Doctor: ଶବ ପଡ଼ିଛିି.. ରୋଗୀ ସେବା ଚୁଲିକୁ ଗଲାଣି

Jul 04, 2026 - 02:32
Doctor: ଶବ ପଡ଼ିଛିି.. ରୋଗୀ ସେବା ଚୁଲିକୁ ଗଲାଣି

ଭୁବନେଶ୍ବର: ସବୁ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ଲମ୍ବା ଧାଡ଼ି, ହେଲେ ଦେଖିବା ଲାଗି ଡାକ୍ତର ନାହାନ୍ତି। ଡାକ୍ତର ବାହାରେ ଆନ୍ଦୋଳନ କରୁଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ସଂପର୍କୀୟଙ୍କୁ ଦିନ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ପ୍ରସବଜନିତ ଚିକିତ୍ସା, ଦୁର୍ଘଟଣା ଓ ଅନ୍ୟ ଅସ୍ତ୍ରୋପଚାର ସବୁକିଛି ଠପ୍‌ ହୋଇଯାଇଛି। ମୋଟାମୋଟି ଭାବେ ସରକାରୀ ଡାକ୍ତରଙ୍କ ୩ଦିନର ଆନ୍ଦୋଳନ ଓଡ଼ିଶାର ସ୍ବାସ୍ଥ୍ୟସେବାକୁ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ କରି ପକାଇଛି।

Mining Mafia: ବେଧଡ଼କ ମାଙ୍କଡ଼ା ପଥର ଚୋରି; ପ୍ରଶାସନ ନିଷ୍କ୍ରିୟ

ଡାକ୍ତରଙ୍କ ଆନ୍ଦୋଳନ ଦେଖାଇଲା ରାଜ୍ୟର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା

ଡାକ୍ତରଙ୍କ ଆନ୍ଦୋଳନ ପାଇଁ ଡାକ୍ତରଖାନାରେ ଅଚଳାବସ୍ଥା ଦେଖାଦେଇଛି। କେଉଁଠି ଗୋଡ଼ ଭାଙ୍ଗି ଯାଇଥିବା ରୋଗୀ ଡାକ୍ତରଖାନାକୁ ଆସି ନିରାଶ ହେଉଛି ତ ଆଉ କେଉଁଠି ରୋଗୀଟିଏ ଡିସ୍‌ଚାର୍ଜ ହେବା ପାଇଁ ଅପେକ୍ଷା କରିଛି। ଅଲ୍‌ଟ୍ରାସାଉଣ୍ଡ କରିବା ପାଇଁ ଡାକ୍ତରଖାନାରେ କେହି ନାହାନ୍ତି। ଡାକ୍ତରଖାନା ବାରଣ୍ଡାରେ ପଡ଼ି ରୋଗୀ ଛଟପଟ ହେଉଛି। ବଲାଙ୍ଗୀରରେ ଜଣେ ୪ ବର୍ଷର ଶିଶୁ ଡାକ୍ତରଙ୍କ ଆନ୍ଦୋଳନ ପାଇଁ ଉପଯୁକ୍ତ ଚିକିତ୍ସା ନ ପାଇଁ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ରୋଗୀ ସେବା ଦୂରରେ ଥାଉ ଶବକୁ ମଧ୍ୟ ଘଣ୍ଟା ଘଣ୍ଟା ଅପେକ୍ଷାକୁ କରିବାକୁ ପଡ଼ୁଛି। ଜି.ଉଦୟଗିରିରେ ପୋଖରୀରେ ବୁଡ଼ି ପ୍ରାଣ ହରାଇଥିବା ବୃଦ୍ଧଙ୍କ ଶବ ବ୍ୟବଚ୍ଛେଦ ପାଇଁ ପରିବାରଲୋକ ପ୍ରାୟ ୫୦ ଘଣ୍ଟା ଅପେକ୍ଷା କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରେ ମାଟି ଅତଡ଼ା ଖସି ପ୍ରାଣ ହରାଇଥିବା ନାବାଳକର 
ଶବ ବ୍ୟବଚ୍ଛେଦ ମଧ୍ୟ ସମୟରେ ହୋଇ ପାରିନାହିଁ। ରାଜ୍ୟବ୍ୟାପୀ ସଙ୍ଗିନ ସ୍ବାସ୍ଥ୍ୟସେବା ଭିତରେ ଦେବଦୂତ ସାଜିଛନ୍ତି ଆୟୁଷ ଓ ଚୁକ୍ତିଭିତ୍ତିକ ଡାକ୍ତର। ଡାକ୍ତର ରୋଗୀ ଦେଖୁ ନ ଥିବାରୁ ସେମାନଙ୍କ ଭରସାରେ ଡାକ୍ତରଖାନାରେ ଚିକିତ୍ସା ଚାଲିଛି।

