Drinking water: ପାନୀୟ ଜଳରୁ ସଂକ୍ରମଣ ଭୟ: ନାଳ ଭିତରେ ଫଟା ପାଣିପାଇପ୍, ରାଜଧାନୀର ଏକାଧିକ ସ୍ଥାନରେ ଘଳିଆ
"ଭୁବନେଶ୍ୱର: ରାଜଧାନୀବାସୀଙ୍କୁ ଯୋଗାଣ ହେଉଥିବା ପାନୀୟ ଜଳରୁ ବ୍ୟାପିପାରେ ଜଣ୍ଡିସ୍, ଝାଡ଼ାବାନ୍ତି ଭଳି ନାନାଦି ରୋଗ।
ରାଜଧାନୀର ପାନୀୟ ଜଳର ଭିତ୍ତିଭୂମି ଏଭଳି କିଛି ଆଶଙ୍କା ବଢ଼ାଇଛି।
ଭୁବନେଶ୍ବରର ଏକାଧିକ ସ୍ଥାନରେ ନାଳର ବର୍ଜ୍ୟଜଳ ଭିତରେ ଫଟା ପାଣି ପାଇପ୍ ଏକାଧିକ ଦିନ ଧରି ପଡ଼ିରହିବା ଓ ଏହାର ସମୟରେ ମରାମତି କରାନଯିବା, ଲୋକଙ୍କ ମନରେ ଏଭଳି ଭୟ ସୃଷ୍ଟି କରିଛି।Advertisment Dharmendra Pradhan: ପ୍ରଧାନମନ୍ତ୍ରୀଙ୍କ ୧୨ ବର୍ଷର ଯାତ୍ରା ସେବା, ସୁଶାସନ ଓ ଗରିବ କଲ୍ୟାଣର ସଫଳ ନିଦର୍ଶନ ପାନୀୟ ଜଳ ସଂକଟ ବି ସାରା ରାଜଧାନୀରେ ଦେଖାଦେଲାଣି।
ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ରେ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ ବଦଳରେ ୱାଟ୍କୋ ଏବେ ନିଜ ଇଚ୍ଛା ଅନୁସାରେ ପାଣି ଦେଉଛି।
କେତେବେଳେ ସକାଳେ ତ କେତେବେଳେ ଅପରାହ୍ଣରେ କିଛି ଘଣ୍ଟା ପାଇଁ ପାଇପ୍ ପାଣି ଆସୁଛି।
କୁଆଖାଇ ଓ ପଳାଶୁଣୀ ପାନୀୟ ଜଳ ପ୍ରକଳ୍ପ ଉପରେ ନିର୍ଭରଶୀଳ ଅଞ୍ଚଳରେ ଏଭଳି ସ୍ଥିତି ଖରା ଆରମ୍ଭରୁ ଲାଗି ରହିଛି।
ରାଜଧାନୀ ଭୁବନେଶ୍ବରର ଜନସଂଖ୍ୟା ପ୍ରାୟ ୧୩.୦୩ ଲକ୍ଷରେ ପହଞ୍ଚିଥିବା ୱାଟ୍କୋ ପକ୍ଷରୁ ଆକଳନ କରାଯାଇଛି।
ବର୍ଦ୍ଧିତ ଜନସଂଖ୍ୟା ଅନୁସାରେ ଭୁବନେଶ୍ବର ପାଇଁ ଦୈନିକ ୩୦୪ ଏମ୍ଏଲ୍ଡି ପାନୀୟ ଜଳର ଆବଶ୍ୟକତା ରହିଛି।
ମୁଣ୍ଡପିଛା ପ୍ରାୟ ୧୩୫ ଲିଟର ପାନୀୟ ଜଳଯୋଗାଣର ଲକ୍ଷ୍ୟ ରଖାଯାଇଛି।
ପାନୀୟ ଜଳର ଚାହିଦା ମେଣ୍ଟାଇବାକୁ ୱାଟ୍କୋକୁ ୮୦ ପ୍ରତିଶତ ନଦୀ ଜଳ ଓ ୨୦ ପ୍ରତିଶତ ଭୂତଳ ଜଳ ଉପରେ ନିର୍ଭର କରିବାକୁ ପଡ଼େ।
କିନ୍ତୁ ମହାନଦୀର ଶାଖା ନଦୀ କୁଆଖାଇ ଓ ଦୟାରେ ଜଳ ଅଭାବ ଏବଂ ଭୂତଳ ଜଳସ୍ତରରେ ଦ୍ରୁତ ହ୍ରାସ କାରଣରୁ ଆବଶ୍ୟକ ଜଳଯୋଗାଣ ସମ୍ଭବ ହେଉନି।
Lightning dead: ଭଦ୍ରକରେ ବଜ୍ରପାତ, ୨୫ ବର୍ଷରେ ୧୪୪ ମୃତ ଏଭଳି ସ୍ଥିତିରେ ବାରମ୍ବାର ପାଣି ପାଇପ୍ ଫାଟି ପାନୀୟ ଜଳଯୋଗାଣ ବନ୍ଦ ରହିବା ଲୋକଙ୍କ ଯନ୍ତ୍ରଣାକୁ ବଢ଼ାଇ ଦେଇଛି।
ବମିଖାଲରେ ଏବେ ଦୁଇପାର୍ଶ୍ବରେ ନାଳ କାମ ଚାଲିଛି।
୩ ଦିନ ତଳେ ରସୁଲଗଡ଼ କୋଚିଲେଇ ହାଟ ନିକଟରେ ଏହି ନାଳ କାମ ପାଇଁ ପୂର୍ତ୍ତ ବିଭାଗ ପାଣି ପାଇପ୍କୁ ତାଡ଼ି ଦେଇଥିଲା।
ଯେଉଁଥିପାଇଁ ୩ ଦିନ ଧରି ରସୁଲଗଡ଼ ଗାଁ ଲୋକେ ପାଇପ୍ ପାଣି ପାଇନଥିଲେ।
୩ ଦିନ ଧରି ଏହି ଫଟା ପାଣି ପାଇପ୍ ନାଳର ପଚା ପାଣି ଓ ଆବର୍ଜନା ଭିତରେ ବୁଡ଼ି ରହିଥିଲା।
୩ ଦିନ ପରେ ପାଣି ପାଇପ୍ ମରାମତି କରି ପାନୀୟ ଜଳଯୋଗାଣ କରାଯାଇଛି ସତ, କିନ୍ତୁ ଏତେ ଦିନ ଧରି ଆବର୍ଜନା ଜଳ ଭିତରେ ଫଟା ପାଣି ପାଇପ୍ ପଡ଼ି ରହିବା, ସଂକ୍ରମିତ କରିବନି ତ?
ଏଭଳି କିଛି ଆଶଙ୍କା ଲୋକଙ୍କ ମନରେ ଜାତ ହୋଇଛି।
ବାଣୀବିହାର ଓଭର୍ବ୍ରିଜ୍ ନିକଟରେ ବି ୨ ମାସ ତଳୁ ପାନୀୟ ଜଳଯୋଗାଣ ପାଇପ୍ ଫାଟି ଯାଇଥିଲା।
ଗତ ୧୧ ତାରିଖରେ ଏହାର ମରାମତି ଆରମ୍ଭ କରାଯାଇଥିଲା।
ତଥାପି ୱାଟ୍କୋ ଏଠାର ଲିକେଜ୍କୁ ବନ୍ଦ କରିପାରିନି।
ଏବେ ବି ଫଟା ପାଇପ୍ରୁ ଅନର୍ଗଳ ପାଣି ବାହାରି ରାସ୍ତାରେ ଭାସୁଛି।
ଯାହା ସଂକ୍ରମଣର ଭୟ ସୃଷ୍ଟି କରିଛି।
ସମାନ ସ୍ଥିତି ସାମନ୍ତରାପୁର, ଗଙ୍ଗନଗର ଭଳି ଅଞ୍ଚଳରେ ବି ଦେଖିବାକୁ ମିଳିଥିଲା।
ୱାଟ୍କୋ ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି କହିଛନ୍ତି, ଯେହେତୁ ପାଣି ପାଇପ୍ରେ ପଜିଟିଭ୍ ଫୋର୍ସ ରହୁଛି, ସଂକ୍ରମଣର ଭୟ ନାହିଁ।
ଗତ ୧୦ ବର୍ଷ ଭିତରେ ବି ପାନୀୟ ଜଳଯୋଗାଣ ପ୍ରକଳ୍ପରୁ ଯୋଗାଣ ହେଉଥିବା ପାଣିରୁ ଏଭଳି ସଂକ୍ରମଣ ଦେଖିବାକୁ ମିଳିନି।
ବାକି ଯେଉଁଠି ପାଇପ୍ ଫାଟୁଛି, ତାର ତୁରନ୍ତ ମରାମତି କରାଯାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।