Bus Theft Sparks Highway Drama: ବସ ଧରି ଚୋର ଛୁ'…. ପୋଲିସର ଧରପଗଡ, ଭିଡିଓ ଭାଇରାଲ

Jul 22, 2026 - 14:24
Bus Theft Sparks Highway Drama: ବସ ଧରି ଚୋର ଛୁ'…. ପୋଲିସର ଧରପଗଡ, ଭିଡିଓ ଭାଇରାଲ

ଫିଲ୍ମ ଷ୍ଟାଇଲରେ ଚୋରି କରିନେଲା ବସ୍। ତେଲେଙ୍ଗାନାର ଜଗତିଆଲ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା। ଚୋରଟି ବସ୍ ଷ୍ଟାଣ୍ଡରେ ଠିଆ ହୋଇଥିବା ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ ଟିଜିଏସଆରଟିସିର ଗୋଟିଏ ବସ୍ ଚୋରି କରି ଫେରାର ହୋଇଯାଇଥିଲା।

ପ୍ରାୟ ୧୮ କିଲୋମିଟର ଧରି ପିଛା କରିବା ପରେ ପୁଲିସ ହାଇୱେ ବ୍ଲକ୍ କରି ଅଭିଯୁକ୍ତକୁ କାବୁ କରିଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଅଜବ ଘଟଣା କୋରୁଟ୍ଲା ସହରରେ ଘଟିଛି। ଟିଜିଏସଆରଟିସି କର୍ମଚାରୀଙ୍କ କହିବା ଅନୁସାରେ, ଜଣେ ବ୍ୟକ୍ତି ବସ୍ ଷ୍ଟାଣ୍ଡରେ ଠିଆ ହୋଇଥିବା ଗୋଟିଏ ବସରେ ପ୍ରବେଶ କରି ହଠାତ୍ ତାକୁ ଚଳାଇ ନିଜାମାବାଦ ରାସ୍ତାରେ ଫେରାର ହୋଇଯାଇଥିଲା।

ଘଟଣା ଜଣାପଡ଼ିବା ମାତ୍ରେ ଆରଟିସି କର୍ମଚାରୀମାନେ ପୁଲିସକୁ ସୂଚନା ଦେବା ପରେ ପୁଲିସ ଓ ଆରଟିସି କର୍ମଚାରୀମାନେ ନିଜ ନିଜ ଗାଡ଼ିରେ ବସଟିକୁ ପିଛା କରିଥିଲେ। ଏହି ସମୟରେ ରାସ୍ତାରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା।

ବସଟିକୁ ନେବା ସମୟରେ ଅଭିଯୁକ୍ତ ବେପରୁଆ ଭାବେ ଚଳାଇ ରାସ୍ତାରେ ଯାଉଥିବା ତିନୋଟି ଦୁଇଚକିଆ ଗାଡିକୁ ଧକ୍କା ଦେଇଥିଲା। ଏଥିରେ କିଛି ଲୋକ ଆହତ ହେବା ସହ, ଗୋଟିଏ ଜାଗାରେ ବସଟି ପୁଲିସ ଗାଡ଼ିକୁ ମଧ୍ୟ ଧକ୍କା ଦେଇଥିଲା, ଯାହାଫଳରେ ଗାଡ଼ିଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ମେଟପଲ୍ଲୀ ସହରରେ ଏକ ଘରୋଇ ବସରେ ଚଢ଼ୁଥିବା କିଛି ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିଲେ। ଚୋରି ହୋଇଥିବା ବସଟି ସେମାନଙ୍କ ଅତି ନିକଟ ଦେଇ ଅତିକ୍ରମ କରିଥିଲା। ବସର ପିଛା କରୁଥିବା ପୁଲିସ ଇବ୍ରାହିମପଟ୍ଟନମ ଥାନାକୁ ସୂଚନା ଦେଇଥିଲେ।

ଏହାପରେ ସେଠାକାର ପୁଲିସ ହାଇୱେରେ ନିଜ ଗାଡ଼ି ରଖି ରାସ୍ତାକୁ ବନ୍ଦ କରିଦେଇଥିଲେ। ପଳାଇବାର କୌଣସି ଉପାୟ ନ ଦେଖି ଅଭିଯୁକ୍ତ ବସକୁ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ଦେଇ ସେ ନିଜେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ପୁଲିସ ତାଙ୍କୁ କାବୁ କରି ଗିରଫ କରିଥିଲା। ବର୍ତ୍ତମାନ ପୁଲିସ ଅଭିଯୁକ୍ତଙ୍କୁ ପଚରା ଉଚରା କରୁଛି। ତେବେ ବସ୍ ଚୋରି ପଛରେ ତାଙ୍କର ଉଦ୍ଦେଶ୍ୟ କ'ଣ ଥିଲା, ସେନେଇ ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।