Continuous Rainfall Floods Odisha: ଘରଦ୍ବାର ସହ ବୁଡ଼ିଲା ରାସ୍ତାଘାଟ, ୪ ଦିନର ଲଗାଣ ବର୍ଷାରେ ବେହାଲ ସାରା ଓଡ଼ିଶା

Jul 06, 2026 - 20:24
Continuous Rainfall Floods Odisha: ଘରଦ୍ବାର ସହ ବୁଡ଼ିଲା ରାସ୍ତାଘାଟ, ୪ ଦିନର ଲଗାଣ ବର୍ଷାରେ ବେହାଲ ସାରା ଓଡ଼ିଶା

ତିନି ଦିନର ଲଗାଣ ବର୍ଷାରେ ସାରା ରାଜ୍ୟରେ ସ୍ଥିତି ସଙ୍ଗୀନ। କି ଗାଁ କି ସହର, ସବୁଠି ପାଣି ଆଉ ପାଣି। ରାସ୍ତାଘାଟ, ଘରଦ୍ବାର ବୁଡ଼ିଛି, ଜୀବନ ଜୀବିକା ପାଣିରେ ଭାସୁଛି। ପୋଲ ଉପରେ ପାଣି, ମୁଖ୍ୟ ରାସ୍ତାରେ ପାଣି। ବାହ୍ୟ ଜଗତରୁ ବିଛ୍ଛିନ୍ନ ହୋଇରହିଛି ଅନେକ ଅଂଚଳ। ଆହୁରି ବର୍ଷା ଲାଗିରହିଥିବାରୁ ଫୁଲୁଛି ନଦୀ। ବୈତରଣୀରେ ଛୋଟ ବନ୍ୟା ଆଶଙ୍କା ଦେଖାଦେଇଥିବା ବେଳେ ଜଳସ୍ତର ବଢୁଥିବାରୁ ଆସନ୍ତା ୯ ତାରିଖରେ ଖୋଲିବ ହୀରାକୁଦ ଗେଟ୍।

ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅବପାତ ପ୍ରଭାବରେ ଲଗାଣ ବର୍ଷାରେ ଉବୁଟୁବୁ ୩ ଜିଲ୍ଲା। ତିନି ଦିନ ହେଲାଣି ଥମିବାର ନାଁ ନେଉନି, ତୁହାକୁ ତୁହା ବର୍ଷି ଚାଲିଛି। ପାଣି ଏମିତି ଯେ, ଘର ଭିତରେ ଲହଡି ମାରୁଛି, ରାସ୍ତା ଉପରେ ବି ଲଗାତର ସୁଅ ଛୁଟିଛି। ସୋନପୁର ଆମ୍ବେଦକର ଛକ ଏବଂ ବ୍ଲକ ଛକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଚାଲିଛି ଚାରି ଫୁଟର ପାଣି। ସେପଟେ ସମ୍ବଲପୁରରେ ସାଂଘାତିକ ସ୍ଥିତି। ୨୪ ଘଣ୍ଟା ଧରି ନନଷ୍ଟପ ବର୍ଷା ସବୁ ଧୋଇ ନେଇଛି। ଜାଗା ଜାଗାରେ ଜମି ରହିଛି ପାଣି, ଲୋକେ ଜଳବନ୍ଦୀ। ରହି ରହି ବର୍ଷା ହେଉଥିବାରୁ ପାଣି ଛାଡିବାର ନାଁ ନେଉନି। ଅଧିକ ପ୍ରଭାବିତ ହୋଇଛି ସହରର ଧନୁପାଲି ଅଂଚଳ। ଦେଖାଦେଇଛି କୃତ୍ରିମ ବନ୍ୟା ସ୍ଥିତି। ସହର ଉପକଣ୍ଠ ସରଲାକାନୀ ବାଗିଡିହିପଡାରେ ନାଳରେ ହଠାତ୍ ପାଣି ମାଡ଼ି ଆସିବାରୁ ଭାସିଗଲା ସ୍କୁଟି। ପାଣି ସୁଅରେ ୨ ଆରୋହୀ ଭାସିଯାଇଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି, ଆଉ ଜଣଙ୍କ ମୃତଦେହ ମିଳିଛି।

