Cabinet: ୧୧ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ: ଚାଷୀ, ଗରିବ, ଜନଜାତିଙ୍କୁ ଖୁସି କଲେ
ଭୁବନେଶ୍ବର: ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଥିବାରୁ ସରକାର ଚାଷୀକୁ ଖୁସି କରିବାକୁ ଉଦ୍ୟମ କରିଛନ୍ତି। ଆଜି ୪ଟି ଭିନ୍ନଭିନ୍ନ ପ୍ରକଳ୍ପରେ ଜଳସେଚନ ଓ ଭୂତଳ ପାଇପ୍ ଲାଇନ୍ ବ୍ୟବସ୍ଥା ଦ୍ବାରା ଜଳ ବିତରଣ ପାଇଁ ୬୭୩ କୋଟି ୩୩ ଲକ୍ଷ ୭୫ ହଜାର ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏଥିରେ ୫ଟି ଜିଲ୍ଲାର ୨୩ ହଜାର ୯୭୪.୪୫ ହେକ୍ଟର ଚାଷଜମିକୁ ଜଳସେଚିତ କରିବାକୁ ଯୋଜନା ହୋଇଛି। ଶନିବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହାସହିତ ମୋଟ୍ ୬ଟି ବିଭାଗର ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟସଚିବ ଅନୁ ଗର୍ଗ କହିଛନ୍ତି ଯେ ବୈତରଣୀ ନଦୀ ଉପରେ ଆନନ୍ଦପୁର ବ୍ୟାରେଜ୍ ଓ ଏହାର ବିତରଣ ପ୍ରଣାଳୀର ନିର୍ମାଣ ଦ୍ବାରା କେନ୍ଦୁଝର ଏବଂ ବାଲେଶ୍ବର ଜିଲ୍ଲାର ୬୦ ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ବରୁ ୩ ହଜାର ହେକ୍ଟର ଚାଷଜମିକୁ ପାଣି ପହଞ୍ଚା ଯାଇଥିଲା। ଏବେ ୫୭୦୦୦ ହେକ୍ଟର ଚାଷଜମି ପାଇଁ ୯ଟି ପ୍ୟାକେଜ୍ କାର୍ଯ୍ୟକାରୀ କରାଯିବ। ଏଥିରେ ଗୋଟିଏ ପ୍ୟାକେଜ୍ରେ ସାଳନ୍ଦୀ ବାମ ମୁଖ୍ୟ କେନାଲ୍ର ୪୦.୯୨୭ କିମିରୁ ୪୫.୫୭୦ କିମି ମଧ୍ୟରେ ଭୂତଳ ପାଇପଲାଇନ୍ ଦ୍ବାରା ବିତରଣ ପ୍ରଣାଳୀର ନିର୍ମାଣ ସହ ବାଲେଶ୍ବର ଜିଲ୍ଲାର ସୋର ଏବଂ ଔପଦା ବ୍ଲକ୍ର ୭୧୭୧.୭୭ ହେକ୍ଟର ଚାଷଜମିରେ ଜଳସେଚନ ଓ ୫ ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ କରାଯିବ।
Excise Raid: ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ଉ, ଗଞ୍ଜେଇ-ମଦ ଜବତ
ଚାଷଜମିକୁ ପାଣି ପାଇଁ ୬୭୩ କୋଟି, ୨୩,୯୭୪ ହେକ୍ଟରରେ ମାଡ଼ିବ ପାଣି
ବାଲେଶ୍ବର, ଗଜପତି, ରାୟଗଡ଼ା, ପୁରୀ, ଖୋରଧା ଚାଷୀ ଉପକୃତ ହେବେ
