Aviation: ବିମାନ ଚଳାଚଳ କ୍ଷେତ୍ରରେ ହାହାକାର; ଚଳିତ ଆର୍ଥିକ ବର୍ଷରେ ୩୮,୦୦୦ କୋଟି ଟଙ୍କା କ୍ଷତି ସହିବେ କମ୍ପାନି !
ନୂଆଦିଲ୍ଲୀ, ୨୭।୬: ଭାରତୀୟ ବିମାନ ଚଳାଚଳ ଶିଳ୍ପ ବର୍ତ୍ତମାନ ଏକ ସଂଗୀନ ସ୍ଥିତି ଦେଇ ଗତି କରୁଛି । ଚଳିତ ଆର୍ଥିକ ବର୍ଷରେ ଦେଶର ବିମାନ ସେବା ପ୍ରଦାନକାରୀ କମ୍ପାନିଗୁଡ଼ିକର ସାମଗ୍ରିକ କ୍ଷତି ପରିମାଣ ଆଶାତୀତ ଭାବେ ବୃଦ୍ଧି ପାଇ ୩୬,୦୦୦ କୋଟିରୁ ୩୮,୦୦୦ କୋଟି ଟଙ୍କାରେ ପହଞ୍ଚିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ପ୍ରମୁଖ ଘରୋଇ କ୍ରେଡିଟ୍ ରେଟିଂ ଏଜେନ୍ସି 'ଇକ୍ରା' ପକ୍ଷରୁ ଜାରି ସମ୍ପ୍ରତି ରିପୋର୍ଟରେ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ପୂର୍ବରୁ ଆକଳନ କରାଯାଇଥିବା କ୍ଷତି ତୁଳନାରେ ଏହି ସଂଶୋଧିତ ଆକଳନ ବିମାନ ଶିଳ୍ପର ଅଣ୍ଟା ଭାଙ୍ଗି ଦେଇଛି ।
ପରିସ୍ଥିତି ବିଗିଡ଼ିବାର ପ୍ରମୁଖ କାରଣଗୁଡ଼ିକ:
ଏଜେନ୍ସିର ବିଶ୍ଳେଷଣ ଅନୁଯାୟୀ, କୌଣସି ଗୋଟିଏ ନୁହେଁ ବରଂ ଏକାଧିକ ପ୍ରତିକୂଳ ପରିସ୍ଥିତି ଏକାଠି ହୋଇ ବିମାନ କମ୍ପାନିଗୁଡ଼ିକୁ ଚାପଗ୍ରସ୍ତ କରିଛି । ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଲା ଆନ୍ତର୍ଜାତୀୟ ବଜାରରେ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବା ଯୋଗୁଁ କମ୍ପାନିଗୁଡ଼ିକର ବିଦେଶୀ ଖର୍ଚ୍ଚ ବହୁ ଗୁଣ ବଢ଼ିଯାଇଛି । ବିମାନ ଚଳାଚଳ ପାଇଁ ବ୍ୟବହୃତ ଟର୍ବାଇନ୍ ଇନ୍ଧନ ଦର ଅହେତୁକ ଭାବେ ବୃଦ୍ଧି ପାଇଛି, ଯାହା ପରିଚାଳନା ଖର୍ଚ୍ଚର ସବୁଠାରୁ ବଡ଼ ଅଂଶ । ଭାରତୀୟ କମ୍ପାନିଗୁଡ଼ିକ ବ୍ୟବହାର କରୁଥିବା ଅଧିକାଂଶ ବିମାନ ଲିଜ୍ ବା ଭଡ଼ାରେ ଆସିଥାଏ । ବର୍ତ୍ତମାନ ଏହି ଲିଜ୍ ବାବଦ ଖର୍ଚ୍ଚ ମଧ୍ୟ ଯଥେଷ୍ଟ ବଢ଼ିଯାଇଛି । ୨୦୨୬ ଫେବ୍ରୁଆରୀ ଶେଷ ଭାଗରୁ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଆରମ୍ଭ ହୋଇଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଆନ୍ତର୍ଜାତୀୟ ସ୍ତରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହା ସିଧାସଳଖ ଭାବେ ଭାରତୀୟ ଏଭିଏସନ୍ ସେକ୍ଟର ଉପରେ ପ୍ରତିକୂଳ ପ୍ରଭାବ ପକାଇଛି ।
ଏହା ବି ପଢ଼ନ୍ତୁ... ଜୁନ୍ ୨୮ ଯାଏଁ ବନ୍ଦ ରହିବ EPFO ପୋର୍ଟାଲ; ଉଠାଇପାରିବେନି PF ଟଙ୍କା, ଜାଣନ୍ତୁ କାରଣ...
ପୂର୍ବ ଆକଳନକୁ ବଦଳାଇଲା 'ଇକ୍ରା':
ଏହା ପୂର୍ବରୁ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଆକଳନ କରି ଇକ୍ରା କହିଥିଲା ଯେ, ଚଳିତ ବର୍ଷ ବିମାନ ଶିଳ୍ପ ପ୍ରାୟ ୧୧,୦୦୦ରୁ ୧୨,୦୦୦ କୋଟି ଟଙ୍କାର କ୍ଷତି ସହିପାରେ । କିନ୍ତୁ, ବିଗତ କିଛି ମାସ ମଧ୍ୟରେ ବଦଳିଥିବା ଭୂ-ରାଜନୈତିକ ସ୍ଥିତି ଏବଂ ବଜାରର ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଏଜେନ୍ସି ନିଜର ଆକଳନକୁ ସଂଶୋଧିତ କରିବାକୁ ବାଧ୍ୟ ହୋଇଛି । ବର୍ତ୍ତମାନ ଏହି କ୍ଷତି ସୀମା ପୂର୍ବ ଅପେକ୍ଷା ପ୍ରାୟ ୩ ଗୁଣ ଅଧିକ ହେବ ବୋଲି ସ୍ପଷ୍ଟ ହୋଇଛି । ବିମାନ କମ୍ପାନିଗୁଡ଼ିକର ପରିଚାଳନାଗତ ଖର୍ଚ୍ଚ ଯେଉଁ ହାରରେ ବଢ଼ି ଚାଲିଛି, ସେହି ଅନୁପାତରେ ଟିକେଟ୍ ଦର ବଢ଼ାଇ ଯାତ୍ରୀଙ୍କ ଉପରେ ସମ୍ପୂର୍ଣ୍ଣ ବୋଝ ଲଦିବା କମ୍ପାନିଗୁଡ଼ିକ ପକ୍ଷେ ସମ୍ଭବପର ହେଉନାହିଁ । ଯଦି ଟିକେଟ୍ ମୂଲ୍ୟ ଅତ୍ୟଧିକ ବଢ଼ାଯାଏ, ତେବେ ଯାତ୍ରୀ ସଂଖ୍ୟା ଆହୁରି ହ୍ରାସ ପାଇବାର ଭୟ ରହିଛି । ବର୍ତ୍ତମାନ ସ୍ଥିତିରେ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍ରେ ଯାତ୍ରୀ ପରିବହନ ଅଭିବୃଦ୍ଧି ହାର ବେଶ୍ ଧୀମା ରହିବା ନେଇ ପୂର୍ବାନୁମାନ କରାଯାଇଛି ।
ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଅଶାନ୍ତି ଯୋଗୁଁ ଯାତ୍ରୀମାନେ ଅନ୍ତର୍ଜାତୀୟ ଯାତ୍ରା ପାଇଁ କମ୍ ଆଗ୍ରହ ପ୍ରକାଶ କରୁଥିବା ବେଳେ ବର୍ଦ୍ଧିତ ଖର୍ଚ୍ଚର ସନ୍ତୁଳନ ରକ୍ଷା କରିବା ଏବେ ବିମାନ ସେବା ସଂସ୍ଥାଗୁଡ଼ିକ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଆଗାମୀ ଦିନରେ ଯଦି ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ନହୁଏ କିମ୍ବା ଟଙ୍କାର ସ୍ଥିତି ସୁଧୁରେ ନାହିଁ, ତେବେ ଏହି ଆର୍ଥିକ ସଙ୍କଟ ଆହୁରି ଘନୀଭୂତ ହୋଇପାରେ ବୋଲି ଅର୍ଥନୀତି ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।