ରାଜ୍ୟ ସରକାର ଓ ଡାକ୍ତରଙ୍କ କଳି ଭିତରେ ସାଧାରଣ ରୋଗୀଟିଏ ବଳି ପଡ଼ୁଛି। ସରକାରଙ୍କ ନାଲି ଆଖି ଡାକ୍ତରଙ୍କୁ ଡରାଇ ପାରୁନାହିଁ। ୬ ମାସ ତଳେ ଡାକ୍ତରଙ୍କ ଏଭଳି ଆନ୍ଦୋଳନ ପାଇଁ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା। ଥରକୁଥର ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଉଥିବାରୁ ଏହାର ଏକ ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି। ତେଣୁ ଆସନ୍ତାକାଲି ସ୍ବାସ୍ଥ୍ୟ ମନ୍ତ୍ରୀ ଓ ଡାକ୍ତରୀ ସଂଘ ଭିତରେ ହେବାକୁ ଥିବା ଆଲୋଚନା ସମାଧାନର ବାଟ ଫିଟାଇବ ବୋଲି ଆଶା କରାଯାଉଛି।

ଆଜି ସରକାର-ଡାକ୍ତର ଆଲୋଚନା

ଭୁବନେଶ୍ବର: ଡାକ୍ତରଙ୍କ ଆନ୍ଦୋଳନ ପାଇଁ ରାଜ୍ୟବ୍ୟାପୀ ସ୍ବାସ୍ଥ୍ୟସେବା ଅଚଳ ହୋଇପଡ଼ିଛି। ଚିକିତ୍ସା ନ ପାଇ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ଏସ୍‌ମା ବଳବତ୍ତର ସହ ଆନ୍ଦୋଳନରେ ସାମିଲ ଥିବା ଡାକ୍ତରଙ୍କ ଦରମା ବନ୍ଦ ନିର୍ଦ୍ଦେଶ ସତ୍ତ୍ବେ ଡାକ୍ତରମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ରାଜ୍ୟ ସରକାର ଓ ଡାକ୍ତରଙ୍କ କଳି ଭିତରେ ସାଧାରଣ ଜନତା ବଳି ପଡ଼ୁଛନ୍ତି। ଦିନକୁ ଦିନ ସ୍ବାସ୍ଥ୍ୟସେବା ସ୍ଥିତି ଜଟିଳ ହୋଇ ପଡ଼ୁଥିବାରୁ ଆସନ୍ତାକାଲି ଡାକ୍ତର ସଂଘ ସହ ଆଲୋଚନା କରିବା ଲାଗି ରାଜ୍ୟ ସରକାର ସଂଘର ସଭାପତି ଓ ସଂପାଦକଙ୍କୁ ପତ୍ର ଲେଖିଛନ୍ତି। ୧୦ ଦଫା ଦାବି ନେଇ ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍‌ସା)ର ଆହ୍ବାନରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଛି। ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରେ ସ୍ବାସ୍ଥ୍ୟସେବା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ବିଶେଷ କରି ମେଡିକାଲ କଲେଜ ନ ଥିବା ଜିଲ୍ଲାଗୁଡ଼ିକରେ ସ୍ବାସ୍ଥ୍ୟସେବା ଅଧିକ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆୟୁଷ ଡାକ୍ତରଙ୍କ ଭରସାରେ ଚିକିତ୍ସା ଚାଲିଛି।

