Ayesha Khan Detained by Mumbai Police: ଆୟଶା ଖାନଙ୍କୁ ଉଠାଇ ନେଲା ପୋଲିସ, ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ
'ଧୁରନ୍ଧର' ଫିଲ୍ମର ଗୀତ 'ଶରାରତ' ଜରିଆରେ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ଆୟଶା ଖାନ ମୁମ୍ବାଇ ପୁଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କ ଦାବି ଅନୁସାରେ, ଛାତ୍ରମାନଙ୍କ ପ୍ରତିବାଦକୁ ସମର୍ଥନ ଜଣାଇବା ପାଇଁ ମୁମ୍ବାଇର ଦାଦରରେ ପହଞ୍ଚିବା ବେଳେ ବିନା କାରଣରେ ପୁଲିସ ତାଙ୍କୁ ଜବରଦସ୍ତି ଭ୍ୟାନରେ ବସାଇ ହେପାଜତକୁ ନେଇଥିଲା। ଏ ସମ୍ପର୍କରେ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ଘଟଣା ବାବଦରେ ସେୟାର କରିଛନ୍ତି। ଘଟଣାକୁ ନେଇ ସୋସିଆଲ ମିଡିଆରେ ଏବେ ଜୋରଦାର ଚର୍ଚ୍ଚା ଚାଲିଛି।
ଆୟଶାଙ୍କ କହିବା ଅନୁସାରେ, ସେ ଓ ତାଙ୍କର କିଛି ସାଥୀ ଦାଦରରେ ହେଉଥିବା ଛାତ୍ର ପ୍ରତିବାଦରେ ଯୋଗ ଦେବାକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୪ଟା ସମୟରେ ସେଠାରେ ପହଞ୍ଚିବା ପରେ ସେ କିଛି କରିବା ପୂର୍ବରୁ ହିଁ ଜଣେ ପୁଲିସ ଅଧିକାରୀ ତାଙ୍କୁ ପ୍ରତିବାଦ କରିବାକୁ ବାରଣ କରିଥିଲେ।
ଏହାର ଜବାବରେ Ayesha Khan ପଚାରିଥିଲେ, "ତେବେ କୁହନ୍ତୁ, ଆମ ପାଇଁ ଆଉ କଣ ରାସ୍ତା ଅଛି?" କିନ୍ତୁ ତାଙ୍କ କହିବା ଅନୁସାରେ, ଆଲୋଚନା ଆରମ୍ଭ ହେବା ପୂର୍ବରୁ ହିଁ ପୁଲିସ ତାଙ୍କ ଭାଇ ଓ ଜଣେ ବନ୍ଧୁଙ୍କୁ ଟାଣି ନେଇଥିଲା। ପରେ ପ୍ରାୟ ୧୫ ଜଣ ପୁଲିସ କର୍ମଚାରୀ ତାଙ୍କୁ ଓ ସହଯୋଗୀ ମାନଙ୍କୁ ଜବରଦସ୍ତି ପୁଲିସ ଭ୍ୟାନରେ ବସାଇଦେଇଥିଲେ।
ଆୟଶା କହିଛନ୍ତି, "୪ରୁ ୫ ଜଣ ମହିଳା ପୁଲିସ ମୋତେ ଟାଣି ନେଇଥିଲେ। ମୁଁ ଭ୍ୟାନରେ ନ ଚଢ଼ିବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରିଥିଲି, କିନ୍ତୁ ସେମାନେ ଜବରଦସ୍ତି ଭିତରକୁ ନେଇଗଲେ।" ଭ୍ୟାନ୍ ଭିତରେ ଆମେ ବାରମ୍ବାର ପଚାରୁଥିଲୁ ଆମକୁ କାହିଁକି ଅଟକାଇଲେ? ଆମେ କଣ ଭୁଲ କରିଛୁ? କିନ୍ତୁ କେହି ବି କୌଣସି ଉତ୍ତର ଦେଲେ ନାହିଁ।
