Accident: ଅଜଣା ଗାଡ଼ି ଧକ୍କାରେ ମାନସିକ ସନ୍ତୁଳନ ହରାଇଥିବା ଯୁବକ ଗୁରୁତର, ଦେବଦୂତ ସାଜିଲେ ପୂର୍ବତନ ସରପଞ୍ଚ
"ଭାଲୁମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଦୁଇଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।
ସିସିଟିଭି ଫୁଟେଜ ଅନୁସାରେ ଏକ ଅଜଣା ଚାରିଚକିଆ ଇଣ୍ଡିକା ଗାଡ଼ି ଧକ୍କାରେ ଜଣେ ମାନସିକ ଚାପଗ୍ରସ୍ତ ଅସହାୟ ଯୁବକ ଗୁରୁତର ଆହତ ହୋଇଛନ୍ତି।
ଦୁର୍ଘଟଣାଟି ଏତେ ଭୟାବହ ଥିଲା ଯେ, ଗୁରୁତର ବ୍ୟକ୍ତି ଜଣକର ଗୋଟିଏ ଗୋଡ଼ ସଂପୂର୍ଣ୍ଣ ଛିଣ୍ଡି ଯାଇଥିବା ବେଳେ ଅନ୍ୟ ଗୋଡ଼ଟି ଭାଙ୍ଗି ଯାଇଛି।
ଦୁର୍ଘଟଣା ଘଟାଇବା ପରେ ସମ୍ପୃକ୍ତ ଚାରିଚକିଆ ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।Advertisment ରାଜ୍ଖଡ଼ିଆର ସରକାରୀ ମେଡିକାଲକୁ ନେଇଥିଲେ ଆହତ ବ୍ୟକ୍ତି ଜଣକ ମୁରିବାହାଲ ବ୍ଲକ୍ ସାହାଜପାଣି ଗ୍ରାମ ହରିଜନ ପଡ଼ାର ଭିରୁ ଛୁରା (୪୦) ବୋଲି ଚିହ୍ନଟ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଭାଲୁମୁଣ୍ଡା ଗାଁର ଚାରିଛକ ନିକଟସ୍ଥ ପୁଇନ ମେହେରଙ୍କ ଘର ସମ୍ମୁଖରେ ଭିରୁ ଛୁରା ଶୋଇଥିବା ଅବସ୍ଥାରେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ଜୋରଦାର ଧକ୍କା ଦେଇଥିଲା।
ଫଳରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରେ ଅଚେତ ହୋଇ ପଡ଼ିରହିଥିଲେ।
ଏହା ଦେଖି ସ୍ଥାନୀୟ ଲୋକେ ବଙ୍ଗୋମୁଣ୍ଡା ପୁଲିସ ଓ ଭାଲୁମୁଣ୍ଡା ପୂର୍ବତନ ସରପଞ୍ଚ ଉପେନ୍ଦ୍ର ମେହେରଙ୍କୁ ଫୋନ କରି ଜଣାଇଥିଲେ।
ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବିଭାଗ ଆସି ତାଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରଥମେ ରାଜ୍ଖଡ଼ିଆର ସରକାରୀ ମେଡିକାଲକୁ ନେଇଥିଲେ।
ତେବେ ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ ଉପେନ୍ଦ୍ର ମେହେର ନିଜ ୧୦୮ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲେ ।
ପୂର୍ବତନ ସରପଞ୍ଚ ଉପେନ୍ଦ୍ର ମେହେର ନିଜେ ଆହତଙ୍କ ସହ ଆମ୍ବୁଲାନ୍ସରେ ବସି ବଲାଙ୍ଗୀର ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରିବା ସହ ଚିକିତ୍ସାର ସମସ୍ତ ବ୍ୟବସ୍ଥା କରିଛନ୍ତି।
ବର୍ତ୍ତମାନ ସେଠାରେ ଜରୁରୀକାଳୀନ ଚିକିତ୍ସା ଜାରି ରହିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଭିରୁଙ୍କ ପରିବାରରେ ବର୍ତ୍ତମାନ କେହି ନାହାନ୍ତି।
କିଛି ବର୍ଷ ତଳେ ତାଙ୍କର ଏକମାତ୍ର ଭଉଣୀଙ୍କ ମୃତ୍ୟୁ ଘଟିଥିଲା।
ଭଉଣୀଙ୍କ ବିୟୋଗ ପରେ ସେ ସଂପୂର୍ଣ୍ଣ ଏକାକୀ ହୋଇଯିବା ସହ ଗଭୀର ମାନସିକ ଚାପ ମଧ୍ୟକୁ ଚାଲିଯାଇଥିଲେ।
ଘରେ ଖାଇବା ପିଇବାର ଚରମ ଅସୁବିଧା ହେବାରୁ ସେ ମାନସିକ ସନ୍ତୁଳନ ହରାଇ ଏଣେତେଣେ ବୁଲୁଥିଲେ।
ବିଗତ ଗୋଟିଏ ବର୍ଷରୁ ଊର୍ଦ୍ଧ୍ବ ହେବ ସେ ଭାଲୁମୁଣ୍ଡା ଗାଁ ଆଖପାଖରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।
ଆଗରୁ ଅସହାୟ ଥିବା ଭିରୁଙ୍କୁ ଏହି ଦୁର୍ଘଟଣା ଆହୁରି ପଙ୍ଗୁ ଓ ନିରାଶ୍ରୟ କରିଦେଇଛି।
ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ତୁରନ୍ତ ଉପଯୁକ୍ତ ମାଗଣା ଚିକିତ୍ସା ଓ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦୃଢ଼ ଦାବି ହେଉଛି।
ଆଜିକାଲି ଦୁର୍ଘଟଣା ଦେଖି ଲୋକେ ମୁହଁ ବୁଲାଇ ଚାଲିଯାଉଥିବା ବେଳେ, ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର ଯେଭଳି ଭାବେ ଜଣେ ମାନସିକ ସନ୍ତୁଳନ ହରାଇଥିବା ଅଜଣା ଅସହାୟ ବ୍ୟକ୍ତିଙ୍କ ପାଇଁ ଦେବଦୂତ ସାଜିଲେ, ତାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସକାଳ ସମୟରେ ନିଜେ ଆମ୍ବୁଲାନ୍ସରେ ବସି ବଲାଙ୍ଗୀର ମେଡିକାଲ ପର୍ଯ୍ୟନ୍ତ ଆସି ରୋଗୀ ସେବା କରିବା ଭଳି ତାଙ୍କର ଏହି ମାନବିକତା ଓ ବଦାନ୍ୟତାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି ।
ଆହୁରି ପଢ଼ନ୍ତୁ: Annamalai's resignation: ଅନ୍ନାମଲାଇଙ୍କ ଇସ୍ତଫା ପରେ ଆନ୍ଧ୍ର ପ୍ରଦେଶରେ ରାଜ୍ୟସଭା ଆସନ ଛାଡ଼ିଲା ବିଜେପି ଆହୁରି ଦେଖନ୍ତୁ...
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।