Bride kills Fiance Pune shocker: ମୁସ୍କାନ ସୋନମ୍ ପରେ ସିଆ, କେତନ୍ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା
ପୁରୁଣା ପ୍ରେମ ପାଇଁ ଭାବି ସ୍ବାମୀଙ୍କୁ ହତ୍ୟା। ମହାରାଷ୍ଟ୍ର ପୁଣେ ରିୟଲ୍ ଇଷ୍ଟେଟ୍ ବ୍ୟବସାୟୀ କେତନ ଅଗ୍ରୱାଲ୍ ହତ୍ୟା ମାମଲାର ପୁରା କାହାଣୀ ପଦାକୁ ଆସିଛି। ଆଉ ମାସ କେଇଟାରେ ଯାହାକୁ କେତନ ବାହା ହେଇଥାନ୍ତେ ସେଇ ଝିଅ ସିୟା ହିଁ ତାଙ୍କୁ ହତ୍ୟା କରିଛନ୍ତି। ତାପୁଣି ନିଜ ବୟଫ୍ରେଣ୍ଡ ସହ ମିଶି। ହସ ହସ ମୁହଁ, ମନରେ ଅସୁମାରୀ ସ୍ବପ୍ନ, ୨୫ ବର୍ଷର ଏଇ ଜୀବନରେ ନୂଆ ସାଥୀକୁ ଆଣିବାକୁ କେତେ ଯେ ପ୍ରସ୍ତୁତି। ହେଲେ କିଏ ଜାଣିଥିଲା ଏଇ ସୁନ୍ଦର ଚେହେରା ଭିତରେ ଲୁଚି ରହିଛି ବିଷ। ପ୍ରେମ ନୁହେଁ ପ୍ରତାରଣା ଆଉ ହତ୍ୟାର ଯୋଜନା। ସାତ ଜନ୍ମ ନୁହେଁ ସାତ ସେକେଣ୍ଡରେ ଜୀବନ ଦୀପକୁ ଲିଭେଇ ଦେବାକୁ ଇଚ୍ଛା।
ମହାରାଷ୍ଟ୍ର ପୁଣେ କେତନ ଅଗ୍ରୱାଲ ହତ୍ୟା ମାମଲାକୁ ଯିଏ ଶୁଣୁଛି, ଛାତି ଫାଟି ଯାଉଛି। ବିଶ୍ବାସରେ ବିଷ ଦେଇ, ପରିବାରକୁ ଜଳାଞ୍ଜଳି ଦେଇ ୨୦ ବର୍ଷର ସିୟା ଯେ ଏତେ ବଡ଼ କାଣ୍ଡ ଭିଆଇ ପାରିବ ତାହା କେହି କଳନା ବି କରିପାରୁନାହାନ୍ତି। ପୁଣେର ରିୟଲ୍ ଇଷ୍ଟେଟ୍ ବ୍ୟବସାୟୀ ୨୫ ବର୍ଷିୟ କେତନ ଅଗ୍ରୱାଲଙ୍କୁ ହତ୍ୟା କରିଛନ୍ତି ତାଙ୍କ ଭାବି ସ୍ତ୍ରୀ ସିୟା ଗୋଏଲ। ଗତ ଫେବ୍ରୁଆରୀରେ ଅଗ୍ରୱାଲ୍ ଓ ଗୋଏଲ ପରିବାର ନିଜ ଅଳିଅଳ ପିଲାଙ୍କ ନିର୍ବନ୍ଧ କରାଇଥିଲେ। ନଭେମ୍ବରରେ ରାଜସ୍ଥାନ ଯୋଦ୍ଧପୁରରେ ୧୭ କୋଟି ଟଙ୍କାରେ ଡେଷ୍ଟିନେସନ୍ ମ୍ୟାରେଜ୍ ହେଇଥାନ୍ତା, ଚାଟାର୍ଡ ଫ୍ଲାଇଟ୍ ବି ବୁକ୍ ସରିଥିଲା। କେତନ ଓ ସିୟା ବି ପରିବାରର ସବୁ ଖୁସିରେ ନିଜ ଖୁସି ଖୋଜିଦେଇଥିଲେ। ପରସ୍ପରକୁ ଡେଟ୍ କରିବା, ଦେଖା ହେବା ଆଉ ବାହାରକୁ ବୁଲିବାକୁ ଯିବା...ଯେମିତି ସବୁ କପଲ୍ କରନ୍ତି ସେମିତି କିଛି...ଗତ ୧୯ ତାରିଖରେ ସିୟାଙ୍କ ଜନ୍ମଦିନର ଏଇ ଭିଡିଓ ଦେଖନ୍ତୁ। ଜୀବନର ସବୁଠୁ ବଡ଼ ଉପହାର ସିୟାଙ୍କ ପାଇଁ କେତେ କଣ କରିଥିଲେ କେତନ। ହେଲେ ଏଇ ହସୁଥିବା ମୁହଁ ଭିତରର ମନ ଯେ ନାଟକ କରୁଥିଲା ସେ କଥା ଟିକିଏ ବି ଭାବି ପାରିନଥିଲେ କେତନ। ବାସ୍ ଏଇ ଭୁଲ ହିଁ ତାଙ୍କ ଜୀବନ ନେଇଯାଇଛି।
