Amit Rai's Ohh My Dog teaser released: ସୁଟିଙ୍ଗ ସେଟରେ ୨୫୦ କୁକୁର, 'ଓଃ ମାଇ ଡଗ୍' ୩୧ ଜୁଲାଇ ୨୦୨୬ରେ ମୁକ୍ତିଲାଭ

Jul 08, 2026 - 16:02
Amit Rai's Ohh My Dog teaser released: ସୁଟିଙ୍ଗ ସେଟରେ ୨୫୦ କୁକୁର, 'ଓଃ ମାଇ ଡଗ୍' ୩୧ ଜୁଲାଇ ୨୦୨୬ରେ ମୁକ୍ତିଲାଭ

'ଓଏମ୍‌ଜି ୨' ପରେ ନିର୍ଦ୍ଦେଶକ ଅମିତ ରାୟ ଆଉ ଏକ ଭିନ୍ନ ଧରଣର କାହାଣୀ ନେଇ ଦର୍ଶକଙ୍କ ସମ୍ମୁଖକୁ ଆସୁଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଓଃ ମାଇ ଡଗ୍'ର ପ୍ରଥମ ଟିଜର ରିଲିଜ ହୋଇଛି। ଏଥିରେ ମଣିଷ ଓ କୁକୁର ମଧ୍ୟରେ ଥିବା ନିଃସର୍ତ୍ତ ପ୍ରେମ, ବିଶ୍ୱାସ ଓ ବନ୍ଧୁତାର ଏକ ହୃଦୟସ୍ପର୍ଶୀ କାହାଣୀର ଝଲକ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ର ୩୧ ଜୁଲାଇ ୨୦୨୬ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ଏହି ଚଳଚ୍ଚିତ୍ରରେ ପଙ୍କଜ ତ୍ରିପାଠୀଙ୍କ ସହ ପୱନ ମାଲହୋତ୍ରା, ମାହି ରାୟ, ରାଜେଶ କୁମାର, ଗୀତା ଅଗ୍ରୱାଲ ଶର୍ମା, ବିଜୟ ମିଶ୍ର ଓ ସୁଲକ୍ଷଣା ବାରୁଆ ଅଭିନୟ କରିଛନ୍ତି। କୁକୁର ଅଭିନେତା ଅସ୍କାର ଓ ବ୍ରୁନୋ ମଧ୍ୟ ଏହି ଫିଲ୍ମର ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ।

ଏହି ପ୍ରୋଜେକ୍ଚର ସବୁଠୁ ବଡ଼ ବିଶେଷତ୍ୱ ହେଉଛି, ଏଥିରେ ୨୫୦ରୁ ଅଧିକ କୁକୁରଙ୍କୁ ସାମିଲ କରାଯାଇଛି। ଏହାକୁ ଭାରତୀୟ ସିନେମାର ସବୁଠାରୁ ବଡ଼ ପଶୁ-କେନ୍ଦ୍ରିତ ପାରିବାରିକ ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି।

ଟିଜରର ଆରମ୍ଭ ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଡାଇଲଗ୍ "ମେରେ ପାସ୍ ଆଓ ମେରେ ଦୋସ୍ତୋ" ସହ ହୋଇଛି। ଏହା ପରେ ଜଣେ ଶିଶୁ ଓ ତାହାର ପ୍ରିୟ କୁକୁର ମଧ୍ୟରେ ଥିବା ଭାବପ୍ରବଣ ସମ୍ପର୍କର ଝଲକ ଦେଖାଯାଇଛି। ଚଳଚ୍ଚିତ୍ରଟି କେବଳ ମନୋରଞ୍ଜନରେ ସୀମିତ ରହିନାହିଁ, ମଣିଷ ଓ ପଶୁଙ୍କ ମଧ୍ୟରେ ସହାନୁଭୂତି, ବନ୍ଧୁତା ଓ ଶାନ୍ତିପୂର୍ଣ୍ଣ ସହ-ଅବସ୍ଥାନର ବାର୍ତ୍ତା ଦେଉଛି।

ଚଳଚ୍ଚିତ୍ରକୁ ନେଇ ଅମିତ ରାୟ କହିଛନ୍ତି, "କୁକୁରମାନେ ଆମଠାରୁ ପ୍ରତିବଦଳରେ କିଛି ଆଶା ନରଖି ପ୍ରେମ ଓ ବିଶ୍ୱସ୍ତତାର ସବୁଠାରୁ ଶୁଦ୍ଧ ରୂପ ଶିଖାନ୍ତି। "ସେ କହିଛନ୍ତି, ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ସମସ୍ତ ଜୀବଜନ୍ତୁଙ୍କ ପ୍ରତି ଅଧିକ ଦୟାଳୁ ଓ ସମ୍ବେଦନଶୀଳ ହେବାକୁ ପ୍ରେରଣା ଦେବ।

'ଓଃ ମାଇ ଡଗ୍'କୁ ବାବୁଲାଲ ବିସ୍କୋପ୍ ଓ ଥିଙ୍କିଙ୍ଗ୍ ହାଟ୍ସ ଏଣ୍ଟରଟେନମେଣ୍ଟ୍ ବ୍ୟାନରରେ ଅମିତ ରାୟ, ସାନା ୱାର୍ସି ଓ ରାଜେଶ ଭରଦ୍ୱାଜ ପ୍ରଯୋଜନା କରିଛନ୍ତି। ପରିବାର ସହ ବସି ଦେଖିବା ଯୋଗ୍ୟ ଏକ ଭାବପ୍ରବଣ ଚଳଚ୍ଚିତ୍ର ଭାବେ ଏହାକୁ ପ୍ରସ୍ତୁତ କରାଯାଇଛି।

ଭାରତୀୟ ସିନେମାରେ ପଶୁମାନଙ୍କୁ କେନ୍ଦ୍ର କରି ଅନେକ ସଫଳ ଚଳଚ୍ଚିତ୍ର ନିର୍ମାଣ ହୋଇଛି। 'ତେରି ମେହେରବାନିୟାଁ'ରେ କୁକୁର 'ମୋତି'ର ଭୂମିକା ଆଜି ମଧ୍ୟ ଦର୍ଶକଙ୍କ ମନରେ ରହିଛି। ସେହିପରି '୭୭୭ ଚାର୍ଲି' ଜଣେ ବ୍ୟକ୍ତି ଓ ତାଙ୍କ ଲାବ୍ରାଡର କୁକୁର ମଧ୍ୟରେ ଥିବା ଅନନ୍ୟ ସମ୍ପର୍କକୁ ନେଇ ସାରା ଦେଶରେ ପ୍ରଶଂସା ସାଉଁଟି ଥିଲା।

ଏହା ବ୍ୟତୀତ 'ହାଥୀ ମେରେ ସାଥୀ' ଓ 'ଏଣ୍ଟରଟେନମେଣ୍ଟ' ଭଳି ଚଳଚ୍ଚିତ୍ର ମଧ୍ୟ ପଶୁମାନଙ୍କ କାହାଣୀର କେନ୍ଦ୍ରବିନ୍ଦୁ କରି ଦର୍ଶକଙ୍କ ହୃଦୟ ଜିତିଥିଲା। 'ଓଃ ମାଇ ଡଗ୍' ମାଧ୍ୟମରେ ଅମିତ ରାୟ ପୁଣିଥରେ ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି ଯେ, ପଶୁମାନଙ୍କ ପ୍ରତି ଭଲପାଇବା, ଦୟା ଓ ମାନବିକତା ମଧ୍ୟ ଏକ ସୁନ୍ଦର କାହାଣୀର ମୂଳ ଆଧାର ହୋଇପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।