Aranya Bhavan: ଅରଣ୍ୟ ଭବନରେ ଆଇଏଫ୍ଏମ୍ସିସି ଉଦ୍ଘାଟିତ
ଭୁବନେଶ୍ୱର: ଅତ୍ୟାଧୁନିକ ଡିଜିଟାଲ୍ ପ୍ରଯୁକ୍ତିର ପ୍ରୟୋଗ କରି ବନ ପ୍ରଶାସନକୁ ଅଧିକ ସୁଦୃଢ଼ କରିବାକୁ ଅରଣ୍ୟ ଭବନଠାରେ ଇଣ୍ଟିଗ୍ରେଟେଡ୍ ଫରେଷ୍ଟ ମନିଟରିଂ ଓ କମାଣ୍ଡ ସେଣ୍ଟର(ଆଇଏଫ୍ଏମ୍ସିସି) ଉଦ୍ଘାଟିତ ହୋଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହାକୁ ଉଦ୍ଘାଟନ କରି କହିଲେ, ଏହାଦ୍ବାରା ସ୍ୱଚ୍ଛତା ବୃଦ୍ଧି ପାଇବ। ଓଡ଼ିଶାର ବନ ସମ୍ପଦର ସଂରକ୍ଷଣ ଓ ନିରନ୍ତର ପରିଚାଳନା ପାଇଁ ସମୟୋପଯୋଗୀ ନିଷ୍ପତ୍ତି ଗ୍ରହଣରେ ସହାୟକ ହେବ। ଆଇଏଫ୍ଏମ୍ସିସିକୁ ଏକ କେନ୍ଦ୍ରୀଭୂତ ଡିଜିଟାଲ୍ ପ୍ଲାଟଫର୍ମ ଭାବେ ବିକଶିତ ହୋଇଛି, ଯାହାକି ରିଅଲ୍-ଟାଇମ୍ ନିରୀକ୍ଷଣ ଓ ତଥ୍ୟଭିତ୍ତିକ ନିଷ୍ପତ୍ତି ଗ୍ରହଣକୁ ସୁଗମ କରିବ। ଏଥିରେ ବିଭିନ୍ନ ଡିଜିଟାଲ୍ ବ୍ୟବସ୍ଥା ଓ ଜିଓସ୍ପେସିଆଲ୍ ପ୍ରଯୁକ୍ତିର ସମନ୍ୱୟ କରାଯାଇ ବନ ସୁରକ୍ଷା, କ୍ଷେତ୍ରସ୍ତରୀୟ କାର୍ଯ୍ୟକଳାପ ଓ ପ୍ରଶାସନିକ ସ୍ୱଚ୍ଛତାକୁ ଅଧିକ ସୁଦୃଢ଼ କରାଯିବ।
ବିଭାଗର ପ୍ରମୁଖ ଡିଜିଟାଲ୍ ପ୍ଲାଟଫର୍ମ ଓଡ଼ିଶା ଫରେଷ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍(ଓଏଫ୍ଏମ୍ଏସ୍) ଏବଂ ଅନ୍ୟାନ୍ୟ ସୂଚନା ପ୍ରଯୁକ୍ତି-ଆଧାରିତ ପଦକ୍ଷେପଗୁଡ଼ିକର ପ୍ରଦର୍ଶନ କରାଯାଇଥିଲା। ଏହି ପ୍ଲାଟଫର୍ମଗୁଡ଼ିକ ମାଧ୍ୟମରେ ବନ ସୁରକ୍ଷା, ବୃକ୍ଷରୋପଣ, ବନାଗ୍ନି ପରିଚାଳନା, ପାଟ୍ରୋଲିଂ, ଆସେଟ୍ ମ୍ୟାନେଜମେଣ୍ଟ, ଜିଓସ୍ପେସିଆଲ୍ ମ୍ୟାପିଂ, କ୍ଷତିପୂରକ ବନୀକରଣ ପାଇଁ ଲ୍ୟାଣ୍ଡ୍ ବ୍ୟାଙ୍କ ଏବଂ ନାଗରିକ ସେବାଗୁଡ଼ିକର ଅନ୍ଲାଇନ୍ ନିରୀକ୍ଷଣ ଏକୀକୃତ ଡିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ସମ୍ଭବ ହୋଇପାରିବ। ଏଥିସହ ବନ ବିଭାଗର କାର୍ଯ୍ୟଦକ୍ଷତା, ସମନ୍ୱୟ ଓ ସେବା ପ୍ରଦାନ ବ୍ୟବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ଆଣିବ। ଏହି ଅବସରରେ ‘www.ofsds.odisha.gov.in’ର ନବୀକୃତ ୱେବସାଇଟ୍କୁ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଉନ୍ମୋଚନ କରିଥିଲେ। ଏଥିସହ ଭାରତରେ ଜାଇକା ସହାୟତାପ୍ରାପ୍ତ ବନୀକରଣ ପ୍ରକଳ୍ପଗୁଡ଼ିକର ୧୪ତମ ଜାତୀୟ କର୍ମଶାଳାର ସ୍ମରଣିକା, ଓଡ଼ିଶା ଫରେଷ୍ଟ୍ରି ସେକ୍ଟର ଡେଭେଲପମେଣ୍ଟ ପ୍ରୋଜେକ୍ଟ(ଦ୍ୱିତୀୟ ପର୍ଯ୍ୟାୟ)ର ବାର୍ଷିକ ରିପୋର୍ଟ(୨୦୨୫–୨୬) ଉନ୍ମୋଚନ ହୋଇଛି। ଉଦ୍ଘାଟନୀ ସମାରୋହରେ ପିସିସିଏଫ୍ କେ. ମୁରୁଗେସନ, ପିସିସିଏଫ୍(କେଏଲ୍) ଉମା ନନ୍ଦୁରୀ, ଓଏଫ୍ଏସ୍ଡିପିର ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଜି. ରାଜେଶ, ସିଏଫ୍(ଆଇଟି ଓ ଜିଆଇଏସ୍) ଭି. କାର୍ତ୍ତିକ, ସ୍ୱୟଂ ମଲ୍ଲିକ, କେ.ଏସ୍. ପ୍ରଦୀପ ସମେତ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।