ ଭଗବାନଙ୍କୁ ବାହ୍ୟ ଜଗତରୁ ଖୋଜି ପାଇବାର ଭାବନା ନିରର୍ଥକ।
ଆମେ ସମସ୍ତେ ସ୍ବୟଂ ସେ ଚେତନାର ଅଂଶୀଦାର।
ଯେପର୍ଯ୍ୟନ୍ତ ମନୁଷ୍ୟ ନିଜକୁ ଗୋଟିଏ ଶରୀର ଓ ତା" ମଧ୍ୟସ୍ଥ ମନର ସମାହାର ବୋଲି ବିବେଚନା କରୁଥିବ, ଈଶ୍ବର ଏକ କଳ୍ପନା ବା ସ୍ବତନ୍ତ୍ର ସତ୍ତା ପରି ମନେ ହେବେ।
ଚେତନାକୁ ସ୍ବୟଂ ଚିହ୍ନି ପାରିଲେ ଭଗବାନ ଆଉ ବିଶ୍ୱାସ ମଧ୍ୟରେ ନରହି ଅଭିଜ୍ଞତାରେ ପରିଣତ ହେବେ।
ଈଶ୍ୱର ଅଛନ୍ତି କି ନାହାନ୍ତି, ସେ ପ୍ରଶ୍ନକୁ ଛାଡ଼ି ଚେତନା ଅଛି, ସେ କଥାଟି ଗ୍ରହଣ କରିନେବା ଉଚିତ।
ତେଣୁ ଜାଭେଦ ଅଖତରଙ୍କ ସନ୍ଦେହ ସେହି ଚେତନାରୁ ସୃଷ୍ଟି ଓ ନଦଵୀଙ୍କର ବିଶ୍ବାସ ମଧ୍ୟ ସେହି ଚେତନାରୁ ଉତ୍ପନ୍ନ।
ଉଭୟ ନିଜ ନିଜ ସ୍ଥାନରେ ସତ୍ୟକୁ ସ୍ପର୍ଶ କରିଛନ୍ତି କିନ୍ତୁ ଅନ୍ତିମ ସତ୍ୟ ନିକଟରେ ପହଞ୍ଚି ପାରି ନାହାନ୍ତି।
ଯେତେବେଳେ ଆମେ ବୁଝିଯାଉ ଯେ ଆମେ ନିଜେ ଶରୀର କିମ୍ବା ବିଚାର ନୁହନ୍ତି, ବରଂ ଏ ସବୁର ପର୍ଯ୍ୟବେକ୍ଷଣକାରୀ ଚେତନା, ସେତେବେଳେ ଈଶ୍ବରଙ୍କ ଉପରେ ବିତର୍କ ଅର୍ଥହୀନ ହୋଇଯାଏ। “ବସ୍ ଜାନ୍ ଗୟା ମୈଁ ତେରି ପେହଚାନ୍ ୟହି ହୈ / ତୁ ଦିଲ ମୈଁ ତୋ ଆତା ହୈ, ସମଝ୍ ମୈଁ ନହିଁ ଆତା।” ତୁମର ପରିଚୟ ଏହି ହେ, ଭଗବାନ!
ତୁମେ ଆତ୍ମା ମଧ୍ୟରେ ତ ପ୍ରାପ୍ୟ, ବୁଝି ବସିଲେ ଦୁଷ୍ପ୍ରାପ୍ୟ।(ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୩୩୭୬୪୮୬୩୮ ଅଧିକ ଦେଖନ୍ତୁ- "