CMO Missing Files Probe Deepens: ଘନଉଛି CMOରୁ ଫାଇଲ୍ ଗାୟବ ମାମଲା, ବଢୁଛି ନବୀନ କୋଟେରୀର ପୂର୍ବତନ ବାବୁଙ୍କ ତାଲିକା

Jul 23, 2026 - 19:49
CMO Missing Files Probe Deepens: ଘନଉଛି CMOରୁ ଫାଇଲ୍ ଗାୟବ ମାମଲା, ବଢୁଛି ନବୀନ କୋଟେରୀର ପୂର୍ବତନ ବାବୁଙ୍କ ତାଲିକା

ଚାଲିଛି ସିଷ୍ଟମ୍ ସ୍କାନିଂ। କେଉଁଠି ରହିଥିଲା ଭାଇରସ୍? କେଉଁଥି ପାଇଁ ଦୁଇ ଗୁରୁତ୍ବପୂର୍ଣ୍ଣ ତଦନ୍ତ ଫାଇଲ୍ ହୋଇଗଲା ଗାୟବ? ଯୋଜନାବଦ୍ଧ ଭାବେ କେହି ଫାଇଲକୁ ଗାୟବ କରିଛନ୍ତି କି? ପୂରା ଘଟଣା ଉପରେ ଚାଲିଛି ତନାଘନା। ନବୀନ ସରକାରରେ ପାୱାରଫୁଲ୍ ପଦପଦବିରେ ଥିବା ପୂର୍ବତନ ଆଇଏଏସ୍ ଅଧିକାରୀମାନଙ୍କୁ କମିଶନରେଟ ପୋଲିସର ସମନ। ଦୁଇ ପୂର୍ବତନ ପ୍ରମୁଖ ସଚିବ ରାଜେଶ ବର୍ମା ଓ ଉପେନ୍ଦ୍ରନାଥ ବେହେରାଙ୍କ ସହ ନବୀନଙ୍କ ବ୍ୟକ୍ତିଗତ ସଚିବ ଥିବା ଭିକେ ପାଣ୍ଡିଆନଙ୍କୁ ପୋଲିସ ଜାରି କରିଛି ନୋଟିସ୍। 

ଆସନ୍ତା ୨୫ ତାରିଖ ୧୧ ଟା ବେଳେ ଭିକେ ପାଣ୍ଡିଆନ, ୨୬ ତାରିଖ ୧୧ ଟା ବେଳେ ଉପେନ୍ଦ୍ରନାଥ ବେହେରା ଓ ୩୦ ତାରିଖ ୧୧ଟା ବେଳେ ରାଜେଶ ବର୍ମାଙ୍କୁ ହାଜର ହେବା ପାଇଁ ନୋଟିସରେ କୁହାଯାଇଛି। ରାଜେଶ ବର୍ମାଙ୍କୁ ୨୨ ତାରିଖ ଦିନ ୧୧ଟା ସୁଦ୍ଧା ହାଜର ହେବାକୁ ନୋଟିସ୍ ହୋଇଥିଲା, ତେବେ ଗତକାଲି ସେ ହାଜର ହୋଇନଥିବାରୁ ତାଙ୍କୁ ଦ୍ବିତୀୟ ଥର ପାଇଁ ନୋଟିସ୍ ହୋଇଛି। ଏହା ପୂର୍ବରୁ ଗତ ୧୮ ତାରିଖରେ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର ଥାନାରେ ହାଜର ହୋଇ ନିଜ ବୟାନ ଦେଇସାରିଛନ୍ତି। ପ୍ରଶ୍ନ ଉଠୁଛି କଣ ମନୋଜ ମିଶ୍ରଙ୍କଠାରୁ ମିଳିଥିବା ସୁରାକରୁ ପୂର୍ବତନ 5T ସଚିବ ପାଣ୍ଡିଆନଙ୍କୁ ହୋଇଛି କି ସମନ? ଏହାରି ଭିତରେ ନବୀନ ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିଥିବା ୧୫ ଜଣ କର୍ମଚାରୀଙ୍କୁ ବି ପୋଲିସ୍ ଜେରା କରିଥିବା ଜଣାପଡିଛି। ସେହିପରି ନବୀନଙ୍କ ଓଏସଡି ଦାୟିତ୍ବ ତୁଲାଇଥିବା ପି.କେ. ମହାପାତ୍ରଙ୍କ ସମେତ ୬ ପ୍ରଶାସନିକ ଅଧିକାରୀଙ୍କର ମଧ୍ୟ ବୟାନ ରେକର୍ଡ ହୋଇସାରିଥିବା ସୂଚନା ମିଳିଛି।

ସେପଟେ ପାଣ୍ଡିଆନଙ୍କୁ ନୋଟିସ୍ ପରେ ବିଜେଡିରେ ଭିନ୍ନଭିନ୍ନ ମତ ପ୍ରକାଶ ପାଇଛି। ଗୋଟିଏ ପଟେ ସୁଜାତାଙ୍କ ଏଣ୍ଟ୍ରି ଆଉ ଅନ୍ୟପଟେ ସ୍ବାମୀ ପାଣ୍ଡିଆନ୍ଙ୍କୁ ଫାଇଲ୍ ହଜିବା ଘଟଣାରେ ସମନ୍। ଏହା ପଛରେ ସରକାରଙ୍କ ଷଡଯନ୍ତ୍ର ରହିଛି ବୋଲି ବିଜେଡି କହିଛି। ଖାଲି ସେତିକି ନୁହେଁ ଦଳର ବଡ଼ ଅଭିଯୋଗ ହେଲା ନିଟ୍ ଘଟଣାରେ ନବୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ପରେ ପାଣ୍ଡିଆନ୍ଙ୍କୁ ନୋଟିସ୍ ହେବା ଏହା ଦର୍ଶାଉଛି। ଅନ୍ୟପଟେ ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂ ଭିନ୍ନ ମତ ଦେଇ କହିଛନ୍ତି, ପାଣ୍ଡିଆନ୍ ସେତେବେଳେ ବ୍ୟବସ୍ଥା ଭିତରେ ଥିଲେ। ଯେଉଁଥିପାଇଁ ତାଙ୍କୁ ସମନ ହୋଇଛି। ନିୟମ ଅନୁଯାୟୀ ଯାହାକୁ ସମନ୍ ହୁଏ ସିଏ ହାଜର ହୋଇ ପକ୍ଷ ରଖନ୍ତି। ପାଣ୍ଡିଆନ୍ ବି ହାଜର ହେବେ ଏଥିରେ ଅସୁବିଧା କେଉଁଠି। ସେପଟେ ବିଜେପି କଡ଼ା କାଉଣ୍ଟର କରି କହିଛି, ପାଣ୍ଡିଆନ୍ ତ ସନ୍ନ୍ୟାସ ନେଇ ସାରିଛନ୍ତି। ଏବେ ବିଜେଡିକୁ ଏତେ ବାଧୁଛି କାହିଁକି? ଯିଏ ଚୋରି କରିଥିବ ସିଏ ଦଣ୍ଡ ପାଇବ।

୨୦୧୬ରୁ ୨୦୨୪ ଭିତରେ ନବୀନ ସରକାର ସମୟରେ ସିଏମଓ ର ସବୁ ଅଫିସର ଜେରାର ସମ୍ମୁଖୀନ ହେବେ। ଫାଇଲ ମିଳିବା ଯାଏ ତନାଘନା କରିବ ପୋଲିସ। ଏବେ ଦେଖିବାର କଥା ଆଉ କେଉଁ କେଉଁ ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଯାଉଛି ପୋଲିସ୍ ର ସମନ୍। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।