Capital Road: ରାଜଧାନୀ ରାସ୍ତା ଭଗବାନ ଭରସା: ସାଢ଼େ ୪ ବର୍ଷରେ ଗଡ଼ିଲାଣି ୮୫୦ ମୁଣ୍ଡ
"ଭୁବନେଶ୍ବର: ରାଜଧାନୀବାସିନ୍ଦାଙ୍କ ଚିନ୍ତା ବଢ଼ାଉଛି ସଡ଼କ ଦୁର୍ଘଟଣା।
ବେପରୁଆ ଗାଡ଼ିଚାଳନା ସାଙ୍ଗକୁ ନିଶାସେବନ, ଟ୍ରାଫିକ୍ ନିୟମ ଉଲ୍ଲଂଘନ ଭଳି ପ୍ରମୁଖ କାରଣ ପାଇଁ ରାଜଧାନୀରେ ବାରମ୍ବାର ଦୁର୍ଘଟଣା ଘଟୁଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦୁର୍ଘଟଣାରେ ରୋକ୍ ଲଗାଇବା ପାଇଁ ପୁଲିସ ପାଖରେ ସେମିତି କିଛି ଯୋଜନା ନାହିଁ।
ଏପରିକି ଯେଉଁ ଯୋଜନା ରହିଛି ସେ ସବୁ କାର୍ଯ୍ୟକାରୀ କରିବାରେ ମଧ୍ୟ କମିସନରେଟ୍ ପୁଲିସ ବିଫଳ ହୋଇଛି।
ସୂଚନା ଅନୁସାରେ ଗତ ସାଢ଼େ ୪ବର୍ଷରେ ରାଜଧାନୀରେ ପ୍ରାୟ ୧୨ଶହରୁ ଅଧିକ ଦୁର୍ଘଟଣାରେ ୮୫୦ଜଣଙ୍କ ମୃତ୍ୟୁ ଘଟିଥିବା ଭୁବନେଶ୍ବର ୟୁପିଡିରେ ଅଭିଯୋଗ ହୋଇଛି।
ଚଳିତ ବର୍ଷ ଜୁନ୍ ମାସ ସୁଦ୍ଧା ଅର୍ଥାତ୍ ୬ମାସ ମଧ୍ୟରେ ଦୁର୍ଘଟଣା ସଂଖ୍ୟା ୪୦୦ ଟପିଛି ଓ ପ୍ରାୟ ୧୦୦ଟି ଅମୂଲ୍ୟ ଜୀବନ ଯାଇଛି।
ପୂର୍ବ ବର୍ଷ ତୁଳନାରେ ଏହି ସଂଖ୍ୟା ୩ଗୁଣା ବଢ଼ିଛି।
ରାଜଧାନୀରେ ଗାଡ଼ି ଚଳାଇବା ବେଳେ ଇଷ୍ଟ ସୁମରି ଯିବାକୁ ଏହି ସଂଖ୍ୟା ହିଁ ବୟାନ କରୁଛି।
ତେବେ ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ଏହି ସଡ଼କ ଦୁର୍ଘଟଣା ପଛରେ ଅମାନିଆଙ୍କୁ ଦାୟୀ କରିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ କୁମାର ନନ୍ଦ।
ସେ କହିଛନ୍ତି, ଅଧିକାଂଶ ଦୁର୍ଘଟଣାରେ ଗାଡ଼ିଗୁଡ଼ିକ ପୂର୍ବରୁ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଛନ୍ତି।
କେବଳ ଥରେ କି ୨ଥର ନୁହେଁ ଗୋଟେ ଗୋଟେ ଗାଡ଼ି ୭୦ଥର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ନଜିର୍ ରହିଛି।Advertisment Ethanol: ରୋଷେଇଘରେ ପଶିବ ଇଥାନଲ୍: ଜାଳେଣି ଭାବେ ବ୍ୟବହାର ହେବ, ଏଟିଏମ୍ରୁ ବାହାରିବ ତେଲ ବ୍ଲାକ୍ସ୍ପଟ୍ ପାଲଟିଛି ଏନ୍ଏଚ୍-୧୬ ରାଜଧାନୀରେ ଯେତେସବୁ ଦୁର୍ଘଟଣା ଘଟୁଛି ସେଥିମଧ୍ୟରୁ ଏନ୍ଏଚ୍-୧୬ରେ ଅଧିକାଂଶ ଦୁର୍ଘଟଣା ଘଟୁଛି।
ନିକଟରେ ଜୟଦେବବିହାର ଫ୍ଲାଏଓଭର୍ରେ ୨ଜଣ ନର୍ସିଂ ଛାତ୍ରଙ୍କୁ ଏକ ବସ୍ ଧକ୍କା ଦେଇ ଚମ୍ପଟ୍ ମାରିଥିଲା।
ଏଥିରେ ପଶ୍ଚିମବଙ୍ଗର ସୌମ୍ୟରଂଜନ ମାନାଙ୍କ ମୃତ୍ୟୁ ଘଟିଥିଲା।
ସେହିଭଳି ଗତ ୧୪ଜୁଲାଇ ବିଳମ୍ବିତ ରାତିରେ ଏକ ଟ୍ରକ୍ ରଶ୍ମିରଂଜନ ଦାସ ଓ ବିଶ୍ବରଂଜନ ପଟ୍ଟନାୟକଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା।
ଏହିଭଳି ମାଳମାଳ ଘଟଣା ଏନ୍ଏଚ୍ରେ ଘଟୁଥିବା ସାମ୍ନାକୁ ଆସିଛି।
ପୁଲିସ ରିପୋର୍ଟ ଅନୁସାରେ, ଭୁବନେଶ୍ବର ୟୁପିଡିର ପାହାଳ, ଇନ୍ଫୋଭ୍ୟାଲି, ଖଣ୍ଡଗିରି, ତମାଣ୍ଡୋ, ସହିଦନଗର, ନୂଆପଲ୍ଲୀ, ଧଉଳି, ମଞ୍ଚେଶ୍ବର ଓ ଜଟଣୀ ଥାନା ଅଞ୍ଚଳରେ ଦୁର୍ଘଟଣା ଚରମ ସୀମାରେ ପହଞ୍ଚିଛି।
ଚଳିତବର୍ଷ ଏହି ଥାନା ଅଞ୍ଚଳରୁ ପ୍ରାୟ ୭୦ରୁ ଅଧିକ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି।
ଯାହା ସମୁଦାୟ ଦୁର୍ଘଟଣାଜନିତ ମୃତ୍ୟୁର ୭୨ପ୍ରତିଶତ।
ଏହି ଥାନା ଅଞ୍ଚଳରେ ଏନ୍ଏଚ୍ ରହିଥିବାରୁ ଦୁର୍ଘଟଣା ଅଧିକ ହେଉଥିବା ଜଣାପଡ଼ିଛି।
Ethanol: ରୋଷେଇଘରେ ପଶିବ ଇଥାନଲ୍: ଜାଳେଣି ଭାବେ ବ୍ୟବହାର ହେବ, ଏଟିଏମ୍ରୁ ବାହାରିବ ତେଲ ସହାୟତା କରିବାକୁ ଅନିଚ୍ଛୁକ ପ୍ରତିଟି ଦୁର୍ଘଟଣା କ୍ଷେତ୍ରରେ ଗୋଲ୍ଡେନ୍ ଆଵାର୍ ଅର୍ଥାତ୍ ପ୍ରଥମ ଏକ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।
ଦୁର୍ଘଟଣା ସ୍ଥଳରେ ଉପସ୍ଥିତ ଲୋକେ ଗୁରୁତର ଆହତଙ୍କୁ ତ୍ବରିତ୍ ସହାୟତା ପ୍ରଦାନ କରିବାକୁ ପ୍ରଥମେ ଗୁଡ୍ ସାମରିଟାନ୍ ପଲିସି ୨୦୨୦ ମସିହାରେ ଆସିଥିଲା।
ମାତ୍ର ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଦୁର୍ଘଟଣାଗ୍ରସ୍ତଙ୍କୁ ବିଶେଷ ଲାଭ ହେଲାନି।
ଯେଉଁଥିପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ରାହ-ବୀର୍ ଯୋଜନା ଅନ୍ତର୍ଭୁକ୍ତ କରାଗଲା।
ଏହି ଯୋଜନା ଅନୁସାରେ ଗୋଲ୍ଡେନ୍ ଆଵାର୍ ପଲିସି ଅନୁସରଣ କଲେ ୨୫ହଜାର ଟଙ୍କା ସହିତ ପ୍ରଶଂସାପତ୍ର ମଧ୍ୟ ମିଳୁଛି।
ତେବେ ଏନେଇ ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ ନନ୍ଦ କହିଛନ୍ତି, ଦୁର୍ଘଟଣାସ୍ଥଳକୁ ଉଦ୍ଧାର ପାଇଁ ଆସୁଥିବା ଆମ୍ବୁଲାନ୍ସଗୁଡ଼ିକ ପ୍ରଥମେ ସରକାରୀ ଡାକ୍ତରଖାନାକୁ ନେବା ଉପରେ ଗୁରୁତ୍ବ ଦେଉଛନ୍ତି।
ଯଦି ଆହତଙ୍କୁ ଯେ କୌଣସି ନିକଟବର୍ତ୍ତୀ ହସ୍ପିଟାଲ୍କୁ ନିଆଯାଇପାରନ୍ତା ତେବେ ଉପଯୁକ୍ତ ଚିକିତ୍ସା ମିଳିପାରନ୍ତା।
ସେହିଭଳି ସୁପ୍ରିମକୋର୍ଟ କମିଟି ମଧ୍ୟ ଦୁର୍ଘଟଣାଗ୍ରସ୍ତଙ୍କ କ୍ଷେତ୍ରରେ ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନାର ଆମ୍ବୁଲାନ୍ସକୁ ସାମିଲ କରିବା ଉପରେ ପ୍ରାଧାନ୍ୟ ଦେଇଛନ୍ତି।
ତେଣୁ କେବଳ ସରକାରୀ ଆମ୍ବୁଲାନ୍ସ ବ୍ୟତୀତ ବେସରକାରୀ ଆମ୍ବୁଲାନ୍ସକୁ ବି ଉଦ୍ଧାର କ୍ଷେତ୍ରରେ ଲଗାଯାଇ ପାରିଲେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟାରେ ନିୟନ୍ତ୍ରଣ ଆସିପାରିବ ବୋଲି ଶ୍ରୀ ନନ୍ଦ କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।