e20 petrol: ଇ୨୦ ପେଟ୍ରୋଲ ନେବାକୁ ମନାକଲା ଭୁଟାନ

ନୂଆଦିଲ୍ଲୀ: ଦେଶରେ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ବିତର୍କ ଚାଲିଛି। ଏଭଳି ସ୍ଥିତିରେ ଭାରତଠାରୁ ଭୁଟାନ ଇ୨୦ ପେଟ୍ରୋଲ ନେବାକୁ ମନା କରିଦେଇଛି। ଇଥାନଲ ମିଶ୍ରିତ ପେଟ୍ରୋଲ ପରିବର୍ତ୍ତେ ଭାରତରେ ଉପଲବ୍ଧ ଥିବା ପର୍ଯ୍ୟନ୍ତ ସାଧାରଣ ପେଟ୍ରୋଲ ଯୋଗାଇ ଦେବାକୁ ଭୁଟାନ କହିଛି। ଭୁଟାନ ଇ୨୦ ପେଟ୍ରୋଲ ନେବା ପାଇଁ ମନା କରିବା ପଛର କାରଣ ହେଲା ସେଠାରେ ତୈଳ ଗଚ୍ଛିତ ରଖିବା ଲାଗି ଥିବା ଭିତ୍ତିଭୂମି।
ମାଟି ତଳେ ରହିଥିବା ଏହି ଟାଙ୍କିଗୁଡ଼ିକ ଭିତରକୁ ପାଣି ପଶିଯିବାର ଆଶଙ୍କା ରହିଛି। ଇ୨୦ ପେଟ୍ରୋଲ ପାଣି ବା ଆର୍ଦ୍ରତାକୁ ସହଜରେ ଟାଣି ନେଇପାରେ। ତେଣୁ ପାଣି ସଂସ୍ପର୍ଶରେ ଆସିଲେ ଇ୨୦ ପେଟ୍ରୋଲର ମାନ ଖରାପ ହୋଇପାରେ। ଦୀର୍ଘଦିନ ଏହି ସମସ୍ୟା ଲାଗି ରହିଲେ ଗାଡ଼ିର ଇଞ୍ଜିନରେ ସମସ୍ୟା ଦେଖାଦେଇପାରେ ବୋଲି ଭୁଟାନର ଜଣେ ଅଧିକାରୀ କହିଛନ୍ତି।
Petrol And Diesel Prices: ପେଟ୍ରୋଲ୍, ଡିଜେଲ୍ ଦାମ୍ କମାଇଲା ନାୟରା
ଏଥିସହିତ ଭୁଟାନର ରାସ୍ତାଗୁଡ଼ିକରେ ଅନେକ ତିଖ ଉଠାଣି ରହିଥାଏ। ସେଠାରେ ଗାଡ଼ି ଉପରକୁ ଉଠିବା ପାଇଁ ଅଧିକ କ୍ଷମତା ପ୍ରୟୋଗର ଆବଶ୍ୟକତା ରହିଥାଏ। ତେଣୁ ପାହାଡ଼ିଆ ରାସ୍ତାଗୁଡ଼ିକରେ ଇ୨୦ ପେଟ୍ରୋଲରୁ ଆବଶ୍ୟକ ଦକ୍ଷତା ମିଳି ନପାରେ ବୋଲି ଭୁଟାନ ଆଶଙ୍କା ବ୍ୟକ୍ତ କରିଛି। ଉଲ୍ଲେଖଯୋଗ୍ୟ, ଭୁଟାନ ଭାରତରୁ ଏହାର ସମସ୍ତ ପେଟ୍ରୋଲ, ଡିଜେଲ ଭାରତରୁ ନେଇଥାଏ। ଉଚ୍ଚ ରପ୍ତାନି ମାନର ପେଟ୍ରୋଲ ଓ ଡିଜେଲ କିଣିଥାଏ। ଭାରତର ପେଟ୍ରୋଲ ପମ୍ପଗୁଡ଼ିକରେ ଏହି ଦୁଇ ଇନ୍ଧନର ମୂଲ୍ୟ ଯାହା ରହିଥାଏ ତା’ଠାରୁ ଅଧିକ ମୂଲ୍ୟରେ ଭୁଟାନ କିଣିଥାଏ।