disproportionate assets ଜେଲ ଗଲେ ଲାଞ୍ଚୁଆ ନିର୍ବାହୀ ଯନ୍ତ୍ରୀ, ପତ୍ନୀଙ୍କ ନାମରେ ରିଅଲ୍ ଇଷ୍ଟେଟ୍ ବେପାର
"ଭୁବନେଶ୍ୱର ଏବଂ ନୟାଗଡ଼ରେ ୧୨ଟି ଉଚ୍ଚମୂଲ୍ୟର ଜମି ପ୍ଲଟ୍ ରାୟଗଡା (ଶବିପ୍ରସାଦ ଦୋରା): ରାୟଗଡ଼ା ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକଙ୍କୁ ଭିଜିଲାନ୍ସ ୨ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଆଜି (ବୁଧବାର) ଗିରଫ କରିଛି।
Advertisment ସୂଚନାନୁସାରେ, ତ୍ରିନାଥ ନାୟକ ନାମକ ଜଣେ ଠିକାଦାର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ ଯେ, ସେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅନେକ କାମ ସମାପ୍ତ କରିଥିଲେ ମଧ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାର ବିଲ୍ ବକେୟା ରହିଥିଲା।
ଏହାସହ ନୂତନ ଟେଣ୍ଡରରେ ଅଂଶଗ୍ରହଣ ପାଇଁ ତାଙ୍କୁ କାର୍ଯ୍ୟ ଅଭିଜ୍ଞତା ପ୍ରମାଣପତ୍ର ଆବଶ୍ୟକ ଥିଲା।
ବିଲ୍ ଅନୁମୋଦନ ଏବଂ ଅଭିଜ୍ଞତା ପ୍ରମାଣପତ୍ର ପ୍ରଦାନ ପାଇଁ ପ୍ରସନ୍ନ କୁମାର ପଟ୍ଟନାୟକ ୫ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ।
ପରେ ଆଲୋଚନା ପରେ ଏହି ରାଶିକୁ ୨ ଲକ୍ଷ ଟଙ୍କାକୁ କମାଯାଇଥିଲା।
ଠିକାଦାରଙ୍କ ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ବିଭାଗ ତାଙ୍କୁ ରଙ୍ଗେହାତ ଧରିବା ପାଇଁ ଯୋଜନା କରିଥିଲା।
ଯୋଜନା ଅନୁସାରେ ଅଭିଯୁକ୍ତ ଯନ୍ତ୍ରୀ ଠିକାଦାରଙ୍କଠାରୁ ୨ ଲକ୍ଷ ଟଙ୍କା ଗ୍ରହଣ କରୁଥିବା ସମୟରେ ରଙ୍ଗେହାତ ଧରାପଡ଼ିଥିଲେ।
ଗତକାଲି (ମଙ୍ଗଳବାର) ରାତିରୁ ଭିଜିଲାନ୍ସ ଅଧିକାରୀମାନେ ରାୟଗଡ଼ା, ଭୁବନେଶ୍ୱର ଓ ନୟାଗଡ଼ରେ ଏକକାଳୀନ ଚଢାଉ କରିଥିଲେ।
ତଦନ୍ତ ସମୟରେ ଭୁବନେଶ୍ୱରର ନନ୍ଦନ ବିହାର ଅଞ୍ଚଳର ବସୁନ୍ଧରା କଲୋନୀରେ ଥିବା ତାଙ୍କ ୩ ମହଲା ବିଳାସପୂର୍ଣ୍ଣ ଘର ଦେଖି ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଘରଟିର ଛାତ ଉପରେ ସୁଇମିଂ ପୁଲ୍ ସହ ଅତ୍ୟାଧୁନିକ ସାଜସଜ୍ଜା ଥିବା ଜଣାପଡ଼ିଛି।
ଭିଜିଲାନ୍ସ ଚଢାଉରେ ରାୟଗଡ଼ା ସରକାରୀ କ୍ୱାର୍ଟରରୁ ୩.୩୯ ଲକ୍ଷ ଟଙ୍କା ନଗଦ ଏବଂ ଲାଞ୍ଚ ବାବଦରେ ଜବତ ୨ ଲକ୍ଷ ଟଙ୍କା ସମେତ ମୋଟ ୫.୩୯ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା।
