Welcome!

Unlock your personalized experience.
Sign Up

Climate change impact: ରାଜନୀତିରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ! ସବୁବେଳେ ପ୍ରସଙ୍ଗରେ ‘ଲକ୍ଷ୍ମୀଯୋର’

Jul 12, 2026 - 04:22
Climate change impact: ରାଜନୀତିରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ! ସବୁବେଳେ ପ୍ରସଙ୍ଗରେ ‘ଲକ୍ଷ୍ମୀଯୋର’

ଅଞ୍ଜନ କୁମାର ପ୍ରଧାନ

ବଲାଙ୍ଗୀର: ବିଗତ କିଛି ବର୍ଷ ହେଲା ‘ଜଳବାୟୁ ପରିବର୍ତ୍ତନ ଏବଂ ରାଜନୀତି’ ସନ୍ଦର୍ଭରେ ବିଶ୍ବର ବିଭିନ୍ନ ବିକଶିତ ରାଷ୍ଟ୍ରରେ ତର୍କବିତର୍କ ଚାଲିଛି। ଜଳବାୟୁ ପରିବର୍ତ୍ତନ କ’ଣ ବାସ୍ତବରେ ରାଜନୀତିକୁ ପ୍ରଭାବିତ କରେ? ଏହି ପ୍ରଶ୍ନ ଅନେକଙ୍କ ମନରେ ଆସୁଛି। ସଂଯୋଗ ହେଉ ପଛେ, ଏହାର ଏକ ଉଦାହରଣ ବଲାଙ୍ଗୀରକୁ ନିଆଯାଇପାରେ। ଗତ ନିର୍ବାଚନରେ ବଲାଙ୍ଗୀର ବିଧାନସଭା ଆସନର ଫଳାଫଳକୁ କିଛି ମାତ୍ରାରେ ଜଳବାୟୁ ପରିବର୍ତ୍ତନ ସହ ପରୋକ୍ଷ ଭାବେ ଯୋଡ଼ା ଯାଉଛି। ୨୦୧୪ ମସିହାରେ ବଲାଙ୍ଗୀର ରାଜନୀତିର କାୟା ବଦଳିଲା। ୨୫ ବର୍ଷ ପରେ ବିଜେଡିର ପୁରୁଖା ନେତା ଅନଙ୍ଗ ଉଦୟ ସିଂହଦେଓଙ୍କୁ ପରାସ୍ତ କରି କଂଗ୍ରେସର ଅଭିଜ୍ଞ ନେତା ନରସିଂହ ମିଶ୍ର ବିଧାୟକ ନିର୍ବାଚିତ ହେଲେ। ବଲାଙ୍ଗୀର ସହରର ଛାତି ଚିରି ପ୍ରବାହିତ ହେଉଥିବା ଲକ୍ଷ୍ମୀ ଯୋରର କାୟା ବଦଳାଇ ବ୍ୟାଙ୍କକ୍‌ର ସୁନ୍ଦର କେନାଲ୍‌ ଭଳି ରୂପ ଦେବାକୁ ନରସିଂହ ମିଶ୍ର ଅଣ୍ଟା ଭିଡ଼ିଥିଲେ। ପାଖାପାଖି ୨୦ କୋଟି ଟଙ୍କା ବ୍ୟୟରେ ଲକ୍ଷ୍ମୀଯୋରର ଉଭୟ ପଟେ କଂକ୍ରିଟ୍‌ ବାଡ଼ ଓ ଚେକ୍‌ଡ୍ୟାମ୍‌ ନିର୍ମାଣ ହେଲା। ବର୍ଷତମାମ ଏଥିରେ ସ୍ବଚ୍ଛ ପାଣି ରହିବ ଏବଂ ବୋଟିଂ ସୁବିଧା ହେବ ବୋଲି ପରିକଳ୍ପନା କରାଗଲା। କିନ୍ତୁ ଲକ୍ଷ୍ମୀଯୋରର ସୌନ୍ଦର୍ଯ୍ୟୀକରଣ କାମକୁ ପରବର୍ତ୍ତୀ ସମୟରେ ବନ୍ୟା ପାଇଁ ବାରମ୍ବାର ଦାୟୀ କରାଗଲା।

