Bengaluru Horror: ମହିଳାଙ୍କୁ ହତ୍ୟା ଅଭିଯୋଗ, ବେଡସିଟରେ ଗୁଡ଼ାଇ ଘରେ ଲୁଚାଇ ରଖିଥିଲା ସ୍ୱାମୀ
ବେଙ୍ଗାଲୁରୁରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ବିହାରର ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିବା ପରେ ମୃତଦେହକୁ ବେଡ୍ସିଟ୍ରେ ଗୁଡ଼ାଇ ଘରେ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି। ପ୍ରାୟ ୫ ଦିନ ପରେ ଘରୁ ଦୁର୍ଗନ୍ଧ ଆସିବାରୁ ଘଟଣା ପଦାକୁ ଆସିଥିଲା।
ମୃତ ମହିଳାଙ୍କ ନାମ ରୀମା କୁମାରୀ ବୋଲି ଜଣାପଡ଼ିଛି। ଏହି ଘଟଣା ବେଙ୍ଗାଲୁରୁର ଉପକଣ୍ଠ କୁମ୍ବଳଗୋଡୁ ଥାନା ଅଞ୍ଚଳରେ ଘଟିଛି। ଘଟଣାରେ ମହିଳାଙ୍କ ସ୍ୱାମୀ ଧୀରଜ କୁମାରକୁ ମୁଖ୍ୟ ଅଭିଯୁକ୍ତ ଭାବେ ସନ୍ଦେହ କରୁଛି ପୋଲିସ।
କାମକୁ ନ ଆସିବାରୁ ଖୋଲିଲା ରହସ୍ୟ
ପୋଲିସ ସୂଚନା ଅନୁସାରେ, ରୀମା କୁମାରୀ ଓ ତାଙ୍କ ସ୍ୱାମୀ ଧୀରଜ କୁମାର ପ୍ରାୟ ଏକ ବର୍ଷ ପୂର୍ବରୁ ଚାକିରି ଖୋଜି ବିହାରରୁ ବେଙ୍ଗାଲୁରୁ ଆସିଥିଲେ। ଉଭୟେ ଗେରୁପାଲ୍ୟା ଅଞ୍ଚଳର ଏକ କାରଖାନାରେ କାମ କରୁଥିଲେ।
କିଛି ଦିନ ଧରି ରୀମା କାମକୁ ନ ଆସିବାରୁ ତାଙ୍କ ସହକର୍ମୀ ଓ ସାଙ୍ଗସାଥୀଙ୍କ ସନ୍ଦେହ ହୋଇଥିଲା। ପରେ ସେମାନେ ଗୁରୁବାର ଦିନ ଦମ୍ପତିଙ୍କ ଭଡ଼ା ଘରକୁ ଯାଇଥିଲେ। ସେଠାରୁ ଦୁର୍ଗନ୍ଧ ଆସୁଥିବା ଅନୁଭବ କରିବା ପରେ ଘର ମାଲିକଙ୍କୁ ଖବର ଦିଆଯାଇଥିଲା।
ଘର ଖୋଲିବା ପରେ ଭିତରେ ରୀମାଙ୍କ ମୃତଦେହ ମିଳିଥିଲା। ପୋଲିସ କହିଛି ଯେ, ମୃତଦେହଟି ଅତ୍ୟଧିକ ପଚି ଯାଇଥିଲା ଏବଂ ଏହାକୁ ବେଡ୍ସିଟ୍ରେ ଗୁଡ଼ାଇ ଘରର ଟଏଲେଟ୍ ନିକଟରେ ରଖାଯାଇଥିଲା।
ହତ୍ୟା ପରେ ବିହାର ପଳାଇଥିବା ସନ୍ଦେହ
ପ୍ରାଥମିକ ତଦନ୍ତରୁ ପୋଲିସ ଅନୁମାନ କରୁଛି ଯେ, ରବିବାର ଦିନ ଏହି ହତ୍ୟାକାଣ୍ଡ ଘଟିଥାଇପାରେ। ପଡ଼ୋଶୀମାନେ ଗତ ୪ ଦିନ ଧରି ରୀମାଙ୍କୁ ଦେଖିନଥିବା କହିଛନ୍ତି, ତେବେ ସେ ଅନ୍ୟ କେଉଁଠି ଯାଇଥିବେ ବୋଲି ଭାବିଥିଲେ।
ପୋଲିସର ସନ୍ଦେହ ଅନୁସାରେ, ହତ୍ୟା ପରେ ଧୀରଜ କୁମାର ବିହାରକୁ ଚାଲିଯାଇଛି। ତାକୁ ଧରିବା ପାଇଁ ପୋଲିସ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ ହୋଇଛି।
ପୋଷ୍ଟମର୍ଟମ ପାଇଁ ପଠାଗଲା ମୃତଦେହ
ଅଧିକ ଦିନ ଧରି ରହିଥିବାରୁ ମୃତଦେହର ଅବସ୍ଥା ଖରାପ ହୋଇଯାଇଛି । ଏହାକୁ ପୋଷ୍ଟମର୍ଟମ ପାଇଁ ମର୍ଚୁଆରିକୁ ପଠାଯାଇଛି। ହତ୍ୟା ସଂପର୍କରେ ଅଧିକ ଜାଣିବା ପାଇଁ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ଏବଂ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରୁଛି।
ଘଟଣାକୁ ନେଇ କୁମ୍ବଳଗୋଡୁ ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।