Delhi Govt Opens 'Sheesh Mahal' Doors: କେଜ୍ରିୱାଲଙ୍କ ୫୮ କୋଟିର ‘ଶୀଶ ମହଲ’ ଖୋଲିଲା, ଟିକେଟ କାଟି ବୁଲିପାରିବେ ସାଧାରଣ ଲୋକ
ଚର୍ଚ୍ଚାରେ ଥିବା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ 'ଶୀଶ ମହଲ' ପ୍ରଥମ ଥର ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଖୋଲାଯାଇଛି।
ଶୁକ୍ରବାର ଦିଲ୍ଲୀ ସରକାରଙ୍କ ପକ୍ଷରୁ ସାମ୍ବାଦିକମାନଙ୍କୁ ଏହି ବଙ୍ଗଳା ବୁଲାଇ ଦେଖାଯାଇଛି।
ଏହି ଅବସରରେ ଦିଲ୍ଲୀର ପୂର୍ତ୍ତ ବିଭାଗ ମନ୍ତ୍ରୀ ପରବେଶ ବର୍ମା ବଙ୍ଗଳାର ଆଡ଼ମ୍ବରପୂର୍ଣ୍ଣ ଭିତର ସାଜସଜ୍ଜା ଏବଂ ଏଥିରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ ତଥ୍ୟ ରଖିଛନ୍ତି।
Advertisment ମନ୍ତ୍ରୀଙ୍କ ଦାବି ଅନୁଯାୟୀ, ଏହି ବଙ୍ଗଳାରେ ୫ ଲକ୍ଷ ୪୭ ହଜାର ଟଙ୍କାର ସୋଫା ଏବଂ ୧୧ ଲକ୍ଷ ଟଙ୍କାର ଝୁମର ରହିଛି।
ଶୀଶ ମହଲ ନିର୍ମାଣ ଓ ସାଜସଜ୍ଜା ପାଇଁ ମୋଟ ୫୮ କୋଟି ଟଙ୍କାର ବଜେଟ୍ ରହିଥିବା ସେ କହିଛନ୍ତି।
ପରବେଶ ବର୍ମା କହିଛନ୍ତି ଯେ, ଏହା ସରକାରୀ ସମ୍ପତ୍ତି ଏବଂ ଏଥିରେ ଖର୍ଚ୍ଚ ହୋଇଥିବା ଅର୍ଥ ଜନସାଧାରଣଙ୍କ ଟଙ୍କା।
ତେଣୁ ଲୋକଙ୍କୁ ଏହାର ଖର୍ଚ୍ଚ ସମ୍ପର୍କରେ ଜଣାଇବା ଉଦ୍ଦେଶ୍ୟରେ ଗଣମାଧ୍ୟମ ପାଇଁ ଏହାକୁ ଖୋଲାଯାଇଛି।
Advertisment କେଜ୍ରିୱାଲଙ୍କ ବାସଭବନରେ ଥିବା ବିଭିନ୍ନ ଆସବାବପତ୍ରର ମୂଲ୍ୟ ମଧ୍ୟ ଗଣମାଧ୍ୟମକୁ ଦେଖାଯାଇଛି।
ଏଥିରେ ୫.୪୭ ଲକ୍ଷ ଟଙ୍କାର ସୋଫା, ୧୧.୫୬ ଲକ୍ଷ ଟଙ୍କାର ଝୁମର, ୫.୫୮ ଲକ୍ଷ ଟଙ୍କାର ଚେୟାର ଏବଂ ୬.୭୯ ଲକ୍ଷ ଟଙ୍କାର ସେଣ୍ଟର ଟେବୁଲ୍ ରହିଛି।
ଏହାବ୍ୟତୀତ ୫.୬୯ ଲକ୍ଷ ଟଙ୍କାର ପରଦା ମଧ୍ୟ ରହିଥିବା ଦେଖାଯାଇଛି।
ପରବେଶ ବର୍ମା ଅଭିଯୋଗ କରିଛନ୍ତି ଯେ, ଦେଶରେ କୋଭିଡ୍ ମହାମାରୀ ଯୋଗୁଁ ଲୋକଙ୍କ ଜୀବନ ଯାଉଥିବା ସମୟରେ ଏହି ବାସଭବନ ନିର୍ମାଣ ସମ୍ପର୍କିତ ଫାଇଲ୍ଗୁଡ଼ିକୁ ଜରୁରୀ ଭିତ୍ତିରେ ଅନୁମୋଦନ କରାଯାଉଥିଲା।
ଏହି ପ୍ରକଳ୍ପ ସମ୍ପର୍କିତ ପ୍ରତ୍ୟେକ ସାମଗ୍ରୀର ବିଲ୍ ଓ ରସିଦ ସରକାରଙ୍କ ପାଖରେ ରହିଥିବା ମଧ୍ୟ ସେ ଦାବି କରିଛନ୍ତି।
ତେବେ ଏହି ବଙ୍ଗଳାର ନିର୍ମାଣ ଓ ନବୀକରଣ ଖର୍ଚ୍ଚକୁ ନେଇ ପୂର୍ବରୁ ମଧ୍ୟ ବିବାଦ ରହିଆସିଛି।
୨୦୨୬ ମାର୍ଚ୍ଚରେ ଦିଲ୍ଲୀ ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରେ ନବୀକରଣ କାର୍ଯ୍ୟରେ ୩୩.୬୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଉଲ୍ଲେଖ ରହିଥିଲା।
