BCCI To Take Big Step: ଟିମ୍ ଇଣ୍ଡିଆର ଲଗାତାର ପରାଜୟ, ଆକ୍ସନ ନେବ ବିସିସିଆଇ

Jul 10, 2026 - 15:45
BCCI To Take Big Step: ଟିମ୍ ଇଣ୍ଡିଆର ଲଗାତାର ପରାଜୟ, ଆକ୍ସନ ନେବ ବିସିସିଆଇ

ଚିନ୍ତାରେ ଭାରତୀୟ କ୍ରିକେଟ୍। ଆୟରଲ୍ୟାଣ୍ଡ ପରେ ଏବେ ଇଂଲଣ୍ଡ ମାଟିରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ। ଟି-୨୦ ବିଶ୍ୱକପ୍ ବିଜେତା ଭାରତୀୟ ଦଳ ଏବେ ସିରିଜ୍ ହରାଇବା ପରେ ବିସିସିଆଇ ବଡ଼ ଆକ୍ସନ ନେବାକୁ ପ୍ରସ୍ତୁତ ହେଉଛି।

ବ୍ରିଷ୍ଟଲ୍‌ରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ୯ ଉଇକେଟ୍‌ରେ ପରାସ୍ତ ହୋଇଛି ଭାରତ। ଏହି ପରାଜୟ ସହ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ୩-୦ରେ ହାତେଇ ନେଇଛି ଇଂଲଣ୍ଡ। ପ୍ରଥମ ମ୍ୟାଚ୍ ବାତିଲ୍ ହେବା ପରେ, ଦ୍ୱିତୀୟ ମ୍ୟାଚ୍‌କୁ ୪ ଉଇକେଟ୍ ଓ ତୃତୀୟ ମ୍ୟାଚ୍‌କୁ ୧୨୫ ରନ୍‌ର ବଡ଼ ବ୍ୟବଧାନରେ ଜିତିଥିଲା ଇଂଲଣ୍ଡ।

ଚତୁର୍ଥ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୭ ଉଇକେଟ୍‌ ହରାଇ ୧୫୮ ରନ୍ କରିଥିଲା। ଅଧିନାୟକ ଶ୍ରେୟସ ଆୟର ୮୦ ରନ୍‌ର ଏକ ଲଢୁଆ ଇନିଂସ ଖେଳିଥିଲେ ମଧ୍ୟ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ତାଙ୍କୁ ସାଥ୍ ଦେଇନଥିଲେ। ଜବାବରେ ଇଂଲଣ୍ଡ ଦଳ ମାତ୍ର ୧୩.୫ ଓଭରରେ ୧ ଉଇକେଟ୍ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଇଂଲଣ୍ଡ ଅଧିନାୟକ ହ୍ୟାରୀ ବ୍ରୁକ ଅପରାଜିତ ୭୯ ରନ୍ ଏବଂ ଫିଲ୍ ସଲ୍ଟ ୫୯ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ।

ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ନୂଆ ଅଧିନାୟକ କରାଯିବା ପରେ, ଭାରତ ପ୍ରଥମେ ଆୟରଲ୍ୟାଣ୍ଡଠାରୁ ୨-୦ରେ ଏବଂ ଏବେ ଇଂଲଣ୍ଡଠାରୁ ସିରିଜ୍ ହାରିଛି। ଦୁଇ ବା ଦୁଇରୁ ଅଧିକ ମ୍ୟାଚ୍ ବିଶିଷ୍ଟ ଦ୍ୱିପାକ୍ଷିକ ଟି-୨୦ ସିରିଜ୍‌ରେ ଭାରତ ବିପକ୍ଷରେ ଏହା ଇଂଲଣ୍ଡର ପ୍ରଥମ ସିରିଜ୍ ବିଜୟ।

ଏହି ଶୋଚନୀୟ ପ୍ରଦର୍ଶନ ପରେ ବିସିସିଆଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁସାରେ, ଖୁବ୍‌ଶୀଘ୍ର ଖେଳାଳି ଏବଂ କୋଚିଂ ଷ୍ଟାଫ୍‌ଙ୍କ ପ୍ରଦର୍ଶନର ସମୀକ୍ଷା କରାଯିବ। ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ଚୁକ୍ତି ୨୦୨୭ ପର୍ଯ୍ୟନ୍ତ ଥିଲେ ମଧ୍ୟ, ଦଳର ସାମ୍ପ୍ରତିକ ଖରାପ ପ୍ରଦର୍ଶନ ଯୋଗୁଁ ତାଙ୍କ ପଦବୀ ଏବେ ସ୍କାନରକୁ ଆସିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।