Welcome!

Unlock your personalized experience.
Sign Up

Banana Market: ଓଡ଼ିଶା ବଜାରରେ ଆନ୍ଧ୍ର କଦଳୀ ରାଜ୍‌; ଦୈନିକ ଆସୁଛି ୧୦୦୦ ଟନ୍‌ , ଠାକୁର ପୂଜାଠୁ ଜଳଖିଆ ସବୁଠି ଆଗ ଲୋଡ଼ା

Jul 21, 2026 - 09:23
Banana Market: ଓଡ଼ିଶା ବଜାରରେ ଆନ୍ଧ୍ର କଦଳୀ ରାଜ୍‌; ଦୈନିକ ଆସୁଛି ୧୦୦୦ ଟନ୍‌ , ଠାକୁର ପୂଜାଠୁ ଜଳଖିଆ ସବୁଠି ଆଗ ଲୋଡ଼ା

ଭୁବନେଶ୍ୱର, ୨୧/୦୭:  ଓଡ଼ିଶା  ବଜାରରେ ରାଜ୍‌ କରୁଛି ଆନ୍ଧ୍ରପ୍ରଦେଶ  କଦଳୀ । ଠାକୁର ପୂଜାଠୁ ଆରମ୍ଭକରି  ଜଳଖିଆ ପର୍ଯ୍ୟନ୍ତ ସବୁଠି ଆଗ ଲୋଡ଼ା  ପଡ଼ୁଛି ଆନ୍ଧ୍ର କଦଳୀ । ଓଡ଼ିଶାରେ ଚାଷ ହେଉଥିବା କଦଳୀ ବଜାରରେ ନାହିଁ କହିଲେ ଚଳେ । ଯଦିଓ ଓଡ଼ିଶାର ଜଳବାୟୁ କଦଳୀ  ଚାଷ ପାଇଁ ଉପଯୋଗୀ ହେଲେ ବଜାରରେ  ଉପଲବ୍ଧ ହେଲାଭଳି ଚାଷ ହେଉନଥିବାରୁ ଓଡ଼ିଶା ବଜାର ସମ୍ପୂର୍ଣ୍ଣ ଭାବେ ଆନ୍ଧ୍ର  ଉପରେ ନିର୍ଭର କରୁଛି । ବ୍ୟବସାୟୀଙ୍କ  କହିବା କଥା ଯଦି ଆନ୍ଧ୍ରରୁ କଦଳୀ ନ  ଆସିବ ଲୋକଙ୍କ କଥା ଛାଡ଼ନ୍ତୁ, ଠାକୁରଙ୍କ ପାଖରେ ବି କଦଳୀ ଭୋଗ ଲାଗି ପାରିବନି ।  

ରାଜଧାନୀ ସମେତ ଓଡ଼ିଶା  ବଜାରରେ ମୁଖ୍ୟତଃ ତିନି ପ୍ରକାରର କଦଳୀ ମିଳେ । ଦୁଇ ପ୍ରକାର ଡର୍ଜନ ଆକାରରେ ବିକ୍ରି ହୁଏ ଯଥା ହଳଦିଆ ଚମ୍ପା କଦଳୀ  ଓ ମୋଟା ଭୁସାବଳି କଦଳୀ ଏବଂ କେଜି ହିସାବରେ ବିକ୍ରି ହୁଏ ଜି୯ (ସିଙ୍ଗାପୁରୀ) ।  ଯାହା ମୁଖ୍ୟତଃ ଆନ୍ଧ୍ର ସମେତ ପଶ୍ଚିମବଙ୍ଗ  ଓ ମହାରାଷ୍ଟ୍ରରୁ କିଛି ମାତ୍ରାରେ ଆସୁଛି । ମନ୍ଦିରଗୁଡ଼ିକରେ ଭୋଗ ଲାଗୁଥିବା ଚମ୍ପା  ଓ ଭୁସାବଳି କଦଳୀ ଡର୍ଜନର ମୂଲ୍ୟ ୫୦  ରୁ ୬୦ ଟଙ୍କା ରହୁଥିବା ବେଳେ କେଜି ଆକାରରେ ବିକ୍ରି ହେଉଥିବା ଜି୯ କଦଳୀ  ୫୦ ଟଙ୍କା ରହୁଛି ।

​​​​​​​ଅଧିକ ପଢ଼ନ୍ତୁ :-  Fish price hike : ବନ୍ୟା ପାଇଁ ଆନ୍ଧ୍ରରୁ ଆସୁନି ଗାଡ଼ି, ବଜାରରେ ନିଅଣ୍ଟ ପଡ଼ିବ ଅଣ୍ଡା-ମାଛ, ମନଇଚ୍ଛା ଦର କଷିଲେଣି ବେପାରୀ

