Bangladesh Eyes Chinese Jets: ଚୀନର J-10CE ଜେଟ୍ କିଣିବ ବାଂଲାଦେଶ, କ'ଣ କରିବ ଭାରତ?
ଭାରତର ପୂର୍ବ ସୀମାରେ ବଦଳୁଛି ସାମରିକ ସମୀକରଣ। ଚୀନର ଆଧୁନିକ J-10CE ଯୁଦ୍ଧବିମାନ କିଣିବାକୁ ଯାଉଛି ବାଂଲାଦେଶ। ପାକିସ୍ତାନ ବ୍ୟବହାର କରୁଥିବା ଏହି ଯୁଦ୍ଧବିମାନକୁ ନେଇ ଏବେ ବଢ଼ିଛି ଚର୍ଚ୍ଚା।
ଖବର ଅନୁସାରେ, ବାଂଲାଦେଶ ୨୪ଟି ଚୀନ ନିର୍ମିତ J-10CE ଫାଇଟର ଜେଟ୍ କିଣିବା ଯୋଜନାକୁ ଆଗକୁ ବଢ଼ାଉଛି। ଚଳିତ ସପ୍ତାହରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ଅଗଷ୍ଟ ମାସରେ ଚୁକ୍ତି ସ୍ୱାକ୍ଷର ହୋଇପାରେ।
J-10CE ହେଉଛି ଚୀନର ଅତ୍ୟାଧୁନିକ ୪.୫ ପିଢ଼ିର ବହୁମୁଖୀ ଯୁଦ୍ଧବିମାନ। ଏହି ବିମାନ ପାକିସ୍ତାନ ବାୟୁସେନା ମଧ୍ୟ ବ୍ୟବହାର କରୁଛି ଏବଂ ଅପରେସନ୍ ସିନ୍ଦୂର ସମୟରେ ଏହା ଭାରତୀୟ ବାୟୁସେନାର ରାଫାଲ ଓ ସୁଖୋଇ ବିମାନ ସହ ଆକାଶ ଯୁଦ୍ଧରେ ସାମିଲ ହୋଇଥିଲା।
ବାଂଲାଦେଶର ‘ଫୋର୍ସେସ୍ ଗୋଲ୍-୨୦୩୦’ ଆଧୁନିକୀକରଣ କାର୍ଯ୍ୟକ୍ରମ ଅଧୀନରେ ଏହି କ୍ରୟ ହେବାକୁ ଯାଉଛି। ପ୍ରତି ବିମାନର ମୂଲ୍ୟ ପ୍ରାୟ ୪୦ ମିଲିୟନ୍ ଡଲାର ଥିବା ବେଳେ ସମ୍ପୂର୍ଣ୍ଣ ଚୁକ୍ତିର ମୂଲ୍ୟ ୨.୨ ବିଲିୟନ୍ ଡଲାର ହୋଇପାରେ।
ଏହି ବିମାନରେ ରହିଛି ଅତ୍ୟାଧୁନିକ AESA ରାଡାର, ଦୀର୍ଘ ପାଲ୍ଲାର PL-15 ମିସାଇଲ ଏବଂ ଏକାଧିକ ଲକ୍ଷ୍ୟକୁ ଏକାସାଙ୍ଗରେ ଟାର୍ଗେଟ କରିବାର କ୍ଷମତା। ଫଳରେ ବାଂଲାଦେଶ ବାୟୁସେନାର କ୍ଷମତାରେ ବଡ଼ ଧରଣର ବୃଦ୍ଧି ହୋଇପାରେ।
ତେବେ ସାମରିକ ବିଶେଷଜ୍ଞଙ୍କ ମତରେ, ଭାରତର ପୂର୍ବାଞ୍ଚଳରେ ମୁତୟନ ରାଫାଲ ଓ ସୁଖୋଇ ଯୁଦ୍ଧବିମାନ ସହିତ ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଥିବାରୁ ତୁରନ୍ତ କୌଣସି ସାମରିକ ସନ୍ତୁଳନ ବଦଳିବାର ସମ୍ଭାବନା କମ୍।
କିନ୍ତୁ ଏହି ଚୁକ୍ତି ବାଂଲାଦେଶର ଚୀନ ଉପରେ ସାମରିକ ନିର୍ଭରଶୀଳତାକୁ ବଢ଼ାଇବା ସହ ଭାରତର ପୂର୍ବ ପଡ଼ୋଶୀ ଅଞ୍ଚଳରେ ବେଜିଂର ପ୍ରଭାବକୁ ଅଧିକ ମଜବୁତ କରିପାରେ।
ସେପଟେ, ଭାରତ ସୀମା ନିକଟ ଲାଲମୋନିରହାଟ ବିମାନଘାଟିର ଆଧୁନିକୀକରଣକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଯଦିଓ ବାଂଲାଦେଶ ସରକାର କହିଛନ୍ତି, ଏହା କେବଳ ନିଜସ୍ୱ ସାମରିକ ଆବଶ୍ୟକତା ପାଇଁ କରାଯାଉଛି।