ଏହା ପ୍ରାରମ୍ଭିକ ଆକଳନଠାରୁ ୩୪୨ ପ୍ରତିଶତ ଅଧିକ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା।
ଅନ୍ୟପଟେ ସରକାରଙ୍କ ପକ୍ଷରୁ ଦେଖାଯାଇଥିବା ମୋଟ ଖର୍ଚ୍ଚର ପରିମାଣ ୫୮.୮୩ କୋଟି ଟଙ୍କା ରହିଛି।
ଗଣମାଧ୍ୟମ ପରେ ଏହି ବଙ୍ଗଳାକୁ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଖୋଲାଯିବାକୁ ଯୋଜନା ରହିଛି।
ଏଥିପାଇଁ ଅନଲାଇନ୍ ଟିକେଟ୍ ବୁକିଂ ବ୍ୟବସ୍ଥା ଆରମ୍ଭ କରିବାକୁ ଦିଲ୍ଲୀ ସରକାର ଯୋଜନା କରୁଛନ୍ତି।
ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରବେଶ ଶୁଳ୍କ ପ୍ରାୟ ୨୦ ଟଙ୍କା ରଖାଯିବ।
ବରିଷ୍ଠ ନାଗରିକ ଏବଂ କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପ୍ରବେଶ ଅନୁମତି ଦେବା ନେଇ ମଧ୍ୟ ବିଚାର କରାଯାଉଛି।
ତେବେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ଓ ବୁକିଂ ତାରିଖ ଘୋଷଣା ହେବା ବାକି ରହିଛି।
ଶନିବାରଠାରୁ ପବ୍ଲିକ୍ ଆକାଉଣ୍ଟସ୍ କମିଟି (ପିଏସି) ଏହି ବାସଭବନର ଯାଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି।
ସାଧାରଣ ଲୋକଙ୍କ ପାଇଁ ଏହାକୁ ସୀମିତ ସମୟ ପର୍ଯ୍ୟନ୍ତ ଖୋଲା ରଖାଯିବ।
ପରବର୍ତ୍ତୀ ସମୟରେ ଏହାର ପରିଚାଳନା ଦାୟିତ୍ୱ ଏକ ଘରୋଇ ହସ୍ପିଟାଲିଟି କମ୍ପାନୀକୁ ଦେବାକୁ ଯୋଜନା ରହିଛି।
ସରକାରୀ ବୈଠକ, ସମ୍ମିଳନୀ ଓ ମଧ୍ୟାହ୍ନ ଭୋଜନ ଆୟୋଜନ ପାଇଁ ଏହାକୁ ବ୍ୟବହାର କରାଯାଇପାରେ।
ଦିଲ୍ଲୀର ୬, ଫ୍ଲାଗଷ୍ଟାଫ୍ ରୋଡ୍ରେ ଅବସ୍ଥିତ ଏହି ବଙ୍ଗଳା ୨୦୧୫ରୁ ୨୦୨୪ ଯାଏଁ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ଥିଲା।
୨୦୨୪ରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ସେ ଏହି ବଙ୍ଗଳା ଖାଲି କରିଥିଲେ।
୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ବିଜେପି ଏହି ବଙ୍ଗଳାକୁ 'ଶୀଶ ମହଲ' ନାମ ଦେଇ କେଜ୍ରିୱାଲ ଓ ଆମ୍ ଆଦମୀ ପାର୍ଟି ବିରୋଧରେ ଅତ୍ୟଧିକ ସରକାରୀ ଖର୍ଚ୍ଚ ନେଇ ପ୍ରଶ୍ନ ଉଠାଇଥିଲା।
ଅନ୍ୟପଟେ ଆପ୍ ନେତାମାନେ ଏହି ପ୍ରସଙ୍ଗ ଉଠାଇବା ପଛରେ ଯମୁନା ପ୍ରଦୂଷଣ ଭଳି ପ୍ରସଙ୍ଗରୁ ଧ୍ୟାନ ହଟାଇବା ଉଦ୍ଦେଶ୍ୟ ଥିବା ଅଭିଯୋଗ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