ଏହି ପ୍ରକଳ୍ପର ନିର୍ମାଣ ପାଇଁ ୧୪୫ କୋଟି ୭୦ ଲକ୍ଷ ୮୯ ହଜାର ୮୦୨ ଟଙ୍କା ଖର୍ଚ୍ଚ ହେବ ଓ ପ୍ରକଳ୍ପ ୨ ବର୍ଷରେ ସରିବ। ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୭,୩୦,୦୦,୧୯୯ ଟଙ୍କା ଖର୍ଚ୍ଚ ହେବ। ଏହି ଟେଣ୍ଡରକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଅନ୍ୟ ଏକ ପ୍ୟାକେଜ୍ରେ ସାଳନ୍ଦୀ ବାମ ମୁଖ୍ୟ କେନାଲ୍ର ୬୦.୩୦୪ କିମିରୁ ୭୧.୫୦୫ କିମି ମଧ୍ୟରେ ଭୂତଳ ପାଇପ୍ଲାଇନ ବ୍ୟବସ୍ଥା ଦ୍ବାରା ବିତରଣ ପ୍ରଣାଳୀର ନିର୍ମାଣ ସହ ବାଲେଶ୍ବର ଜିଲ୍ଲାର ନୀଳଗିରି, ସୋର, ରେମୁଣା ଓ ବାଲେଶ୍ବରର ୫୦୫୨.୬୮ ହେକ୍ଟର ଚାଷଜମିରେ ଜଳସେଚନ ହେବ। ଏଥିପାଇଁ ୧୧୨,୫୧,୯୭,୧୨୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାର ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷରେ ୫,୬୩,୭୨,୩୭୬ ଟଙ୍କା ଖର୍ଚ୍ଚ ହେବ। ଏହାବାଦ୍ ‘ପାର୍ବତୀ ଗିରି ବୃହତ୍ ଉଠାଜଳସେଚନ ଯୋଜନା’ ଅନ୍ତର୍ଗତ କ୍ଲଷ୍ଟର୍-୩୪ ମାଧ୍ୟମରେ ୫ଟି ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରାଯିବ। ଖୋରଧା ଜିଲ୍ଲାର ମହାନଦୀ ଏବଂ ପୁରୀ ଜିଲ୍ଲାର ଦୟା ନଦୀରୁ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥା ମାଧ୍ୟମରେ ଖୋରଧା ଜିଲ୍ଲାର ୫୪ଟି ଏବଂ ପୁରୀ ଜିଲ୍ଲାର ୩୮ଟି ଗ୍ରାମର ୭,୭୦୦ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦିଆଯିବ।
ଏହି ପ୍ରକଳ୍ପ ୩ ବର୍ଷରେ ସରିବାକୁ ଥିବାବେଳେ ଏଥିପାଇଁ ୨୩୪,୭୮,୯୭,୩୬୬.୧୨ ଟଙ୍କା ଖର୍ଚ୍ଚ ହେବ। ୧୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୨୧,୮୧,୧୦,୬୮୪.୨୮ ଟଙ୍କା ଖର୍ଚ୍ଚ ହେବ। ସେହିପରି ଏହି ଯୋଜନା ଅନ୍ତର୍ଗତ କ୍ଲଷ୍ଟର୍-୩୫ରେ ୪ଟି ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ପୂର୍ବକ ରାୟଗଡ଼ା ଜିଲ୍ଲାର ହରଭଙ୍ଗା ନଦୀ ଓ ବଂଶଧାରା ନଦୀର (ଧୁଆପଦର ଆଇଏସ୍ଏସ୍ ପାଖ ଓ କରଣପଡ଼ୁ ଆଇଏସ୍ଏସ୍ ପାଖ) ଏବଂ ଗଜପତି ଜିଲ୍ଲାର ବଂଶଧାରା ନଦୀରୁ (ପ୍ରଧାନିଗୁଡ଼ା ଆଇଏସ୍ଏସ୍ ପାଖରୁ) ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥା ମାଧ୍ୟମରେ ରାୟଗଡ଼ା ଜିଲ୍ଲାର ୨୯ଟି ଓ ଗଜପତି ଜିଲ୍ଲାର ୯ଟି ଗ୍ରାମର ୪୦୫୦ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦିଆଯିବ। ଏହାର ନିର୍ମାଣ ପାଇଁ ୩ ବର୍ଷରେ ୧୩୩,୧୯,୭୨,୩୧୮.