Defending Champions Australia Big Demand: ୨୦୨୭ ବିଶ୍ୱକପ୍‌ରେ ପାଇଁ ବଡ଼ ଦାବି କଲା ଅଷ୍ଟ୍ରେଲିଆ, ଚିନ୍ତାରେ ଆଇସିସି

Jul 29, 2026 - 18:41
Defending Champions Australia Big Demand: ୨୦୨୭ ବିଶ୍ୱକପ୍‌ରେ ପାଇଁ ବଡ଼ ଦାବି କଲା ଅଷ୍ଟ୍ରେଲିଆ, ଚିନ୍ତାରେ ଆଇସିସି

୨୦୨୭ ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ବଡ଼ ଦାବି କରିଛି ଚାମ୍ପିଅନ୍ ଅଷ୍ଟ୍ରେଲିଆ। ଦଳର ସ୍କ୍ୱାଡ୍‌ ସଂଖ୍ୟା ବଢ଼ାଇବାକୁ ଆଇସିସିଙ୍କୁ ଅନୁରୋଧ କରିଛନ୍ତି ଅଷ୍ଟ୍ରେଲିଆର ମୁଖ୍ୟ କୋଚ୍ ଆଣ୍ଡ୍ରୁ ମ୍ୟାକଡୋନାଲ୍ଡ। 

୨୦୨୭ ବିଶ୍ୱକପ୍‌ରେ ପ୍ରଥମଥର ପାଇଁ ୧୪ଟି ଦଳ ଅଂଶଗ୍ରହଣ କରିବେ। ନୂଆ ଫର୍ମାଟ୍‌ ଅନୁଯାୟୀ ଗ୍ରୁପ୍ ପର୍ଯ୍ୟାୟ ପୂର୍ବରୁ ‘ସୁପର ସିରିଜ୍’ ଏବଂ ପରେ ‘ସୁପର-୭’ ରାଉଣ୍ଡ ରହିବ। ଫଳରେ ଚାମ୍ପିଅନ୍ ଦଳକୁ ଅତି କମରେ ୧୩ଟି, ଆଉ କେତେକ ପରିସ୍ଥିତିରେ ୧୫ଟି ପର୍ଯ୍ୟନ୍ତ ମ୍ୟାଚ୍ ଖେଳିବାକୁ ପଡ଼ିପାରେ।

ଏହାକୁ ଦୃଷ୍ଟିରେ ରଖି ମ୍ୟାକଡୋନାଲ୍ଡ କହିଛନ୍ତି, ବର୍ତ୍ତମାନର ୧୫ ସଦସ୍ୟ ବିଶିଷ୍ଟ ସ୍କ୍ୱାଡ୍ ପର୍ଯ୍ୟାପ୍ତ ନୁହେଁ। ଦଳରେ ଆହତ ସମସ୍ୟା ଦେଖାଦେଲେ ଶ୍ରେଷ୍ଠ ଏକାଦଶ ବାଛିବା କଷ୍ଟକର ହୋଇଯାଏ। ସେଥିପାଇଁ ବିଶ୍ୱକପ୍‌ ପରି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ସ୍କ୍ୱାଡ୍‌କୁ ୧୭ ଜଣ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

୨୦୨୩ ବିଶ୍ୱକପ୍‌ରେ ଟ୍ରାଭିସ୍ ହେଡ୍ ଆହତ କାରଣରୁ ଆରମ୍ଭର କିଛି ମ୍ୟାଚ୍ ଖେଳିପାରିନଥିଲେ। ତଥାପି ତାଙ୍କୁ ସ୍କ୍ୱାଡ୍‌ରେ ରଖି ଅଷ୍ଟ୍ରେଲିଆ ବଡ଼ ବିପଦରେ ପଡିଥିଲା। ପରେ ହେଡ୍ ଫେରି ସେମିଫାଇନାଲ ଓ ଫାଇନାଲରେ ମ୍ୟାଚ୍ ବିଜୟୀ ଶତକ ଖେଳି ଦଳକୁ ବିଶ୍ୱକପ୍ ଜିତାଇଥିଲେ।

ଆଗାମୀ ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ଘନଘନ ଟେଷ୍ଟ ଓ ଦ୍ୱିପାକ୍ଷିକ ସିରିଜ୍ ଖେଳିବାକୁ ହେବ। ତେଣୁ ପ୍ୟାଟ୍ କମିନ୍ସ, ଜସ୍ ହେଜଲଉଡ୍, ମିଚେଲ୍ ଷ୍ଟାର୍କଙ୍କ ଭଳି ତାରକା ଖେଳାଳିଙ୍କ ଫିଟନେସ୍‌କୁ ନେଇ ଚିନ୍ତା ବଢ଼ିଛି। ମ୍ୟାକଡୋନାଲ୍ଡଙ୍କ ମତରେ, ବଡ଼ ସ୍କ୍ୱାଡ୍ ରହିଲେ ବିଶ୍ୱକପ୍‌ରେ ସବୁଠୁ ଶ୍ରେଷ୍ଠ ଖେଳାଳିମାନେ ମାଇଦାନରେ ଦେଖିବାକୁ ମିଳିବେ ଏବଂ ଟୁର୍ଣ୍ଣାମେଣ୍ଟର ମାନ ଆହୁରି ବଢ଼ିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।