Daughter Paid Rs 7 Lakh to Kill Mother: ଚାକିରି ଓ ସମ୍ପତ୍ତି ଲୋଭ, ମା'କୁ ସ୍କର୍ପିଓ ଚଢାଇ ହତ୍ୟା କଲା ଝିଅ

Jul 09, 2026 - 15:57
Daughter Paid Rs 7 Lakh to Kill Mother: ଚାକିରି ଓ ସମ୍ପତ୍ତି ଲୋଭ, ମା'କୁ ସ୍କର୍ପିଓ ଚଢାଇ ହତ୍ୟା କଲା ଝିଅ

୨୩ ବର୍ଷର ଝିଅ ନିଜ ମା'କୁ ହତ୍ୟା କରିବା ପାଇଁ ରଚିଲା ଭୟଙ୍କର ଚକ୍ରାନ୍ତ। କେବଳ ଚକ୍ରାନ୍ତ ନୁହେଁ, ସୁପାରୀ କିଲରଙ୍କୁ ୭ ଲକ୍ଷ ଟଙ୍କା ଦେଇ, ଏକ ସ୍କର୍ପିଓରେ ମା'କୁ ଧକ୍କା ଦେଇ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କଲା ପାପୀ ଝିଅ। 

ରାଜସ୍ଥାନର ଜୟପୁରରୁ ସାମ୍ନାକୁ ଆସିଛି ଏଭଳି ହୃଦୟବିଦାରକ ଘଟଣା। ଗତ ଜୁଲାଇ ୩ ତାରିଖରେ କୋର୍ଟ କ୍ଲର୍କ ଭାବେ କାର୍ଯ୍ୟରତ ୪୫ ବର୍ଷୀୟା ନୀରଜ ଶର୍ମା ପୁଅଙ୍କୁ କୋଚିଂରେ ଛାଡ଼ି ଘରକୁ ଫେରୁଥିବା ବେଳେ ଦ୍ରୁତଗତିରେ ଆସିଥିବା ଏକ ସ୍କର୍ପିଓ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ପ୍ରଥମେ ଏହାକୁ ସାଧାରଣ ସଡ଼କ ଦୁର୍ଘଟଣା ବୋଲି ଧରାଯାଇଥିଲା। ହେଲେ ଆଖପାଖର ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ସାମ୍ନାକୁ ଆସିଥିଲା ଏକ ଭୟଙ୍କର ସତ। ପୋଲିସ ତଦନ୍ତରୁ ଜଣାପଡ଼ିଲା, ଦୁର୍ଘଟଣା ନୁହେଁ ବରଂ ଏହା ଥିଲା ଯୋଜନାବଦ୍ଧ ହତ୍ୟା।

ଅଭିଯୋଗ ଅନୁସାରେ, ସ୍ୱାମୀଙ୍କ ମୃତ୍ୟୁ ପରେ ନୀରଜ ଶର୍ମା ଅନୁକମ୍ପାମୂଳକ ଭାବେ ସରକାରୀ ଚାକିରି ପାଇଥିଲେ। ସେହି ଚାକିରି ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି ହାତେଇବା ପାଇଁ ୨୩ ବର୍ଷୀୟା ଝିଅ ଆୟୁଷୀ ଶର୍ମା ନିଜ ପିଉସା ଓ ସମ୍ପର୍କୀୟଙ୍କ ସହ ମିଶି ହତ୍ୟା ଷଡ଼ଯନ୍ତ୍ର ରଚିଥିଲା।

ପୋଲିସ କହିଛି, ଏହି କାମ ପାଇଁ ଭରତପୁରର ଜଣେ ସୁପାରୀ କିଲରଙ୍କୁ ୭ ଲକ୍ଷ ଟଙ୍କା ଦିଆଯାଇଥିଲା। ପ୍ରଥମେ ମାସେ ଧରି ପୀଡ଼ିତାଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା, ତା'ପରେ ସ୍କର୍ପିଓରେ ଧକ୍କା ଦେଇ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରାଯାଇଥିଲା।

ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଆୟୁଷୀଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ତେବେ ଜଣେ ପ୍ରମୁଖ ଚକ୍ରାନ୍ତକାରୀ ଏବେ ମଧ୍ୟ ଫେରାର ଥିବା ବେଳେ, ତାଙ୍କୁ ଧରିବା ପାଇଁ ତଲାସି ଜାରି ରହିଛି। ମା'-ଝିଅର ପବିତ୍ର ସମ୍ପର୍କକୁ କଳଙ୍କିତ କରିଥିବା ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।