Two Miscreants Shoot Businessman Dead: ବ୍ୟବସାୟୀଙ୍କ ମୁଣ୍ଡକୁ ଗୁଳିକରି ମାରିଦେଲେ, ୨ ଦୁର୍ବୃତ୍ତଙ୍କ ଜଘନ୍ୟ କାଣ୍ଡକୁ ନେଇ ହଇଚଇ
ଗୁଳି, ହତ୍ୟା , ରକ୍ତପାତ। ଦିନଦ୍ବିପ୍ରହରକୁ ଖାତିର ନାହିଁ କି ପୋଲିସ ଡରକୁ ପରୱା ନାହିଁ। ରାଜରାସ୍ତାରେ ଫୁଟୁଛି ଗୁଳି, ରାତି ଅଧରେ ହେଉଛି ନିର୍ମମ ହତ୍ୟା। ଭୁବନେଶ୍ବରରୁ ପୁରୀ, ପୁଣି ପୁରୀରୁ ବାଲେଶ୍ବର। ରାଜ୍ୟକୁ ଥରାଇ ଦେଇଛି ବେଲଗାମ୍ ଅପରାଧୀଙ୍କ ଆତଙ୍କ। ଏହାରି ଭିତରେ ଆଜି ବାଲେଶ୍ବରକୁ ଥରହର କରିପକାଇଛି ଅଭିଯୁକ୍ତଙ୍କ ରକ୍ତରଞ୍ଜିତ କାଣ୍ଡ।
ସ୍ଥାନ-ସହଦେବଖୁଣ୍ଟା ଥାନା ଅରଡ଼ ବଜାର। ସମୟ ପ୍ରାୟ ସାଢେ ୪ଟା। ଦୁଇ ଦୁର୍ବୃତ୍ତ ଆସିଲେ, ସିଧା ମୁଣ୍ଡକୁ ଗୁଳିମାରିଲେ। ଗୋଟିଏ କି ଦୁଇଟି ନୁହେଁ, ୮ ରାଉଣ୍ଡ ଫାୟାରିଂ କରି ଚମ୍ପଟ୍ ମାରିଲେ। କେହିକିଛି ବୁଝିବା ଆଗରୁ ସେଇଠି ହିଁ ଟଳିପଡ଼ିଥିଲେ ଯୁବ ବ୍ୟବସାୟୀ ଏସ.କେ. ହମିଦ୍। ଧାରଧାର ହୋଇ ମୁଣ୍ଡରୁ ବହିଯାଇଥିଲା ରକ୍ତ।
ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିବାବେଳେ ପୋଲିସ ଛାନଭିନ ଚଳାଇଛି। ବ୍ୟାବସାୟିକ ଶତ୍ରୁତାରୁ ଏସ.କେ. ହମିଦଙ୍କୁ କେହି ହତ୍ୟା କରିଥିବା ସନ୍ଦେହରେ ସିସିଟିଭିକୁ ଆଧାର କରି ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି।
କେବଳ ବାଲେଶ୍ୱର ନୁହେଁ, ଗଲା ୧୦ ଦିନରେ ପୁରୀ ଓ ଭୁବନେଶ୍ବରରେ ବି ଦେଖିବାକୁ ମିଳିଛି ଅପରାଧର ରକ୍ତାକ୍ତ ଚିତ୍ର। ୨୩ ଜୁନ୍ ବିଳମ୍ବିତ ରାତି । ପୁରୀ ବଳିଆପଣ୍ଡା ଅଞ୍ଚଳର ଏକ ହୋଟେଲ ଭିତରେ ହୋଟେଲ ମାଲିକ ପବିତ୍ର ନାୟକ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଥିଲା । ହୋଟେଲ ଲିଜ୍ ବିବାଦକୁ ନେଇ ପବିତ୍ରଙ୍କୁ ଧାରୁଆ ଅସ୍ତ୍ର ଓ ଛୁରୀରେ ଆକ୍ରମଣ କରି ରକ୍ତର ହୋଲି ଖେଳିଥିଲେ ଅଭିଯୁକ୍ତ । ତେବେ ମାମଲାକୁ ୨୪ ଘଣ୍ଟା ନପୁରୁଣୁ ଅଭିଯୁକ୍ତ ଚନ୍ଦନ ପଲାରକୁ ଏନକାଉଣ୍ଟର କରିଛି ପୋଲିସ ।
ଜୁନ୍ ୧୬ ବିଳମ୍ବିତ ରାତି। ଶେଷ ରଜରେ ରକ୍ତରେ ଭିଜିଥିଲା ରାଜଧାନୀ। ପୂର୍ବ ଶତ୍ରୁତା ଓ ମଦ୍ୟପାନ ସମୟରେ ବଚସାକୁ କେନ୍ଦ୍ର କରି ଭୁବନେଶ୍ବର ଉପକଣ୍ଠ ପାହାଳରେ ଯୁବକଙ୍କୁ ହାଣି କେନାଲ ପଠାରେ ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ । ମାମଲାରେ ତିନି ଜଣଙ୍କୁ ବାନ୍ଧି ପୋଲିସ ତଦନ୍ତ ଜାରି ରଖିଛି। ଏଭଳି ମାଳମାଳ ମର୍ଡର୍ ସାଧାରଣ ଲୋକଙ୍କ ମନରେ ସୁରକ୍ଷାକୁ ନେଇ ଆଶଙ୍କା ବଢାଇଛି। ପ୍ରଶ୍ନ ଉଠୁଛି- ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ୁଛି କି ସହର ? ଅପରାଧୀଙ୍କ ପାଇଁ ସହର ପାଲଟିଯାଉଛି କି ସେଫ୍ ଜୋନ୍ ? କାହିଁକି ମନରୁ ଉଭେଇ ଯାଇଛି ଆଇନ ଓ ପୋଲିସର ଭୟ ?
ଗୁଳି, ଗଣ୍ଡଗୋଳ ଆଉ ମର୍ଡର୍। ଗୋଟିଏ ପରେ ଗୋଟିଏ ସଙ୍ଗୀନ ଅପରାଧ ଘଟାଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ। ଲଗାତାର ଉପରମୁହାଁ କ୍ରାଇମ୍ ଗ୍ରାଫ୍ ସହରରେ ସୁରକ୍ଷିତ ଜୀବନକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି ।