Dead Sea : ବିଶ୍ବର ସବୁଠୁ ଭିନ୍ନ ଗାଁ, ଶ୍ୱାସରୋଗୀ-ହୃଦ୍ରୋଗୀଙ୍କ ପାଇଁ ବରଦାନ ଭଳି
"ନୂଆଦିଲ୍ଲୀ: ପୃଥିବୀର ପୃଷ୍ଠରେ ଏମିତି ଅନେକ ସ୍ଥାନ ଅଛି ଯାହା ନିଜର ଭୌଗୋଳିକ ବିଶେଷତ୍ୱ ପାଇଁ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ।
ସେହିଭଳି ଏକ ସ୍ଥାନ ହେଉଛି ଇସ୍ରାଏଲର 'ନେଭେ ଜୋହର' ଯାହା ମୃତ ସାଗର ବା 'ଡେଡ୍ ସି କୂଳରେ ଅବସ୍ଥିତ।
ଏହାକୁ ପୃଥିବୀର ସବୁଠାରୁ ନିମ୍ନ ସ୍ଥାନ ବୋଲି କୁହାଯାଏ।
ସମୁଦ୍ର ପତ୍ତନଠାରୁ ପ୍ରାୟ ୪୩୦ ମିଟର ତଳେ ଥିବା ଏହି ଅଞ୍ଚଳର ଜୀବନଶୈଳୀ ଏବଂ ପରିବେଶ ସମ୍ପୂର୍ଣ୍ଣ ନିଆରା।
ଆସନ୍ତୁ ଜାଣିବା ପୃଥିବୀର ସବୁଠାରୁ ନିମ୍ନରେ ଥିବା ଗାଁ ବିଷୟରେ ।
ନେଭେ ଜୋହର ହେଉଛି ଏକ ଛୋଟ ବସତି ବା ରିସର୍ଟ ଅଞ୍ଚଳ, ଯାହାକୁ ବିଶ୍ୱର ସବୁଠାରୁ ନିମ୍ନ ସ୍ଥାନରେ ଥିବା ଜନବସତି ଭାବେ ଗଣନା କରାଯାଏ।
ଏଠାରେ ରହୁଥିବା ଲୋକମାନେ ଏବଂ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଏକ ଏମିତି ଦୁନିଆର ଅନୁଭବ କରନ୍ତି, ଯାହା ସାଧାରଣ ସ୍ଥାନଠାରୁ ସମ୍ପୂର୍ଣ୍ଣ ଭିନ୍ନ।
ଏହି ସ୍ଥାନଟି ମୃତ ସାଗର ବା 'ଡେଡ୍ ସି ର ଦକ୍ଷିଣ ଭାଗରେ ଅବସ୍ଥିତ ।
ଏଠି ଆସୁଥିବା ଲୋକମାନେ ସ୍ବର୍ଗ ପରି ଅନୁଭବ କରନ୍ତି ।
କାରଣ ବିଶ୍ୱର ଅନ୍ୟ ସ୍ଥାନ ତୁଳନାରେ ଏଠାରେ ବାୟୁରେ ୮ ପ୍ରତିଶତରୁ ରୁ ୧୦ ପ୍ରତିଶତ ଅଧିକ ଅମ୍ଳଜାନ ମିଳିଥାଏ ।
ଏଠାରେ ନିଶ୍ୱାସ ନେବା ଅତ୍ୟନ୍ତ ସହଜ, ଯାହା ଶ୍ୱାସରୋଗ ଏବଂ ହୃଦରୋଗୀଙ୍କୁ ଆରାମ ପ୍ରଦାନ କରେ।
ସୂର୍ଯ୍ୟର କ୍ଷତିକାରକ ଅଲ୍ଟ୍ରାଭାୟୋଲେଟ୍ ରସ୍ମି ପ୍ରାକୃତିକ ଭାବରେ ଫିଲ୍ଟର ହୋଇଯାଇଥାଏ।