ପ୍ରାଥମିକ ତଦନ୍ତରେ ଅଭିଯୁକ୍ତ ଓ ତାଙ୍କ ପରିବାର ନାମରେ ରାୟଗଡ଼ା, ଭୁବନେଶ୍ୱର ଏବଂ ନୟାଗଡ଼ରେ ୧୨ଟି ଉଚ୍ଚମୂଲ୍ୟର ଜମି ପ୍ଲଟ୍ ଥିବା ଜଣାପଡ଼ିଛି।
ଏହାସହ ୨ଟି ସ୍କୋଡା ସ୍ଲାଭିଆ କାର, ଗୋଟିଏ ମହିନ୍ଦ୍ରା କାର, ପ୍ରାୟ ୮ ଲକ୍ଷ ଟଙ୍କାର ୪ଟି ବୀମା ପଲିସି ଏବଂ ପାଞ୍ଚଟି ବ୍ୟାଙ୍କ ଖାତାରେ ପ୍ରାୟ ୨୦ ଲକ୍ଷ ଟଙ୍କା ଜମା ଥିବା ସୂଚନା ମିଳିଛି।
ତାଙ୍କ ପତ୍ନୀଙ୍କ ନାମରେ ରିଅଲ୍ ଏଷ୍ଟେଟ୍ ଏବଂ ଜେନେରେଟର ଡିଲରସିପ ବ୍ୟବସାୟ ଥିବା ନେଇ ମଧ୍ୟ ତଦନ୍ତ ଚାଲିଛି।
ନିର୍ବାହୀ ଯନ୍ତ୍ରୀଙ୍କ ଦ୍ବାରା ଅନନ୍ତ ଚରଣ ପଟନାୟକ ଚାରିଟେବଲ ଟ୍ରଷ୍ଟ ନିର୍ମାଣ କରାଯାଇ ଯନ୍ତ୍ରୀଙ୍କ ପତ୍ନୀ ଏବଂ ଦୁଇ ଶଳାଙ୍କ ନାମରେ ପରିଚାଳନା କରୁଥିଲେ ।
ଟ୍ରଷ୍ଟ ନାମରେ ପ୍ଲେ ସ୍କୁଲ ଠାରୁ ୫ମ ଶ୍ରେଣୀ ଯାଏଁ ବ୍ଲୁମିଙ୍ଗ ବଡ୍ସ ସ୍କୁଲ ଖୋଲିଥିଲେ ଯେଉଁଥିରେ ଯନ୍ତ୍ରୀଙ୍କ ପତ୍ନୀ ବିଦ୍ୟାଳୟର ଅଧ୍ୟକ୍ଷା ଦାୟିତ୍ବ ତଲାଉଥିଲେ ।
ଅଭିଯୁକ୍ତଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଉତ୍ସ ଯାଞ୍ଚ କରୁଛି ଭିଜିଲାନ୍ସ।
Executive Engineer arrested ଠିକାଦାର ଠୁ ୨ ଲକ୍ଷ ଲାଞ୍ଚ ନେଇ ଧରାପଡ଼ିଲେ ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ଅଭିଯୁକ୍ତ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ବିରୋଧରେ କୋରାପୁଟ ଭିଜିଲାନ୍ସ ଥାନାରେ ମାମଲା ନଂ-୧୨/୨୦୨୬ ରୁଜୁ ହୋଇଛି।
ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା-୭ ଅନୁଯାୟୀ ମାମଲା ରେଜିଷ୍ଟ୍ରି କରାଯାଇଛି।
ଅବସର ନେବାର ମାତ୍ର କିଛି ଦିନ ପୂର୍ବରୁ ଏପରି ଏକ ଦୁର୍ନୀତି ଘଟଣା ସାମ୍ନାକୁ ଆସିବା ପରେ ସରକାରୀ ବିଭାଗରେ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି।
ଆସନ୍ତା ଜୁନ୍ ୩୦ ତାରିଖରେ ତାଙ୍କର ଅବସର ନେବାକୁ ଥିବାବେଳେ ଅବସରର ମାତ୍ର ୬ ଦିନ ପୂର୍ବରୁ ସେ ଭିଜିଲାନ୍ସ ଜାଲରେ ପଡି ଜେଲ ଯାଇଛନ୍ତି ।
ନିର୍ବାହୀ ଯନ୍ତ୍ରୀ କେତେ ପରିମାଣର ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିଛନ୍ତି ସବିଶେଷ ତଥ୍ୟ ତଦନ୍ତ ପରେ ଜଣାପଡିବ ବୋଲି ସୂଚନା ମିଳିଛି ।
ଏନେଇ ଆଜି (ବୁଧବାର) ଜୟପୁର ଠାରେ ଭିଜିଲାନ୍ସ ଏସ୍ ପି ଏସ ସୁଶ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।"