ଦାଦରରୁ ଆମକୁ ୱର୍ଲିକୁ ନିଆଗଲା, ତଥାପି କାହିଁକି ହେପାଜତକୁ ନିଆଗଲା ତାହାର କୌଣସି ସ୍ପଷ୍ଟୀକରଣ ମିଳିଲା ନାହିଁ। ତାଙ୍କ କହିବା କଥା ୱର୍ଲିରେ ପୁଲିସ ସମ୍ମାନର ସହ କଥାବାର୍ତ୍ତା କରିଥିଲେ ମଧ୍ୟ ଘଟଣା ସ୍ଥଳରୁ କାହିଁକି ହେପାଜତକୁ ନିଆଗଲା ବୋଲି ପ୍ରଶ୍ନ କରିଛନ୍ତି।
ଆୟଶା ଆଉ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ପୁଲିସ ତାଙ୍କୁ ଭ୍ୟାନରେ ବସାଉଥିବା ଏକ ଭିଡିଓ ସେୟାର କରି ଲେଖିଛନ୍ତି, "ଶାନ୍ତିପୂର୍ଣ୍ଣ ଭାବେ ଠିଆ ହୋଇଥିବା ବେଳେ ମୋତେ ଜବରଦସ୍ତି ହେପାଜତକୁ ନିଆଗଲା। ମୁଁ ବାରମ୍ବାର ପଚାରିଲି କାହିଁକି ଅଟକ ରଖାଯାଉଛି, କିନ୍ତୁ କୌଣସି ଉତ୍ତର ମିଳିଲା ନାହିଁ। ରାସ୍ତାରେ ଛିଡା ହେବା କେବେ ଠାରୁ ଅପରାଧ ହେଲା?"
"ଆଜି ମୁଁ ମୋ ଜୀବନର ସବୁଠୁ ଭଲ ନିଦରେ ଶୋଇବି, କାରଣ ମୁଁ ସତ୍ୟ ପକ୍ଷରେ ଠିଆ ହୋଇଥିଲି। ଏବେ ବି ଥାନାରେ ବସି ସେହି ଗୋଟିଏ ପ୍ରଶ୍ନ ପଚାରୁଛି ମୋତେ କାହିଁକି ହେପାଜତକୁ ନିଆଯାଇଛି? ମୁଁ କେଉଁ ଆଇନ ଭାଙ୍ଗିଛି?"
ମୁମ୍ବାଇ ସମେତ ଦେଶର ବିଭିନ୍ନ ସହରରେ ଛାତ୍ର ପ୍ରତିବାଦ ତୃତୀୟ ଦିନରେ ପହଞ୍ଚିଛି। ଏହି ଆନ୍ଦୋଳନ ନୂଆଦିଲ୍ଲୀର ଜନ୍ତର-ମନ୍ତରରୁ ଆରମ୍ଭ ହୋଇ ସଂସଦ ପର୍ଯ୍ୟନ୍ତ ପହଞ୍ଚିଥିଲା। ଅନିର୍ଦ୍ଦିଷ୍ଟକାଳୀନ ଅନଶନରେ ବସିଥିବା ସୋନମ ୱାଙ୍ଗଚୁକଙ୍କୁ ଶନିବାର ପୁଲିସ ହେପାଜତକୁ ନେଇଥିଲା।
ସେଥି ମଧ୍ୟରେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ମୁମ୍ବାଇର ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରତିବାଦ ହୋଇଥିଲା। ଶିବାଜୀ ପାର୍କ ସ୍ଥିତ ଚୈତ୍ୟଭୂମି ନିକଟରେ ଆୟୋଜିତ ପ୍ରଦର୍ଶନରେ ଯୋଗ ଦେବାକୁ ଯାଉଥିବା କିଛି ପ୍ରଦର୍ଶନକାରୀଙ୍କୁ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପୂର୍ବରୁ ହିଁ ପୁଲିସ ଅଟକ ରଖିଥିବା ଅଭିଯୋଗ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।