Digital India: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ସାତ ସପନ

ଶବ ବ୍ୟବଚ୍ଛେଦ ପାଇଁ ଲୋକଙ୍କୁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ୁଛି। ବୟସ୍କଙ୍କଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ଚିକିତ୍ସା ପାଇଁ ନିରାଶ ହେବାକୁ ପଡ଼ୁଛି। ଗତକାଲି ରାଜ୍ୟ ସରକାର ଆନ୍ଦୋଳନରେ ଥିବା ଡାକ୍ତରଙ୍କ ଦରମା ବନ୍ଦ ଓ ଠିକା ଡାକ୍ତରଙ୍କୁ ନୋଟିସ୍‌ ପରେ ବରଖାସ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏଭଳି ନିର୍ଦ୍ଦେଶନାମାକୁ ଏସ୍‌ସିବି କନିଷ୍ଠ ଡାକ୍ତର ସଂଘ ପକ୍ଷରୁ ସମାଲୋଚନା କରାଯାଇଛି। ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର ନ କଲେ ଆସନ୍ତାକାଲିଠାରୁ ୧ଘଣ୍ଟା ଓପିଡି ବନ୍ଦ କରାଯିବା ବୋଲି ଚେତାବନୀ ଦିଆଯାଇଛି। ବାଲେଶ୍ବର ଜିଲ୍ଲାରେ ଡାକ୍ତରଙ୍କୁ ୧୨ ଘଣ୍ଟା ଭିତରେ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗ ଦେବାକୁ ପ୍ରଶାସନ ପକ୍ଷରୁ ମହଲତ ଦିଆଯାଇଥିଲା। ଏହାସତ୍ତ୍ବେ ଡାକ୍ତରଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ। 

ଅପରପକ୍ଷରେ ଡାକ୍ତରଙ୍କ ଆନ୍ଦୋଳନକୁ ପ୍ରତ୍ୟାହାର କରିବା ଲାଗି ସରକାରୀ ସ୍ତରରେ ଉଦ୍ୟମ ଚାଲିଛି। ଆସନ୍ତାକାଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସକାଳ ସାଢ଼େ ୧୧ଟାରେ ସଂଘର ପ୍ରତିନିଧିଙ୍କ ସହ ଆଲୋଚନା କରିବେ। ସଂଘ ମଧ୍ୟ ଏହି ଆଲୋଚନାରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି। ଓମ୍‌ସା ସଭାପତି ଡା.କିଶୋର ମିଶ୍ର ଓ ସାଧାରଣ ସଂପାଦକ ଡା.ସଞ୍ଜୀବ ପ୍ରଧାନ କହିଛନ୍ତି, ସରକାର ଆଲୋଚନାକୁ ଡାକି ଥିବାରୁ ସଂଘର ପ୍ରତିନିଧି ଦଳ ଆଲୋଚନାକୁ ଯିବ। ହେଲେ ଯେଉଁ ଦାବି ରହିଛି ତାହାକୁ ପୂରଣ କରିବା ଲାଗି ରାଜ୍ୟ ସରକାର ଲିଖିତ ପ୍ରତିଶ୍ରୁତି ଦେଲେ ହିଁ ଡାକ୍ତରମାନେ ଆନ୍ଦୋଳନରୁ ଓହରିବେ। ପୂର୍ବରୁ ଏକାଧିକଥର ଆଲୋଚନା ହୋଇଥିଲେ ହେଁ ସରକାର ଲିଖିତ ପ୍ରତିଶ୍ରୁତି ଦେଇ ନ ଥିଲେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ତେଣୁ ଆସନ୍ତାକାଲିର ଆଲୋଚନା ପରେ ଡାକ୍ତରମାନେ ଆନ୍ଦୋଳନରୁ ଓହରିବେ କି ନାହିଁ ତାହା ସ୍ପଷ୍ଟ ହେବ।