ସରକାରୀ ସଂଖ୍ୟା ଅନୁଯାୟୀ, ଏହି ଗାଁର ସ୍ଥାୟୀ ଜନସଂଖ୍ୟା ମାତ୍ର ୧୬୬ ।
ଏହି ଗାଁରେ ଏକ ଛୋଟ ପ୍ରାଥମିକ ବିଦ୍ୟାଳୟ, ଏକ ସ୍ଥାନୀୟ ସଂଗ୍ରହାଳୟ ଏବଂ କିଛି ଆବାସିକ ଘର ଅଛି।
Advertisment ଅଧିକ ପଢନ୍ତୁ: Iran war: ଜଳୁଛି ମଧ୍ୟପ୍ରାଚ୍ୟ: ଆମେରିକା ଲଗାତାର ନବମ ରାତିରେ ଇରାନ ଉପରେ ଆକ୍ରମଣ କଲା ତେବେ ଏହି ସ୍ଥାନର ଇତିହାସ ବହୁତ ପୁରୁଣା ନୁହେଁ ।
ପ୍ରାରମ୍ଭରେ, ଏହା ମୃତ ସାଗର ନିକଟରେ କାରଖାନା ଶ୍ରମିକଙ୍କ ପାଇଁ ଏକ ଛୋଟ କାର୍ଯ୍ୟ ଶିବିର ଥିଲା ।
ଧୀରେ ଧୀରେ ସମୟ ବଦଳିଗଲା ଏବଂ ଲୋକମାନେ ଏଠାରେ ସେମାନଙ୍କର ସ୍ଥାୟୀ ଘର ତିଆରି କଲେ।
ଗାଁଠାରୁ ମାତ୍ର 3 କିଲୋମିଟର ଦୂରରେ ଏନ ବୋକେକ ଏକ ପ୍ରମୁଖ ହୋଟେଲ ଏବଂ ରିସର୍ଟ ହବ୍, ଯାହା ସାରା ବିଶ୍ୱର ଧନୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।
ଏଠାରେ ଜୁନ୍ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଗ୍ରୀଷ୍ମ ମାସରେ ପ୍ରାୟତଃ ପ୍ରଚଣ୍ଡ ଗରମ ୪୫° ରୁ ୪୭° ଅତିକ୍ରମ କରିଥାଏ।
ଅପରାହ୍ନରେ ଘରୁ ବାହାରକୁ ବାହାରିବା ଅସମ୍ଭବ।
ବର୍ଷକୁ କେବଳ ୪୦-୫୦ ମିମି ବର୍ଷା ହୋଇଥାଏ ।
ଏଠାରେ ଦୋକାନ ଏବଂ ବଜାର ବହୁତ କମ।
ଗାଁ ଭିତରେ କୌଣସି ସୁପରମାର୍କେଟ୍, ପ୍ରମୁଖ ରେଷ୍ଟୁରାଣ୍ଟ କିମ୍ବା ନାଇଟ୍ ଲାଇଫ୍ ନାହିଁ।
ଯଦି ସ୍ଥାନୀୟ ବାସିନ୍ଦାଙ୍କୁ ଖାଦ୍ୟ କିମ୍ବା ମୌଳିକ ଚିକିତ୍ସା ଆବଶ୍ୟକ, ତେବେ ସେମାନଙ୍କୁ ପାହାଡ଼ ଚଢି ୨୫ କିଲୋମିଟର ଚାଲିବାକୁ ପଡିବ ଆରାଦ ସହରକୁ।
ବ୍ୟକ୍ତିଗତ ଯାନବାହନ ବିନା ଏଠାରେ ରହିବା ଅତ୍ୟନ୍ତ କଷ୍ଟକର ।
ମୃତ ସାଗରର ରହସ୍ୟ ମୃତ ସାଗରକୁ 'ମୃତ' ବୋଲି ଏଥିପାଇଁ କୁହାଯାଏ କାରଣ ଏହାର ଜଳ ଅତ୍ୟଧିକ ଲୁଣିଆ।