ସୂଚନା ଅନୁଯାୟୀ  ଆନ୍ଧ୍ରରୁ ଦୈନିକ ପ୍ରାୟ ୧୦୦ ଟ୍ରକ୍‌ କଦଳୀ  ଓଡ଼ିଶାକୁ ଆସୁଛି । ଅର୍ଥାତ୍‌ ଗୋଟେ ଟ୍ରକ୍‌ରେ  ୧୦ ଟନ୍‌ କଦଳୀ ଆସେ । ସେହି ହିସାବରେ  ପ୍ରାୟ ୧୦୦୦ ଟନ୍‌ କଦଳୀ ଆନ୍ଧ୍ରରୁ ଆସୁଛି । ରାଜଧାନୀ ଭୁବନେଶ୍ୱର କଥା ଯଦି  କହିବା ତେବେ ଦୈନିକ ପ୍ରାୟ ୫୦ ଟନ୍‌  କଦଳୀ ଆସୁଛି । ଯଦିଓ ଓଡ଼ିଶାର ଗଞ୍ଜାମ, ଅନୁଗୋଳ, ପାଟଣାଗଡ଼, କୋରାପୁଟ,  ସମ୍ବଲପୁର, ରେଢ଼ାଖୋଲ, ଖୋର୍ଦ୍ଧା, ପୁରୀ,  ଭଦ୍ରକ, ବାଲେଶ୍ୱରରେ କଦଳୀ ଚାଷ  ହେଉଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ।  ଯେଉଁ ଅଞ୍ଚଳରେ ଏହା ଚାଷ ହେଉଛି ସେହି  ଅଞ୍ଚଳର ଛୋଟ ବଡ଼ ଫଳ ଦୋକାନ ପର୍ଯ୍ୟନ୍ତ ଓଡ଼ିଶାର କଦଳୀ ସୀମିତ ରହୁଛି । ଗୋଦାମ ପର୍ଯ୍ୟନ୍ତ ପହଞ୍ଚି ପାରୁନାହିଁ ।  

ଭୁବନେଶ୍ୱର ଫ୍ରୁଟ୍‌ସ ହୋଲ୍‌ସେଲର  ଆସୋସିଏସନ୍‌ର ସଦସ୍ୟ କୈଳାଶ ଚନ୍ଦ୍ର  ମହାନ୍ତି କୁହନ୍ତି, କଦଳୀ ପାଇଁ ଆମେ ଆନ୍ଧ୍ର,  ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଉପରେ ନିର୍ଭର  କରୁଛୁ । ରାଜ୍ୟକୁ ଆସୁଥିବା କଦଳୀ ମଧ୍ୟରୁ  ୭୦ ଭାଗ ଆନ୍ଧ୍ରରୁ ଆସୁଥିବା ବେଳେ ୩୦  ଭାଗ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରୁ ଆସୁଛି ।  କଦଳୀ ପାଇଁ ଆମେ ବାହାର ରାଜ୍ୟ ଉପରେ  ନିର୍ଭର । ପର୍ବପର୍ବାଣୀ ବେଳେ କଦଳୀ  ଆମଦାନୀ କମ୍‌ ରହିଲେ ଦର ବଢ଼ିଯାଏ ।    

ଓୟୁଏଟିର ଉଦ୍ୟାନ ବିଭାଗ  ବୈଜ୍ଞାନିକ ଡ. ସୌଦାମିନୀ ସ୍ୱାଇଁ କହନ୍ତି,  ରାଜ୍ୟର ଜଳବାୟୁ ସବୁପ୍ରକାରର କଦଳୀ  ଚାଷ ପାଇଁ ଉପଯୁକ୍ତ । ସେଥିପାଇଁ ପ୍ରାୟ  ସବୁ ସମୟରେ କଦଳୀ ଚାଷ କରିହେବ ।  ଶୀତ ମଧ୍ୟ ଏଠାରେ ଅତ୍ୟଧିକ ହୁଏନାହିଁ ।  ବର୍ତ୍ତମାନ ଜି୯ କଦଳୀ ଭରପୁର ମାତ୍ରାରେ  ଓଡ଼ିଶାରେ ଚାଷ ହେଉଛି । ଚମ୍ପା, ବନ୍ତଳ,  ପାଟକାପରା ଭଳି କଦଳୀ ଟିକେ  କମ୍‌ ଚାଷ ହେଉଛି । ମୁଖ୍ୟତଃ ପୁରୀ,  ପିପିଲି, କଳାହାଣ୍ଡି, ରାୟଗଡ଼ା, ଭଦ୍ରକ,  ବାଲେଶ୍ୱରରେ କଦଳୀ ଚାଷ ହେଉଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।