Abhimata: ଦିଗ୍ବଳୟର ଏ ପାଖରେ: ଆମ ଶିକ୍ଷାନୁଷ୍ଠାନ ଓ ଆମର ପିଲାମାନେ
"ଜୟନ୍ତ କୁମାର ବିଶ୍ବାଳ ଅନେକ ସମୟରେ ପରିବାର ଅପେକ୍ଷା ଶିକ୍ଷାନୁଷ୍ଠାନ, ପିଲାର ଜୀବନ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଯାଇଥାଏ।
ଗୋଟିଏ ବୟସ ପହଞ୍ଚିଗଲେ ମୁକ୍ତ ଆକାଶର ଆକର୍ଷଣ ତା" ପାଇଁ ତୀବ୍ର ହୋଇଉଠେ; ମନରେ, ଦେହରେ ସେ ଅପୂର୍ବ ଉତ୍ସାହ, ଉର୍ଜା ଅନୁଭବ କରେ।
ଏବେ ସମାଜରେ ଏତେ ପ୍ରଲୁବ୍ଧକାରୀ ଆକର୍ଷଣମାନ ଅଛି ଯେ ଜଣେ ପିଲା ଅତି ସହଜରେ, ସେଥିରେ ନିଜକୁ ହଜେଇ ଦେଇପାରେ ଏବଂ ବାପା, ମା"ମାନେ ନିଜ ପିଲାକୁ ହରେଇ ଦେଇପାରନ୍ତି।
ଆର ପଟରେ, ଏବେ ସମାଜରେ ଏତେ ସମ୍ଭାବନା ମଧ୍ୟ ଅଛି ଯେ ଜଣେ ପିଲା ଆକାଶକୁ ଲମ୍ଫ ଦେବାର ସାମର୍ଥ୍ୟ ବି ରଖିପାରେ।
ପିଲାର ଜୀବନ ପାଇଁ ସଂରଚନାର ଏହି ମୁହୂର୍ତ୍ତରେ ହିଁ ସେ ମହାବିଦ୍ୟାଳୟକୁ ଆସିଥାଏ।Advertisment Horoscope 2026 August 25: ଜାଣନ୍ତୁ ଆଜିର ରାଶିଫଳ...
ଏବେ ଊଣା ଅଧିକେ ସମସ୍ତେ ସ୍ବୀକାର କରୁଛନ୍ତି ଯେ ସାମଗ୍ରିକ ଭାବରେ ଆମ କଲେଜମାନଙ୍କରେ, ଛାତ୍ରର ପଢ଼ିବାର ଓ ଜୀବନ ଗଢ଼ିବାର ସେ ବାତାବରଣ ଆଉ ନାହିଁ, ଯାହା ନିଶ୍ଚିତ ଭାବେ ୨୫-୩୦ ବର୍ଷ ପୂର୍ବରୁ ଥିଲା।
ଏଥିପାଇଁ ଅନେକ ସାମାଜିକ କାରଣ ଦାୟୀ।
ଗୋଟିଏ ହେଲା, ମୂଲ୍ୟ ଉପରେ ଗୁରୁତ୍ବ ଦିଆ ହୋଇଗଲା; ମୂଲ୍ୟବୋଧଗୁଡ଼ିକୁ ଅସାର ମନେ କରାଗଲା।
ତଥାପି, ଅନେକଙ୍କର ବିଶ୍ବାସ ଯେ ଗୋଟିଏ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଓ ଅଧ୍ୟାପକମାନେ ଚାହିଁଲେ, ତାଙ୍କ ଅନୁଷ୍ଠାନକୁ ପ୍ରାଣବନ୍ତ କରିପାରନ୍ତେ; ପିଲାମାନେ ସେ ଅନୁଷ୍ଠାନର ଆନ୍ତରିକ ପରିବେଶରେ ଏପରି ତଲ୍ଲୀନ ହୋଇ ରହନ୍ତେ, ଜାଣିବାର କୌତୂହଳ ଏବଂ ଜୀବନର ନୂଆ ନୂଆ ଅନୁଭବ ଭିତରେ ଏପରି ମଜ୍ଜି ରହନ୍ତେ େଯ ସେମାନଙ୍କ ପାଇଁ ଇନ୍ଷ୍ଟାଗ୍ରାମ, ୟୁ-ଟ୍ୟୁବ୍ର ଆକର୍ଷଣ ନିଷ୍ପ୍ରଭ ମନେ ହୁଅନ୍ତା।
