Welcome!

Unlock your personalized experience.
Sign Up

Challan dues: ଚାଲାଣ ବକେୟା ଥିଲେ ନବୀକରଣ ବନ୍ଦ: ଗାଡ଼ିକୁ ପରିବହନ ପୋର୍ଟାଲରେ ବ୍ଲାକ୍‌ଲିଷ୍ଟ କରାଯିବ

Oct 02, 2026 - 04:04
Challan dues: ଚାଲାଣ ବକେୟା ଥିଲେ ନବୀକରଣ ବନ୍ଦ: ଗାଡ଼ିକୁ ପରିବହନ ପୋର୍ଟାଲରେ  ବ୍ଲାକ୍‌ଲିଷ୍ଟ କରାଯିବ

ନୂଆଦିଲ୍ଲୀ: ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ ଜରିମାନା ଦେଇନଥିବା ଗାଡ଼ି ମାଲିକଙ୍କ ପାଇଁ ସୁପ୍ରିମ୍‌କୋର୍ଟ ଗୁରୁବାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବକେୟା ଟ୍ରାଫିକ୍‌ ଜରିମାନା ପୈଠ ନହେବା ପର୍ଯ୍ୟନ୍ତ ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର (ଆର୍‌ସି) ନବୀକରଣ, ମାଲିକାନା ହସ୍ତାନ୍ତର, ଫିଟ୍‌ନେସ୍‌ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସି) ଉପରେ କଟକଣା ଲଗାଇବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କହିଛନ୍ତି।

ଜଷ୍ଟିସ୍‌ ଜେ.ବି. ପାର୍ଦିୱାଲା ଓ ଜଷ୍ଟିସ୍‌ କେ.ଭି. ବିଶ୍ୱନାଥନ୍‌ଙ୍କ ଖଣ୍ଡପୀଠ କହିଛନ୍ତି, ବକେୟା ଇ-ଚାଲାଣ ଥିବା ଗାଡ଼ିଗୁଡ଼ିକୁ କେନ୍ଦ୍ରୀୟ ‘ପରିବହନ’ ପୋର୍ଟାଲରେ କଳାତାଲିକାଭୁକ୍ତ ବା ବ୍ଲାକ୍‌ଲିଷ୍ଟ କରାଯିବ। ଫଳରେ ବକେୟା ଜରିମାନା ପୈଠ ନ ହେବା ପର୍ଯ୍ୟନ୍ତ ସେହି ଗାଡ଼ି ବିକ୍ରି କିମ୍ବା ମାଲିକାନା ହସ୍ତାନ୍ତର କରିବାରେ ମଧ୍ୟ ସମସ୍ୟା ହେବ। ଏହାଛଡ଼ା ଗାଡ଼ି ମାଲିକଙ୍କ ଠିକଣା ପରିବର୍ତ୍ତନ ଭଳି ଅନ୍ୟ କେତେକ ଅନ୍‌ଲାଇନ୍‌ ସେବା ମଧ୍ୟ ଅଟକାଇବାକୁ କୋର୍ଟ କହିଛନ୍ତି। ଏକାଧିକ ଥର ଟ୍ରାଫିକ୍‌ ନିୟମ ଭାଙ୍ଗିଥିବା ମାମଲାରେ ଡ୍ରାଇଭିଂ ଲାଇସେନ୍ସ ନବୀକରଣ ନ କରିବା ସହ ଚାଲୁ ଲାଇସେନ୍ସକୁ ମଧ୍ୟ ସ୍ଥଗିତ କରିବା  ପାଇଁ ପଦକ୍ଷେପ ନେବାକୁ ଖଣ୍ଡପୀଠ କହିଛନ୍ତି। ବକେୟା ଜରିମାନା ସମ୍ପୂର୍ଣ୍ଣ ପୈଠ ନ ହେବା ପର୍ଯ୍ୟନ୍ତ କୌଣସି କେନ୍ଦ୍ର ପିୟୁସି (ପ୍ରଦୂଷଣ ନିୟନ୍ତ୍ରଣ) ପ୍ରମାଣପତ୍ର ଜାରି କରିପାରିବ ନାହିଁ ବୋଲି ମଧ୍ୟ ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। କୋର୍ଟଙ୍କୁ ଦିଆଯାଇଥିବା 