ସାଧାରଣ ସମୁଦ୍ର ଜଳ ତୁଳନାରେ ଏହାର ଜଳ ପ୍ରାୟ ୯ ରୁ ୧୦ ଗୁଣ ଅଧିକ ଲୁଣିଆ।
ଏତେ ଅଧିକ ଲବଣାକ୍ତ ପରିବେଶରେ କୌଣସି ମାଛ କିମ୍ବା ଜଳଜ ଉଦ୍ଭିଦ ବଞ୍ଚିବା ସମ୍ଭବ ନୁହେଁ।
ତେବେ, ଏହି ଲବଣାକ୍ତ ଜଳର ଏକ ବିଶେଷ ଗୁଣ ହେଉଛି ଏହାର 'ଘନତ୍ୱ'।
ଏଠାରେ ଜଳର ଘନତ୍ୱ ଏତେ ଅଧିକ ଯେ କୌଣସି ବ୍ୟକ୍ତି ଏଥିରେ ବୁଡ଼ନ୍ତି ନାହିଁ।
ଆପଣ ବିନା କୌଣସି ଚେଷ୍ଟାରେ ପାଣି ଉପରେ ଶୋଇ ରହିପାରିବେ କିମ୍ବା ଖବରକାଗଜ ପଢ଼ିପାରିବେ।
ଏହି ଅନୁଭୂତି ପର୍ଯ୍ୟଟକମାନଙ୍କ ପାଇଁ ସବୁଠାରୁ ବଡ଼ ଆକର୍ଷଣ।
ମୃତ ସାଗର କୂଳରେ ମିଳୁଥିବା କଳା କାଦୁଅ ମାଗ୍ନେସିୟମ୍, କ୍ୟାଲସିୟମ୍ ଏବଂ ପୋଟାସିୟମ୍ ଭଳି ଖଣିଜରେ ଭରପୂର।
ଏହାକୁ ଶରୀରରେ ଲଗାଇବା ଦ୍ୱାରା ଚର୍ମ ରୋଗ ଏବଂ ଗଣ୍ଠି ବାତ ଭଲ ହୋଇଥାଏ।
କିନ୍ତୁ ଆଜି ମୃତ ସାଗର ଏକ ବଡ଼ ସଙ୍କଟର ସମ୍ମୁଖୀନ ହେଉଛି।
ପ୍ରତିବର୍ଷ ଏହାର ଜଳସ୍ତର ପ୍ରାୟ ୧ ମିଟର କମିବାରେ ଲାଗିଛି।
ପାଣି ଶୁଖିଯିବା ଯୋଗୁଁ କୂଳ ଅଞ୍ଚଳରେ ବିପଜ୍ଜନକ ବଡ଼ ବଡ଼ ଗାତ ସୃଷ୍ଟି ହେଉଛି, ଯାହା ପର୍ଯ୍ୟଟନ ଏବଂ ସ୍ଥାନୀୟ ବସତି ପାଇଁ ଚିନ୍ତାର ବିଷୟ ପାଲଟିଛି ।
ସେ ଯାହା ଭି ହେଉ ନେଭେ ଜୋହର ଏବଂ ମୃତ ସାଗରର ଏହି ଦୁନିଆ ପ୍ରକୃତିର ଏକ ଅଦ୍ଭୁତ କୃତି।
ଏଠାକାର ଶାନ୍ତ ପରିବେଶ, ଭାସୁଥିବା ଜଳ ଏବଂ ସ୍ୱାସ୍ଥ୍ୟପ୍ରଦ ବାୟୁ ମଣିଷକୁ ଏକ ଭିନ୍ନ ସ୍ତରର ଅନୁଭୂତି ପ୍ରଦାନ କରେ।
ଏହା କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ, ବରଂ ଧରିତ୍ରୀ ଗର୍ଭରେ ଥିବା ଏକ ଅନନ୍ୟ ଜୀବନ୍ତ କାହାଣୀ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।