Delhi Horror: ୧୦ ବର୍ଷୀୟା ଶିଶୁକୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା, ଦେଶକୁ ସ୍ତବ୍ଧ କରିଦେଲା ଶେଷ ଚିତ୍କାର

Jun 24, 2026 - 17:08
Delhi Horror: ୧୦ ବର୍ଷୀୟା ଶିଶୁକୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା, ଦେଶକୁ ସ୍ତବ୍ଧ କରିଦେଲା ଶେଷ ଚିତ୍କାର

ରାଜଧାନୀ ଦିଲ୍ଲୀରୁ ଆସିଛି ଏକ ହୃଦୟବିଦାରକ ଘଟଣା। ରାତିର ଅନ୍ଧାରରେ ରାସ୍ତା କଡ଼ରେ ପରିବାର ସହ ଶୋଇଥିବା ୧୦ ବର୍ଷର ଏକ ନିରୀହ ଶିଶୁକନ୍ୟାକୁ ଅପହରଣ କରି ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଅପହରଣ ସମୟରେ ଶିଶୁଟିର ଶେଷ ଶବ୍ଦ ଥିଲା “ବାପା, ମତେ ବଞ୍ଚାଇ ଦିଅ...”। ଶିଶୁଟିର ସେହି କରୁଣ ଚିତ୍କାର ଆଜି ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି।

ସୋମବାର ବିଳମ୍ବିତ ରାତି। ଦକ୍ଷିଣ ଦିଲ୍ଲୀର ଏକ ଫୁଟପାଥ ଉପରେ ନିଜ ବାପା-ମା’ ଓ ଭାଇଭଉଣୀଙ୍କ ସହ ଶୋଇଥିଲା ୧୦ ବର୍ଷର ଏହି ଶିଶୁକନ୍ୟା। ସେହି ସମୟରେ ଏକ ଧଳା ରଙ୍ଗର କ୍ୟାବ୍‌ ନେଇ ସେଠାରେ ପହଞ୍ଚିଥିଲା ଅଭିଯୁକ୍ତ ବାବଲୁ। ମଦ୍ୟପ ଅବସ୍ଥାରେ ଥିବା ଏହି କ୍ୟାବ୍ ଚାଳକ ଶୋଇଥିବା ଶିଶୁଟିକୁ ଉଠାଇ ନେଇ ପଳାଇଥିଲା। 

ଶିଶୁଟିର ଚିତ୍କାର ଶୁଣି ବାପା ଦୌଡ଼ି ଗାଡ଼ି ପଛରେ ଯାଇଥିଲେ। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଆଖି ଆଗରୁ ଝିଅକୁ ନେଇ ଫେରାର ହୋଇଯାଇଥିଲା ଅଭିଯୁକ୍ତ।

ଘଟଣା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍, ଜିପିଏସ୍ ଟ୍ରାକିଂ ଏବଂ ମୋବାଇଲ ଲୋକେସନ୍ ଆଧାରରେ ମାତ୍ର ୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ପଶ୍ଚିମ ଦିଲ୍ଲୀର ବିକାଶପୁରୀ ଅଞ୍ଚଳରୁ ଗିରଫ କରାଯାଇଥିଲା।

ପଚରାଉଚରା ବେଳେ ବାବଲୁ ନିଜ ଅପରାଧ ସ୍ୱୀକାର କରିଥିଲା। ସେ ଶିଶୁଟିକୁ ପ୍ରାୟ ୨୦ କିଲୋମିଟର ଦୂରକୁ ନେଇ ଏକ ନିଛାଟିଆ ଅଞ୍ଚଳରେ ଦୁଷ୍କର୍ମ କରିବା ପରେ ଗଳା ଚିପି ହତ୍ୟା କରିଥିବା ଜଣାପଡ଼ିଛି।

ସବୁଠୁ ଚମକାଇଦେବା କଥା ହେଉଛି, ଏହି ଜଘନ୍ୟ କାଣ୍ଡ ଘଟାଇବା ପରେ ମଧ୍ୟ ଅଭିଯୁକ୍ତ ସାଧାରଣ ଭାବରେ ଯାତ୍ରୀ ଉଠାଇ ନିଜ କାମ ଜାରି ରଖିଥିଲା।

ଅଭିଯୁକ୍ତ ବିରୋଧରେ ପୂର୍ବରୁ ମଧ୍ୟ ମାଡ଼ପିଟ ଓ ହିଂସା ସମ୍ବନ୍ଧୀୟ ୫ଟି ମାମଲା ରହିଥିବା ସୂଚନା ମିଳିଛି। ଏବେ କିପରି ଏଭଳି ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ କ୍ୟାବ୍ ସେବାରେ ନିଯୁକ୍ତ କରାଗଲା, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି।