Amit Shah-Led Meeting Brings Breakthrough: ଅମିତ ଶାହଙ୍କ ୪ ଘଣ୍ଟିଆ ମାରାଥନ୍ ବୈଠକ, ବଦଳିଗଲା ସବୁକିଛି!
ଗୃହମନ୍ତ୍ରୀ ଅମିତ ଶାହଙ୍କ ୪ ଘଣ୍ଟା ମାରାଥନ୍ ବୈଠକ ପରେ ଶେଷ ହୋଇଛି ସୋନମ୍ ୱାଙ୍ଗଚୁକ୍ଙ୍କ ଅନଶନ। NEET-UG ପ୍ରଶ୍ନପତ୍ର ଲିକ୍କୁ ନେଇ ସାରା ଦେଶରେ ଛାତ୍ର ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ଏବଂ ୱାଙ୍ଗଚୁକ୍ଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡ଼ୁଥିବା ଦେଖି କେନ୍ଦ୍ର ସରକାର ସକାରାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଗୁରୁଗ୍ରାମ୍ର ମେଦାନ୍ତା ହସ୍ପିଟାଲରେ କେନ୍ଦ୍ରୀୟ ମନ୍ତ୍ରୀ ମାନଙ୍କ ଉପସ୍ଥିତିରେ ସେ ନିଜର ଅନଶନ ଭଙ୍ଗ କରିଛନ୍ତି।
ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଉପସ୍ଥିତ ଥିଲେ। ୱାଙ୍ଗଚୁକ୍ଙ୍କ ଗୁରୁତର ସ୍ୱାସ୍ଥ୍ୟବସ୍ଥାକୁ ପ୍ରାଥମିକତା ଦେଇ ସରକାର ସାଧୁତା ଓ ସକାରାତ୍ମକ ଆଲୋଚନାର ଆଭିମୁଖ୍ୟ ଗ୍ରହଣ କରିଥିଲେ।
ବୈଠକ ପରେ ମନ୍ତ୍ରୀ ଜିତେନ୍ଦ୍ର ସିଂହ, ୱାଙ୍ଗଚୁକ୍ଙ୍କ ପତ୍ନୀ ଗୀତାଞ୍ଜଳି ଅଙ୍ଗମୋଙ୍କ ସହ କଥା ହୋଇ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ପରେ ଜେ.ପି. ନଡ୍ଡା ଓ ଜିତେନ୍ଦ୍ର ସିଂହ ମେଦାନ୍ତା ହସ୍ପିଟାଲରେ ପହଞ୍ଚି ସୋନମ୍ ୱାଙ୍ଗଚୁକ୍ଙ୍କୁ ସରକାରଙ୍କ ଲିଖିତ ପ୍ରତିଶ୍ରୁତିପତ୍ର ହସ୍ତାନ୍ତର କରିଥିଲେ। ଏହାପରେ ଗୁରୁବାର ବିଳମ୍ବିତ ରାତିରେ ୱାଙ୍ଗଚୁକ୍ ନିଜର ଅନଶନ ଶେଷ କରିଛନ୍ତି।
ସରକାର ପରୀକ୍ଷା ପେପର ଲିକ୍କୁ ରୋକିବା ପାଇଁ ନୂଆ ଆଇନ ଆଣିବା ସହ ଆସନ୍ତା ସପ୍ତାହରେ ସଂସଦରେ ବିଲ୍ ଉପସ୍ଥାପନ କରିବାକୁ ଆଶ୍ୱାସନ ଦେଇଛି। ଏହି ପ୍ରସ୍ତାବକୁ ଜୁଲାଇ ୨୪ରେ କ୍ୟାବିନେଟ୍ ମଞ୍ଜୁରି ମିଳିବାର ସମ୍ଭାବନା ରହିଛି।
ଏହାସହ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଉଥିବା ପ୍ରତିନିଧି ଦଳକୁ ଏକ ନିରପେକ୍ଷ ସ୍ଥାନରେ ଆଲୋଚନା ପାଇଁ ଆମନ୍ତ୍ରଣ କରାଯିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛି।
ଅନଶନ ଭଙ୍ଗ କରିବା ପରେ ସୋନମ୍ ୱାଙ୍ଗଚୁକ୍ କହିଛନ୍ତି ଯେ, ସଂସଦରେ ପରୀକ୍ଷା ବ୍ୟବସ୍ଥାର ଉତ୍ତରଦାୟିତ୍ୱ ଓ NEET-UG ଲିକ୍ ଉପରେ ଆଲୋଚନା ପାଇଁ ସରକାର ଲିଖିତ ଆଶ୍ୱାସନା ଦେଇଛନ୍ତି।
ସେ ସୁସ୍ଥ ହେବା ପରେ ଲଦାଖ ଫେରିଯିବା ପୂର୍ବରୁ ସମସ୍ତ ଛାତ୍ର ଓ ସମର୍ଥକଙ୍କୁ ଭେଟି ସରକାରଙ୍କ ଆଶ୍ୱାସନା ଉପରେ ଭରସା ରଖିବାକୁ ଏବଂ ଆନ୍ଦୋଳନକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରଖିବାକୁ ଅନୁରୋଧ କରିବେ ବୋଲି ସୂଚନା ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।