Will Naveen Emerge Stronger: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି, ନବୀନଙ୍କ ପାଇଁ ହେବ ଲାଭଦାୟକ ନା ଆତ୍ମଘାତୀ ?

Jul 24, 2026 - 14:55
Will Naveen Emerge Stronger: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି, ନବୀନଙ୍କ ପାଇଁ ହେବ ଲାଭଦାୟକ ନା ଆତ୍ମଘାତୀ ?

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ମଧ୍ୟ ବେଶ୍ ରୋଚକ । କାରଣଟି ହେଉଛି ସେ ଖୋଦ୍ ନିଜେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବା । ତେବେ ପ୍ରଶ୍ନ ଉଠୁଛି ଯେ ବହୁ ବିରୋଧୀ ଦଳ ନେତା ନବଜନ୍ମିତ କକ୍ରୋଚ ଜନତା ପାର୍ଟି ସହିତ ସ୍ୱର ମିଳାଇ ଶ୍ରୀ ପ୍ରଧାନଙ୍କ ଇସ୍ତଫା ଦାବି କରିଥିବା ବେଳେ ନବୀନଙ୍କର ଏହି ସମାନ ଦାବି କରିବାରେ ଅସ୍ୱାଭାବିକତା କେଉଁଠି? ସେ ଦାବି କରିବା କାର୍ହିଁକି ଅନେକଙ୍କୁ ଏତେ ଅସହଜ ମନେ ହେଉଛି ବା ବିସ୍ମିତ କରୁଛି?

ନବୀନ ଜଣେ ରାଜନୈତିକ ବ୍ୟକ୍ତି । ଦୀର୍ଘ ୨୪ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ସେ କାମ କରିଛନ୍ତି । ଏହା ପୂର୍ବରୁ କେନ୍ଦ୍ରରେ ସେ ଦୁଇବର୍ଷ ମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ସେ କେତେବେଳେ କେଉଁ ନୀତି ବା ଆଦର୍ଶ ସୁହାଇବ, ତାହା ତାଙ୍କର ବ୍ୟକ୍ତିଗତ ପସନ୍ଦ । ହେଲେ ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ସେ ଯେଉଁ ଆଭିମୁଖ୍ୟ ନେଇଛନ୍ତି, ତାହା ପଛରେ ଯେଉଁ ଫ୍ୟାକ୍ଟର ବା କାରଣ ବେଶି କାମ କରୁଛି, ତାହା ହେଲା ଯେ ତାଙ୍କ ଦଳର ଏବଂ ଖୋଦ୍ ତାଙ୍କ ନିଜର ପରିଦୃଶ୍ୟମାନତା ବା ଭିଜିବିଲିଟିକୁ ଜାତୀୟସ୍ତରରେ ବଜାୟ ରଖିବା ।

ବିଜେଡ଼ି ତାର ଅସ୍ତିତ୍ୱ ରାଜ୍ୟ ରାଜନୀତିରେ ଏବେ ବି ଦୃଢ଼ ଭାବରେ ବଜାୟ ରଖିଥିବାବେଳେ ଜାତୀୟ ରାଜନୀତିରେ ଏହା କ୍ରମଃ ହ୍ରାସମାନ ଅବସ୍ଥାରେ ରହିଛି । 
ନିଟ୍ ପରୀକ୍ଷା ପେପର ଲିକ୍ ଘଟଣାରେ କକ୍ରୋଚ୍ ଜନତା ପାର୍ଟି ବା ସିଜେପି ଦିଲ୍ଲୀର ଜନ୍ତର ମନ୍ତର ଠାରେ ଆନ୍ଦୋଳନକୁ ଓହ୍ଲାଇଲା । ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ ଜୋରଦାର ଭାବରେ ସମର୍ଥନ ଜ୍ଞାପନ କଲେ । ଧାରଣା ସ୍ଥଳକୁ ଯାଇ ଭାଷଣ ଦେଲେ । ବିଶେଷକରି ଜାତୀୟ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ୍ ଆଦମୀ ପାର୍ଟି ଓ ସମାଜବାଦୀ ପାର୍ଟି ଭଳି ଅଣବିଜେପି ଦଳମାନେ ଏହି ଆନ୍ଦୋଳନକୁ ସ୍ୱତନ୍ତ ଭାବରେ ସମର୍ଥନ କଲେ ।

ଏହି ସମର୍ଥନ ପଛରେ ସେମାନଙ୍କର ଏକ ଗୂଢ଼ ରାଜନୈତିକ ଉଦ୍ଦେଶ୍ୟ ରହିଛି । ତାହାହେଲା ଯେ ପରିବର୍ତ୍ତିତ ପରିସ୍ଥିତିରେ କକ୍ରୋଚ୍ ଜନତା ପାର୍ଟି କିଛିକାଂଶରେ ନୂଆ ପିଢ଼ିର ଯୁବକଯୁବତୀମାନଙ୍କର ଶ୍ରଦ୍ଧାଭାଜନ ହୋଇପାରିଛି । ଯଦି ଏହି ସମୟରେ ଏହି ସଙ୍ଗଠନ ପ୍ରତି କିଛି ସମର୍ଥନ ଦିଆଯାଇପାରେ, ତେବେ ଯୁବମାନସରେ ନିଜର ଛବିକୁ ପୁନର୍ଜୀବିତ କରାଯାଇପାରିବ । କେବଳ ସେତିକି ନୁହେଁ, ଏହି ପ୍ରସଙ୍ଗରେ ବିରୋଧୀ ଶକ୍ତିମାନେ ଏବେ ବି ଏକ ଅଛନ୍ତି ବୋଲି ଜନସାଧାରଣଙ୍କ ନିକଟକୁ ଏକ ବାର୍ତ୍ତା ଯାଇପାରିବ । 

୨୦୧୪ ମସିହାରୁ ଭାରତୀୟ ଜାତୀୟ କଂଗ୍ରେସ ଜାତୀୟ ସ୍ତରରେ ଓ ୨୦୧୭ରୁ ସମାଜବାଦୀ ପାର୍ଟି ଉତ୍ତର ପ୍ରଦେଶରେ କ୍ଷମତାକୁ ଆସିବା ପାଇଁ ସଂଘର୍ଷ କରୁଛନ୍ତି । ୨୦୨୫ରେ ଆମ୍ ଆଦ୍‌ମୀ ପାର୍ଟି ଦିଲ୍ଲୀରେ ଏବଂ ୨୦୨୬ରେ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ କ୍ଷମତାରୁ ଯାଇଛନ୍ତି । ନବୀନଙ୍କ ବିଜୁ ଜନତା ଦଳ ୨୦୨୪ରେ ଓଡ଼ିଶାରୁ କ୍ଷମତାଚ୍ୟୁତ ହୋଇଛି । ଏଣୁ ଏଠାରେ କୁହାଯାଇପାରେ ଏହି ଦଳ ଏବଂ ଏମାନଙ୍କର ନେତାମାନେ ଏବେ ଗୋଟିଏ ନାଆର ଯାତ୍ରୀ । ଏକାଠି ହୋଇ ରହିବେ, ନହେଲେ ଏକାଠି ହୋଇ ଭାରତୀୟ ଜନତା ପାର୍ଟିର ନିରନ୍ତର ଝଡ଼ମାଡ଼ର ସମ୍ମୁଖୀନ ହୋଇ ଡୁବିବେ । 

ନବୀନ ପଟ୍ଟନାୟକଙ୍କ ରାଜନୀତି ସମ୍ପୂର୍ଣ୍ଣ ଭିନ୍ନ ଓ ନିଆରା । ସେ ସହଜରେ କୌଣସି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ପ୍ରକାଶ କରନ୍ତି ନାହିଁ । ଯେତେବେଳେ କିଛି ପ୍ରତିକ୍ରିୟା ପ୍ରକାଶ କରନ୍ତି, ତାହା ନିଶ୍ଚିତ ଭାବରେ ଓଡ଼ିଶା କାହିଁକି, ଜାତୀୟ ରାଜନୀତିରେ ମଧ୍ୟ ତାହାର ଗୁଞ୍ଜରଣ ଶୁଭିଥାଏ । 

୨୦୨୪ ଠାରୁ ନବୀନଙ୍କ ପ୍ରଭାବ ଜାତୀୟ ରାଜନୀତିରେ ବେଶ୍ ହ୍ରାସ ପାଇଛି । ବର୍ତ୍ତମାନ ଲୋକସଭାରେ ଦଳର ଜଣେ ବି ସାଂସଦ ନାହାଁନ୍ତି । ରାଜ୍ୟସଭାରେ ବର୍ତ୍ତମାନ ସନ୍ତୃପ୍ତ ମିଶ୍ର, ଶୁଭାଶିଷ ଖୁଣ୍ଟଆ, ସମ୍ୱିତ ପାତ୍ର, ମାନସ ମଙ୍ଗରାଜ ଓ ସୁଲତା ଦେଓଙ୍କ ଭଳି ପାଞ୍ଚ ଜଣ ସଦସ୍ୟ ରହିଛନ୍ତି । ଏହା ପୂର୍ବରୁ ମମତା ମହନ୍ତ, ସୁଜିତ୍ କୁମାର ଓ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପଦବୀରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇସାରିଛନ୍ତି । ଏହି ପରିସ୍ଥିତିରେ ଦଳର ଓଜନ ବା ଭାଗୀଦାରିତା (ଇଂରାଜୀରେ ଯାହାକୁ ଷ୍ଟେକ୍ କୁହାଯାଏ) ବେଶ୍ ହ୍ରାସ ପାଇଛି । 

