Poor Father Hands Over Children To CWC: ସୁନ୍ଦରଗଡ଼ରେ ଭୋକର ବିକଳ ଚିତ୍ର, ଭାତ ମୁଠାଏ ପାଇଁ ବାପାର କୋଳ ଖାଲି ହୋଇଗଲା
ଭୋକ ଜିତିଗଲା, ଜଣେ ବାପା ହାରିଗଲା। ଭୋକ କେତେ ନିଷ୍ଠୁର ହୋଇପାରେ, ତାର ହୃଦୟ ବିଦାରକ ଚିତ୍ର ଆସିଛି ସୁନ୍ଦରଗଡ଼ରୁ। ଯେଉଁଠି ଜଣେ ଅସହାୟ ବାପା ନିଜର ତିନି ତିନିଟି ଛୁଆଙ୍କୁ ପୋଷି ନପାରି ଶେଷରେ ଶିଶୁ ମଙ୍ଗଳ କମିଟି ହାତରେ ଟେକି ଦେଇଛନ୍ତି। ମୁହଁରେ ଅସହାୟତା...ଆଖିରେ ଅକୁହା ଯନ୍ତ୍ରଣା। ମନ ମୁକ ପାଲଟିଯାଇଛି, ଆଉ ଛାତି ପଥର ହୋଇଯାଇଛି। କାରଣ ସେ ଯାହା କରିଛନ୍ତି ତାହା କୌଣସି ବାପା କେବେ ସ୍ୱପ୍ନରେ ବି ଭାବିନଥିବେ। ଯେଉଁ ହାତ ଧରି ଛୁଆଙ୍କୁ ଚାଲିବା ଶିଖାଇଥିଲେ, ଯେଉଁ ହାତରେ ଛୁଆଙ୍କ ଭବିଷ୍ୟତ ଗଢୁଥିଲେ, ଆଜି ସେଇ ହାତରେ ନିଜ କଲିଜାର ତିନି ତିନିଟି ଖଣ୍ଡକୁ ଅନ୍ୟ ହାତରେ ଟେକି ଦେଇଛନ୍ତି।
ଏ କେଉଁ ସିନେମାର ନୁହେଁ...ଏ ହେଉଛି ବାସ୍ତବତାର ନିଷ୍ଠୁର କାହାଣୀ। ଜଣେ ବାପାର ହାରିଯିବାର କାହାଣୀ... ଭୋକ ଆଗରେ, ଦାରିଦ୍ର୍ୟ ଆଗରେ, ଅସହାୟତା ଆଗରେ ହାରିଯାଇଛି ବାପାର ମମତା। ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା କିଂକିବନ୍ଧ ଗାଁର ରାହୁଲ କମାର। ଯାହାଙ୍କଠୁ ଦାରିଦ୍ର୍ୟ ଛଡ଼ାଇନେଇଛି ବାପା-ଛୁଆର ସମ୍ପର୍କ। ପିଲାଙ୍କ ପେଟକୁ ଦାନା ଗଣ୍ଡେ ଦେଇନପାରି ଭାଗ୍ୟ ଆଗରେ ହାତ ଟେକିଦେଇଛନ୍ତି ରାହୁଲ। ଶେଷରେ ଦୁଇ ଝିଅ ଓ ଗୋଟିଏ ପୁଅକୁ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଦେଇଛନ୍ତି।
ରାହୁଲ ପେଶାରେ ଜଣେ ଦିନ ମଜୁରିଆ। ଦିନେ କାମ ନମିଳିଲେ ଘରେ ଚୁଲି ଜଳେନି। ସରକାରୀ ଯୋଜନାରେ ବି ତାଙ୍କର ନାଁ ନାହିଁ। ଚାରି ବର୍ଷ ତଳେ ସ୍ତ୍ରୀ ଅନ୍ୟ ଜଣେ ଯୁବକଙ୍କ ସହ ଚାଲିଯିବା ପରେ ତିନି ତିନିଟି ଛୁଆଙ୍କ ଦାୟିତ୍ୱ ଏକାକି ବୋହି ଆସୁଥିଲେ। ହେଲେ ଅଭାବ, ଅନଟନ ଆଉ ଭୋକ ଆଗରେ ଶେଷରେ ଭାଙ୍ଗି ପଡ଼ିଥିଲେ। ନିଜେ ଉପାସରେ ରହିଲେ ବି ଛୁଆଙ୍କ ପେଟକୁ ଦାନା ଦେବା ସମ୍ଭବ ହେଉନଥିଲା। ପ୍ରତିଦିନ ପର ଘରୁ ମାଗି ଖାଇ ଚଳୁଥିଲା ତିନି କୁନି ଜୀବନ। ପିଲାମାନଙ୍କ ଦୟନୀୟ ଅବସ୍ଥା ଦେଖି ଗ୍ରାମବାସୀ ବି ଚିନ୍ତା ପ୍ରକାଶ କରିଥିଲେ। ଶେଷରେ ପିଲାଙ୍କ ଭୋକ ମେଣ୍ଟାଇବାକୁ ନିଜ ମମତାକୁ ବଳି ଦେବାକୁ ନିଷ୍ପତ୍ତି ନେଇଥିଲେ ରାହୁଲ। CWC ସହ ଯୋଗାଯୋଗ କରି ପିଲାମାନଙ୍କୁ ଶିଶୁ ସୁରକ୍ଷା ବ୍ୟବସ୍ଥା ଅଧୀନକୁ ନିଆଯାଇଛି।
ସେପଟେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି, ପରିବାର ପାଖରେ ଆବଶ୍ୟକ କାଗଜପତ୍ର ନଥିବାରୁ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିଲେ ରାହୁଲ। ବର୍ତ୍ତମାନ ନିୟମ ଅନୁଯାୟୀ ପିଲାମାନଙ୍କୁ ସମସ୍ତ ସୁରକ୍ଷା, ଶିକ୍ଷା ଓ ରହିବାର ସୁବିଧା ଯୋଗାଇ ଦିଆଯିବ।
ଭାତ ମୁଠାଏ ପାଇଁ ବାପାର କୋଳ ଖାଲି ହୋଇଗଲା। ଗରିବୀ ଓ ଅସହାୟତାର ଏହି ଚିତ୍ର ଖାଲି ମନକୁ ଆନ୍ଦୋଳିତ କରୁନି, ନାନା ପ୍ରଶ୍ନ ବି ପଚରାଉଛି- ଖଣିଖାଦାନ ଭରା ସୁନ୍ଦରଗଡ଼ ମାଟିରେ ଭୋକର ବିକଳ ଚିତ୍ର ଏମିତି କେତେଦିନ? ରାହୁଲଙ୍କ ପାଖରେ କାହିଁକି ପହଞ୍ଚିନଥିଲା ସରକାରୀ ଯୋଜନା? ରାସନ ତାଲିକାରେ ନାଁ ଯୋଡ଼ି ହୋଇନଥିଲା କାହିଁକି ? ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନ ରାହୁଲଙ୍କ ଅବସ୍ଥା ନେଇ ଅବଗତ ନଥିଲେ ନା ଦେଖିଶୁଣି ଅନ୍ଧ ସାଜିଥିଲେ?