୨୧ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୧୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୧୨,୩୭,୩୫,୧୩୩.୩୯ ଟଙ୍କା ଖର୍ଚ୍ଚ ହେବ। ଏହାଦ୍ବାରା ଚାଷୀମାନେ ପାରମ୍ପରିକ ଚାଷ ବ୍ୟତୀତ ଅର୍ଥକରୀ ଫସଲ କରିବାକୁ ଉତ୍ସାହିତ ହେବେ ବୋଲି ରାଜ୍ୟ ସରକାର କହିଛନ୍ତି।
ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ୍କୁ ୨୯୯୫ କୋଟି
ଭୁବନେଶ୍ବର: ଅନୁସୂଚିତ ଜନଜାତି ତଥା ବିଶେଷ ଭାବେ ଅନୁନ୍ନତ ଜନଜାତି (ପିଭିଟିଜି) ପରିବାରଙ୍କ ଆୟ ବୃଦ୍ଧି ଏବଂ ସେମାନଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ୍ ୨.୦ କାର୍ଯ୍ୟକାରୀ ହୋଇଛି। ରାଜ୍ୟ କ୍ୟାବିନେଟ୍ରେ ଏହାକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ୍ର ପ୍ରଥମ ପର୍ଯ୍ୟାୟର ସଫଳତାକୁ ଆଧାର କରି ସମସ୍ତ ଜନଜାତି ଉପଯୋଜନା ବ୍ଲକ୍ (ଟିଏସ୍ପି) ଓ ଅଣୁ ପ୍ରକଳ୍ପ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ୮ ଲକ୍ଷ ଅନୁସୂଚିତ ଜନଜାତି ସଂପ୍ରଦାୟର ହିତାଧିକାରୀ ଉପକୃତ ହେବେ। ଏହି ଯୋଜନା ୨୦୨୬-୨୭ରୁ ୨୦୩୦-୩୧ ପାଇଁ କାର୍ଯ୍ୟକାରୀ ହେବ। ୧୯ଟି ଜିଲ୍ଲାର ୨୩ଟି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଓ ୨୦ଟି କ୍ଷୁଦ୍ର ପ୍ରକଳ୍ପ କ୍ଷେତ୍ର (ଏମ୍ପିଏ) ମାଧ୍ୟମରେ ୧୩୪ଟି ବ୍ଲକ୍ରେ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ରାଜ୍ୟ ସରକାର ୨ ହଜାର ୯୯୫ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।
Flood In Bhadrak: ବୁଡ଼ିଗଲା ଚାଷଜମି, ଯନ୍ତ୍ରଣାରେ ମୁଣ୍ଡରେ ହାତଦେଇ ବସିଛନ୍ତି ଲୋକେ
ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ତଥା ବିଶେଷ ଭାବେ ଅନୁନ୍ନତ ଜନଜାତି ସଂପ୍ରଦାୟର ହିତାଧିକାରୀ ନିଜ ଇଚ୍ଛାରେ ନିଜ ଅଞ୍ଚଳର ଆବଶ୍ୟକତା ଓ ଯଥାର୍ଥ ହୋଇଥିବା ଯେକୌଣସି ଜୀବିକା ଚୟନ କରିବା ପାଇଁ ସ୍ବାଧୀନତା ପାଇବେ। ନିଜର ଜୀବିକା ବିକାଶ ପାଇଁ ଆର୍ଥିକ ପ୍ରୋତ୍ସାହନ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯିବ। ପ୍ରତ୍ୟେକ ପରିବାରକୁ ୩ ହଜାର ଟଙ୍କାର ଅନୁଦାନ ରାଶିକୁ ଦୁଇଟି ସମାନ କିସ୍ତିରେ ପ୍ରଦାନ କରାଯିବ। କୃଷି, ଉଦ୍ୟାନ କୃଷି, ପଶୁପାଳନ, ରେଶମ ଚାଷ, ମତ୍ସ୍ୟ ଚାଷ, ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ମୂଲ୍ୟ ବୃଦ୍ଧି, ପାରମ୍ପରିକ କଳା ଓ ହସ୍ତଶିଳ୍ପ, କୃଷି ଉଦ୍ୟୋଗ, ଗ୍ରାମୀଣ ଲଘୁ ଉଦ୍ୟୋଗୀ ସୃଷ୍ଟି ଭଳି ବିଭିନ୍ନ ଜୀବିକାଭିତ୍ତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦିଆଯିବ। ଏହାସହ ଜଳସେଚନ ଭିତ୍ତିଭୂମି ସୃଷ୍ଟି, କୃଷି ଉତ୍ପାଦ ବା ଫସଲ ଅମଳ ପରବର୍ତ୍ତୀ ଯତ୍ନ, ସଂରକ୍ଷଣ ଭିତ୍ତିଭୂମି ବିକାଶ ସହିତ କୃଷି ଉତ୍ପାଦରେ ମୂଲ୍ୟଯୁକ୍ତ ବଜାର ଏବଂ କ୍ଷୁଦ୍ର ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରାଯିବ। ପିଭିଟିଜିଙ୍କ ବିଶେଷ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିଶୁ, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମା’ଙ୍କ ପାଇଁ ସ୍ବାସ୍ଥ୍ୟ ଓ ପୋଷଣଭିତ୍ତିକ କାର୍ଯ୍ୟକ୍ରମ ଏବଂ ଶିଶୁ ଯତ୍ନକେନ୍ଦ୍ରର ବ୍ୟବସ୍ଥା ରହିଛି। ପିଭିଟିଜିଙ୍କ ଭିତ୍ତିଭୂମି ଉନ୍ନୟନ ପାଇଁ ୫ ଶହ କୋଟିର ଏକ ସ୍ବତନ୍ତ୍ର ପାଣ୍ଠି ବ୍ୟବସ୍ଥା କରାଯାଇଛି।
ସହରାଞ୍ଚଳରେ ଘର ଦେବାକୁ ୧୬୧୫ କୋଟି
ଭୁବନେଶ୍ବର: ସହରାଞ୍ଚଳରେ ବାସ କରୁଥିବା ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବଶ୍ୟକ ଘର ଦିଆଯାଇପାରୁନି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ସହରାଞ୍ଚଳର ସମସ୍ତ ଗରିବଙ୍କୁ ୨୦୨୯ ମସିହା ସୁଦ୍ଧା ପକ୍କା ଘର ଯୋଗାଇବେ। ଏଥିପାଇଁ କେନ୍ଦ୍ର ସରକାର ପିଏମ୍ଏୱାଇ-ୟୁ ୨.୦ରେ ଆର୍ଥିକ ସହାୟତା ଯୋଗାଇବେ। କିନ୍ତୁ ଏହାକୁ ଆହୁରି ଗତିଶୀଳ କରି ଅଧିକ ଲୋକଙ୍କୁ ସୁଲଭ ଘର, ଭଡ଼ା ଘର, ଘର ନିର୍ମାଣ ପାଇଁ ପାରିଶ୍ରମିକ ଯୋଗାଇବା, ଋଣ ଉପରେ ସୁଧ ଛାଡ଼ ଭଳି ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାର ନିଜସ୍ବ ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) (ବନ୍ଧୁ) ଆରମ୍ଭ କରିବେ। ଏଥିରେ ୨ ବର୍ଷରେ ୧୬୧୫ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏହି ଯୋଜନାରେ ୫ ବର୍ଷରେ ୩୦ ହଜାର ସୁଲଭ ଘର ନିର୍ମାଣ, ୧୦ ହଜାର ସୁଲଭ ଭଡ଼ା ଗୃହ ଏବଂ ଟ୍ରାଞ୍ଜିଟ୍ ହାଉସ୍ ନିର୍ମାଣ ହେବ। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଏହି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଆଗକୁ ପୌର ନିର୍ବାଚନ ଥିବାବେଳେ ରାଜ୍ୟ ସରକାର ଏହି ଯୋଜନା ମାଧ୍ୟମରେ ସହରାଞ୍ଚଳ ଗରିବଙ୍କ ମୁଣ୍ଡକୁ ଛାତ ଦେଇ ସେମାନଙ୍କ ମନ ଜିଣିବାକୁ ଯୋଜନା କରିଛନ୍ତି।
ଆରମ୍ଭ ହେବ ପିଏମ୍ଏୱାଇ-ୟୁ (ବନ୍ଧୁ)
୫ବର୍ଷରେ ୪୦ହଜାର ଘର ନିର୍ମାଣ ଯୋଜନା
ନଗର ଉନ୍ନୟନ ବିଭାଗର ଯୋଜନା ଅନୁଯାୟୀ ଏଥିରେ ୪ଟି ମୁଖ୍ୟ ଉପାଦାନରେ ଅର୍ଥ ଖର୍ଚ୍ଚ କରାଯିବ। ସୁଲଭ ବାସଗୃହ, ସୁଲଭ ଭଡ଼ା ଗୃହ ଏବଂ ଟ୍ରାଞ୍ଜିଟ୍ ହାଉସ୍ ପ୍ରକଳ୍ପଗୁଡ଼ିକର ବିକାଶ ପାଇଁ ୫ ବର୍ଷରେ ୬୭୫ କୋଟି ଟଙ୍କା ଖର୍ଚ୍ଚ ହେବ। ଦ୍ବିତୀୟରେ ହିତାଧିକାରୀଙ୍କୁ ଶ୍ରମ କ୍ଷତିପୂରଣ ଏବଂ ପ୍ରୋତ୍ସାହନ ଆକାରରେ ଅତିରିକ୍ତ ସହାୟତା ପ୍ରଦାନ କରାଯିବ। ଏଥିରେ ୫ ବର୍ଷରେ ୬୮୫ କୋଟି ଟଙ୍କା ଖର୍ଚ୍ଚ ହେବ। ତୃତୀୟରେ ହିତାଧିକାରୀଙ୍କୁ ସୁଲଭ ମୂଲ୍ୟରେ ଗୃହ ଋଣ ସୁବିଧା ଯୋଗାଇ ଦିଆଯିବ ଏବଂ ବଞ୍ଚିତ ହିତାଧିକାରୀଙ୍କୁ ସୁଧ ରିହାତି ସହାୟତା ପ୍ରଦାନ କରାଯିବ। ଏଥିରେ ୫ ବର୍ଷରେ ୧୦୦ କୋଟି ଖର୍ଚ୍ଚ ହେବ। ସେହିପରି ଚତୁର୍ଥରେ କ୍ଲଷ୍ଟର୍ ହାଉସିଂ, ବସ୍ତି ମୁକ୍ତକରଣ କିମ୍ବା ଅନ୍ୟାନ୍ୟ ଯୋଜନାବଦ୍ଧ ହସ୍ତକ୍ଷେପ ଯୋଗୁଁ ବିସ୍ଥାପିତ ହିତାଧିକାରୀମାନଙ୍କ ପାଇଁ ୧୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।
ଏହି ଯୋଜନା ମୁଖ୍ୟତଃ ଛୋଟ ସହରଗୁଡ଼ିକରେ କାର୍ଯ୍ୟକାରୀ ହେବ। ଯେଉଁଠାରେ ସହରାଞ୍ଚଳ ଗରିବଙ୍କ ପାଇଁ ପିପିପି ମୋଡ୍ରେ କିମ୍ବା ଅନ୍ୟାନ୍ୟ ଯୋଜନାରେ ଘର ନିର୍ମାଣ କରିବାକୁ ନିବେଶକାରୀ ମିଳୁନାହାନ୍ତି। ସେଠାରେ ରହିବାକୁ ଥିବା ଲୋକଙ୍କୁ ସମସ୍ତ ସୁବିଧା ହାତପାଆନ୍ତାରେ ଯୋଗାଇ ଦିଆଯିବ। ପର୍ଯ୍ୟାପ୍ତ ଖୋଲାସ୍ଥାନ, ସୌର ଶକ୍ତି, ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା, ଅଙ୍ଗନବାଡ଼ି କେନ୍ଦ୍ର, ଖେଳ ପଡ଼ିଆ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ପିଡିଏସ୍ କେନ୍ଦ୍ର ରହିବ। ଏହି ଯୋଜନାରେ ଗୃହ ଆବଣ୍ଟନବେଳେ ଅସହାୟ, ଭିନ୍ନକ୍ଷମ ହିତାଧିକାରୀଙ୍କୁ ପ୍ରାଧାନ୍ୟ ଦିଆଯିବ। ଘର ଶୀଘ୍ର ନିର୍ମାଣ କଲେ ଆର୍ଥିକ ସହାୟତା ବି ପ୍ରଦାନ କରାଯିବ।
ସେହିପରି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ୨୮ଟି ନୂଆ ସହରାଞ୍ଚଳର ହିତାଧିକାରୀଙ୍କୁ ପିଏମ୍ଏୱାଇ-ୟୁ ୨.୦ରେ ସାମିଲ କରି ଘର ଯୋଗାଇ ଦିଆଯିବ। ୨୦୨୪ ମସିହା ସୁଦ୍ଧା ସହରାଞ୍ଚଳରେ ପକ୍କାଘର ସଂଖ୍ୟା ୫୯% ଥିବାବେଳେ ୨୦୨୯ ସୁଦ୍ଧା ଏହାକୁ ୯୦%କୁ ବୃଦ୍ଧି କରାଯିବ। ଏହି ଲକ୍ଷ୍ୟ ହାସଲ କରିବାରେ ରାଜ୍ୟ ସରକାରଙ୍କ ନୂଆ ଯୋଜନା ବେଶ୍ ସହାୟକ ହେବ।
ଅପରପକ୍ଷେ ଆଜି ରାଜ୍ୟ କ୍ୟାବିନେଟ୍ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ରାଜ୍ୟରେ ‘ଅର୍ଥନୈତିକ ଅଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ’ ଗଠନ ନିମନ୍ତେ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ଓଡିଏ) ଆଇନ, ୧୯୮୨ରେ ସଂଶୋଧନ ବିଲ୍କୁ ଅନୁମୋଦନ କରିଛନ୍ତି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟରେ ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାସହ ପର୍ଯ୍ୟାୟକ୍ରମେ ବରଗଡ଼-ଝାରସୁଗୁଡ଼ା-ସମ୍ବଲପୁର, ବ୍ରହ୍ମପୁର-ଛତ୍ରପୁର-ଗୋପାଳପୁର ଏବଂ ଜୟପୁର-କୋରାପୁଟ-ସୁନାବେଡ଼ା ଭଳି ସହରଗୁଡ଼ିକୁ ଏକାଠି କରି ଅର୍ଥନୈତିକ ଅଞ୍ଚଳ ଗଠନ କରିବେ। ଏହି ଅଞ୍ଚଳରେ ବ୍ୟକ୍ତିଗତ ପୌରପାଳିକା ସୀମା ବାହରକୁ ଯାଇ ପ୍ଲାନିଂ କରିବାରେ ଏହି ନିୟମ ସହଯୋଗ କରିବ। ଏଥିପାଇଁ ରାଜ୍ୟ ସରକାର ଅର୍ଥନୈତିକ ଅଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ (ଇଆର୍ଡିଏ) ଗଠନ କରିବେ। ଏଥିରେ ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳକୁ ରାଜ୍ୟର ପ୍ରଥମ ଅର୍ଥନୈତିକ ଅଞ୍ଚଳ (ସିଇଆର୍) ଭାବେ ଗଠନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।