CM Takes Tough Action Over Textbook Errors: ବହିରେ ତ୍ରୁଟି ପ୍ରସଙ୍ଗ; ବଡ଼ ଆକ୍ସନ ନେଲେ ସିଏମ୍ ମୋହନ, ୪ ଜଣ ବରିଷ୍ଠ ଅଧିକାରୀ ସସପେଣ୍ଡ୍
ପ୍ରାଥମିକ ପାଠ୍ୟ ପୁସ୍ତକରେ ଗୁରୁତର ତ୍ରୁଟି ପ୍ରସଙ୍ଗରେ ସିଏମଙ୍କ ବଡ଼ ଆକ୍ସନ। ଗତକାଲି ତଦନ୍ତ କମିଟିର ରିପୋର୍ଟ ଆଧାରରେ ଆଜି ବଳି ପଡିଛନ୍ତି ୪ ବରିଷ୍ଠ ଅଧିକାରୀ । ବାକି ୬ ଜଣଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଗୁରୁତ୍ବପୂର୍ଣ୍ଣ ହେଉଛି, ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ରର ଗନ୍ଧ ବାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥସିହ ଆଗକୁ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରକାଶନ ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ଗତକାଲି ପାଇଲେ ରିପୋର୍ଟ । ଆଉ ୨୪ ଘଣ୍ଟା ନ ପୁରୁଣୁ ନେଲେ ଆକସନ୍ । ପ୍ରାଥମିକ ପାଠ୍ୟ ପୁସ୍ତକରେ ଗୁରୁତର ତ୍ରୁଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବଡ କାର୍ଯ୍ୟାନୁଷ୍ଠାନ। ନିଲମ୍ବିତ ହେଲେ ୪ ଜଣ ବରିଷ୍ଠ ଅଧିକାରୀ । ୬ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ପୁରା ଘଟଣାରେ ଷଡଯନ୍ତ୍ରର ଗନ୍ଧ ବାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ବର୍ଷ ପ୍ରାଥମିକ ସ୍କୁଲ ବହିରେ ୧୬ଶହରୁ ଅଧିକ ତ୍ରୁଟି ବାହାରିବାପରେ ଟେନସନରେ ଥିଲେ ରାଜ୍ୟ ସରକାର ।
ଏହାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଉନ୍ନୟନ କମିଶନରଙ୍କ ନେତୃତ୍ବରେ ଗଢାଯାଇଥିଲା ତିନିଜଣିଆ କମିଟି। ଗତକାଲି କମିଟିର ସୁପାରିଶ ପରେ ଆଜି ମୁଖ୍ୟମନ୍ତ୍ରୀ ନେଇଛନ୍ତି ବଡ କାର୍ଯ୍ୟାନୁଷ୍ଠାନ। ବହିରେ ତ୍ରୁଟି ପାଇଁ ମୁଖ୍ୟ ଦାୟୀ କୁହାଯାଉଥିବା ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କ ସମେତ ଅନ୍ୟ ତିନିଜଣ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲୀପ କୁମାର ସାହୁ, ଓ ଭାରତୀ ଟୁଡୁଙ୍କୁ ସସପେଣ୍ଡ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଅନ୍ୟ ୬ ଜଣ ସହକାରୀ ନିର୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଅଧିକାରୀମାନେ ହେଲେ ହେଲେ ବନ୍ଦିତା ପଟ୍ଟନାୟକ, ମାନସ ରଞ୍ଜନ ରାଉତ, ମନୋରଞ୍ଜନ ମହାପାତ୍ର, ଡକ୍ଟର ପ୍ରଶାନ୍ତ କୁମାର ସାହୁ, ମାନସ କୁମାର ନାୟକ ଏବଂ ଡକ୍ଟର ସୁଦର୍ଶନ ସନ୍ତରା । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତିକୁ ସ୍ବାଗତ କରିଛି ପ୍ରାଥମିକ ଶିକ୍ଷକ ସଂଘ ।
ତେବେ ପୁରା ଘଟଣାରେ ଷଡଯନ୍ତ୍ରର ଗନ୍ଧ ବାରିଥିଲେ ମୁଖ୍ୟମନ୍ତ୍ରୀ । ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ସରକାରଙ୍କୁ ବଦନାମ କରିବା ପାଇଁ ଏହା ପଛରେ ବଡ଼ ଷଡ଼ଯନ୍ତ୍ର ଥାଇପାରେ । ଏହି ଘଟଣାର ଯାଞ୍ଚ ଏବଂ ଦାୟିତ୍ୱ ନିର୍ଦ୍ଧାରଣ କରିବା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି।
ପାଣ୍ଡୁଲିପି ପ୍ରସ୍ତୁତିଠାରୁ ଆରମ୍ଭ କରି ପ୍ରିଣ୍ଟିଂ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାର ଯାଞ୍ଚ କରାଯିବ ଏବଂ ଏଥିରେ ଜଡ଼ିତ ଥିବା ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ପଛରେ କୌଣସି ଷଡ଼ଯନ୍ତ୍ର ପ୍ରମାଣିତ ହେଲେ ବହି ଛପାଇବାରେ ହୋଇଥିବା ସମସ୍ତ ଖର୍ଚ୍ଚ, ଦାୟିତ୍ୱରେ ଥିବା ସମ୍ପୃକ୍ତ ବ୍ୟକ୍ତି ବା ସଂସ୍ଥାଙ୍କଠାରୁ ଆଦାୟ କରାଯିବ।
ଆଜି କେବଳ ତଦନ୍ତକାରୀ କମିଟିର ସୁପାରିଶ କ୍ରମେ ଆକ୍ସନ ହୋଇଛି ତାହା ନୁହେଁ । ଏଥି ସହ ଆଗକୁ ଯେଭଳି ବହି ଛାପାଠାରୁ ଆରମ୍ଭକରି ପିଲାଙ୍କ ପାଠପଢାରେ ତୃଟି ନହେବ ସେଥିପାଇଁ ବି ବଡ଼ ପଦକ୍ଷେପ ନିଆଯାଇଛି । SCERT ପକ୍ଷରୁ ମାଷ୍ଟର ତ୍ରୁଟି ବା ERRATA ପୋର୍ଟାଲ ରେଜିଷ୍ଟର କରାଯିବ। ବହିରେ ଥିବା ତୃଟିପୂର୍ଣ୍ଣ ତଥ୍ୟକୁ ପ୍ରତ୍ୟାହର କରାଯାଇ ନୂଆ ସଠିକ୍ ଓ ନିର୍ଭୁଲ ତଥ୍ୟ ଯୋଗାଇ ଦିଆଯିବ । ସେମିତି ସଠିକ୍ PDF ଭର୍ସନକୁ ସରକାରୀ ଭାବେ ବ୍ୟବହାର କରାଯିବ।
କ୍ବାଲିଟି ଆସ୍ୟୁରାନସ ସେଲ୍ ଖୋଲାଯିବା ସହ ସବୁ ପିଲାଙ୍କୁ ସଂଶୋଧିତ ପ୍ରିଣ୍ଟିଂ ତଥ୍ୟ ପ୍ରଦାନ କରାଯିବ। ଭବିଷ୍ୟତରେ କୌଣସି ପାଠ୍ୟ ପୁସ୍ତକରେ ଭାଷା, ଚିତ୍ର, ତଥ୍ୟ ଇତ୍ୟାଦି ବିନା ଅନୁମୋଦନରେ ଛପା ହେବାପାଇଁ ପ୍ରିଣ୍ଟିଙ୍ଗ ପ୍ରେସକୁ ଯିବ ନାହିଁ। ଏବେ ଦେଖିବାର କଥ ସ୍କୁଲ ବହିରେ ଦେଖାଯାଇଥିବା ତୃଟି ଘଟଣାରେ ଆଗକୁ ଆଉ କେଉଁମାନଙ୍କ ଉପରେ ଆକ୍ସନ ହେଉଛି।