College Staff Sleeping Video: ୩ କୋଠରୀରେ ଚାଲୁଥିଲା ସଂସ୍କୃତ ମହାବିଦ୍ୟାଳୟ! ଯାଞ୍ଚରେ ଖୋଲିଲା ଶିକ୍ଷା ବ୍ୟବସ୍ଥାର ଗୁମର

Aug 02, 2026 - 11:57
College Staff Sleeping Video: ୩ କୋଠରୀରେ ଚାଲୁଥିଲା ସଂସ୍କୃତ ମହାବିଦ୍ୟାଳୟ! ଯାଞ୍ଚରେ ଖୋଲିଲା ଶିକ୍ଷା ବ୍ୟବସ୍ଥାର ଗୁମର

ମାତ୍ର ୩ଟି କୋଠରୀରେ ଚାଲୁଥିଲା ସଂସ୍କୃତ ମହାବିଦ୍ୟାଳୟ। ଯାଞ୍ଚ ପାଇଁ ପହଞ୍ଚିଥିବା ସିଡିଓଙ୍କ ସାମ୍ନାକୁ ଆସିଲା ଅଜବ ଚିତ୍ର। କଲେଜରେ ନା ଥିଲେ ଛାତ୍ର, ନା ଥିଲେ ଶିକ୍ଷକ। କେବଳ ଜଣେ କର୍ମଚାରୀ ଟେବୁଲ୍‌ ଉପରେ ପାଦ ରଖି ଆରାମରେ ଶୋଇଥିବା ଦେଖିବାକୁ ମିଳିଥିଲା।

ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲାର ପାଣ୍ଡେଚକ ବରନଇସ୍ଥିତ ଶ୍ରୀବିଜୟ ରାଘବ ସଂସ୍କୃତ ମହାବିଦ୍ୟାଳୟରେ ମୁଖ୍ୟ ବିକାଶ ଅଧିକାରୀ (CDO) ରାଜେଶ କୁମାର ସିଂହ ଅଚାନକ ପରିଦର୍ଶନରେ ଯାଇଥିଲେ। ଯାଞ୍ଚ ସମୟରେ କଲେଜର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।

ପରିଦର୍ଶନ ସମୟରେ ମହାବିଦ୍ୟାଳୟରେ ଜଣେ ବି ଛାତ୍ର କିମ୍ବା ଶିକ୍ଷକ ଉପସ୍ଥିତ ନଥିଲେ। ସେଠାରେ କେବଳ ଜଣେ କର୍ମଚାରୀଙ୍କୁ ଟେବୁଲ୍ ଉପରେ ପାଦ ରଖି ଶୋଇଥିବା ଅବସ୍ଥାରେ ଦେଖାଯାଇଥିଲା। ଭାଇରାଲ୍ ଭିଡିଓରେ ମଧ୍ୟ କର୍ମଚାରୀ ଗଭୀର ନିଦ୍ରାରେ ଥିବା ଦୃଶ୍ୟ ରେକର୍ଡ ହୋଇଛି ଏବଂ ସମ୍ପୂର୍ଣ୍ଣ ମହାବିଦ୍ୟାଳୟଟି ମାତ୍ର ତିନୋଟି କୋଠରୀରେ ପରିଚାଳିତ ହେଉଛି।

ସିଡିଓ ରାଜେଶ କୁମାର ସିଂହ କହିଛନ୍ତି, ମହାବିଦ୍ୟାଳୟରେ ପ୍ରକୃତରେ ପାଠପଢ଼ା ହେଉଛି କି ନାହିଁ ଏବଂ ସଂସ୍ଥାଟି ନିୟମ ଅନୁଯାୟୀ ପରିଚାଳିତ ହେଉଛି କି ନାହିଁ, ସେନେଇ ତଦନ୍ତ ଚାଲିଛି। ତଦନ୍ତରେ ଅନିୟମିତତା ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। “ଶିକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାରର ଅବହେଳାକୁ ବରଦାସ୍ତ କରାଯିବ ନାହିଁ।”

ଏହି ଘଟଣା ପରେ ପ୍ରଶ୍ନ ଉଠିଛି ମହାବିଦ୍ୟାଳୟରେ ପ୍ରକୃତରେ ପାଠପଢ଼ା ହେଉଛି ନା କେବଳ କାଗଜପତ୍ରରେ ସଂସ୍ଥା ଚାଲୁଛି? କଲେଜରେ ଜଣେ ବି ଛାତ୍ର କିମ୍ବା ଶିକ୍ଷକ କାହିଁକି ଉପସ୍ଥିତ ନଥିଲେ? ସରକାରୀ ଅନୁଦାନର ସଠିକ୍ ବ୍ୟବହାର ହେଉଛି କି? 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।