Controversy Over Mahaprabhu Jagannath Animated Film: ଜଗନ୍ନାଥଙ୍କ ଉପରେ ‘ଅପଭ୍ରଂଶ’ ଫିଲ୍ମକୁ ଗଜପତିଙ୍କ ବିରୋଧ
ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଉପରେ ପ୍ରସ୍ତୁତ ଆନିମେଟେଡ୍ ଫିଲ୍ମ “ମହାପ୍ରଭୁ ଜଗନ୍ନାଥ”କୁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ବିରୋଧ। ଗଜପତି ଦର୍ଶାଇଛନ୍ତି ଯେ, ଏହି ଫିଲ୍ମର ଅଫିସିଆଲ୍ ଟ୍ରେଲର୍ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି। ଏହି ଟ୍ରେଲର୍ ଜଗନ୍ନାଥ ମହାପ୍ରଭୁଙ୍କର ଏକ ସଂପୂର୍ଣ୍ଣ କାଳ୍ପନିକ କାହାଣୀ ଉପରେ ଆଧାରିତ, ଯାହା ଆମ ଶାସ୍ତ୍ରରେ ହୋଇଥିବା ପବିତ୍ର ବର୍ଣ୍ଣନାର ସଂପୂର୍ଣ୍ଣ ବିରୋଧୀ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମାର ପ୍ରଚାର କେବଳ ଶାସ୍ତ୍ରୀୟ ବର୍ଣ୍ଣନା ଅନୁସାରେ ହେବା ଉଚିତ୍। ମହାପ୍ରଭୁଙ୍କ ମହିମାର ବିକୃତ ଓ କାଳ୍ପନିକ ଉପସ୍ଥାପନା ବିଶ୍ୱବ୍ୟାପୀ ଅସଂଖ୍ୟ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବ। ତେଣୁ ଯେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଯୁକ୍ତ ବିଶେଷଜ୍ଞମାନେ ଫିଲ୍ମର ବିଷୟବସ୍ତୁ ଯାଞ୍ଚ କରି ପ୍ରମାଣିତ କରିନାହାନ୍ତି, ସେ ପର୍ଯ୍ୟନ୍ତ ଏହି ଆନିମେସନ୍ ଫିଲ୍ମକୁ ସିନେମା ହଲ୍ କିମ୍ବା କୌଣସି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମୁକ୍ତିଲାଭ କରାନଯାଉ ବୋଲି ସେ ଫିଲ୍ମର ପ୍ରଯୋଜକଙ୍କୁ ଅପିଲ୍ କରିଛନ୍ତି। ସୂଚନା ଅନୁସାରେ ଏହି ଆନିମେଟେଡ୍ ଫିଲ୍ମ ଆସନ୍ତା ଜୁଲାଇ ୧୦ ତାରିଖରେ ରିଲିଜ୍ କରିବାକୁ ପ୍ରଯୋଜନା ସଂସ୍ଥା ଘୋଷଣା କରିଛି। ତେବେ ଗଜପତିଙ୍କ ଆପତ୍ତି ନେଇ ପ୍ରଯୋଜନା ସଂସ୍ଥାର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।