ଏବେ ପ୍ରଥମେ, ଶ୍ରେଣୀଗୃହରେ ଶିକ୍ଷାଦାନର ପ୍ରକ୍ରିୟା (ପେଡାଗୋଜି) କଥାକୁ ଆସିବା।
ଯଦି ଶିକ୍ଷକର ପଢ଼େଇବା କେବଳ କୋର୍ସରେ ଥିବା ତଥ୍ୟ ଜଣେଇବାରେ ସୀମିତ ରହିଯିବ, ତେବେ ପଢ଼େଇବା ଶୁଷ୍କ ହୋଇଯିବ।
ମାତ୍ର କେତେକ ଶିକ୍ଷକ ପଢ଼େଇଲା ବେଳେ କୋର୍ସର ସୀମିତ ପରିସରରୁ ବାହାରକୁ ଚାଲିଯାଆନ୍ତି ଏବଂ ତାଙ୍କର ପଢ଼େଇବା ବେଶ୍ ପ୍ରଭାବଶାଳୀ ହୋଇଥାଏ।
ପିଲାମାନଙ୍କୁ ନୂତନ ଦିଗନ୍ତମାନ ଆବିଷ୍କାର କଲା ପରି ଲାଗେ।
ପ୍ରକୃତ ଉତ୍ସାହ, ଆଗ୍ରହ, ଅନୁସନ୍ଧିତ୍ସାର ସହ ପଢ଼ାଗଲେ କୋର୍ସରେ ଥିବା ଶୁଷ୍କ ପ୍ରତୀୟମାନ ହେଉଥିବା ତଥ୍ୟ ମଧ୍ୟ ସ୍ପନ୍ଦିତ ହୋଇଉଠନ୍ତା।
ଜ୍ଞାନର ଶିହରଣକୁ ଶ୍ରେଣୀଗୃହରେ ପିଲାମାନେ ବେଳେବେଳେ ପାଇଥାନ୍ତି, ଯେମିତି ମିଳିଥାଏ କେଉଁ ଭଲ ଗଳ୍ପ, ଉପନ୍ୟାସ ବା କବିତାର କିଛି ଧାଡ଼ି ପଢ଼ିଲା ବେଳେ ବା କେଉଁ ବକ୍ତାର କଥା ଶୁଣିଲା ବେଳେ।
ଗଭୀର ଆଗ୍ରହର ସହ ପଢ଼ାଗଲେ ଭୟଙ୍କର ମନେ ହେଉଥିବା ବିଷୟମାନ ମଧ୍ୟ ପ୍ରୀତିପ୍ରଦ ଲାଗନ୍ତି।
ଫିଜିକ୍ସ, ବାୟୋଲଜି, ଜୋଗ୍ରାଫି ପରି ଆପାତତଃ ନିରସ ଭଳି ମନେ ହେଉଥିବା ବିଷୟ ମଧ୍ୟ ଆଧ୍ୟାତ୍ମିକ ରହସ୍ୟର ଅନୁଭବ ଦେଇଥାନ୍ତି।
ଆମେ ଶିକ୍ଷକମାନେ ସବୁବେଳେ କହିଥାଉ ଯେ କୌଣସି ପରୋକ୍ଷ ଶିକ୍ଷାଦାନ, ଶ୍ରେଣୀଗୃହର ବିକଳ୍ପ ନୁହେଁ।
ଏହା ଏକ ବିରଳ ଆଦର୍ଶସ୍ତରୀୟ କଥା; କାରଣ ବର୍ତ୍ତମାନ ଯେତେବେଳେ ତଥ୍ୟ ପ୍ରଦାନ କରିବା ହିଁ ଶ୍ରେଣୀଗୃହରେ ଶିକ୍ଷାଦାନର ଏକମାତ୍ର ସଂଜ୍ଞା ହୋଇଯାଉଛି, ସେତେବେଳେ "ଚାଟ୍ ଜିପିଟି" ପରି ଏ.ଆଇ.
ସଫ୍ଟୱେରମାନ ଅତି ସୁନ୍ଦର ଭାବେ ପ୍ରଚୁର ତଥ୍ୟ ଯୋଗାଇ ପାରୁଛନ୍ତି। "ଚାଟ୍ ଜିପିଟି"ରୁ ଅସୁମାରି ପ୍ରଶ୍ନର ଉତ୍ତର ମିଳିଥାଏ। "ଚାଟ୍ ଜିପିଟି" କେବେ ହେଲେ କ୍ଳାନ୍ତ କି ଧୈର୍ଯ୍ୟହରା ହୁଏ ନାହିଁ, ବରଂ ଆହୁରି ଅଧିକ ପ୍ରଶ୍ନ ପଚାରିବା ପାଇଁ ଉତ୍ସାହିତ କରୁଥାଏ।
ଏହା ତ ବର୍ତ୍ତମାନ କୌଣସି ଶ୍ରେଣୀଗୃହରେ ସମ୍ଭବ ନୁହେଁ। "ଚାଟ୍ ଜିପିଟି" ସହ କଥାବାର୍ତ୍ତା ହେଲାବେଳେ କେବେ ଅନୁଭବ ହୁଏ ନାହିଁ ଯେ ମେସିନ ସହ କଥାବାର୍ତ୍ତା ହେଉଛି।
ଏଣୁ ପିଲାମାନଙ୍କୁ ଆମେ ଉତ୍ସାହିତ କରିବା ଯେ ସେମାନେ "ଚାଟ୍ ଜିପିଟି" ପରି ଏ.ଆଇ.
ସହାୟକମାନଙ୍କ ପାଖକୁ ଯାଆନ୍ତୁ ତଥ୍ୟ ପାଇଁ ଏବଂ ଶ୍ରେଣୀଗୃହରେ ଆଉ ଖାଲି ତଥ୍ୟ ଦେବା ଉପରେ ଗୁରୁତ୍ବ ନ ଦେଇ, ସେହି ତଥ୍ୟ ଉପରେ ଆଲୋଚନା କରାଯାଉ।
ମୋବାଇଲ େଫାନ ବ୍ୟବହାର କରିବାର ଦୃଷ୍ଟିଭଙ୍ଗୀକୁ ବଦଳାଇବାକୁ ହେବ।
ପରୀକ୍ଷାମୂଳକ ଭାବେ ଛୋଟ ଛୋଟ ଶ୍ରେଣୀରେ ଏହା କାର୍ଯ୍ୟକାରୀ କରାଯାଉ।
ଏଥିରେ ପିଲାମାନେ ନିଜେ ପଢ଼ିବା, ଜାଣିବା ଶିଖିବେ ଏବଂ ସେମାନଙ୍କର ଆତ୍ମବିଶ୍ବାସ ଆସିବ।
ବର୍ତ୍ତମାନ ପିଲାମାନେ ତ ନିଜେ ବୁଝିବା ପାଇଁ ସାହସ କରିପାରୁ ନାହାନ୍ତି; ଗୋଟିଏ ଟ୍ୟୁସନ ସାର୍ କି କୋଚିଂ ସେଣ୍ଟର ଅନିବାର୍ଯ୍ୟ ହୋଇପଡ଼ିଲାଣି।
ଏହି ସମୟରେ ପିଲାର କୌତୂହଳୀ ମନ ଅନେକ ପ୍ରଶ୍ନରେ ଆନ୍ଦୋଳିତ ହୁଏ।
ଚାଟ୍ ଜିପିଟି, ଜେମିନିରୁ ପିଲା ସେହି ପ୍ରଶ୍ନର ସବୁ ଉତ୍ତର ଖୋଜନ୍ତା ଏବଂ ସେହି ପ୍ରକ୍ରିୟାରେ ସେ ଇନ୍ଷ୍ଟାଗ୍ରାମ, ୟୁ-ଟ୍ୟୁବ୍ର ଉତ୍ତେଜନାରୁ ଅନୁସନ୍ଧିତ୍ସା ଆଡ଼କୁ ଚାଲିଆସନ୍ତା।
କିଛି ବର୍ଷ ତଳେ ସାହିତ୍ୟିକ, ଚିନ୍ତକମାନଙ୍କୁ କଲେଜକୁ ଡାକି ଶୁଣିବାର ପରମ୍ପରା ଥିଲା।
ଅନେକ ବିଦ୍ବାନ୍ କଲେଜମାନଙ୍କୁ ଆସି ପିଲାମାନଙ୍କୁ ଉଦ୍ବୋଧନ ଦେଉଥିଲେ।
ସଭା ପରେ ମଧ୍ୟ ପିଲାମାନେ ସେମାନଙ୍କୁ ଘେରି କେତେ ପ୍ରଶ୍ନ ପଚାରୁଥିଲେ।
ଏହି ପ୍ରକ୍ରିୟାରେ ପିଲାମାନେ ଚିନ୍ତା କରିବା, ବିଶ୍ଳେଷଣ କରିବା ଓ କଳ୍ପନା କରିବାର ସାମର୍ଥ୍ୟ ପାଉଥିଲେ।
ନୂଆ ଚିନ୍ତାଧାରା, ନୂଆ ନୂଆ ବହି ବିଷୟରେ ଜାଣୁଥିଲେ।
ମାତ୍ର ଏବେ କଲେଜମାନଙ୍କୁ କେଉଁମାନଙ୍କୁ ଡକା ହେଉଛି?