ରାଜନୀତି ସମୀକ୍ଷକମାନଙ୍କ କହିବା କଥା ନବୀନ ଜାତୀୟ ସ୍ତରରେ ନିଜର ପୂର୍ବ ଅସ୍ତିତ୍ୱକୁ ପୁନଃପ୍ରଦର୍ଶିତ କରିବା ପାଇଁ ଭାବିଚିନ୍ତି କକ୍ରୋଚ୍ ଜନତା ପାର୍ଟି ଦାବି ସହିତ ସ୍ୱର ମିଳାଇ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଛନ୍ତି । ଏକଥା ସମସ୍ତେ ଜାଣନ୍ତି ଯେ ୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପରେ ଯେତେବେଳେ ବିଜେପି ସହିତ ନବୀନଙ୍କ ସମ୍ପର୍କ ତିକ୍ତତାର ଶୀର୍ଷରେ ଥିଲା, ସେହି ସମୟରେ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟ୍ଟନାୟକ ସରକାରଙ୍କ ପ୍ରତି ଟିକେ କୋହଳ ମନୋଭାବାପନ୍ନ ରହିଥିବାର ଏକ ଧାରଣା ସୃଷ୍ଟି ହୋଇଥିଲା । 

ନବୀନ ଓ ଧର୍ମେନ୍ଦ୍ରଙ୍କ ସମ୍ପର୍କ କେତେ ରାଜନୈତିକ ଭାବେ ପରିପକ୍ୱ, ତାହା ଅତୀତରେ ଅଧିକାଂଶ ସମୟରେ ଦେଖିବାକୁ ମିଳିଛି । ଯେତେବେଳେ ନବୀନ ପଟ୍ଟନାୟକ ସରକାରଙ୍କ ବିରୋଧରେ ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ବିଜେପି ରାଜ୍ୟ ଶାଖା ଲଢ଼ୁଥିଲା, ସେତେବେଳେ ସେ କେବେ ବ୍ୟକ୍ତିଗତ ଭାବେ ନବୀନଙ୍କୁ ଶାଣିତ ରାଜନୈତିକ ଆକ୍ରମଣ କରିନଥିଲେ । ଅନେକ ସମୟରେ ଏଥିପାଇଁ ଧର୍ମେନ୍ଦ୍ରଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି । କେହିକେହି ଧର୍ମେନ୍ଦ୍ର ଓ ନବୀନଙ୍କ ମଧ୍ୟରେ ଗୁପ୍ତ ବୁଝାମଣା ରହିଛି ବୋଲି ମଧ୍ୟ କହିବାକୁ ପଛାଇନାହାଁନ୍ତି । କିନ୍ତୁ ସେହି ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରି ନବୀନ ଆଜି ନିଜର ଜାତୀୟ ରାଜନୀତିରେ ପୂର୍ବ ପ୍ରଭାବକୁ ପୁନଃସ୍ଥାପନ କରିବାକୁ ଚେଷ୍ଟା କରିବା ତାଙ୍କର ରାଜନୈତିକ ବିକଳ ପ୍ରୟାସ ବୋଲି ଅନେକ ସମୀକ୍ଷକ ମନେକରନ୍ତି । 

କକ୍ରୋଚ୍ ଆନ୍ଦୋଳନକୁ ବଳ ଦେଇଥିବା ସୋନମ୍ ୱାଙ୍ଗଚୁକ୍ ଇତିମଧ୍ୟରେ ତାଙ୍କର ଅନଶନ ଜୁଲାଇ ୨୩ ତାରିଖ ଦିନ ସଂଧ୍ୟାରେ ପ୍ରତ୍ୟାହାର କରିଛନ୍ତି । ଏହା ଫଳରେ କକ୍ରୋଚ୍ ଜନତା ପାର୍ଟି ଆନ୍ଦୋଳନର ତାପମାତ୍ରା ବେଶ୍ ହ୍ରାସ ପାଇଛି । ଏହିଭଳି ସ୍ଥିତିରେ ନବୀନଙ୍କ ଦାବି ଯେ କେନ୍ଦ୍ର ଉପରେ କିଛି ପ୍ରଭାବ ପକାଇବ, ତାହାର ସେମିତି କିଛି ଲକ୍ଷଣ ଦେଖାଯାଉନାହିଁ । ପୂର୍ବରୁ ବିଜେଡ଼ିର ଦ୍ୱିତୀୟ ବା ତୃତୀୟ ଧାଡ଼ିର ନେତାମାନେ ପ୍ରତିପକ୍ଷ ଦଳର ନେତାମାନଙ୍କର ଇସ୍ତଫା ଦାବି କରୁଥିବାବେଳେ, ସେହି ଦାୟିତ୍ୱକୁ ନବୀନ ଏଥର ନିଜ ମୁଣ୍ଡକୁ ନେଇ ଏକ ପ୍ରକାର ରାଜନୈତିକ ଜୁଆ ଖେଳିଛନ୍ତି । ସମୟ କହିବ ଏହି ଜୁଆ ତାଙ୍କୁ ଲାଭଦାୟକ ସାବ୍ୟସ୍ତ ହେଉଛି ନା ରାଜନୈତିକ କ୍ଷତି ପହଞ୍ଚାଉଛି ।

ବି.ଦ୍ର. - ଏହା ଲେଖକଙ୍କ ନିଜସ୍ୱ ମତ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।