Aamir Khan to Enter Third Marriage: ତୃତୀୟ ଥର ପାଇଁ ଘର ବସାଇବେ ଆମୀର ଖାନ; ଜାଣନ୍ତୁ କେବେ ଆରମ୍ଭ ହୋଇଥିଲା ପ୍ରେମ ସଂପର୍କ
ବଲିଉଡ୍ ସୁପରଷ୍ଟାର ଆମୀର ଖାନଙ୍କ ପ୍ରେମିକା ଗୌରୀ ସ୍ପ୍ରାଟଙ୍କ ସହ ତୃତୀୟ ବିବାହକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଚାଲିଛି। ଏବେ ଅଭିନେତା ନିଜେ ଏହି ଖବରକୁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ସେ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଏବଂ ଏଥିପାଇଁ ସମସ୍ତଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା କାମନା କରୁଛନ୍ତି।
ନିଜ ତୃତୀୟ ବିବାହ ବିଷୟରେ କଥା ହେଉଥିବା ବେଳେ ତାଙ୍କ ବଡ଼ ପୁଅ ଜୁନୈଦ ଖାନ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ବାପା-ପୁଅ ଉଭୟ ଅର୍ଶଦ ୱାରସୀଙ୍କ ଅଭିନୀତ ୱେବ୍ ସିରିଜ୍ ‘ପ୍ରୀତମ ଆଣ୍ଡ ପେଡ୍ରୋ’ର ସ୍କ୍ରିନିଂରେ ଯୋଗ ଦେବାକୁ ପହଞ୍ଚିଥିଲେ।
କେବେ, କେଉଁଠି ଏବଂ କେମିତି ହେବ ଆମୀର ଖାନଙ୍କ ବିବାହ? ନିଜେ କଲେ ସ୍ପଷ୍ଟ
ଆମୀର ଖାନ କହିଛନ୍ତି ଯେ, ଆସନ୍ତା ୫ ଜୁଲାଇ ୨୦୨୬ରେ ସେ ନିଜ ସାଥୀ ଗୌରୀ ସ୍ପ୍ରାଟଙ୍କ ସହ ଏକ ଛୋଟ ଏବଂ ସାଧାରଣ ସମାରୋହରେ ବିବାହ କରିବେ। ସେ କହିଛନ୍ତି, ବିବାହ ତାଙ୍କ ଘରେ ହେବ ଏବଂ ଏଥିରେ କେବଳ ପରିବାର ସଦସ୍ୟ, ଘନିଷ୍ଠ ବନ୍ଧୁ ଓ ପିଲାଦିନର ସାଙ୍ଗମାନେ ଯୋଗ ଦେବେ।
ଆମୀର ଆହୁରି କହିଛନ୍ତି ଯେ, ଏହି ବିବାହ ପାଇଁ ସେ ସମସ୍ତଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା କାମନା କରୁଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ତାଙ୍କ ବିବାହ ରେଜିଷ୍ଟର୍ଡ ମ୍ୟାରେଜ୍ ମାଧ୍ୟମରେ ସମ୍ପନ୍ନ ହେବ।
କେମିତି ଆରମ୍ଭ ହୋଇଥିଲା ଆମୀର ଓ ଗୌରୀଙ୍କ ପ୍ରେମ କାହାଣୀ?
ଆମୀର ଖାନ ଓ ଗୌରୀ ସ୍ପ୍ରାଟଙ୍କ ସମ୍ପର୍କ ବିଷୟରେ କହିବାକୁ ଗଲେ, ପ୍ରାୟ ଏକ ବର୍ଷ ପୂର୍ବେ ନିଜ ଜନ୍ମଦିନ ଅବସରରେ ଆମୀର ସେମାନଙ୍କ ସମ୍ପର୍କକୁ ସାର୍ବଜନୀନ କରିଥିଲେ। ସେ କହିଥିଲେ ଯେ, ଦୁହିଁଙ୍କର ପ୍ରଥମ ସାକ୍ଷାତ ପ୍ରାୟ ୨୦ ବର୍ଷ ପୂର୍ବେ ହୋଇଥିଲା।
ସେତେବେଳେ କେବଳ ପରିଚୟ ଥିଲା, କିନ୍ତୁ ବହୁ ବର୍ଷ ପରେ ପୁଣି ଥରେ ଯୋଗାଯୋଗ ହେବା ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଗଭୀର ହୋଇଥିଲା ଏବଂ ପ୍ରେମ ସମ୍ପର୍କରେ ଆସିଥିଲେ। ଗୌରୀ ସ୍ପ୍ରାଟ ମୂଳତଃ ବେଙ୍ଗାଲୁରୁର ବାସିନ୍ଦା। ସେ ଆମୀର ଖାନଙ୍କ ଫିଲ୍ମ ପ୍ରଡକ୍ସନ ସହ ଜଡିତ ଥିବା ସହ ଏକ ସେଲୁନ୍ ଚେନ୍ ମଧ୍ୟ ପରିଚାଳନା କରୁଛନ୍ତି।