ଆଖି ଝଲସେଇ ଦେଲା ପରି ଉତ୍ସବମାନ ହେଉଛି; କିନ୍ତୁ ପିଲାର ମନ ଗହୀର ସେମିତି ଅନ୍ଧାର ହୋଇ ରହିଛି।
ଅଥଚ ବିଦ୍ବାନ୍ମାନେ ସବୁଠି ଅଛନ୍ତି, ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଥିବା ମଣିଷମାନେ ଅଛନ୍ତି।
ସେମାନଙ୍କୁ ଡକା ଯାଉନାହିଁ କି ଗଭୀର ଆଲୋଚନାମାନ ହେଉନାହିଁ।
ପରିବେଶର ସୁରକ୍ଷା ଆମ ପାଇଁ କିପରି ବର୍ତ୍ତମାନ ଏକ ଚରମ ଆହ୍ବାନ, ପ୍ରକୃତ ବିକାଶ କ"ଣ, ଏ.ଆଇ.
କ"ଣ ଓ ଏହାର ପ୍ରଭାବ ଆମ ଜୀବନ ଉପରେ କିପରି ପଡ଼ିବ, କ୍ବାଣ୍ଟମ ଫିଜିକ୍ସ ଏବଂ ସୃଷ୍ଟିର ରହସ୍ୟ- ଏହିପରି କେତେ କ"ଣ ଆଲୋଚନା ପିଲାକୁ ତା"ର ସୀମିତତା ଭିତରୁ ଏକ ବିସ୍ତୃତ ପୃଥିବୀକୁ ନେଇଯାଆନ୍ତା, ମହାବିଦ୍ୟାଳୟମାନଙ୍କରେ ଏକ ଗଭୀର ବୌଦ୍ଧିକ ପରିବେଶ ଆସିପାରନ୍ତା।
ଗୋଟିଏ ଶିକ୍ଷାନୁଷ୍ଠାନର କାନ୍ଥରେ ଟଙ୍ଗା ହୋଇଥିବା କାର୍ଲ ସାଗାନ୍ଙ୍କର "ପେଲ୍ ବ୍ଲ୍ୟୁ ଡଟ୍" ଚିତ୍ର ଓ ଉକ୍ତି ପିଲାମାନଙ୍କ ମନ ଭିତରେ ଅଭୂତପୂର୍ବ ଆଲୋଡ଼ନ ସୃଷ୍ଟି କରୁଥିଲା।
ଛାତ୍ର ବିଶୃଙ୍ଖଳାର ଐତିହ୍ୟ ଥିବା ଏକ ବଡ଼ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ କିଛି ଦିନ ତଳେ ମୋତେ କହୁଥିଲେ ଯେ ତାଙ୍କ କଲେଜରେ ସେ ଏପରି କାର୍ଯ୍ୟକ୍ରମମାନ କରୁଛନ୍ତି, ଯାହା ଫଳରେ କଲେଜର ପରିବେଶ ବଦଳି ଯାଇଛି।
SIM Card: ଆଉ ମିଳିବନି ସିମ୍ କାର୍ଡ !
