Daughter Arrested in Mother's Murder: ମାଆକୁ ହତ୍ୟା ଅଭିଯୋଗରେ ଝିଅ ଗିରଫ; ମାମୁ କହିଲେ,ବାପାଙ୍କୁ ମଧ୍ୟ ସେ ମାରିଛି

Jul 11, 2026 - 17:16
Daughter Arrested in Mother's Murder: ମାଆକୁ ହତ୍ୟା ଅଭିଯୋଗରେ ଝିଅ ଗିରଫ; ମାମୁ କହିଲେ,ବାପାଙ୍କୁ ମଧ୍ୟ ସେ ମାରିଛି

ଜୟପୁରର ଜଣେ ଆଇନ ଛାତ୍ରୀ ତା ମାଆଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇ ପୋଲିସ ହେପାଜତରେ ଅଛି। ଏବେ ତା ମାମୁ ଅଭିଯୋଗ କରିଛନ୍ତି ଯେ ସେ ଗତ ବର୍ଷ ତା ବାପାଙ୍କୁ ମଧ୍ୟ ହତ୍ୟା କରିଛି ।
ଜୟପୁର କୋର୍ଟରେ ଜଣେ କିରାଣୀ ନୀରଜ ଶର୍ମା ତାଙ୍କ ସ୍ୱାମୀ ବିଜୟ ଶର୍ମାଙ୍କ ମୃତ୍ୟୁ ପରେ ଅନୁକମ୍ପା ଭିତ୍ତିରେ ଚାକିରି ପାଇଥିଲେ । ନୀରଜ ଜଣେ କୋର୍ଟ ମାଷ୍ଟର ଥିଲେ। ବିଜୟ ଶର୍ମା ଦୀର୍ଘ ବର୍ଷ ଧରି ଅସୁସ୍ଥ ରହିବା ପରେ ଗତ ବର୍ଷ ମୃତ୍ୟୁବରଣ କରିଥିଲେ।

ଜୁଲାଇ ୩ ତାରିଖରେ ଜୟପୁରରେ ନୀରଜ ଶର୍ମାଙ୍କୁ ଏକ SUV ଧକ୍କା ଦେଇଥିଲା। ପୋଲିସ ତାଙ୍କ ଝିଅ ଆୟୁଷୀକୁ ମାଆଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଗିରଫ କରିଛି।
ଏଲଏଲବି ଶେଷ ବର୍ଷର ଛାତ୍ରୀ ଆୟୂଷୀ ତା ସମ୍ପର୍କୀୟ ଭାଇ ବଳରାମ ସହାୟତାରେ ୭ ଲକ୍ଷ ଟଙ୍କାର ସୁପାରୀ ଦେଇଥିବା ଅଭିଯୋଗ ହୋଇଛି। ଯୋଜନା ଥିଲା ତା ମାଆଙ୍କୁ ହତ୍ୟା କରି ଏହାକୁ ଏକ ସଡ଼କ ଦୁର୍ଘଟଣାର ରୂପ ଦେବା ।  

ପୋଲିସ କହିଛି ଯେ ତଦନ୍ତରୁ ଜଣାପଡିଛି, ଆୟୂଷୀ ତା ମାଆଙ୍କ ବଦଳରେ ସରକାରୀ ଚାକିରି ଚାହୁଁଥିଲା ଏବଂ ପାରିବାରିକ ସମ୍ପତ୍ତି ଉପରେ ମଧ୍ୟ ନଜର ରଖିଥିଲା।
ଏବେ ଆୟୂଷୀଙ୍କ ମାମୁ ରାକେଶ ଶର୍ମା ଅଭିଯୋଗ କରିଛନ୍ତି ଯେ ସେ ତା ବାପାଙ୍କୁ ମଧ୍ୟ ହତ୍ୟା କରିଥିଲା। ରାକେଶ ଶର୍ମା ଅଭିଯୋଗ କରିଛନ୍ତି ଯେ ଆୟୂଷୀ ଏବଂ ତା ଭାଇ ବଳରାମ ତା ବାପାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହେବା ପରେ ଏକ ଅଜଣା ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ଏବଂ ପରିବାରକୁ ତିନି ମାସ ପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ବିଷୟରେ ଅନ୍ଧାରରେ ରଖିଥିଲେ।

