09 JULY 2026

Welcome!

Unlock your personalized experience.
Sign Up

Chit fund: ରହସ୍ୟରେ ରହିଗଲା କେଳେଙ୍କାରୀ: ଚିଟ୍‌ଫଣ୍ଡ ତଦନ୍ତକୁ ୧୩ ବର୍ଷ

Jul 09, 2026 - 03:28
Chit fund: ରହସ୍ୟରେ ରହିଗଲା କେଳେଙ୍କାରୀ: ଚିଟ୍‌ଫଣ୍ଡ ତଦନ୍ତକୁ ୧୩ ବର୍ଷ

ଚୌଧୁରୀ ଅଶ୍ବିନୀ କୁମାର ଦାସ

କଟକ: ଚିଟ୍‌ଫଣ୍ଡ ତଦନ୍ତକୁ ୧୩ ବର୍ଷ ପୂରିଛି। ତଦନ୍ତ ପ୍ରକ୍ରିୟାରେ ୬ କୋଟି ୧୯ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ କ’ଣ ମିଳିଲା ବୋଲି ପ୍ରଶ୍ନ ଉଠୁଛି। ୨୦୨୬, ଜୁନ ୧ରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଏକ ବିଜ୍ଞପ୍ତି ଜାରି କରି ତଦନ୍ତ କମିସନ ସୁପାରିସ କରିଥିବା ସମସ୍ତ କ୍ଷୁଦ୍ର ଜମାକାରୀ ‌କେବଳ ପରିଚୟପତ୍ର ପ୍ରଦାନ କରି ସେମାନଙ୍କ ଟଙ୍କା ଫେରସ୍ତ ପାଇପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ତଦନ୍ତ ଅଧା ରହିଥିବାରୁ ବହୁ କ୍ଷୁଦ୍ର ଜମାକାରୀଙ୍କ ପ୍ରସଙ୍ଗରେ କମିସନ ସୁପାରିସ କରି ପାରିନଥିବା ବେଳେ ସେମାନେ କେମିତି ଉପକୃତ ହେବେ ବୋଲି ପ୍ରଶ୍ନ ହେଉଛି। ଏହାବ୍ୟତୀତ ୧୦ ହଜାର ଟଙ୍କାରୁ ଅଧିକ ବା ଲକ୍ଷାଧିକ ଟଙ୍କା ଚିଟ୍‌ଫଣ୍ଡ କମ୍ପାନିଗୁଡ଼ିକରେ ନିବେଶ କରିଥିବା ବା ବୃହତ୍‌ ଜମାକାରୀଙ୍କ ଟଙ୍କା ଫେରସ୍ତ ସଂପର୍କରେ ସରକାର ଚିନ୍ତା କରୁ ନଥିବାରୁ ତଦନ୍ତର ବାସ୍ତବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ୨୦୧୩, ଜୁଲାଇ ୯ରେ ସରକାର ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ଜଣିକିଆ କମିସନ ଗଠନ କରିବା ସହିତ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ୩ ଶହ କୋଟି ଟଙ୍କାର କର୍ପସ୍‌ ପାଣ୍ଠି ଘୋଷଣା କରିଥିଲେ। କମିସନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ବୃଦ୍ଧି କରାଯାଇଥିଲା।

Special Project: ୨୫ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ୧୪୭୧କୋଟିର ବ୍ୟୟବରାଦ