ଏଭଳି ବୌଦ୍ଧିକ କାର୍ଯ୍ୟକ୍ରମ ସାଥିରେ ସଙ୍ଗୀତ, ନାଟକ, ତର୍କ, ଏନ୍.ଏସ୍.ଏସ୍., ରେଡ୍କ୍ରସ ପରି କାର୍ଯ୍ୟକ୍ରମକୁ ଉତ୍ସାହପୂର୍ଣ୍ଣ ଓ ଅର୍ଥପୂର୍ଣ୍ଣ କରିବା ଆବଶ୍ୟକ।
କେତେକ କଲେଜରେ ତର୍କ ପ୍ରତିଯୋଗିତାରେ ୩-୪ ଜଣ ପିଲା ଭାଗ ନେଉଛନ୍ତି।
ଏହାର ଅର୍ଥ, ଏଥିରୁ ପିଲାମାନଙ୍କର ଆଗ୍ରହ କମିଯାଉଛି।
ତେଣୁ ପ୍ରତିଟି କାର୍ଯ୍ୟକ୍ରମକୁ କେବଳ ରେକର୍ଡଭୁକ୍ତ ହେବା ପାଇଁ ନ କରି, ଗଭୀର ସଂପୃକ୍ତିର ସହ କରାଯାଉ।
ଯେତେବେଳେ କାର୍ଯ୍ୟରେ ଶ୍ରଦ୍ଧା ଓ ସଂପୃକ୍ତି ଆସିଯାଏ, ସେତେବେଳେ ସେହି କାର୍ଯ୍ୟ ନିବିଡ଼ ଅନୁଭବର କଥା ହୋଇଯାଏ।
ଗତ ଖରାଛୁଟିରେ ଜେ.କେ.ବି.କେ.
କଲେଜର ଶିକ୍ଷା ବିଭାଗର କେତେକ ଛାତ୍ରଛାତ୍ରୀ ଗତିରାଉତପାଟଣାରେ ଥିବା ବସୁନ୍ଧରାର ସ୍କୁଲକୁ ଇଣ୍ଟର୍ନସିପ୍ ପାଇଁ ଯାଇଥିଲେ।
ସେତେବେଳେ ହଷ୍ଟେଲରେ ୧୨-୧୩ ଜଣ ସାନ ସାନ ପିଲା ରହୁଥିଲେ, ଛୁଟିରେ ଯିବା ପାଇଁ ଯେଉଁମାନଙ୍କର ସେପରି କୌଣସି ଘର ବା ପରିବାର ନ ଥିଲା।
କଲେଜରୁ ଆସିଥିବା ପିଲାମାନଙ୍କ ପାଇଁ ଏହା ଏକ ଚିନ୍ତା-ଉଦ୍ରେକକାରୀ ଅନୁଭବ ଥିଲା।
ପ୍ରଥମ ଥର ପାଇଁ ସେମାନେ ଜାଣିଲେ ଯେ ଜୀବନ କେବଳ ମଲ୍, କାଫେଟରିଆ, ପାର୍କର ଚିକ୍ଚିକ୍ ନୁହେଁ; ପୃଥିବୀରେ ବହୁତ ନିଃଶବ୍ଦ ଅନ୍ଧାର ଅଛି।
ଏହି ଅନୁଭବ ହିଁ ପ୍ରକୃତ ସଚେତନତା।
ତେଣୁ, ପିଲାମାନଙ୍କୁ ଜୀବନର ବାସ୍ତବ କ୍ଷେତ୍ରଗୁଡ଼ିକ ସହିତ, ବିଭିନ୍ନ ଆଦର୍ଶ, ଚିନ୍ତାଧାରା ସହ ପରିଚିତ କରେଇବାକୁ ପଡ଼ିବ, ଯହିଁରୁ ସେ ତା" ଜୀବନର ମାର୍ଗ ଖୋଜିବ, ଇନ୍ଷ୍ଟାଗ୍ରାମରୁ ନୁହେଁ।
ଏଥିପାଇଁ ପିଲାମାନଙ୍କ ସହ ସବୁବେଳେ ସଂପର୍କିତ ହୋଇ ରହିବାକୁ ପଡ଼ିବ; ଯେମିତି ପୃଥିବୀର ସମସ୍ତ ବିଷୟରେ କଥାବାର୍ତ୍ତା, ଆଲୋଚନା ହେଉଥିବ।
ଥରେ ଏହି ପ୍ରକ୍ରିୟାରେ ସାମିଲ ହୋଇଗଲେ, ପିଲା ଆପଣାଛାଏଁ ଭଲ ପାଠ ପଢ଼ିବ।