ତା ମାଆ ବାରମ୍ବାର ପଚାରିବାରୁ ଆୟୂଷୀ କହିଥିଲା ଯେ ସେ ତା ବାପାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲା। ପରିବାର ଲୋକେ ପରେ ବିଜୟ ଶର୍ମାଙ୍କୁ ଘରକୁ ଆଣିଥିଲେ, କିନ୍ତୁ ଡାକ୍ତରମାନେ କହିଥିଲେ ଯେ ତାଙ୍କର ଅନେକ ଅଙ୍ଗ ଅକାମୀ ହୋଇଯାଉଛି।

ତା ମାମୁ ଅଭିଯୋଗ କରିଛନ୍ତି ଯେ ଆୟୂଷୀ ତା ବାପାଙ୍କ ଖାଇବା ନଳୀ କାଢ଼ି ଦେଇଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଏବେ ମାମୁଙ୍କ ଅଭିଯୋଗର ତଦନ୍ତ କରୁଛି ଏବଂ ହେପାଜତରେ ଥିବା ଆୟୂଷୀକୁ ପଚରାଉଚରା କରୁଛି।

ପୋଲିସ ଆୟୂଷୀର ସମ୍ପର୍କୀୟ ଭାଇ ବଳରାମଙ୍କୁ ମଧ୍ୟ ଖୋଜୁ । ସେ ତାର ସହ-ଷଡ଼ଯନ୍ତ୍ରକାରୀ ବୋଲି ସରନ୍ଦେହ କରାଯାଉଛି ।  
ପୋଲିସ ସୂତ୍ର ଅନୁଯାୟୀ, ଆୟୂଷୀ, ବଳରାମ ଏବଂ ତା ବାପା ମୋହନ ନୀରଜ ଶର୍ମାଙ୍କ ହତ୍ୟା ପଛରେ ମୁଖ୍ୟ ଷଡଯନ୍ତ୍ରକାରୀ। ପୋଲିସ କହିଛି ଯେ ଏହି ତିନିଜଣ ପରିବାର ସମ୍ପତ୍ତିକୁ ନିଜ ନିଜ ମଧ୍ୟରେ ବାଣ୍ଟିବାକୁ କଥା ହୋଇଥିଲେ।

ନୀରଜ ଶର୍ମା ତାଙ୍କ ସାନ ପୁଅକୁ ଏକ କୋଚିଂ ସେଣ୍ଟରକୁ ଛାଡି ଫେରୁଥିବା ସମୟରେ ଜୁଲାଇ ୩ ତାରିଖରେ ଏକ ଦ୍ରୁତଗାମୀ ସ୍କୋର୍ପିଓ ତାଙ୍କୁ ଧକ୍କା ଦେଇଥିଲା। ପୋଲିସର କହିବା ଅନୁଯାୟୀ, ସୁପାରୀ କିଲରମାନେ ଗୋଟିଏ ମାସ ପୂର୍ବରୁ ମଧ୍ୟ ନୀରଜ ଶର୍ମାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଟ୍ରାଫିକ୍ ଯୋଗୁଁ ସେମାନେ ବିଫଳ ହୋଇଥିଲେ। ପୋଲିସ ଅଭିଯୁକ୍ତ ସୁପାରୀ କିଲର୍ ହେମନ୍ତ, ଆକାଶ, ମୋହିତ, ଅରବିନ୍ଦ ଏବଂ ରୋହିତଙ୍କୁ ଗିରଫ କରିଛି। ବଳରାମକୁ ଖୋଜା ଚାଲିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।