ଶେଷଥର ୨୦୧୯, ଅଗଷ୍ଟ ୨ରେ ସରକାର ବିଜ୍ଞପ୍ତି ପ୍ରକାଶ କରି ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। କିନ୍ତୁ ୨୦୧୯, ଡିସେମ୍ବର ୧୧ରେ ପ୍ରକାଶିତ ସଂଶୋଧିତ ବିଜ୍ଞପ୍ତିରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ (ସ୍ମଲ୍ ଇନଭେଷ୍ଟର୍‌) ବୋଲି ଉଲ୍ଲେଖ କରାଯାଇଥିଲା। ଏଭଳି ସ୍ଥିତିରେ ଲକ୍ଷାଧିକ ଟଙ୍କା ଚିଟ୍‌ଫଣ୍ଡରେ ଜମା କରିଥିବା କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ଫେରିପାଇବା ଆଶା ମଉଳି ଯାଇଥିଲା। ୨୦୨୦, ‌ଫେବ୍ରୁଆରି ୪ରୁ ଚିଟ୍‌ଫଣ୍ଡ ଘଟଣାର ବିଚାରବିଭାଗୀୟ ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନମୋହନ ଦାସ କମିସନଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ଏହା ଆଉ ବୃଦ୍ଧି କରାଯାଇ ନଥିଲା। ବକ୍ସିବଜାର ପୁଲିସ ଲାଇନ୍‌ସ୍ଥିତ ତଦନ୍ତ କମିସନଙ୍କ କାର୍ଯ୍ୟାଳୟରେ ୨୦୨୦ରୁ ତାଲା ପଡ଼ିଛି। କାର୍ଯ୍ୟାଳୟରେ ନୂଆ ଓ ପୁରୁଣା ସତ୍ୟପାଠ, ଆସବାବପତ୍ର, କମ୍ପ୍ୟୁଟର, ପ୍ରିଣ୍ଟର୍‌, ଜେରକ୍ସ ମେସିନ୍‌, ଫ୍ୟାକ୍ସ, ଏସି ଇତ୍ୟାଦି ପଡ଼ି ରହିଥିଲେ ବି ରକ୍ଷଣାବେକ୍ଷଣ ବ୍ୟବସ୍ଥା ନାହିଁ।

Horoscope 2026 July 09: ଜାଣନ୍ତୁ ଆଜିର ରାଶିଫଳ

କମିସନ ୪ ଲକ୍ଷ ୯୭ ହଜାର ୮୪୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ସାତଟି ରିପୋର୍ଟ ପ୍ରଦାନ କରିଥିଲେ। ତଦନ୍ତ ପ୍ରକ୍ରିୟା ଚାଲିଥିବା ବେଳେ ପ୍ରାୟ ୨୧ଶହ କ୍ଷୁଦ୍ର ଜମାକାରୀ କମିସନଙ୍କ ଜରିଆରେ ସେମାନଙ୍କ ଜମାଟଙ୍କା ଫେରସ୍ତ ପାଇଥିଲେ। ଅନ୍ୟପକ୍ଷରେ କମିସନ କ୍ଷୁଦ୍ର ଜମାକାରୀଙ୍କ ପ୍ରସଙ୍ଗରେ ଖୁବ୍‌ଶୀଘ୍ର ଆଉ ଏକ ରିପୋର୍ଟ ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଥିବା ବେଳେ କାର୍ଯ୍ୟକାଳ ଆଉ ବଢ଼ିନଥିଲା। ବହୁ କ୍ଷତିଗ୍ରସ୍ତ ଜମାକାରୀ ୨୦୧୩ରେ ସତ୍ୟପାଠ ଦାଖଲ କରି ନଥିଲା ବେଳେ କମିସନ ୨୦୧୮, ନଭେମ୍ବର ୧୩ରେ ସାନି ବିଜ୍ଞପ୍ତି ପ୍ରକାଶ କରି ସତ୍ୟପାଠ ଦାଖଲ ପାଇଁ ସୁଯୋଗ ଦେଇଥିଲେ। ଏହି ଦ୍ବିତୀୟ ପର୍ଯ୍ୟାୟରେ କମିସନଙ୍କ ନିକଟରେ ପ୍ରାୟ ୭ ଲକ୍ଷ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ସତ୍ୟପାଠ ଦାଖଲ କରିଥିଲେ। କିନ୍ତୁ ଏହି ସତ୍ୟପାଠଗୁଡ଼ିକ ଯାଞ୍ଚ ପୂର୍ବରୁ ତଦନ୍ତ କମିସନ ବନ୍ଦ ହୋଇଯିବାରୁ ଏବେ ସବୁକିଛି ଅନିଶ୍ଚିତତା ଭିତରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।