Devotee Dies Inside Temple Moksha Passage: ମୋକ୍ଷ ମାର୍ଗରେ ଅଟକି ଚାଲିଗଲା ଜୀବନ, ଭାଇରାଲ ଭିଡିଓ ପରେ ବଢ଼ିଲା ସୁରକ୍ଷା ଚିନ୍ତା
ମୋକ୍ଷର ଆଶାରେ ଗଳି ବାଟ ଦେଇ ଯାଉଥିଲେ ଭକ୍ତ... ହେଲେ ଅଟକିଗଲା ଜୀବନ। ତାମିଲନାଡୁର ପ୍ରସିଦ୍ଧ ଅରୁଣାଚଳ ଗିରିର 'ମୋକ୍ଷ ମାର୍ଗମ'ରେ ଜଣେ ଭକ୍ତଙ୍କ ମୃତ୍ୟୁ ପରେ ଏବେ ସାମ୍ନାକୁ ଆସିଛି ଆଉ ଏକ ହୃଦୟବିଦାରକ ଭିଡିଓ। ଯାହା ଭକ୍ତଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ଉଠାଇଛି।
ତାମିଲନାଡୁର ଅନ୍ନାମଲୟାରେ ଥିବା ଏହି ମନ୍ଦିର ନିକଟରେ ଥିବା ଅରୁଣାଚଳ ଗିରିର ସରୁ ପଥ 'ମୋକ୍ଷ ମାର୍ଗମ'ରେ ଘଟିଛି ଅଘଟଣ। ଆନ୍ଧ୍ରପ୍ରଦେଶର ୩୬ ବର୍ଷୀୟ ମଣିକୁମାର ଜୁଲାଇ ୨୪ରେ ଦର୍ଶନ ସମୟରେ ସେହି ସରୁ ପଥ ଦେଇ ଯିବା ବେଳେ ପଥର ଫାଙ୍କରେ ଅଟକି ଯାଇଥିଲେ। ନିଶ୍ୱାସ ନେବାରେ ଅସୁବିଧା ହେବା ପରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ପୁରୁଣା ଏକ ଭିଡିଓ। ସେଥିରେ ଜଣେ ମହିଳା ଭକ୍ତ ମଧ୍ୟ ସେହି ଏକା ପଥରେ ଅଟକି ଯାଇ ଦୀର୍ଘ ସମୟ ଧରି ଛଟପଟ ହେଉଥିବା ଦେଖିବାକୁ ମିଳିଛି। ଉପସ୍ଥିତ ଭକ୍ତମାନଙ୍କ ସହଯୋଗରେ ଶେଷରେ ତାଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।
'ମୋକ୍ଷ ମାର୍ଗମ'କୁ ନେଇ ସ୍ଥାନୀୟ ଲୋକକଥାରେ ବିଶ୍ୱାସ ରହିଛି ଯେ, ଏହି ସରୁ ପଥ ଦେଇ ଯାଇଲେ ପାପ କ୍ଷୟ ହୁଏ ଓ ମୋକ୍ଷ ଲାଭ ହୁଏ। ତେବେ ଏହି ବିଶ୍ୱାସର କୌଣସି ଶାସ୍ତ୍ରୀୟ ଆଧାର ନଥିବା ବେଳେ ଆଧ୍ୟାତ୍ମିକ ଗୁରୁମାନେ କହିଛନ୍ତି, ମୋକ୍ଷ କେବଳ ଭକ୍ତି, ସତ୍କର୍ମ ଓ ଆତ୍ମଜ୍ଞାନ ମାଧ୍ୟମରେ ମିଳିଥାଏ।
ଏହି ଘଟଣା ପରେ ମନ୍ଦିର ପରିସରରେ ସତର୍କ ସୂଚନା ବୋର୍ଡ ଲଗାଇବା, ବିପଦଜନକ ସ୍ଥାନରେ ସୁରକ୍ଷାକର୍ମୀ ନିୟୋଜନ ଏବଂ ଭକ୍ତଙ୍କ ପ୍ରବେଶ ଉପରେ ନିୟନ୍ତ୍ରଣ ଲାଗୁ କରିବାକୁ ଦାବି ଜୋର ଧରିଛି। ଭକ୍ତି ଯେପରି ଆସ୍ଥାର ପ୍ରତୀକ, ସେପରି ସୁରକ୍ଷା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ ଏହି ଘଟଣା ପୁଣିଥରେ ସେହି ବାର୍ତ୍ତା ଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।