ଗାଡ଼ିକୁ ପରିବହନ ପୋର୍ଟାଲରେ 
ବ୍ଲାକ୍‌ଲିଷ୍ଟ କରାଯିବ ପିୟୁସି ମଧ୍ୟ ମିଳିବନି

ତଥ୍ୟ ଅନୁସାରେ, ଦେଶରେ ଜାରି ହୋଇଥିବା ଇ-ଚାଲାଣରେ ପ୍ରାୟ ୪୯,୧୯୪.୦୫ କୋଟି ଟଙ୍କା ଜରିମାନା ବକେୟା ରହିଥିଲା। ଏଥିରୁ ୨୬,୧୭୫.୦୫ କୋଟି ଟଙ୍କା ଆଦାୟ ହୋଇଛି। ଅର୍ଥାତ ପ୍ରାୟ ୨୩,୦୧୯ କୋଟି ଟଙ୍କା ଏବେ ବି ଆଦାୟ ହୋଇନାହିଁ। କେବଳ ଇ-ଚାଲାଣ ଜାରି କରିଦେଲେ ରାସ୍ତା ସୁରକ୍ଷା ନିୟମର ପ୍ରଭାବୀ କାର୍ଯ୍ୟକାରିତା ହେବ ନାହିଁ, ଜରିମାନା ଆଦାୟ ମଧ୍ୟ ନିଶ୍ଚିତ କରିବାକୁ ପଡ଼ିବ ବୋଲି ଖଣ୍ଡପୀଠ କହିଛନ୍ତି। ଏହି ନିର୍ଦ୍ଦେଶ ୨୦୧୨ରୁ ଚାଲିଥିବା ଏକ ସଡ଼କ ସୁରକ୍ଷା ମାମଲାର ଶୁଣାଣି ସମୟରେ ଆସିଛି। ‘ଏସ୍‌. ରାଜଶେଖରନ୍‌ ବନାମ ୟୁନିୟନ୍‌ ଅଫ୍‌ ଇଣ୍ଡିଆ’ ମାମଲାରେ ସୁପ୍ରିମ୍‌କୋର୍ଟ ପ୍ରାୟ ୧୪ ବର୍ଷ ଧରି ମୋଟରଯାନ ଆଇନ ଓ କେନ୍ଦ୍ରୀୟ ମୋଟର ଯାନ ନିୟମର କାର୍ଯ୍ୟକାରିତା ଉପରେ ନଜର ରଖି ଆସୁଛନ୍ତି। ଗୁରୁବାର ଶୁଣାଣିରେ କୋର୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଇ-ନିରୀକ୍ଷଣ ଓ ଇ-କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ମାନକ ପ୍ରକ୍ରିୟା ଲାଗୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସ୍ପିଡ୍‌ କ୍ୟାମେରା, ସିସିଟିଭି ଓ ସ୍ପିଡ୍‌ ଗନ୍‌ ଭଳି ଉପକରଣର ବ୍ୟବହାର ବଢ଼ାଇବା, ଇ-ନିରୀକ୍ଷଣ ସ୍ଥାନ ଚିହ୍ନଟ କରିବା ଓ ଉପକରଣ କିଣି ଲଗାଇବାକୁ କୁହାଯାଇଛି। ଇ-ଚାଲାଣ ଦେଇ ଦାୟିତ୍ୱ ଶେଷ ନକରି ବକେୟା ଚାଲାଣ ଥିବା ଗାଡ଼ିଗୁଡ଼ିକୁ ରାସ୍ତାରେ ଯାଞ୍ଚ କରିବାକୁ ମଧ୍ୟ କୁହାଯାଇଛି। ଏପରି ଗାଡ଼ି ଧରାପଡ଼ିଲେ ଆବଶ୍ୟକ ସ୍ଥଳେ ଗାଡ଼ି ଜବତ କରିବା ପାଇଁ ପଦକ୍ଷେପ ନିଆଯିବ। ରିପୋର୍ଟ ଅନୁସାରେ, ଦେଶରେ ଟ୍ରାଫିକ୍‌ ଚାଲାଣ ସଂଖ୍ୟା ୨୦୨୧ରେ ୪.୨ କୋଟି ଥିବା ବେଳେ ୨୦୨୫ରେ ୯.୬ କୋଟିକୁ ବଢ଼ିଛି। ୨୦୨୬ର ପ୍ରଥମ ୯ ମାସରେ ଏହା ୭.୮ କୋଟିରେ ପହଞ୍ଚିଛି। ଏହି ସମୟରେ ବକେୟା ଚାଲାଣର ଅନୁପାତ ମଧ୍ୟ ବଢ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)