05 JULY 2026

Welcome!

Unlock your personalized experience.
Sign Up

Ayatollah Ali Khamenei Farewell: ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ଅନ୍ତିମ ବିଦାୟ; ଗୁମ୍‌ସୁମ୍ ଇରାନ, ମୁଣ୍ଡ ପିଟି କାନ୍ଦୁଛନ୍ତି ଜନତା, ସମର୍ଥକ

Jul 05, 2026 - 09:12
Ayatollah Ali Khamenei Farewell: ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ଅନ୍ତିମ ବିଦାୟ; ଗୁମ୍‌ସୁମ୍ ଇରାନ, ମୁଣ୍ଡ ପିଟି କାନ୍ଦୁଛନ୍ତି ଜନତା, ସମର୍ଥକ

ନୂଆଦିଲ୍ଲୀ,୦୫/୦୭; ଇରାନର ପୂର୍ବତନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ଅନ୍ତିମ ବିଦାୟ ଦେବାକୁ ଶନିବାର ଲକ୍ଷ ଲକ୍ଷ ଲୋକ ରାଜଧାନୀ ତେହରାନର ଗ୍ରାଣ୍ଡ ମୋସଲ୍ଲାରେ ଏକତ୍ରିତ ହୋଇଛନ୍ତି । ସମସ୍ତଙ୍କ ଆଖିରେ ଲୁହ । କିଏ ଛାତି ତ କିଏ ମୁଣ୍ଡ ପିଟି ଶୋକ ମନାଉଛନ୍ତି । ଲକ୍ଷ ଲକ୍ଷ ଲୋକ କଳା ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି । ଚଳିତବର୍ଷ ଫେବ୍ରୁଆରୀ ୨୮ରେ ଆମେରିକା ଓ ଇସ୍ରାଏଲ୍‌ ମିଶି ଇରାନ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ । ପ୍ରଥମ ଦିନରେ ହିଁ ଇରାନବାସୀ ସେମାନଙ୍କ ପ୍ରିୟ ନେତା ଅଲୀ ଖାମେନେଇଙ୍କୁ ହରାଇଥିଲେ । ଅଚାନକ ଖାମେନେଇଙ୍କ ମୃତ୍ୟୁ ଦେଶକୁ ଶୋକରେ ବୁଡ଼ାଇଥିଲା । ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ଆଖି ଲୁହରେ ଭରିଥିଲା । ତେହରାନରେ ଜୁଲାଇ ୩ରୁ ଖାମେନେଇଙ୍କ ଅନ୍ତିମ ସଂସ୍କାର ଯାତ୍ରା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ସପ୍ତାହେ ପର୍ଯ୍ୟନ୍ତ ଶୋକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୧୦୦ରୁ ଅଧିକ ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି । ଭାରତ, ରୁଷ, ଚୀନ୍‌ ଏବଂ ତୁର୍କୀ ଭଳି କିଛି ଦେଶର ଶୀର୍ଷ ନେତା ଆସିନାହାନ୍ତି । ଇରାନ ତରଫରୁ ନିମନ୍ତ୍ରଣ ପଠାଯିବା ସତ୍ତେ୍ୱ ସେମାନେ ନିଜର ଅନ୍ୟ ପ୍ରତିନିଧିଙ୍କୁ ପଠାଇଛନ୍ତି । ଇରାନବାସୀ ଆଜି ଉଭୟ ଶୋକରେ ବୁଡ଼ିବା ସହିତ କ୍ରୋଧରେ ବି ଜଳୁଛନ୍ତି ।

ଆମେରିକାକୁ ଟାର୍ଗେଟ କରି କିଛି ଲୋକ ‘ରକ୍ତ ବୋହିବ’ ଲେଖା ଥିବା ପ୍ଲାକାର୍ଡ ପ୍ରଦର୍ଶନ କରିଛନ୍ତି । ଜଣେ ମହିଳା ଟ୍ରମ୍ପ୍‌ଙ୍କ ଫଟୋ ଥିବା ପ୍ଲାକାର୍ଡ ଧରିଥିବା ବେଳେ ସେଥିରେ ‘ଦେୟାର ୱିଲ୍‌ ବି ବ୍ଲଡ’ ଲେଖାଯାଇଛି । ଆଉ କିଛି ପ୍ଲାକାର୍ଡ ଓ ପତାକାରେ ‘ଆମେରିକା ମୁର୍ଦାବାଦ’ ଏବଂ ‘ପ୍ରତିଶୋଧ, ପ୍ରତିଶୋଧ’ ଭଳି ସ୍ଲୋଗାନ ଲେଖାଯାଇଛି । ମହିଳାମାନେ ଖାମେନେଇଙ୍କ ଫଟୋ ଧରି ପହଞ୍ଚିଛନ୍ତି । ଖାମେନେଇଙ୍କ ସହିତ ତାଙ୍କ ୧୪ ମାସର ନାତୁଣୀ, ଝିଅ, ପତ୍ନୀ ଏବଂ ଜ୍ୱାଇଁଙ୍କୁ ବି ଅନ୍ତିମ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅନ୍ତିମ ସଂସ୍କାର ପାଇଁ ତେହରାନର ସଡ଼କରେ ଭାରୀ ସଂଖ୍ୟାରେ ସେନା ଓ ପୁଲିସ ମୁତୟନ କରାଯାଇଛି । ସମସ୍ତ ମୁଖ୍ୟ ରାସ୍ତା, ଛକ ଏବଂ ସରକାରୀ କୋଠା ବାହାରେ ବି ସେନା ଓ ପୁଲିସ ମୁତୟନ ହୋଇଛନ୍ତି । ସାଧାରଣ ଜନତାଙ୍କ ପାଇଁ ତେହରାନରେ ମେଟ୍ରୋ ଓ ସରକାରୀ ବସ୍‌ ସେବା ମାଗଣା କରାଯାଇଛି । ହୋଟେଲ ଭଡ଼ା ୫୦% କମାଯିବା ସହିତ ସ୍କୁଲ ଓ ମସଜିଦରେ ରହିବାକୁ ବ୍ୟବସ୍ଥା ହୋଇଛି ।

​​​​​​​

ଅନ୍ୟ ସହରରୁ ଆସୁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ହେଉଛି । ଲୋକଙ୍କୁ ମାଗଣାରେ ଖାଦ୍ୟ ଦିଆଯାଉଛି । ୯ ତାରିଖରେ ମଶହଦରେ ଖାମେନେଇଙ୍କର ‘ସୁପୁର୍ଦ-ଏ-ଖାକ୍‌’ କରାଯିବ । ଏଭଳି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଖାମେନେଇଙ୍କ ଅନ୍ତିମ ସଂସ୍କାର ଲାଗି ଇରାନକୁ ଏକ ସପ୍ତାହ ଛୁଟି ଦିଆଯାଇଥିବା କହିଛନ୍ତି । କହିଛନ୍ତି, ମାନବତା ଦୃଷ୍ଟିରୁ ଆମେ ଏଭଳି କରିଛୁ । ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ଶେଷ ହେବା କ୍ଷଣି ଇରାନକୁ ଆମେରିକାର ସର୍ତ୍ତ ପାଳନ କରିବାକୁ ପଡ଼ିବ ।