Collector Orders Unsealing of Disabled Man's House: ଦିବ୍ୟାଙ୍ଗଙ୍କ ଘର ସିଲ୍ ମାମଲା, ସିଲ୍ ଖୋଲିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ସମ୍ବଲପୁର ଜମନକିରାରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଘର ସିଲ ମାମଲାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ। ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଘର ସିଲ୍ ଖୋଲିବାକୁ ଜମନକିରା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ। ଏ ମାମଲାରେ ବ୍ୟାଙ୍କଠାରୁ ଲୋନ୍ ସଂକ୍ରାନ୍ତୀୟ ସମସ୍ତ କାଗଜପତ୍ର ତଲବ କରିଛି ଜିଲ୍ଲା ପ୍ରଶାସନ। ସମସ୍ତ ତଥ୍ୟ ଓ ପ୍ରମାଣର ଯାଞ୍ଚ୍ ପରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଋଣ ଖିଲାପ ଅଭିଯୋଗରେ ବ୍ୟାଙ୍କ ଓ ରାଜସ୍ୱ ବିଭାଗ ଜମନକିରାର ଦିବ୍ୟାଙ୍ଗ ଧନଞ୍ଜୟ ପ୍ରଧାନଙ୍କ ଘରକୁ ସିଲ୍ କରିଦେଇଥିଲା। ଫଳରେ ଆଜିକୁ ୨୦ ଦିନ ହେଲା ତାଙ୍କ ପରିବାର ଘର ବାହାରେ ଅସହାୟ ଜୀବନ ବିତାଉଛନ୍ତି। ଅଭିଯୋଗ କରିଛନ୍ତି, ଅନ୍ୟ ଜଣେ ଋଣ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ପ୍ରଶାସନ ଭୁଲବଶତଃ ତାଙ୍କ ଘର ସିଲ୍ କରିଛି।
ନିଜ ଜମି ଓ ଘର କାଗଜପତ୍ର ଦେଖାଇଥିଲେ ବି କେହି ଶୁଣିନାହାନ୍ତି। ବ୍ୟାଙ୍କ ନୋଟିସରେ ଥିବା ପ୍ଲଟ୍ ନମ୍ବର ୨୮୪, ହେଲେ ଧନଞ୍ଜୟଙ୍କ ଘର ଅଛି ପ୍ଲଟ୍ ନମ୍ବର ୨୮୬ରେ। ନୋଟିସରେ ଥିବା ଋଣଗ୍ରାହୀ ସୁଦୀପ୍ତ ପ୍ରଧାନଙ୍କ ସହ ମଧ୍ୟ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି।