Cockroach Cafe Goes Viral: ଖୋଲିଲା 'କକରୋଚ କାଫେ', ଏମିତି ନାଁ କାହିଁକି… ସୋସିଆଲ ମିଡିଆରେ ଚର୍ଚ୍ଚା
ବିହାରର ନାଳନ୍ଦା ଜିଲ୍ଲାରେ ଏକ କାଫେ ଏବେ ତାହାର ଖାଦ୍ୟ ପାଇଁ ନୁହେଁ, ବରଂ ନିଜର ଅଜବ ନାଁ ପାଇଁ ଚର୍ଚ୍ଚାରେ ରହିଛି। ନାଳନ୍ଦାର ହିଲସା ବାଇପାସ୍ରେ ଖୋଲିଥିବା ଏହି କାଫେର ନାଁ 'କକରୋଚ କାଫେ (Cockroach Cafe)' ରଖାଯାଇଛି। ଏହି ନାଁକୁ ନେଇ ସୋସିଆଲ ମିଡିଆରେ ମଜାଳିଆ ପ୍ରତିକ୍ରିୟା ସହ ଜୋରଦାର ଚର୍ଚ୍ଚା ଚାଲିଛି।
ସୋସିଆଲ ମିଡିଆରେ ଅନେକ ୟୁଜର କାଫେର ଫଟୋ ସେୟାର କରି ଲେଖୁଛନ୍ତି, "ଏବେ ଖାଦ୍ୟରେ ପୋକଜୋକ ବାହାରିଲେ ବି ଗ୍ରାହକ ଅଭିଯୋଗ କରିପାରିବେ ନାହିଁ!" ଏଭଳି ମଜାଦାର କମେଣ୍ଟ ଏହି କାଫେକୁ ଆହୁରି ଭାଇରାଲ କରୁଛି।
କେମିତି ରହିଛି କାଫେର ଲୁକ୍?
କାଫେ ଭିତରକୁ ପ୍ରବେଶ କରିବା ମାତ୍ରେ ବ୍ଲାକ୍ ଥିମ୍ର ଆକର୍ଷଣୀୟ ସାଜସଜ୍ଜା ନଜରକୁ ଆସେ। ଟିଣ ଛାତ ତଳେ ହଳଦିଆ ଝୁଲା ଲାଇଟ୍, କୃତ୍ରିମ ଲତା ଓ ଫୁଲରେ ସଜାଯାଇଥିବା କାନ୍ଥ, କଳା ରାଟାନ୍ ସୋଫା, ଲାଲ କୁଶନ୍ ଏବଂ କାଚର ଟେବୁଲ୍ କାଫେକୁ ଏକ ଆଧୁନିକ ଲୁକ୍ ଦେଇଛି। ସନ୍ଧ୍ୟା ସମୟରେ ଏଠାରେ ଯୁବପିଢ଼ି ଚା' ପିଇବା ସହ ରିଲ୍ସ ତିଆରି କରିବାକୁ ମଧ୍ୟ ଆସୁଛନ୍ତି।
କାହିଁକି ରଖାଗଲା ଏଭଳି ନାଁ?
କାଫେର ମାଲିକ କହିଛନ୍ତି, ଆଜିକାଲିର ଯୁବପିଢ଼ି ନୂଆ ଓ ଅଲଗା ଜିନିଷକୁ ପସନ୍ଦ କରୁଛନ୍ତି। 'ରୟାଲ କାଫେ' ଭଳି ନାଁ ଅନେକ ଥିବା ବେଳେ 'କକ୍ରୋଚ କାଫେ' ନାଁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ମାଲିକଙ୍କ ବିଶ୍ୱାସ।
ତାଙ୍କ କହିବା ଅନୁସାରେ, "ଲୋକେ ପ୍ରଥମେ ନାଁ ଦେଖି ଆସିବେ, ପରେ ଖାଦ୍ୟର ଗୁଣବତ୍ତା ଦେଖି ପୁଣି ଆସିବେ। କାଫେରେ ସ୍ୱଚ୍ଛତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏହି ନାଁ କେବଳ ମଜା ପାଇଁ ନୁହେଁ, ବରଂ ଏକ ବ୍ରାଣ୍ଡିଂ ରଣନୀତି।"
ଲୋକଙ୍କ ପ୍ରତିକ୍ରିୟା କ'ଣ?
ସୋସିଆଲ ମିଡିଆରେ କେହି ଏହାକୁ ସବୁଠୁ ବୋଲ୍ଡ ମାର୍କେଟିଂ ଆଇଡିଆ ବୋଲି କହୁଥିବା ବେଳେ, କେହି ନାଁକୁ ନେଇ ମଜା କରୁଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ପ୍ରଥମେ ଏହା ମଜା ଲାଗିଥିଲା, କିନ୍ତୁ କାଫେ ଭିତରକୁ ଯିବା ପରେ ପରିବେଶ ଅତ୍ୟନ୍ତ ସ୍ୱଚ୍ଛ ଓ ସୁନ୍ଦର ବୋଲି ଜଣାପଡ଼ିଲା। ତେବେ କିଛି ବୟସ୍କ ଲୋକ ଏହି ନାଁକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଯୁବପିଢ଼ି ଏହାକୁ ଖୁବ ପସନ୍ଦ କରୁଛନ୍ତି।
କ'ଣ ମିଳୁଛି ଏହି କାଫେରେ?
ବର୍ତ୍ତମାନ ଏହି କାଫେରେ ଚା', କଫି, ମ୍ୟାଗି, ସ୍ୟାଣ୍ଡୱିଚ୍ ଓ କୋଲ୍ଡ ଡ୍ରିଙ୍କ୍ସ ମିଳୁଛି। ଦାମ ମଧ୍ୟ ସାଧାରଣ କାଫେ ଭଳି ରଖାଯାଇଛି, ଯାହାଫଳରେ ସମସ୍ତେ ସହଜରେ ଏଠାକୁ ଆସିପାରିବେ।
ମାତ୍ର କିଛି ଦିନ ମଧ୍ୟରେ 'କକରୋଚ କାଫେ' ପ୍ରମାଣ କରିଦେଇଛି ଯେ, ବ୍ୟବସାୟରେ କେବେ କେବେ ଏକ ଭିନ୍ନ ନାଁ ହିଁ ସବୁଠୁ ବଡ଼ ପ୍ରଚାରର ମାଧ୍ୟମ ପାଲଟିଯାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।