Weather: ପାଣିପାଗ ବିଭାଗର ସୂଚନା; ୭ଦିନ ଯାଏ ଜାରି ରହିବ ବର୍ଷା

ଲକ୍ଷ୍ମୀଯୋରର ଏହି ଅବସ୍ଥା ପାଇଁ ତ୍ରୁଟିପୂର୍ଣ୍ଣ ମାଷ୍ଟର୍‌ପ୍ଲାନ୍‌କୁ ଦାୟୀ କରି ବିଜେଡି ନିର୍ବାଚନ ପୂର୍ବରୁ କଂଗ୍ରେସ୍‌କୁ ଟାର୍ଗେଟ୍‌ କରିଥିଲା। ସୂଚନାଯୋଗ୍ୟ, ବଲାଙ୍ଗୀର ସହର ବନ୍ୟା ପ୍ରପୀଡ଼ିତ ତାଲିକାରେ ନାହିଁ। କିନ୍ତୁ ୨୦୧୯ ମସିହା ଅଗଷ୍ଟ ୧୩ ତାରିଖରେ ଲକ୍ଷ୍ମୀଯୋର ଅଧା ବଲାଙ୍ଗୀରକୁ ବୁଡ଼ାଇ ଦେଇଥିଲା। ଜିଲ୍ଲାର ବାର୍ଷିକ ବୃଷ୍ଟିପାତ ହାର ୧୨୧୫.୬ ମିମି ରହିବା କଥା। କିନ୍ତୁ ଗୋଟିଏ ଦଶନ୍ଧିର ପରିସଂଖ୍ୟାନ ଅନୁସାରେ ଏହି ହାର ୧୧ ଶହ ମିମି ତଳକୁ ଖସି ଆସିିଛି। ଯାହା ପରିବେଶବିତ୍‌ମାନଙ୍କୁ ବିଚଳିତ କରିଛି। ହେଲେ ୨୦୧୯ ମସିହା ଅଗଷ୍ଟରେ ଜିଲ୍ଲାରେ ମୋଟ୍‌ ସ୍ବାଭାବିକ ବୃଷ୍ଟିପାତ ୩୩୩.୬ ମିମି ବଦଳରେ ବର୍ଷିଥିଲା ୬୯୩.୫ ମିମି। ଯାହା ସ୍ବାଭାବିକଠାରୁ ୧୦୭.୯ ପ୍ରତିଶତ ଅଧିକ। ସେହିବର୍ଷ ସ୍ବାଭାବିକ ବାର୍ଷିକ ବୃଷ୍ଟିପାତ ୨୧.୪ ପ୍ରତିଶତ ବଢ଼ିଥିଲା। କ୍ରମାଗତ ବର୍ଷାଭାବ ଯୋଗୁଁ ମରୁଡ଼ିର ଶିକାର ହେଉଥିବା ବଲାଙ୍ଗୀର ଜିଲ୍ଲା ସେହିବର୍ଷ ଅଚାନକ ବନ୍ୟାର ଶିକାର ହେଲା। ଲକ୍ଷ୍ମୀଯୋର ନାହିଁ ନ ଥିବା ତାଣ୍ଡବ ଖେଳାଇଥିଲା। ସହରବାସୀଙ୍କ ପାଇଁ କାଳ ସାଜିଥିଲା ଲକ୍ଷ୍ମୀଯୋର।

Weather: ଭୟଙ୍କର ହେବ ‘ଏଲ୍‌ ନିନୋ’, ବଢ଼ିବ ପ୍ରାକୃତିକ ବିପର୍ଯ୍ୟୟ

ଶତାଧିକ ଲୋକଙ୍କ ଘର ଭାଙ୍ଗିଲା। ବହୁ ଲୋକେ ସ୍ଥାୟୀ ଏବଂ ଅସ୍ଥାୟୀ ଭାବେ ବିସ୍ଥାପିତ ହୋଇଥିଲେ। ଲକ୍ଷ୍ମୀଯୋର ଦେଇଥିବା ଦୁର୍ଦ୍ଦଶାକୁ ବିଜେଡି ସିଧା କଂଗ୍ରେସକୁ ଦାୟୀ କରିଥିଲା। ଗତ ନିର୍ବାଚନରେ ଏହା କିଛି ମାତ୍ରାରେ କାଟୁ ବି କରିଥିଲା। କାରଣ, ଅନ୍ୟ ଅଞ୍ଚଳରେ ଭଲ ଭୋଟ୍‌ ସାଉଁଟିଥିବା କଂଗ୍ରେସ ବଲାଙ୍ଗୀର ପୌରାଞ୍ଚଳରେ ଝୁଣ୍ଟିପଡ଼ିଲା। ୧୪,୪୦୯ ଭୋଟରେ ଦଳ ବିଜେଡିରୁ ପରାସ୍ତ ହେଲା। ଏବେ ଯୁକ୍ତି ହେଲା, ୨୦୧୯ ମସିହାରେ ବଡ଼ ବର୍ଷା ହୋଇନଥିଲେ ଲକ୍ଷ୍ମୀଯୋରରେ ବନ୍ୟା ହୋଇ ନ ଥାନ୍ତା। ଗତ ନିର୍ବାଚନରେ ଲକ୍ଷ୍ମୀଯୋର ଆଉ ପ୍ରସଙ୍ଗ ହୋଇନଥାନ୍ତା। ବଲାଙ୍ଗୀର ରାଜନୀତିର ସମୀକରଣ ଭିନ୍ନ ହୋଇଥାନ୍ତା ବୋଲି ସମୀକ୍ଷକଙ୍କ ମତ। ଅନ୍ୟପକ୍ଷରେ, ନିକଟ ଅତୀତରେ ଉଭୟ ବିଜେଡି ଓ କଂଗ୍ରେସ ସହରର ଜଳନିଷ୍କାସନ ବ୍ୟବସ୍ଥା ଏବଂ ଲକ୍ଷ୍ମୀଯୋରର ଜଳ ପରିଚାଳନାକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଏଥିରୁ ଗୋଟିଏ କଥା‌ ନିଶ୍ଚିତ, ଲକ୍ଷ୍ମୀଯୋର ଏକ ରାଜନୈତିକ ପ୍ରସଙ୍ଗ ହୋଇ ରହିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।