Cricket: ଇଂଲଣ୍ଡଠୁ ପ୍ରତିଶୋଧ ନେଲା ନ୍ୟୁଜିଲାଣ୍ଡ୍
ଲଣ୍ଡନ୍: ଲର୍ଡସ ଟେଷ୍ଟ୍ ପରାଜୟର ପ୍ରତିଶୋଧକୁ ଦ ଓଭାଲରେ ନେଇଯାଇଛି ନ୍ୟୁଜିଲାଣ୍ଡ୍। ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍କୁ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍ ରବିବାର ୨୫୩ ରନ୍ର ବୃହତ ବ୍ୟବଧାନରେ ଜିତିଯାଇଛି। ଏଥି ସହିତ ୩ ମ୍ୟାଚ୍ ଶୃଙ୍ଖଳା ବି ୧-୧ ସ୍ତରକୁ ଚାଲିଆସିଛି। ଉଭୟ ପାଳିରୁ ୧୧ ୱିକେଟ୍ ନେଇ ଦ୍ରୁତ ବୋଲର ମ୍ୟାଟ୍ ହେନରି (୫/୮୦ ଓ ୬/୨୯) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଛନ୍ତି। ଶୃଙ୍ଖଳା ନିର୍ଣ୍ଣାୟକ ତୃତୀୟ ତଥା ଶେଷ ଟେଷ୍ଟ୍ ଜୁନ୍ ୨୫ ତାରିଖ ଗୁରୁବାରଠାରୁ ନଟିଂହାମ୍ରେ ଆରମ୍ଭ ହେବ।
ବ୍ୟାଟ୍ ଓ ବଲ୍ରେ ସନ୍ତୁଳନ ରକ୍ଷା କରିବାରେ ସକ୍ଷମ ହୋଇଥିବା ଏହି ଟେଷ୍ଟ୍ରେ ଇଂଲଣ୍ଡ ସମ୍ମୁଖରେ ୪୬୩ ରନ୍ ଲକ୍ଷ୍ୟ ରହିଥିଲା। ଚତୁର୍ଥ ଦିନ ଖେଳ ସୁଦ୍ଧା ଘରୋଇ ଦଳ ୫ ୱିକେଟ୍ରେ ୧୮୨ ରନ୍ କରିଥିଲା। ରବିବାର ପଞ୍ଚମ ଦିନ ପ୍ରଥମ ଅଧିବେଶନରେ ହିଁ ଅବଶିଷ୍ଟ ୫ ୱିକେଟ୍କୁ ମ୍ୟାଟ୍ ହେନରି ଦଖଲ କରି ନିଜ ଟେଷ୍ଟ୍ କ୍ୟାରିୟରରେ ପ୍ରଥମ ଥର ୧୦ ୱିକେଟ୍ ସଫଳତା ବି ଅର୍ଜନ କରିଥିଲେ।
Trophey: କ୍ରିକେଟ ବିଶ୍ୱକପ ନା ଫିଫା ବିଶ୍ୱକପ, କାହାର ଟ୍ରଫି ହୋଇଥାଏ ସବୁଠାରୁ ଦାମୀ
ରବିବାର ନିଜ ଦ୍ବିତୀୟ ଓ ତୃତୀୟ ଓଭରରେ ୨ଟି ଲେଖାଏଁ ୱିକେଟ୍ ବାହାର କରି ସେ ମ୍ୟାଚ୍କୁ ୧୦.୧ ଓଭର ଭିତରେ ଶେଷ କରି ଦେଇଥିଲେ। ସକାଳେ ତାଙ୍କ ପ୍ରଥମ ଶିକାର ହୋଇଥିଲେ କାମଚଳା ଅଧିନାୟକ ଜୋ ରୁଟ୍ (୭୭)। ପୂର୍ବ ସଂଧ୍ୟାରେ ଜାମିସନ୍ ୩ ୱିକେଟ୍ ନେଇଥିବାବେଳେ ହେନରି ଅବଶିଷ୍ଟ କାମକୁ ରବିବାର ସକାଳେ ସୁଚାରୁରୂପେ ତୁଲାଇନେଇଥିଲେ। ପୂର୍ବରୁ ନ୍ୟୁଜିଲାଣ୍ଡ୍ର ୩୯୧ ରନ୍ ଜବାବରେ ଇଂଲଣ୍ଡ ୨୯୧ ରନ୍ କରିଥିଲା। ନ୍ୟୁଜିଲାଣ୍ଡ୍ ଦ୍ବିତୀୟ ପାଳିରେ ୩୬୨ କରିଥିଲା।