ଗତ ୧୯ ତାରିଖରେ ମହାରାଷ୍ଟ୍ର ଲୋହାଗଡ଼ ଦୁର୍ଗକୁ ବୁଲିବାକୁ ଯାଇଥିଲେ କେତନ ଓ ସିୟା। ୪୦୦ ଫୁଟ୍ ଉଚ୍ଚରୁ ପ୍ରକୃତିର ସୌନ୍ଦର୍ଯ୍ୟକୁ ନିଜ ଭାବି ପତ୍ନୀ ସହ ଦେଖିବେ। ହେଲେ ସେଠି ପୂର୍ବରୁ ଲୁଚି ରହିଥିଲେ ସିୟାଙ୍କ ପ୍ରେମିକ ଚେତନ ଚୌଧୁରୀ। ଗଲା ୪ ବର୍ଷ ଧରି ଲୁଚି ଲୁଚି ପ୍ରେମ ଚାଲିଥିଲା, ଆଉ ଗଲା ୬ ମାସ ଧରି କେତନଙ୍କୁ ରାସ୍ତାରୁ ହଟାଇବାର ଷଡ଼ଯନ୍ତ୍ର। କେତେବେଳେ ସାପ ଦ୍ବାରା କାମୁଡ଼ି ମାରିବାକୁ ଚେଷ୍ଟା ହୋଇଥିଲା ତ ପୁଣି ସୁପାରୀ ଦେଇ... କିନ୍ତୁ ସବୁ ଫେଲ୍ ମାରିବା ପରେ ପାହାଡ଼ ଉପରୁ ଠେଲି ମାରିବାକୁ ପ୍ଲାନ୍ କରିଥିଲେ ଉଭୟ। ଆଉ ହତ୍ୟା ପୂର୍ବରୁ କେତନ ସହ ଯେମିତି ନାଟକ କରୁଥିଲେ. ହତ୍ୟା ପରେ ବି ସେମିତି ଡ୍ରାମା କରିଥିଲେ ପରିବାର ଓ ସମାଜ ସହ। ହେଲେ ସବୁ କିଛି ବିଗାଡ଼ି ଦେଇଥିଲା ସିସିଟିଭିରେ କଏଦ ହୋଇଥିବା ଏଇ ଦୃଶ୍ୟ। ୩୩ ଡିଗ୍ରୀ ତାତିରେ ମୁହଁ ମୁଣ୍ଡ ଘୋଡ଼ାଇ ଯାଉଥିବା ବ୍ୟକ୍ତି ଉପରେ ସନ୍ଦେହ ବଢ଼ିଥିଲା। ସିୟାଙ୍କ ବୟାନ ବି ତାଳମେଳ ଖାଉନଥିଲା...ଏଇ ଗୋଟିକ ଖିଅ ସବୁ ଘଟଣା ଉପରୁ ପରଦା ହଟାଇ ଦେଇଥିଲା।
ଏବେ ସିୟା... ସେବେ ମୁସକାନ୍ ଆଉ ତା ଆଗରୁ ସୋନମ୍...ଗଲା ବର୍ଷ ମେଘାଳୟକୁ ହନିମୁନ୍ ଯାଇଥିବା ରାଜା ରଘୁବଂଶୀଙ୍କୁ ପତ୍ନୀ ସୋନମ ନିଜ ପ୍ରେମିକ ସହ ମିଶି ହତ୍ୟା କରି ମିଛ ମିଛିକା ଡ୍ରାମା କରିଥିଲେ। ୟୁପି ମେରଟର ଡ୍ରମ୍ ହତ୍ୟାକାଣ୍ଡ ବୋଧେ ସବୁ ପାପକୁ ଟପିଯିବ। ମର୍ଚେଣ୍ଟ ନେଭି ଅଧିକାରୀ ସୌରଭ ରାଜପୁତଙ୍କୁ ତାଙ୍କ ପତ୍ନୀ ମୁସକାନ୍ ଓ ପ୍ରେମିକ ସାହିଲ ହତ୍ୟା କରିବା ପରେ ପାଣି ଡ୍ରମରେ କଙ୍କ୍ରିଟ୍ ସ୍ଲାବ୍ ପକାଇ ଦେଇଥିଲେ। ସ୍ଥାନ ଅଲଗା ଅଲଗା କିନ୍ତୁ ଅପରାଧର ମାନସିକତା ସବୁ ସମାନ। ଗୋଟିଏ ପ୍ରେମକୁ ପାଇବା ପାଇଁ ଆଉ ଏକ ପ୍ରେମକୁ ଜାଳି ଦିଆଯାଉଛି। ପରିବାର, ପିଲା ଛୁଆକୁ ଭୁଲି ମଣିଷ ସାଜୁଛି ଜହ୍ଲାଦ। ଏଠି ନା ଟଙ୍କା କାରଣ.. ନା ଚେହେରା...ଖାଲି ମାନସିକତା ହିଁ ଏସବୁ ଅପରାଧର ପ୍ରମୁଖ କାରଣ।