Climate Change: ସାହାରା ମରୁଭୂମିକୁ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବ ‘ବିଶାଳ ସବୁଜ ପ୍ରାଚୀର’

ଡକାର: ଆଫ୍ରିକା ବର୍ତ୍ତମାନ ସବୁଠାରୁ ମହତ୍ୱାକାଂକ୍ଷୀ ପରିବେଶଗତ ପ୍ରକଳ୍ପ ମଧ୍ୟରୁ ଗୋଟିଏ ହାତକୁ ନେଇଛି। ପଶ୍ଚିମ ଆଫ୍ରିକାରେ ସେନେଗାଲର ଆଟଲାଣ୍ଟିକ ଉପକୂଳରୁ ପୂର୍ବ ଆଫ୍ରିକାରେ ଲୋହିତ ସାଗରର ଜିବୁତି ଉପକୂଳ ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ପାଖାପାଖି ୮୦୦୦ କିମି ଦୀର୍ଘ ଓ ୧୫ କିମି ଚଉଡ଼ା ଏହି ବିଶାଳ ସବୁଜ ପ୍ରାଚୀର ଉଦ୍ଦେଶ୍ୟ କେବଳ ବୃକ୍ଷରୋପଣ ନୁହେଁ, ବରଂ ଉକ୍ତ ଅଞ୍ଚଳକୁ ସବୁଜମୟ କରିବା, ଯଦ୍ବାରା ସାହାରା ମରୁଭୂମିର ବିସ୍ତାର ରୋକିବା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା।
ଆଫ୍ରିକୀୟ ସଂଘ ୨୦୦୭ ମସିହାରୁ ଏହି ପ୍ରକଳ୍ପ ଆରମ୍ଭ କରିଛି। ସାହାରା ମରୁଭୂମି ସୀମାନ୍ତବର୍ତ୍ତୀ ବିଶାଳ ଅର୍ଦ୍ଧ-ଶୁଷ୍କ ଅଞ୍ଚଳ ସାହେଲରେ ବୃକ୍ଷରୋପଣ ସହିତ ପୁଣି ଜଙ୍ଗଲ ସୃଷ୍ଟି କରିବା, ତୃଣଭୂମି, ଚାଷଜମି ଓ ଆର୍ଦ୍ରଭୂମିର ପୁନରୁଦ୍ଧାର କରି ବିଶ୍ୱର ସବୁଠାରୁ ଜଳବାୟୁ-ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ମଧ୍ୟରୁ ଗୋଟିଏକୁ ପୁଣି ଜୀବନ୍ତ କରିବା ଏହାର ଲକ୍ଷ୍ୟ। ସାହେଲ ଅଞ୍ଚଳ ଦୀର୍ଘ ଦିନ ହେଲା ସମ୍ମୁଖୀନ ହେଉଥିବା ଜଳବାୟୁ ସମସ୍ୟାର ମୁକାବିଲା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ସାହେଲ ସାହାରା ମରୁଭୂମିକୁ ଦକ୍ଷିଣରେ ଥିବା ସବୁଜ ସାଭାନାଠାରୁ ପୃଥକ କରିଥାଏ। ଦଶନ୍ଧି ଧରି ସାହେଲ ଅଞ୍ଚଳ ମରୁଭୂମି ଦ୍ବାରା ଗ୍ରାସିତ ହେଉଥିବାବେଳେ ବର୍ଷ ବର୍ଷ ଧରି ମରୁଡ଼ି, ଜମିର ଉର୍ବରତା ହ୍ରାସ ପାଇବା ଓ ଜଳବାୟୁ ପରିବର୍ତ୍ତନ ଦ୍ବାରା ପ୍ରଭାବିତ ଥିଲା। ସାହେଲ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ମୁଖ୍ୟତଃ କୃଷି ଓ ପଶୁପାଳନ ଉପରେ ନିର୍ଭରଶୀଳ ଥିଲେ। କିନ୍ତୁ ଧୀରେଧୀରେ ଜମିର ଉର୍ବରତା ହ୍ରାସ ପାଇବା ଓ ବର୍ଷାର ଅନିଶ୍ଚିତତା ଯୋଗୁ କୃଷି ଉତ୍ପାଦନ ହ୍ରାସ ପାଇବା ଯୋଗୁ ଅଞ୍ଚଳରେ ଭୀଷଣ ଖାଦ୍ୟ ସଙ୍କଟ ଦେଖାଯିବା ବେଳେ ଲୋକମାନେ ଦାରିଦ୍ର୍ୟତା ମଧ୍ୟକୁ ଠେଲି ହୋଇଯାଉଥିଲେ। ଏହି ଧାରାକୁ ପରିବର୍ତ୍ତନ କରିବାକୁ ସବୁଜ ପ୍ରାଚୀର ଦ୍ବାରା ସୁସ୍ଥ ମୃତ୍ତିକା ପୁନରୁଦ୍ଧାର, ଜମିର ଜଳଧାରଣ କ୍ଷମତା ଉନ୍ନତ କରିବା, ଉଦ୍ଭିଦ ଆବରଣ ବୃଦ୍ଧି କରିବା ଓ ଚାଷଜମିକୁ ଅଧିକ ଉତ୍ପାଦନକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି।
ବୃକ୍ଷ ପ୍ରାଚୀର ଜୈବ ବିବିଧତାକୁ ସୁଦୃଢ଼ କରିବ ଓ ଉତ୍ତମ ସୁଯୋଗ ସନ୍ଧାନରେ ଲୋକଙ୍କୁ ଘର ଛାଡିବାକୁ ବାଧ୍ୟ କରୁଥିବା ଚାପକୁ ହ୍ରାସ କରିବ ବୋଲି ମଧ୍ୟ ଆଶା କରାଯାଉଛି। ୨୦୩୦ ସୁଦ୍ଧା ପ୍ରାୟ ଇଜିପ୍ଟର ଆକାରର ୧୦୦ ନିୟୁତ ହେକ୍ଟର ଅଞ୍ଚଳରେ ନଷ୍ଟ ହୋଇଥିବା ଜମିର ପୁନରୁଦ୍ଧାର କରିବା, ବାୟୁମଣ୍ଡଳରୁ ୨୫୦ ନିୟୁତ ଟନ୍ ଅଙ୍ଗାରକାମ୍ଳ ହ୍ରାସ କରିବା, ଆଫ୍ରିକାରେ ୧୦ ନିୟୁତ ନିଯୁକ୍ତି ସୃଷ୍ଟି କରିବା, ସାହେଲ ଅଞ୍ଚଳରେ ରହୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଖାଦ୍ୟ ସଙ୍କଟ ଓ ଜୀବନଜୀବିକା ଉନ୍ନତ କରିବା।
Tree plantation: ‘ପରିବେଶ ସନ୍ତୁଳନ ପାଇଁ ବ୍ୟାପକ ବୃକ୍ଷରୋପଣ ଅପରିହାର୍ଯ୍ୟ’
ଏହି ପ୍ରକଳ୍ପକୁ ୨୦ରୁ ଅଧିକ ଆଫ୍ରିକୀୟ ଦେଶ, ଆନ୍ତର୍ଜାତିକ ସଙ୍ଗଠନ, ଡେଭେଲପମେଣ୍ଟ ବ୍ୟାଙ୍କ ଓ ପରିବେଶବିତଙ୍କ ଗୋଷ୍ଠୀ ସମର୍ଥନ କରୁଛନ୍ତି। ପ୍ରକଳ୍ପ ଶେଷ ହେବାକୁ ଆହୁରି ଅନେକ ଦିନ ବାକି ଥିଲେ ମଧ୍ୟ ଅନେକ ଦେଶରେ ଏହା ସଫଳ ହେବାରେ ଲାଗିଛି। ଏହି ପ୍ରକଳ୍ପ ଅଧୀନରେ ସେନେଗାଲ ୧୦ ଲକ୍ଷରୁ ଅଧିକ ବୃକ୍ଷରୋପଣ କରିଛି। ଇଥିଓପିଆ, ନାଇଜେରିଆ, ନାଇଜର ଏ ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ୩୦ ନିୟୁତ ହେକ୍ଟର ଜଙ୍ଗଲ ପୁନଃସ୍ଥାପିତ କରାଯାଇ ପାରିଛି। ଆଫ୍ରିକାର ବିଶାଳ ସବୁଜ ପ୍ରାଚୀର ବିଶ୍ବର ସବୁଠୁ ବୃହତ୍ ଜଳବାୟୁ ସମ୍ପର୍କିତ କାର୍ଯ୍ୟକ୍ରମ ଭାବେ ଉଭା ହୋଇଛି। ପ୍ରାଚୀର ଲୋକଙ୍କୁ ଅଲଗା କରିବାକୁ ନିର୍ମିତ ହେଉଥିବାବେଳେ ଆଫ୍ରିକାର ଏହି ବିଶାଳ ସବୁଜ ପ୍ରାଚୀର ଭୂଭାଗକୁ ପୁନଃ ସଂଯୋଗ କରିବା, ଇକୋସିଷ୍ଟମର ପୁନରୁଦ୍ଧାର କରିବା ଓ ଲୋକଙ୍କୁ ଅଧିକ ସୁଦୃଢ଼ କରିବା ପାଇଁ ଡିଜାଇନ୍ କରାଯାଇଛି।