Custody Death Allegation: ପୋଲିସ କଷ୍ଟଡିରୁ ଗାଏବ ଯୁବକ, ହତ୍ୟା ଅଭିଯୋଗ ଆଣିଲା ପରିବାର

Jun 25, 2026 - 13:46
Custody Death Allegation: ପୋଲିସ କଷ୍ଟଡିରୁ ଗାଏବ ଯୁବକ, ହତ୍ୟା ଅଭିଯୋଗ ଆଣିଲା ପରିବାର

ପୋଲିସ କଷ୍ଟଡିରୁ ଗାଏବ ଯୁବକ। ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ବିଜୟୱାଡାରେ। ଗତ ମେ ମାସରେ ଯୁବକଙ୍କୁ ଗିରଫ କରି ପୋଲିସ ହେପାଜତକୁ ନେଇଥିଲା। କିନ୍ତୁ ଗୋଟିଏ ମାସ ପରେ ଯୁବକଙ୍କ ନିଖୋଜ ହୋଇଥିବା ଖବର ସାମନାକୁ ଆସିଥିଲା। ଏହା ପରେ ଯୁବକଙ୍କ ପରିବାର ଲୋକେ ତାଙ୍କୁ ହାଜତରେ ନିର୍ଯାତନା ଦେବା ସହ ହତ୍ୟା କରାଯାଇଛି ଏବଂ ଲୁଚାଯାଇ ଶବଦାହ କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରାଯିବା ସହ ଚାକିରିରୁ ନିଲମ୍ବନ କରାଯାଇଛି। 

ଯୁବକ ଜଣକ ହେଉଛନ୍ତି ଗାଡେ ସାଇ କୃଷ୍ଣ। ସାଇଙ୍କ ମାଆ ଗାଡେ ବିଜୟା ଲକ୍ଷ୍ମୀଙ୍କ ଅଭିଯୋଗ ଅନୁଯାୟୀ, ସାଇ କୃଷ୍ଣ ମେ ୯ ତାରିଖରୁ ନିଖୋଜ ଅଛନ୍ତି। ତାଙ୍କ ମାଆ ଗାଡେ ବିଜୟା ଲକ୍ଷ୍ମୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ କୃଷ୍ଣଲଙ୍କା ପୋଲିସ ମାର୍କାପୁରମରୁ ଉଠାଇ ନେଇଥିଲା ଏବଂ ଆଉ ତାଙ୍କ ପୁଅ ଫେରି ନଥିଲା। ତାଙ୍କୁ ଗିରଫ କରିବାର ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ହାଜର କରାଯିବା ପରିବର୍ତ୍ତେ, ତାଙ୍କୁ ହାଜତରେ ରଖାଯାଇଥିଲା।

ଯେତେବେଳେ ସେ ତାଙ୍କ ପୁଅକୁ ଖୋଜିବା ପାଇଁ ଥାନାକୁ ଯାଇଥିଲେ, ସେତେବେଳେ ସେ ତାଙ୍କ ପୁଅକୁ ଲକ୍‌ଅପ ଭିତରେ ଅଚେତ ଅବସ୍ଥାରେ ଦେଥିଲେ। ଏହାପରେ ତାଙ୍କୁ ଧମକ ଦିଆଯାଇଥିଲା ଏବଂ ସାଇଙ୍କ ବିଷୟରେ ଅଧିକ ସୂଚନା ଦିଆଯାଇନଥିଲା। ଏପରିକି ତାଙ୍କ ପୁଅର ଗୋଡ ମଧ୍ୟ ବାନ୍ଧି ଦେଇଥିବା ଅଭିଯୋଗ କରିଛନ୍ତି ସାଇଙ୍କ ମାଆ। ଏହି ଘଟଣାରେ ସର୍କଲ ଇନ୍ସପେକ୍ଟର ସୁଦା ସୁରେଶ ବୀରା ଭେଙ୍କଟା (SSVV) ନାଗରାଜୁଙ୍କୁ ଗିରଫ କରାଯାଇ ଚାକିରିରୁ ନିଲମ୍ବିତ କରାଯାଇଛି। କିନ୍ତୁ ସାଇଙ୍କ ପରିବାର ଲୋକେ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିବା ସହ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି।