CADA ନିର୍ବାହୀ ଯନ୍ତ୍ରୀ ଗିରଫ

Jun 24, 2026 - 16:49
CADA ନିର୍ବାହୀ ଯନ୍ତ୍ରୀ ଗିରଫ

ସମ୍ବଲପୁର : ସିଏଡିଏ ସମ୍ବଲପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକ ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଗିରଫ ହେଲେ କୋଟିପତି ବାବୁ । ଗତକାଲି ସମ୍ବଲପୁର କମାଣ୍ଡ ଏରିଆ ଡେଭଲପମେଣ୍ଟ ଅଥରିଟି ଡିଭିଜନର ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ଏକ କାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା ଇ ତଦନ୍ତ ବେଳେ ଜବତ ସମ୍ପତ୍ତିର ସନ୍ତୋଷ ଜନକ ଉତ୍ତର ଦେଇପାରିନଥିବାରୁ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ  । ଏହାପରେ ତାଙ୍କୁ ସମ୍ବଲପୁର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ଅଦାଲତରେ ହାଜର କରାଯିବ ।

ଗତକାଲି ପଦ୍ମଲୋଚନଙ୍କୁ ଜେରା ବେଳେ ଏକ ସାଙ୍ଘାତିକ ତଥ୍ୟ ଜାଣିବାକୁ ପାଇଥିଲା ଭିଜିଲାନ୍ସ । ଉପୁରି ଖାଇବା ସହିତ ବାବୁଙ୍କର ଥିଲା ଜୁଆ ଖେଳିବା ନିଶା । ଜୁଆ ଖେଳିବା ପାଇଁ ସେ ବାରମ୍ବାର ଶ୍ରୀଲଙ୍କା ଯାଉଥିବା ସୂଚନା ମିଳିଛି । ତାଙ୍କର ସମ୍ପତ୍ତି ସରକାରୀ ଆୟଠାରୁ ୧୧୯ ପ୍ରତିଶତ ଅଧିକ ଥିବା ଜଣାପଡ଼ିଛି । ସେହିପରି ୪ କୋଟି ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ମିଳିଛି। ସମ୍ବଲପୁର , କଟକ, ବାଲେଶ୍ୱର ଏବଂ ମାଲକାନିଗିରି ଜିଲ୍ଲାରେ ଯାଞ୍ଚ କରାଯାଇଥିଲା । ସେଠାରେ ତିନୋଟି ବହୁତଳ ବିଶିଷ୍ଟ କୋଠା, ଯାହା ୧୮,୮୪୦ ବର୍ଗଫୁଟ ଜମିରେ ରହିଛି । କଟକ ବିଦ୍ୟାଧରପୁରରେ ୭୦୦୦ ବର୍ଗଫୁଟ ପରିମିତ ଜମିରେ ଏକ ତିନି ମହଲା କୋଠା ରହିଛି । ବାଲେଶ୍ୱର ଜିଲ୍ଲା ବସ୍ତା ମୁଖାଳିସରେ ଦୁଇ ମହଲା ବିଶିଷ୍ଟ ବାସଭବନ ଅଛି । ଏହି କୋଠା ଓ ଜମିଗୁଡ଼ିକର ମାପ ଏବଂ ବଜାର ମୂଲ୍ୟ ଆକଳନ କାର୍ଯ୍ୟ ଭିଜିଲାନ୍ସର ଟେକ୍ନିକାଲ୍ ୱିଙ୍ଗ ପକ୍ଷରୁ ଜାରି ରହିଛି । 

ବାଲେଶ୍ଵର, ଯାଜପୁର ଓ କଟକର ପ୍ରାଇମ ଲୋକେସନରେ ୧୮ଟି ବହୁମୂଲ୍ୟ ପ୍ଲଟ୍ ଓ ୩ ଲକ୍ଷ ୪୫ ହଜାର ନଗଦ ଟଙ୍କା ଠାବ କରିଥିଲା ଭିଜିଲାନ୍ସ । ସେହିପରି ଜବତ ଗାଡ଼ି ତାଲିକାରେ ରହିଛି ୩ଟି କାର୍, ୨ଟି ଜେସିବି ମେସିନ୍, ୧ ଟ୍ରାକ୍ଟର ଓ ୧ ଟ୍ରେଲର୍ ।