CWG 2026 missing athletes: କମନୱେଲ୍‌ଥ ଗେମ୍ସ ପରେ ରହସ୍ୟମୟ ଭାବେ ନିଖୋଜ ହୋଇଯାଉଛନ୍ତି ଅନେକ ଖେଳାଳି, ସନ୍ଧାନ ଜାରି

Aug 05, 2026 - 09:47
CWG 2026 missing athletes: କମନୱେଲ୍‌ଥ ଗେମ୍ସ ପରେ ରହସ୍ୟମୟ ଭାବେ ନିଖୋଜ ହୋଇଯାଉଛନ୍ତି ଅନେକ ଖେଳାଳି, ସନ୍ଧାନ ଜାରି

କମନୱେଲ୍ଥ ଗେମ୍ସ-୨୦୨୬ ଶେଷ ହେବା ପରେ ସ୍କଟଲ୍ୟାଣ୍ଡରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ପାକିସ୍ତାନର ବକ୍ସର କୁଦ୍ରତୁଲ୍ଲାହଙ୍କ ସମେତ ବିଭିନ୍ନ ଦେଶର କିଛି ଖେଳାଳି ସ୍କଟଲ୍ୟାଣ୍ଡରେ ନିଖୋଜ ହୋଇଯାଇଛନ୍ତି। ଘଟଣାକୁ ନେଇ ସ୍କଟଲ୍ୟାଣ୍ଡ ପୋଲିସ୍ ତଦନ୍ତ ଆରମ୍ଭ କରିଛି।

ଗ୍ଲାସଗୋରେ ଆୟୋଜିତ କମନୱେଲ୍ଥ ଗେମ୍ସ ରବିବାର ଶେଷ ହୋଇଥିଲା। ଏହା ପରେ ନିଜ ଦଳ ସହ ଦେଶକୁ ଫେରିନଥିବା ଅନେକ ଖେଳାଳିଙ୍କ ସନ୍ଧାନରେ ତଦନ୍ତ ଚଳାଇଛି ସ୍କଟଲ୍ୟାଣ୍ଡ ପୋଲିସ୍। ପୋଲିସ୍ କହିଛି, ନିଖୋଜ ଖେଳାଳିଙ୍କ ସନ୍ଧାନ ପାଇଁ ବ୍ରିଟେନର ହୋମ୍ ଅଫିସ୍ ସହ ମିଶି କାର୍ଯ୍ୟ କରାଯାଉଛି।

ଉଗାଣ୍ଡାର ଗଣମାଧ୍ୟମ ଏନ୍‌ବିଏସ୍ ସ୍ପୋର୍ଟସ୍‌ର ସୂଚନା ଅନୁସାରେ, ଦେଶର ୬ ସଦସ୍ୟ ବିଶିଷ୍ଟ ବକ୍ସିଂ ଦଳର ୪ ଜଣ ଖେଳାଳି ନିର୍ଦ୍ଧାରିତ ବିମାନରେ ଦେଶକୁ ଫେରିନଥିଲେ। ସେମାନେ ହେଲେ ନୁହୁ ବାଟେ, ଏଞ୍ଜେଲ କାଟୁଶାବେ, ଇବ୍ରାହିମ କେମିସ୍ ଏବଂ ଏମିଲି ନାକାଲେମା। ସେମାନଙ୍କ ମଧ୍ୟରୁ ଜଣେ ବକ୍ସର କହିଛନ୍ତି ଯେ, ଉନ୍ନତ ପ୍ରଶିକ୍ଷଣ ଓ ଭଲ ସୁଯୋଗ ପାଇଁ ସେମାନେ ସ୍କଟଲ୍ୟାଣ୍ଡରେ ଆଶ୍ରୟ ନେବାକୁ ଚାହୁଁଛନ୍ତି।

ସେପଟେ ପାକିସ୍ତାନ ଟୁଡେର ଖବର ଅନୁସାରେ, ବକ୍ସର କୁଦ୍ରତୁଲ୍ଲାହ ମଧ୍ୟ ଦଳ ସହ ଦେଶକୁ ଫେରିବା ପୂର୍ବରୁ ନିଖୋଜ ହୋଇଯାଇଛନ୍ତି। ଆଶ୍ଚର୍ଯ୍ୟର କଥା, ତାଙ୍କ ପାସପୋର୍ଟ ଦଳର ମ୍ୟାନେଜରଙ୍କ ପାଖରେ ଥିବା ସତ୍ତ୍ୱେ ସେ କିପରି ନିଖୋଜ ହେଲେ, ତାହାକୁ ନେଇ ପାକିସ୍ତାନ ଅଲିମ୍ପିକ୍ ସଂଘର ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

ଏଭଳି ଘଟଣା ନୂଆ ନୁହେଁ। ୨୦୨୨ ବର୍ମିଂହାମ କମନୱେଲ୍ଥ ଗେମ୍ସରେ ମଧ୍ୟ ପାକିସ୍ତାନର ଦୁଇ ବକ୍ସର ନିଖୋଜ ହୋଇଥିଲେ। ୨୦୧୮ ଗୋଲ୍ଡ କୋଷ୍ଟ ଗେମ୍ସ ପରେ ମଧ୍ୟ ଅନେକ ଖେଳାଳି ଅଷ୍ଟ୍ରେଲିଆ ଛାଡ଼ିନଥିବା ଏବଂ ଶହ ଶହ ଖେଳାଳି ଆଶ୍ରୟ ପାଇଁ ଆବେଦନ କରିଥିବା ଘଟଣା ସାମ୍ନାକୁ ଆସିଥିଲା।

ଗ୍ଲାସଗୋ-୨୦୨୬ରେ ୭୪ଟି କମନୱେଲ୍ଥ ଦେଶ ଓ ଅଞ୍ଚଳର ୩ ହଜାରରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ। ୧୧ ଦିନିଆ ଏହି କ୍ରୀଡ଼ା ମହାକୁମ୍ଭ ଶେଷ ପରେ ଏକାଧିକ ଖେଳାଳିଙ୍କ ନିଖୋଜ ଘଟଣା ଆୟୋଜକ ଓ ପ୍ରଶାସନର ଚିନ୍ତା ବଢ଼ାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।