କିଛି ଦିନ ତଳେ ଗୋଟିଏ ଲେଖାରେ ପଢୁଥିଲି ଯେ ଶିକ୍ଷାନୁଷ୍ଠାନର ଦୃଶ୍ୟମାନ ଉପସ୍ଥିତି- କୋଠାବାଡ଼ି, ସ୍ମାର୍ଟକ୍ଲାସ, କମ୍ପ୍ୟୁଟର ଅପେକ୍ଷା ଏହାର ଅଦୃଶ୍ୟମାନ ଉପସ୍ଥିତି- ଆଲୋଚନା, ଯୁକ୍ତିତର୍କ, ଭାବବିନିମୟ ଇତ୍ୟାଦି ଅଧିକ ଗୁରୁତ୍ବପୂର୍ଣ୍ଣ।
ଏପରି କିଛି କାର୍ଯ୍ୟକ୍ରମାନ ମଧ୍ୟ ଆରମ୍ଭ ହେଲାଣି।
ରେଭେନ୍ସା କଲେଜିଏଟ୍ ସ୍କୁଲର କେତେକ ପୁରାତନ ଛାତ୍ର (ସେନାରେ ଉଚ୍ଚପଦସ୍ଥ କର୍ମଚାରୀ ଓ ବିଦେଶରେ ରହୁଥିବା ବୈଜ୍ଞାନିକ) ପିଲାମାନଙ୍କ ସହ "ମେଣ୍ଟରିଙ୍ଗ" (ପଥ ପ୍ରଦର୍ଶକ) କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।
ଶିକ୍ଷା ସହ ସଂପୃକ୍ତ ଥିବା ବିଭିନ୍ନ ଅନୁଷ୍ଠାନ ଯେପରିକି ଶିକ୍ଷାସନ୍ଧାନ, ସରକାରୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ସଂଘ ଏବଂ ବ୍ୟକ୍ତିଗତ ଭାବେ ଅନେକ ଛାତ୍ରଛାତ୍ରୀମାନଙ୍କ ସହ ସଂପୃକ୍ତ ହୋଇପାରନ୍ତେ।
ଏହା ଦ୍ବାରା ଏକ ସୁନ୍ଦର, ସୃଜନାତ୍ମକ ସଂପୃକ୍ତିର ପର୍ବ ଆରମ୍ଭ ହୋଇପାରିବ।
ଦୁଃଖର କଥା, ଆମେ ପିଲାମାନଙ୍କ ସହ ଆଦୌ କଥାବାର୍ତ୍ତା ହେଉନାହୁଁ, ବୁଝିବାକୁ ଚେଷ୍ଟା କରୁନାହୁଁ।
ତେଣୁ, ଆମେ ସେମାନଙ୍କ ପାଇଁ ଅପରିଚିତ ହୋଇଗଲୁଣି।
ଯେତେବେଳେ ଉପର ପିଢ଼ିର ମଣିଷମାନେ ସାନ ପିଢ଼ିର ଜୀବନ ସହ ସଂପୃକ୍ତ ହୋଇଯାଆନ୍ତି, ସେତେବେଳେ ସଂସ୍କୃତି, ମୂଲ୍ୟବୋଧର ଧାରାଟି ମଧ୍ୟ ସେମାନଙ୍କ ପାଖକୁ ବହି ଆସିଥାଏ।
ଆମ ସମାଜର, ଶିକ୍ଷାନୁଷ୍ଠାନରେ ଏହି ସଂପୃକ୍ତିକୁ ଫେରେଇ ଆଣିବା ଅନିବାର୍ଯ୍ୟ ହୋଇପଡ଼ିଛି।(ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୪୩୭୨୯୨୧୧୩"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