ରାସ୍ତା ଉପରେ ଉପୁଡି ପଡିଛି ବିରାଟ ଗଛ। ଫଳରେ ବଲାଙ୍ଗୀର-କଣ୍ଟାବାଞ୍ଜି ୪୨ ନମ୍ବର ରାଜ୍ୟ ରାଜପଥରେ ଠପ୍ ହୋଇଯାଇଥିଲା ଗାଡି ଚଳାଚଳ। କାଲି କାର ଫସିଥିଲା, ଆଜି ପିକଅପ୍। ଖପ୍ରାଖୋଲ ବ୍ଳକ ଲାଠୋର ନିକଟରେ ଥିବା ଝଳିଆଲିଟି ରେଲୱେ ଭୂତଳ ପୋଲରେ ଜମି ରହିଥିବା ପାଣିରେ ଫସିଯାଇଥିଲା ଗାଡି। ଦୁଇ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର ହୋଇଥିଲା ପିକଅପ୍। ଲଗାଣ ବର୍ଷାରେ ବୁଡ଼ିରହିଛି ଅସ୍ଥାୟୀ ପୋଲ, ଚାଲିଛି ୩ ଫୁଟର ବନ୍ୟା ଜଳ। ମୟୂରଭଂଜ ଉଦଳାର କଇଁସାରି ଜାମୁଘାଟ ପୋଲ ଉପରେ ପାଣି ଯୋଗୁଁ ୮ଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି। ସେପଟେ ଶିମିଳିପାଳ ଉପରମୁଣ୍ଡରେ ବର୍ଷା ଯୋଗୁଁ ଫୁଲୁଛି ଦେଓ ନଦୀ।  

ପାଂଚ ଦିନର ଲଗାଣ ବର୍ଷାରେ ବେହାଲ ବୌଦ୍ଧ ଜିଲ୍ଲା। ଘରେ ପାଣି, ବୁଡିଛି ରାସ୍ତା, ତଳିଆ ଅଞ୍ଚଳ ଜଳବନ୍ଦୀ। ଜମଟାଙ୍ଗି-ଡିଗି ରାସ୍ତାରେ ୫ ଫୁଟର ପାଣି ଥିବାରୁ ବିଚ୍ଛିନ୍ନ ହୋଇ ରହିଛି ମନୁପାଲି ପଂଚାୟତ। କଣ୍ଟାମାଳ ସମଲେଶ୍ୱରୀ ପୋଲ ଉପରେ 3 ଫୁଟ ପାଣି ଚାଲୁଥିବାରୁ ୨୫ ଖଣ୍ଡ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି l (ଆଠଗଡ) ଏପଟେ ଆଠଗଡରେ ମନ୍ଦିର ଭିତରେ ଲହଡି ଭାଙ୍ଗୁଛି ୪ ଫୁଟର ବର୍ଷା ଜଳ। ତାରି ଭିତରେ ବୁଡି ପୂଜା ପାଉଛନ୍ତି ସ୍ବପ୍ନେଶ୍ବର ମହାଦେବ। 

ବୈତରଣୀ ଉପରମୁଣ୍ଡରେ ଅଧିକ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଛୋଟ ବନ୍ୟା ଆଶଙ୍କା ଦେଖାଦେଇଛି। ଭଦ୍ରକ ଆଖୁଆପଦାରେ ବିପଦ ସଙ୍କେତ ପାଖାପାଖି ପହଁଚିଲାଣି ବୈତରଣୀ। ଆଗାମୀ ୨୪ ଘଣ୍ଟା ଭିତରେ ଯାଜପୁର, ଆଖୁଆପଦା ଓ ଭଦ୍ରକ ଅଞ୍ଚଳରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହୋଇପାରେ ବୋଲି ଜଳସମ୍ପଦ ବିଭାଗ କହିଛି। 

ସେପଟେ ହୀରାକୁଦ ଡ୍ୟାମରେ ବଢିଛି ଜଳ ପ୍ରବାହ। ୨୪ ଘଣ୍ଟା ଭିତରେ ହୀରାକୁ଼ଦରେ ଜଳସ୍ତର ୨ ଲକ୍ଷ ଘନଫୁଟ ହୋଇଯିବ। ତେଣୁ ଆସନ୍ତା ୯ ତାରିଖରେ ଡ୍ୟାମ ଗେଟ୍ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯିବ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।